ବଡ଼ ଠକମାନଙ୍କ ବିଷୟରେ ଆଲୋଚନା ହେଉନାହିଁ କାହିଁକି ?

ବଡ଼ ଠକମାନଙ୍କ ବିଷୟରେ ଆଲୋଚନା ହେଉନାହିଁ କାହିଁକି ?

ନିକଟରେ କାଶ୍ମୀର ପରି ଏକ ଅତି ନିରାପତ୍ତା ସଂପନ୍ନ ଅଞ୍ଚଳରେ ନିଜକୁ ପିଏମ୍‌ଓର ଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ କହି ଜେଡ୍ ପ୍ଲସ୍ ନିରାପତ୍ତା ବ୍ୟବସ୍ଥା ସହିତ ସବୁ ସ୍ଥାନକୁ ବାରମ୍ବାର ଯିବା ପରେ କିରନ୍ ପଟେଲ୍ ନାମକ ଜଣେ ମହାଠକକୁ ପୋଲିସ ଗିରଫ କରିବା ପରେ ତାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଓ କେନ୍ଦ୍ର ସରକାରୀ ସ୍ତରରେ ଯେତିକି ତତ୍ପରତା ଓ ଆଲୋଚନା ହେବାକଥା ତାହା କରାଯାଇ ନାହିଁ । ବରଂ ସମୁଦାୟ ଘଟଣାକୁ ଦବେଇ ଦେବା ପାଇଁ ଏକ ପ୍ରୟାସ ଆରମ୍ଭ ହୋଇଛି । ବାସ୍ତବରେ କିରନ୍ ପଟେଲ୍ ବାରମ୍ବାର କାଶ୍ମୀର ଗସ୍ତ କରିଛନ୍ତି ଓ ସେଠାରେ ଅବସ୍ଥାପିତ ବିଏସ୍‌ଏଫ୍‌, ସିଆରପିଏଫ୍ ଓ ଅନ୍ୟ ଅଧିକାରୀଙ୍କ ସହିତ କଥାବାର୍ତ୍ତା ହୋଇ ଏପରି କେତେକ ଅଞ୍ଚଳକୁ ଯାଇଛନ୍ତି, ଯେଉଁଠିକୁ ଜଣେ ସାଧାରଣ ବାହାର ଲୋକ ପ୍ରବେଶ କରିବା ଅସମ୍ଭବ ବୋଲି ବିଚାର କରାଯାଏ ।

ଆଶ୍ଚର୍ଯ୍ୟର କଥା, ସଂପୃକ୍ତ ବ୍ୟକ୍ତିଙ୍କୁ ଖୋଦ୍ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପ୍ରଦାନ କରୁଥିବା ଜେଡ୍ ପ୍ଲସ୍ ସିକ୍ୟୁରିଟି ବ୍ୟବସ୍ଥା ପ୍ରଦାନ କରାଯାଇଛି । ଏପରିକି ତାଙ୍କର ଯାତାୟାତ ପାଇଁ ବୁଲେଟ୍ ପ୍ରୁଫ୍ ଗାଡ଼ି ସହିତ ଜେଡ୍ ପ୍ଲସ୍ ସିକ୍ୟୁରିଟିର ବ୍ୟବସ୍ଥା ଅନୁସାରେ ବନ୍ଧୁକଧାରୀ ସିଆରପିଏଫ୍ ଯବାନମାନେ ତାଙ୍କ ସହିତ ବରାବର ଯାଇଛନ୍ତି । ସେ ଶ୍ରୀନଗରର ଏକ ପଞ୍ଚତାରକା ହୋଟେଲ୍‌ରେ ଥିବା ବେଳେ ଏକ ପୋଲିସ ଚଢ଼ଉରେ ଧରାପଡ଼ିଥିଲେ । ତାଙ୍କ ସହିତ ସେହି ହୋଟେଲ୍‌ରେ ଥିବା ଅନ୍ୟ ଦୁଇଜଣ ସହଯୋଗୀ ଅମିତ ପାଣ୍ଡ୍ୟା ଓ ଜୟ ସୀତାପଡ଼ା ଧରା ହୋଇଥିଲେ ମଧ୍ୟ ପୋଲିସ ସେମାନଙ୍କୁ ଛାଡ଼ି ଦେଇଥିଲା । କିରନ୍ ପଟେଲ୍‌ଙ୍କ ପରି ଅମିତ ପାଣ୍ଡ୍ୟା ଓ ଜୟ ଗୁଜରାଟ ବାସିନ୍ଦା । ଅମିତ ପାଣ୍ଡ୍ୟାଙ୍କ ବାପା ହିତେଶ ପାଣ୍ଡ୍ୟା ସାମ୍ବାଦିକତାରୁ ବିଭିନ୍ନ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ପିଆର୍‌ଓ ଭାବେ କାର୍ଯ୍ୟ କରିଥିବା ତଥ୍ୟ ପଦାକୁ ଆସିଛି । ବାସ୍ତବିକ ହିତେଶ ପାଣ୍ଡ୍ୟାଙ୍କ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ଚାରିଜଣ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହିତ ଫଟୋଚିତ୍ର ମଧ୍ୟ ରହିଛି । ସେ ଗୁଜରାଟ ସରକାରଙ୍କ ଜଣେ ମିଡିଆ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଏହି ଘଟଣାକୁ ନେଇ ପୁଣିଥରେ ଗତ ସପ୍ତାହରେ ଛାନ୍‌ଭିନ୍ ହେଲା ପରେ ଅମିତ ପାଣ୍ଡ୍ୟା ଓ ଜୟଙ୍କୁ କାଶ୍ମୀର ପୋଲିସ ପଚରାଉଚରା ପାଇଁ ଆଉଥରେ ଡାକିଛି । କିନ୍ତୁ ଅସଲକଥା ହେଉଛି, କିରନ୍ ପଟେଲ୍‌ଙ୍କ ପରିଚୟପତ୍ର ଓ ଲେଟର୍ ପ୍ୟାଡ୍‌ରେ ସେ ପିଏମ୍‌ଓରେ ଜଣେ ଡାଇରେକ୍ଟର ଥିବା ଦର୍ଶାଇ ଓ ସ୍ୱରାଷ୍ଟ୍ର ମନ୍ତ୍ରାଳୟରୁ ଜେଡ୍ ପ୍ଲସ୍ ସିକ୍ୟୁରିଟିର ଚିଠି ଆଦାୟ କରି ଆସିଥିବାରୁ ସରକାରୀ ଖର୍ଚ୍ଚରେ କାଶ୍ମୀରରେ ତାଙ୍କୁ ସମସ୍ତ ସୁବିଧା ପ୍ରଦାନ କରାଯାଇଛି । ଗତ ଅକ୍ଟୋବର ମାସରୁ ସେ ବାରମ୍ବାର କାଶ୍ମୀର ଆସିଛନ୍ତି ଓ କାଶ୍ମୀରରେ ସେଓ ବଗିଚା କିଣିବା ପାଇଁ କିଛି ଲୋକଙ୍କ ସହିତ କଥାବାର୍ତ୍ତା ମଧ୍ୟ କରିଛନ୍ତି । ଏଥିପାଇଁ ଗୁଜରାଟର କିଛି ପ୍ରଭାବଶାଳୀ ବ୍ୟକ୍ତି ତାଙ୍କୁ ଏହି ଦାୟିତ୍ୱ ଦେଇଥିଲେ ଓ ଏହି ପ୍ରଭାବଶାଳୀ ବ୍ୟକ୍ତିମାନଙ୍କର ପିଏମ୍‌ଓ ସହିତ ସଂପର୍କ ଥିବା କୁହାଯାଉଛି । କିନ୍ତୁ ଘଟଣାଟି ଏପରି ହୋଇଛି, ଯାହାର ଜାତୀୟ ଗଣମାଧ୍ୟମରେ ଓ ସରକାରୀ ସ୍ତରରେ ବ୍ୟାପକ ଆଲୋଚନା ହେବାକଥା । କିନ୍ତୁ ଆଦାନୀ ବ୍ୟାପାରରେ ଯେପରି ଭାବରେ ପାର୍ଲାମେଂଟରେ ଆଲୋଚନାକୁ ବନ୍ଦ କରିଦିଆଯାଇଛି, ଠିକ୍ ସେହିପରି କିରନ୍ ପଟେଲ୍‌ଙ୍କ ପରି ଠକ ମାମଲାରେ ମଧ୍ୟ ଆଲୋଚନା ଯେପରି ନହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ଜଣେ ଜେଡ୍ ପ୍ଲସ୍ ସିକ୍ୟୁରିଟି କିପରି ହାସଲ କରେ ବା କାହାକୁ ଜେଡ୍ ପ୍ଲସ୍ ସିକ୍ୟୁରିଟି ଦିଆଯାଏ, ସେ ସଂପର୍କରେ ଗଣମାଧ୍ୟମମାନେ ଅବଗତ ଅଛନ୍ତି । କିରନ୍ ପଟେଲ୍ ସେହି ସୁବିଧା ପାଇବା ପାଇଁ ତାଙ୍କର ଫାଇଲ୍ ବିଭିନ୍ନ ମାଧ୍ୟମ ଓ ଗୁଇନ୍ଦା ସଂସ୍ଥା ରିପୋର୍ଟ ସହିତ ସ୍ୱରାଷ୍ଟ୍ର ମନ୍ତ୍ରାଳୟରେ ତଦାରଖ ହେଲା ପରେ ଜଣକୁ ଜେଡ୍ ସିକ୍ୟୁରିଟି ପ୍ରଦାନ କରାଯାଏ । ତେଣୁ କିରନ୍ ପଟେଲ୍ ଏହି ସୁବିଧା ହାସଲ ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ସହିତ ବିଭିନ୍ନ ସଂସ୍ଥାଗୁଡିକୁ କିପରି ହାତ କରିଛନ୍ତି ଓ ଦେଶର ସର୍ବକ୍ଷମତାଶାଳୀ କୁହାଯାଉଥିବା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଫାଇଲ୍‌କୁ ମଞ୍ଜୁରୀ ଦେଇଛନ୍ତି କି ନାହିଁ ତାହା ପଦାକୁ ଆସିବା ନିହାତି ଜରୁରୀ ହୋଇପଡିଛି ।
ଗୌତମ ଆଦାନୀଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସଂପର୍କ ଯୋଗୁ ଗତ ୫/୬ ବର୍ଷ ଭିତରେ ସେ ସାରା ବିଶ୍ୱରେ ଦ୍ୱିତୀୟ ଧନୀ ବ୍ୟକ୍ତି ଭାବରେ ଉଭା ହୋଇଥିଲେ । ଆମେରିକାର ହିଣ୍ଡେନ୍‌ବର୍ଗ ନାମକ ଏକ ଗବେଷଣା ସଂସ୍ଥା ଆଦାନୀ ଗୋଷ୍ଠୀ କିପରି ଭାବରେ ଭାରତୀୟ ବ୍ୟବସ୍ଥାକୁ ଠକି ମନି ଲଣ୍ଡରିଂ ସାହାଯ୍ୟରେ ନିଜ କମ୍ପାନୀର ଅଂଶଧନକୁ ବହୁ ଭାବରେ ବୃଦ୍ଧି କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସଂପର୍କ ଯୋଗୁ ଭାରତରେ ଓ ବିଭିନ୍ନ ଦେଶରେ କିପରି ଫାଇଦା ହାସଲ କରିଛନ୍ତି ସେ ସଂପର୍କରେ ବହୁଗୁଡ଼ିଏ ପ୍ରଶ୍ନ ଉତ୍‌ଥାପନ କରିବା ପରେ ଆଦାନୀ ଗୋଷ୍ଠୀର ଅଂଶଧନ ମୂଲ୍ୟ ଦ୍ରୁତଗତିରେ ହ୍ରାସ ପାଇବା ଫଳରେ ଏହା ବିଶ୍ୱର ୫୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ମଧ୍ୟ ନାହିଁ । କିନ୍ତୁ ଏହି ଘଟଣା ଉପରେ ଭାରତରେ ଯେପରି ଆଲୋଚନା ହେବାକଥା ଓ ପାର୍ଲାମେଂଟ ଏହାର ଯେପରି ତଦନ୍ତ କରିବା କଥା ତାହା ହୋଇନାହିଁ । ଠିକ୍ ସେହିପରି ଭାରତରୁ ପ୍ରାୟ ୧୩ ହଜାର କୋଟି ଟଙ୍କା ଠକି ନେଇ ବିଦେଶକୁ ଚାଲିଯାଇଥିବା ମେହୁଲ ଚୋକ୍‌ସିଙ୍କୁ ୮ବର୍ଷ ଭିତରେ ଭାରତକୁ ଅଣାଯାଇପାରିଲା ନାହିଁ । ଅପରପକ୍ଷରେ ସେ ଏବେ ଆଂଟିଗୁଆର ନାଗରିକ ହୋଇଯାଇଥିବାରୁ ସେ ସରକାରଙ୍କ ଉଦ୍ୟମକ୍ରମେ ତାଙ୍କ ଉପରେ ଇଂଟରପୋଲ୍ ଜାରି କରିଥିବା ରେଡ୍ କର୍ଣ୍ଣର୍ ନୋଟିସ୍ ପ୍ରତ୍ୟାହୃତ ହୋଇଛି ।

ବିଶ୍ୱଗୁରୁ ବୋଲି ନିଜକୁ ଦାବି କରୁଥିବା ଭାରତରେ ଠକମାନଙ୍କର ପ୍ରତିଯୋଗିତା ଏବଂ ଏମାନଙ୍କ ଭିତରୁ ଅଧିକାଂଶ ଗୁଜରାଟ ରାଜ୍ୟରୁ ଆସିବା ‘ଖାଇବି ନାହିଁ କି ଖାଇବାକୁ ଦେବି ନାହିଁ’ ସ୍ଲୋଗାନ୍ ଦେଉଥିବା ସରକାରର ପତିଆରାକୁ ତଳେ ପକେଇଦେଇଛି । ଜନସାଧାରଣ ଏ ସଂପର୍କରେ ପୂର୍ଣ୍ଣ ଅବଗତ ହେଲେ ୟୁପିଏ ସରକାର ବିରୋଧରେ ଯେପରି ଭାବରେ ଦୁର୍ନୀତି ଅଭିଯୋଗର ବାତାବରଣ ହୋଇଥିବା ଧାରଣା ସୃଷ୍ଟି ହୋଇଥିଲା, ତାହା ବର୍ତ୍ତମାନ ସରକାର ବିଷୟରେ ହେବାକୁ ସମୟ ଲାଗିବ ନାହିଁ । କିନ୍ତୁ ୟୁପିଏ ସରକାର ସମୟରେ ଗଣମାଧ୍ୟମଗୁଡିକ ଓ ପାର୍ଲାମେଂଟ ମୁକ୍ତ ଥିବାରୁ ସାଧାରଣରେ ଏହି ଆଲୋଚନା ଓ ବିତର୍କ ତୀବ୍ର ଗତିରେ ହୋଇଥିଲା । ଯାହା ବର୍ତ୍ତମାନ ହେବା କଷ୍ଟକର ହୋଇଥିବାରୁ ସରକାର ସବୁ ଠକଙ୍କ ବିପଦକୁ ଏଡ଼ାଇ ଦେଇପାରିବେ ବୋଲି ଧରିନେଇଛନ୍ତି ।


----
ମୋ-୮୦୧୮୦୯୪୪୫୫