କେଦାର ମିଶ୍ରଙ୍କୁ ପାନେ
ମୂନା ଦେଖା ହୋଇଗଲା । ଲେଖକ ଓ ସାମ୍ବାଦିକ କେଦାର ମିଶ୍ରଙ୍କ ଉପରେ ସେ ରାଗରେ ତମତମ୍ । କହିଲା ଜଣେ ଜ୍ଞାନୀ ଲୋକ ବୋଲି ଛାଡ଼ିଦେଲି । କେବଳ କଥାରେ ଓ ଶବ୍ଦ ବ୍ୟବହାରରେ ତାଙ୍କୁ ପାରିବିନି ବୋଲି ମୁଁ ତାଙ୍କୁ ଛାଡ଼ିଦେଲି । ନହେଲେ ଆଉ କେଉଁଥିପାଇଁ ନୁହେଁ। ସେ କେବଳ ଆମ ହ୍ବାଟସପ୍ ଗୃପକୁ ଆସି ଏମିତି ଲେଖନ୍ତୁ ତ ଦେଖି ।
ମୁଁ ତା ରାଗ ଦେଖି ଟିକିଏ ବିଚଳିତ ହେଲି । ପଚାରିଲି କଣ ହୋଇଛି କହ । କେଦାର ମିଶ୍ର ଏମିତି କଣ ଲେଖିଲେ କି ?
ମୂନା କହିଲା, ଦେଖନ୍ତୁ ଆଜ୍ଞା ସେ ଆମକୁ ଭକ୍ତ କହିଲେ । ମନା ନାହିଁ। ହଁ ଆମେ ଭକ୍ତ । ମୋଦୀ ଭକ୍ତ । ସେ ଆମକୁ ବିବେକହୀନ କହିଲେ । ମନା ନାହିଁ । କିନ୍ତୁ ତା ବୋଲି ଆମେ କ'ଣ ବିରଳ ଜାତିର ମେଣ୍ଢା ? ଆମେ ଗତ ୯ ବର୍ଷ ହେଲା ଭକ୍ତ ହୋଇ ଅଛୁ । ଗୋଟିଏ ମହତ ଉଦ୍ଦେଶ୍ୟରେ । କିନ୍ତୁ ସେ କଣ କରୁଛନ୍ତି ? ସବୁବେଳେ ମୋଦୀଙ୍କ ବିରୁଦ୍ଧରେ କଲମ ଚଳେଇ ଆସୁଛନ୍ତି ଗତ ୯ ବର୍ଷ ଧରି । ଟିକିଏ ବାଲାନ୍ସ ବି କରୁ ନାହାନ୍ତି । ମୁଁ ଜାଣିଛି ମହିଳା କୁସ୍ତି ଖେଳାଳିଙ୍କ ସହ ଯାହା ହେଉଛି ତାହା ତାଙ୍କୁ କଷ୍ଟ ଦେଇଛି । କେବଳ ତାଙ୍କୁ କାହିଁକି ? ସମସ୍ତଙ୍କୁ କଷ୍ଟ ଦେଉଛି । ଆମକୁ ମଧ୍ୟ । ଆମେ ତଥାପି ଚୁପ୍ ରହିଛୁ । କେବଳ ସେହି ମହତ ଲକ୍ଷ ପାଇଁ । ପୁଣି ସେ ଯଦି ବି ସେହି ବିଷୟରେ ଲେଖୁଛନ୍ତି , ସେଥିରେ ମୋଦୀ କିମ୍ବା ବିଜେପିର ନାଁକୁ ନ ଭିଡ଼ି, ତାହାକୁ ଦିଲ୍ଲୀ ପୋଲିସ ଓ କୁସ୍ତି ଖେଳାଳିଙ୍କ ମଧ୍ୟରେ ବିବାଦ କିମ୍ବା ଅତି ବେଶୀରେ ବ୍ରିଜ ଭୁଷଣ ଓ କୁସ୍ତି ଖେଳାଳିଙ୍କ ମଧ୍ୟରେ ବିବାଦ ବୋଲି ଲେଖିପାରି ନଥାନ୍ତେ କି, ଯେମିତି ଅନ୍ୟ ବହୁ ଲେଖକ ଲେଖୁଛନ୍ତି ?
ମୁଁ ପଚାରିଲି କ'ଣ ତମର ସେ ମହତ୍ ଲକ୍ଷ୍ୟ ଯାହା ତମ ମୋଦୀ ହାସଲ କରିବେ ବୋଲି ଭାବୁଛୁ ?
ମୂନା ନିର୍ବିକାର ଭାବେ ଉତ୍ତର ଦେଲା - ହିନ୍ଦୁ ରାଷ୍ଟ୍ର । ଆମେ ଏହି ହିନ୍ଦୁ ରାଷ୍ଟ୍ର ପାଇଁ ସବୁକିଛି କଷ୍ଟ ସହିଯିବୁ । ଦେଖ ପାକିସ୍ଥାନ କେମିତି ନିଜକୁ ମୁସଲମାନ ଦେଶ ଘୋଷଣା କରିଛି । ଆମେ କାହିଁକି ନିଜ ରାଷ୍ଟ୍ରକୁ ହିନ୍ଦୁ ରାଷ୍ଟ୍ର ନ କରିବା ? ଏହି ହିନ୍ଦୁ ରାଷ୍ଟ୍ର ଗଠନ ପାଇଁ ଆମେ ସବୁକିଛି ସହିଯିବୁ ।
ମୁଁ କହିଲି ଦେଖ ମୁନା , ତୋର ଯଦି କିଛି ଲକ୍ଷ୍ୟ ଅଛି ସେଥିରେ ମୋର କୈାଣସି ଆପତ୍ତି ନାହିଁ । କିନ୍ତୁ ତୁ ଯେଉଁ କହୁଛୁ ତୁ ସେଥିପାଇଁ ସବୁ ବରଦାସ୍ତ କରିଯିବୁ ସେଇଠି ମୁଁ ପ୍ରୋବ୍ଲେମ୍ ଦେଖୁଛି । ୧୪୬ଟି ଦେଶର ଖୁସି ତାଲିକାରେ ଭାରତର ସ୍ଥାନ ୧୩୬ । ଜାତିସଂଘର ରିପୋର୍ଟ କହୁଛି । ତୁ କ'ଣ ଏଥିରେ ଖୁସି ଅଛୁ ? ୧୨୧ଟି ଦେଶର କ୍ଷୁଧା ତାଲିକାରେ ଆମ ଦେଶର ସ୍ଥାନ ୧୦୭ । ଆମ ପଡ଼ୋଶୀ ବଙ୍ଗଳାଦେଶ, ଶ୍ରୀଲଙ୍କା, ନେପାଳ ଏବଂ ଏପରିକି ପାକିସ୍ତାନ ଏହି ତାଲିକାରେ ଆମଠାରୁ ଭଲ ଜାଗାରେ ଅଛନ୍ତି । ମୋଦିଙ୍କ ସମୟରେ ଏହି ତାଲିକାରେ ଆମେ ତଳକୁ ଖସି ଖସି ଚାଲିଛୁ । ହିନ୍ଦୁ ରାଷ୍ଟ୍ର ହେବା ପାଇଁ ଆମକୁ ଏହି ତାଲିକାରେ ଆଉ କେତେ ତଳକୁ ଖସିବାକୁ ପଡିବ ? ୧୮୦ଟି ଦେଶର ହ୍ୟୁମାନ କ୍ୟାପିଟାଲ ଇଣ୍ଡେକ୍ସରେ ଆମ ସ୍ଥାନ ୧୧୬ । ଆମ ବଞ୍ଚିବା ଶୈଳୀ, ସ୍କୁଲ ଶିକ୍ଷା ଓ ଲୋକଙ୍କ ସ୍ବାସ୍ଥ୍ୟକୁ ନେଇ ଏହି କ୍ରମିକାଙ୍କ ତିଆରି ହୋଇଛି । ତୋ ପାଇଁ ଏଥିରେ ଉନ୍ନତି କରିବା ଜରୁରୀ ନା ହିନ୍ଦୁ ରାଷ୍ଟ୍ର କରିବା ଜରୁରୀ ? ୧୯୪୭ରେ ଆମେ ସ୍ବାଧୀନ ହୋଇଥିଲେ । କିଛି ବର୍ଷ ପୂର୍ବେ ଫ୍ରିଡମ୍ ହାଉସ ଆମକୁ ସ୍ବାଧୀନ ଗଣତନ୍ତ୍ର କହୁଥିଲା । ଏବେ କହୁଛି ଆମେ ହେଉଛୁ ଆଂଶିକ ଭାବେ ସ୍ବାଧୀନ । ଭି-ଡେମ୍ ଇନଷ୍ଟିଚ୍ୟୁଟ୍ କହିଛି ଆମ ଦେଶରେ electoral autocracy ଚାଲିଛି ଯେମିତି ଏବେ ରୁଷିଆରେ ପୁତିନ୍ ଚଳାଇଛି । ଦ ଇକୋନୋମିଷ୍ଟ ପତ୍ରିକା କହୁଛି ଆମ ଗଣତନ୍ତ୍ର ହେଉଛି ଫ୍ଲଡ୍ ଡେମୋକ୍ରାସି ବା ତ୍ରୁଟିଯୁକ୍ତ ଗଣତନ୍ତ୍ର । ତୁ ହୁଏତ କହିପାରୁ ଏସବୁ ହେଉଛନ୍ତି ବିଦେଶୀ ସଂସ୍ଥା । ଏମାନେ ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଛନ୍ତି । କିନ୍ତୁ ମୋଦୀ ବାରମ୍ବାର ବିଦେଶ ଗସ୍ତରେ ଯାଉଥିବା ସତ୍ତ୍ୱେ ବିଦେଶରେ ଆମ ଛବିକୁ କାହିଁକି ନିୟନ୍ତ୍ରଣ କରି ପାରୁ ନାହାନ୍ତି ? ତୁ କ'ଣ ଏସବୁ ବରଦାସ୍ତ କରିବା ପାଇଁ ପ୍ରସ୍ତୁତ ଅଛୁ ?
ମୁନା କିଛି ସମୟ ଚୁପ୍ ହୋଇ ବସିଲା । ସେ ଯାହା ମୋଠାରୁ ଶୁଣିଲା ସେଥିପାଇଁ ସେ ପ୍ରସ୍ତୁତ ନଥିଲା । ଏ ବିଷୟରେ ସେ ଆଗରୁ ଅନେକ ଲୋକଙ୍କ ସହ ଯୁକ୍ତି କରିଛି । କିନ୍ତୁ ମୁଁ ଯୁକ୍ତିକୁ ଏମିତି ଅଲଗା ମୋଡ଼ ଦେବି ବୋଲି ସେ ଭାବି ନଥିଲା । ସେ ଅପେକ୍ଷା କରୁଥିଲା ମୁଁ ତାକୁ କେଉଁ ଆଡେ ନେଉଛି ଦେଖିବାକୁ । ତଥାପି ମୁହଁ ଟାଣରେ ସେ କହିଲା ଯାହା ବି ହେଉ ଆମକୁ ହିନ୍ଦୁ ରାଷ୍ଟ୍ର ଦରକାର ।
ମୁଁ ତାକୁ ଆଶ୍ଵାସନା ଦେଇ କହିଲି ତୋର ହିନ୍ଦୁ ରାଷ୍ଟ୍ରକୁ ମୁଁ ବିରୋଧ କରୁନାହିଁ । କିନ୍ତୁ ଗୋଟିଏ କଥା ତୁ ଜାଣିଛୁ ନା ? ତୁ ଏବେ ପାକିସ୍ଥାନ ଗୋଟିଏ ମୁସଲମାନ ଦେଶ ହୋଇଛି ବୋଲି କହୁଥିଲୁ ନା ? ମୁସଲମାନ ଦେଶ ହୋଇ ରହିବାକୁ ମନା କରି ପୂର୍ବ ପାକିସ୍ତାନ ମୁଳ ପାକିସ୍ତାନ ଠାରୁ ଅଲଗା ହୋଇ ନିଜକୁ ବଙ୍ଗଳାଦେଶ ନାଁରେ ଗଢିଲା । ସେମାନେ ଧର୍ମ ପରିବର୍ତ୍ତେ ତାଙ୍କ ଭାଷାକୁ ନେଇ ଗର୍ବ କଲେ । ୧୯୭୧ ମସିହାରେ ଆମେ ହିଁ ସେ ଦେଶକୁ ତିଆରି କରିଥିଲୁ । ଆମ ଲୋକସଂଖ୍ୟା ଅଧିକ ଥିବାରୁ ଆମ ଦେଶ ସିନା ଆର୍ଥିକ ଦୃଷ୍ଟିରୁ ବିଶ୍ବର ପଞ୍ଚମ ବୃହତ୍ତମ ଆର୍ଥିକ ଶକ୍ତି ହୋଇଗଲା , ମୁଣ୍ଡପିଛା ଆୟରେ କିନ୍ତୁ ବଙ୍ଗଳାଦେଶ ଆମକୁ କାଟି ଆଗକୁ ବଢ଼ିଗଲା । ଗତ କିଛି ବର୍ଷ ହେଲା ଚାଇନା ପରିତ୍ୟାଗ କରିଥିବା ବହୁରାଷ୍ଟ୍ରୀୟ କମ୍ପାନୀମାନେ ବଙ୍ଗଳାଦେଶରେ ସିନା ନିଜ ଧନ୍ଦା ଆରମ୍ଭ କରୁଛନ୍ତି, ଆମ ଦେଶକୁ କିନ୍ତୁ ଆସୁ ନାହାନ୍ତି । କାରଣ ସେମାନେ ଦେଖୁଛନ୍ତି ଭାରତର ପ୍ରାଥମିକତା ଏବେ ଆର୍ଥିକ ଶକ୍ତି ଭାବେ ଠିଆ ହେବା ଯେତିକି ନୁହେଁ ତାହାଠାରୁ ବେଶି ହେଉଛି ନିଜକୁ ହିନ୍ଦୁ ରାଷ୍ଟ୍ର ରୂପେ ପରିଣତ କରିବା । ଖ୍ରୀଷ୍ଟାବ୍ଦ ୨୦୨୩ରେ ଥାଇ ଆମ ଦେଶରେ ଏବେ ଚର୍ଚ୍ଚା ଚାଲିଛି ଖ୍ରୀଷ୍ଟପୂର୍ବ ୨୦୨୩ ଆଡ଼କୁ କେମିତି ଯିବା ।
ମୁନା ଏବେ ଶାନ୍ତ ହୋଇ ସାରିଥିଲା । ସେ ସ୍ବୀକାର କରି କହିଲା ମୁଁ ଜାଣିଛି ନର୍ଦ୍ଦମା ଗ୍ୟାସରେ ଚା ବନେଇବା ଓ ଗୋବର ଥେରାପି ଆଦି ତମାମ କଥା ସବୁ ହେଉଛି ବକବାସ୍ । ତଥାପି ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଏସବୁକୁ ଆମକୁ ବରଦାସ୍ତ କରିବାକୁ ପଡୁଛି । ମୋଦୀ ଆମକୁ ସ୍ବପ୍ନ ଦେଇଛନ୍ତି । ମୋଦୀ ଆମକୁ ବଞ୍ଚିବାର ମାନେ ଦେଇଛନ୍ତି । ମୋଦୀ ଆମକୁ ଜୀବନର ଲକ୍ଷ ଦେଇଛନ୍ତି । କେଦାର ମିଶ୍ରଙ୍କ ଭଳି ଲୋକମାନେ ଆମକୁ କ'ଣ ଦେଇଛନ୍ତି ?
ମୁଁ କହିଲି ଏ ବିଷୟରେ ମୁଁ ପରେ ଚିନ୍ତା କରିବି । ପ୍ରକୃତରେ କେଦାର ମିଶ୍ରଙ୍କ ଭଳି ଲୋକମାନେ ଆମକୁ କ'ଣ ଦେଇଛନ୍ତି ସେ ବିଷୟରେ ମୁଁ କେବେ ଭାବିନି ।
ମୁନାକୁ ପୁଣି ଥରେ ପ୍ରକୃତିସ୍ଥ କରିବାକୁ ଯାଇ ମୁଁ କହିବାକୁ ଆରମ୍ଭ କଲି । ତୁ ଜାଣିଛୁ ନା ମୁନା ? ଯେବେଠାରୁ ମୋଦୀ ପ୍ରଧାନମନ୍ତ୍ରୀ ହେଲେଣି ଭାରତର
ବିକାଶ ଦର ଲଗାତର କମି କମି ଚାଲିଛି । ୨୦୧୬-୧୭ରେ ୮.୨%, ୨୦୧୭-୧୮ରେ ୬.୯%, ୨୦୧୮-୧୯ରେ ୬.୧% , ୨୦୧୯- ୨୦ରେ ୩.୫% ହେଲା । ତାପରେ କୋଭିଡ ଆସିଲା । ସେ ବର୍ଷ ଭାରତର ବିକାଶ ଦର ମାଇନସ୍ ୬.୬% ତଳକୁ ଚାଲିଗଲା । ଆଉ ତୁ ଜାଣିଛୁ ? ଭାରତ ସମକକ୍ଷ ଯେତୋଟି ଆର୍ଥିକ ଶକ୍ତି ଥିଲେ ସେମାନଙ୍କ ମଧ୍ୟରୁ ସବୁଠାରୁ ବେଶି ମାଇନସକୁ ଯାଇଥିଲା ଭାରତ । ୨୦୨୧-୨୨ରେ ଆମେ ଯେତେବେଳେ ୮.୭% ବିକାଶ ଦର ହାସଲ କଲୁ ସେତେବେଳେ ଗାତ ଭିତରୁ ଭୁମି ଉପରକୁ ଉଠିବାରେ ଆମ ମୁଣ୍ତ ଟିକିଏ ଦେଖା ଯାଇଥିଲା । ୨୦୨୨-୨୩ରେ ତାହା ପୁଣି କମିବା ଆରମ୍ଭ ହୋଇ ୭% ହୋଇଗଲା । ଏବର୍ଷ ଲକ୍ଷ ରହିଛି ଆମ ବିକାଶ ଦର ୬.୫% ରହିବ । ଯଦି ଆମ ଦେଶର ବିକାଶ ଏମିତି କମି କମି ଚାଲିଥିବ, ହିନ୍ଦୁ ରାଷ୍ଟ୍ର ଘୋଷଣା ହେବା ବେଳକୁ ଆମେ କେଉଁଠି ପହଞ୍ଚି ଥିବା ? ତୋର ହିନ୍ଦୁ ରାଷ୍ଟ୍ର ବନେଇବା ଲକ୍ଷକୁ ମୁଁ ବିରୋଧ କରୁନି । କିନ୍ତୁ ମୁଁ ଚାହୁଁଛି ଆମେ ହିନ୍ଦୁ ରାଷ୍ଟ୍ରରେ ପ୍ରବେଶ କରିବା ବେଳକୁ ଟିକିଏ ଭଲ ସ୍ଥିତିରେ ଥିଲେ ଭଲ ହୁଅନ୍ତାନି ? ନହେଲେ ଆମେ ବଞ୍ଚିଥିବା ସମୟରେ ହିନ୍ଦୁ ରାଷ୍ଟ୍ର ତ ହୋଇ ଯାଇଥିବ , କିନ୍ତୁ ଆମେ ତାକୁ ଉପଭୋଗ କରି ପାରିବା ନାହିଁ ।
ତମେ ବି କେଦାର ମିଶ୍ରଙ୍କ ଭଳି କେବଳ ନେଗେଟିଭ କଥା କହିବା ଆରମ୍ଭ କରିଦେଲ ? କିଛି ତ ବାଲାନ୍ସ କରି କୁହ । ନେଗେଟିଭ କହିବା ସହିତ କିଛି ତ ପଜିଟିଭ କୁହ । ମୋଦୀ ସରକାର ସମୟରେ କ'ଣ କିଛି ବି ପଜିଟିଭ୍ ତମକୁ ଦେଖା ଯାଉନି ? ମୁନା କହିଲା ।
ନିଶ୍ଚୟ । ମୋଦିଙ୍କ ସମୟରେ ବିକାଶ ନିଶ୍ଚିତଭାବେ ହୋଇଛି । ୧୯୯୧ରେ ଦେଶରେ ଜଣିଏ ବି ବିଲିଓନାଏର୍ ନଥିଲେ । ୨୦୧୪ରେ ମୋଦୀ କ୍ଷମତାକୁ ଆସିବା ସମୟରେ ଦେଶରେ ୫୬ ଜଣ ବିଲିଓନାଏର୍ ସୃଷ୍ଟି ହୋଇ ସାରିଥିଲେ । ଏହି ୫୬ ଜଣ ବିଲିଓନାଏର୍ ସୃଷ୍ଟି ହେବା ପାଇଁ ଦେଶକୁ ୨୩ ବର୍ଷ ଲାଗିଥିଲା । ଏବେ ଆମ ଦେଶରେ ବିଲିଓନାଏର ସଂଖ୍ୟା ୧୬୬ରେ ପହଞ୍ଚିଛି । ଅର୍ଥାତ୍ ଗତ ୯ ବର୍ଷରେ ଆମ ଦେଶ ପ୍ରତି ୨୦ ଦିନରେ ଜଣିଏ ଲେଖାଏଁ ବିଲିଓନାଏର୍ ସୃଷ୍ଟି କରୁଛି । ଅର୍ଥାତ୍ ବିକାଶର ଯେଉଁ କେକ୍ ତିଆରି ହୋଇଛି ସେଥିରେ ବଡ଼ ଭାଗ ହେଉଛି ଏହି ବିଲିଓନାଏରଙ୍କର ।
ମୁଁ ଜାଣିଛି ତମେ ଏବେ କହିବାକୁ ଆରମ୍ଭ କରିଦେବ ମୋଦିଜୀ ନିର୍ବାଚନ ପୂର୍ବରୁ କହିଥିଲେ ସମସ୍ତଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଦେବେ, ବର୍ଷକୁ ୨ କୋଟି ଚାକିରି ଦେବେ , ବ୍ଲା ବ୍ଲା ବ୍ଲା । ଏସବୁ ମୁଁ ବହୁତ ଶୁଣିଲାଣି । କିନ୍ତୁ ସେତେବେଳେ ଏ ଭ୍ରଷ୍ଟାଚାରୀ କଂଗ୍ରେସକୁ ହରାଇବା ପାଇଁ ଅନ୍ୟ କୈାଣସି ରାସ୍ତା ନଥିଲା । ତା ଛଡା ତମେ ଏବେ ମୋତେ ଯେଭଳି ଦେଶର ଇକୋନୋମି ଆଡ଼କୁ ଭିଡୁଛ - ମୁଁ ଜାଣିଛି ତମେ ଇକୋନୋମି ବିଷୟରେ ବହୁତ କିଛି ଜାଣିଛ - ତମେ ଏକଥା ଭୁଲି ଯାଉଛ ଯେ ଏଇ ମୋଦିଜୀଙ୍କ ସମୟରେ ଦେଶରେ ବହୁତ ବଡ଼ ଏକ ମହାମାରୀ ଆସିଥିଲା ଯାହା ଦୁଇବର୍ଷ କାଳ ଦେଶର ଅର୍ଥନୀତିକୁ ଧ୍ବଂସ କରି ଦେଇଥିଲା । ତେଣୁ ତମ କଥାରେ ମୁଁ ଭୁଲିବିନି ଯେ ଆମକୁ ହିନ୍ଦୁ ରାଷ୍ଟ୍ର ଦରକାର ।
ମୁଁ ତୋ କଥାରେ ଏକମତ ଯେ କୋଭିଡ୍ ଆସିବା ପରେ ଅର୍ଥନିତୀ ଟିକେ ପଛେଇଲା । କିନ୍ତୁ ସମସ୍ତେ ତ ପଛେଇ ନଥିଲେ । ୨୦୨୦-୨୧ ମସିହାରେ, ଅର୍ଥାତ୍ ଘୋର କୋଭିଡ କାଳରେ, ଷ୍ଟକ୍ ଏକ୍ସଚେଞ୍ଜରେ ପଞ୍ଜିକୃତ ସବୁଠାରୁ ବଡ଼ ୫୦୦୦ଟି କମ୍ପାନୀ ଗୁଡ଼ିକର ଲାଭରେ ପ୍ରାୟ ୧୨୦% ବୃଦ୍ଧି ଘଟିଥିଲା । କିନ୍ତୁ ସେହି ସମୟରେ ସେମାନେ ଦେଇଥିବା ଟ୍ୟାକ୍ସ୍ ରେ ମାତ୍ର ୧୪% ବୃଦ୍ଧି ପାଇଥିଲା । ତେଣୁ କୋଭିଡ କାଳ ଏମାନଙ୍କ ପାଇଁ ଅମୃତ କାଳ ହୋଇଥିଲା ।
ତମର ସେମାନଙ୍କ ଉପରେ ନଜର ରହିଛି । ସେମାନେ ବଢିବା ସଙ୍ଗେ ସଙ୍ଗେ ଛୋଟ ମୋଟ କମ୍ପାନୀଗୁଡିକୁ ତ ମଧ୍ୟ ଉପରକୁ ଭିଡିଥିବେ ନା ?
ଠିକ୍ କହିଛୁ । କିନ୍ତୁ ସେପରି ହୋଇଥିଲେ ମୁଁ ତୋତେ ଏକଥା କହି ନଥାନ୍ତି । ଗୋଟିଏ କଥା ଶୁଣିରଖ । କୋଭିଡ ସମୟ ଅନ୍ୟମାନଙ୍କ ପାଇଁ କାଳ ହୋଇଥିଲେ ହେଁ ତାହା ଏହି ପଞ୍ଜିକୃତ କମ୍ପାନୀମାନଙ୍କ ପାଇଁ ଅମୃତବେଳ ହୋଇ ସାରିଥିଲା । ବଡ଼ ମାଛ ହୋଇ ସେମାନେ ଛୋଟ ମାଛଗୁଡିକୁ ଗିଳି ପକାଇଲେ ।
କ'ଣ ତା ମାନେ ?
ତୁ ଛୋଟ ଓ ମଧ୍ୟମ ଶିଳ୍ପ କଥା କହିଲୁ ନା ? ନୋଟ୍ ବନ୍ଦୀ ସମୟରେ ସେମାନଙ୍କ ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ କୋଭିଡ ସମୟରେ ବଡ଼ କମ୍ପାନୀମାନେ ସେମାନଙ୍କ କ୍ଷେତ୍ରରେ ପ୍ରବେଶ କରି କିମ୍ବା ସେମାନଙ୍କୁ ସପ୍ଲାଏ ବନ୍ଦ କରି ସେମାନଙ୍କ ଧନ୍ଦା ଚଉପଟ କରିଦେଲେ । ଗୋଟିଏ ଚିତ୍ରରୁ ଏହା ସ୍ପଷ୍ଟ । ସେମାନେ ବ୍ୟାଙ୍କରୁ କେତେ ଚଳନ୍ତି ପୁଞ୍ଜି ପାଇଁ ଋଣ ନେଉଛନ୍ତି ସେହିଥିରୁ ଜଣା ପଡ଼ିବ । ୨୦୦୯-୧୦ ମସିହାରେ ଛୋଟ ଓ ମଧ୍ୟମ ଶିଳ୍ପମାନେ ଏଥିପାଇଁ ଜିଡିପିର ୫.୩୨% ଋଣ ନେଇଥିଲେ । ମାତ୍ର ୨୦୧୯-୨୦ ବେଳକୁ, ଅର୍ଥାତ୍ କୋଭିଡ୍ ଆସିବା ପୁର୍ବରୁ , ସେମାନେ ସେମାନଙ୍କ ଧନ୍ଦା ଚାଲିବା ପାଇଁ ଯେଉଁ ଋଣ ନେଇଥିଲେ ତାହା ଜିଡିପିର ୨.୪୭% ଥିଲା । ତା ମାନେ ଫ୍ୟାକ୍ଟ୍ରି କିମ୍ବା ଧନ୍ଦା ଚାଲିଥିଲେ ସିନା ସେମାନେ ଓ୍ବାର୍କିଂ କ୍ୟାପିଟାଲ ପାଇଁ ଅଧିକ ଋଣ ନେଇଥାନ୍ତେ ? ଧନ୍ଦା ତ ବନ୍ଦ ହୋଇ ଚାଲିଲା । ସେମାନେ ଆଉ ଋଣ କାହିଁକି ନେଇଥାନ୍ତେ ? ଅବଶ୍ୟ କୋଭିଡ୍ ସମୟରେ ନିର୍ମଳା ସୀତାରମଣ ଏହି କ୍ଷେତ୍ର ପାଇଁ ଋଣ ଦେବା ବ୍ୟବସ୍ଥା ବଢ଼ାଇଥିଲେ । ତେଣୁ ଯାହା ୨୦୧୯ରେ ୨.୪୭% ଥିଲା ତାହା ବଢ଼ି ୨୦୨୧-୨୨ରେ ୩.୧୮% ହୋଇଗଲା । କିନ୍ତୁ ପରବର୍ଷ ତାହା ପୁଣି ଆସି ୩.୧୪% ରେ ପହଞ୍ଚି ଗଲା ।
ବାସ୍ ବାସ୍ ବାସ୍ । ତମେ ଆଉ ଇକୋନୋମି କଥା କହି ଯୁକ୍ତିରେ ମୋତେ ଫସାଅ ନାହିଁ । ଇକୋନୋମି କଥା ମୁଁ ବୁଝେ ନାହିଁ । ମୋର ଦରକାର ….
ହିନ୍ଦୁ ରାଷ୍ଟ୍ର । ମୁଁ ଜାଣିଛି । ତୋର ହିନ୍ଦୁ ରାଷ୍ଟ୍ର ଦରକାର । ମୁଁ ଜାଣିଛି । ମୋର ସେଥିରେ ଆପତ୍ତି ନାହିଁ । ମୋଦୀ ନିର୍ବାଚନ ପୁର୍ବରୁ ଯେଉଁ ସବୁ ପ୍ରତିଶ୍ରୁତି ଦେଇଥିଲେ ସେସବୁ ପୂରଣ ହେବା ଉଦ୍ଦେଶ୍ୟ ରଖି ସେ ସେଭଳି ପ୍ରତିଶ୍ରୁତି ଦେଇ ନଥିଲେ ବୋଲି ମୁଁ ଜାଣିଛି । ମୁଁ ଏକଥାରେ ବି ତୋ ସହିତ ସହମତ ଯେ ଭ୍ରଷ୍ଟାଚାରୀ ୟୁପିଏ ସରକାରକୁ ହରାଇବା ପାଇଁ ମୋଦୀଙ୍କୁ ସେଭଳି ବଡ଼ ବଡ଼ ପ୍ରତିଶ୍ରୁତି ଦେବାକୁ ପଡ଼ିଥିଲା । କିନ୍ତୁ ଏବେକାର ପରିସ୍ଥିତି ସେତେବେଳ ଠାରୁ ଆହୁରି ଖରାପ ହୋଇ ଚାଲିଛି । ତୁ କେତୋଟି କଥା ମନ ଦେଇ ଶୁଣୁ । ଇନଭେଷ୍ଟମେଣ୍ଟ ଦର ୨୦୦୭-୦୮ରେ ଜିଡିପିର ୩୫.୮୧% ରହିଥିବା ବେଳେ ୨୦୨୨-୨୩ ବେଳକୁ ତାହା ୨୯.୨୧%କୁ ଖସି ଆସିଲା । ପ୍ରାଇଭେଟ୍ ଇନଭେଷ୍ଟମେଣ୍ଟ ଦର ବିଷୟ ଆହୁରି ଶୋଚନୀୟ । ୨୦୦୭-୦୮ ବେଳକୁ ତାହା ଜିଡିପିର ୨୧% ରହିଥିବା ବେଳେ ୨୦୨୨-୨୩ ରେ ତାହା ୧୦.୮% କୁ ଖସି ଆସିଛି । ତା ମାନେ ସେମାନେ ଗାଞ୍ଜିଆ ବୋଝେଇ କରି ଲାଭ କରୁଥିବା ବେଳେ ସାନି ଇନଭେଷ୍ଟମେଣ୍ଟ କିନ୍ତୁ କରୁ ନାହାନ୍ତି । ସଞ୍ଚୟ ଦର ୨୦୧୧ରେ ଜିଡିପିର ୩୬.୯% ଥିବା ବେଳେ ୨୦୨୨ରେ ତାହା ୩୦.୨%କୁ ଖସି ଆସିଛି। ଆଉ ଏଫଡିଆଇ କଥା ଜାଣିବାକୁ ଚାହୁଁଛୁ ? ତାହେଲେ ପୁଣି ୟୁପିଏ ସମୟକୁ ଚାଲ୍ । ୨୦୦୮-୦୯ରେ ତାହା ଜିଡିପିର ୩.୫% ଥିବା ବେଳେ ୨୦୨୧-୨୨ରେ ତାହା ୧.୨%ରେ ପହଞ୍ଚି ଯାଇଛି । ତେଣୁ ମୋଦୀଜୀ ତାଙ୍କ ନିର୍ବାଚନ ପ୍ରତିଶ୍ରୁତି ତ ପୂରଣ ନକଲେ ନାହିଁ, କିନ୍ତୁ ସେ ଆସିବା ବେଳେ ଆର୍ଥିକ ପରିସ୍ଥିତି ଯାହା ଥିଲା , ଏବେ ଗୋଟିଏ ବି ଡାଟା ପାଉନି ଯେଉଁଥିରେ କିଛି ଉନ୍ନତି ଆସିଛି ବୋଲି କହି ହେବ ।
କିନ୍ତୁ ଗଡକରି ଯେଉଁ ରୋଡ୍ ତିଆରି କରୁଛନ୍ତି ? ସେକଥା ତ କହୁନ ?
କଡକରି ଯେଉଁ ସଡ଼କ ତିଆରି କରୁଛନ୍ତି ସେଥିପାଇଁ ଆମକୁ ଅଲଗା ଟଙ୍କା ଦେବାକୁ ପଡ଼ୁଛି । ପ୍ରାୟ ଦୁଇ ବର୍ଷ କାଳ ପ୍ରତି ଲିଟର ପେଟ୍ରୋଲ ଓ ଡିଜେଲରୁ ସେ ଆମଠାରୁ ୧୮ ଟଙ୍କା ଲେଖାଏଁ ରୋଡ୍ ସେସ୍ ନେଇଛନ୍ତି । ଏବେ ବି ନେଉଛନ୍ତି । ୧୮ ଟଙ୍କା ନହେଲେ ବି କିଛି ଗୋଟାଏ ନେଉଛନ୍ତି । ତାଙ୍କ ଅଧୀନରେ ଥିବା ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ବା NHAI ୨୦୧୪ ସୁଦ୍ଧା ଯେତିକି ଋଣ କରିଥିଲା ଏବେ ତାହା ୧୪ ଗୁଣ ହୋଇ ୩.୪୭ ଲକ୍ଷ କୋଟିରେ ପହଞ୍ଚି ଗଲାଣି । ଋଣ ପରିସ୍ଥିତି ଏମିତି ହୋଇ ଯାଇଛି ଯେ କେନ୍ଦ୍ର ସରକାର NHAI ଆଉ ଋଣ ଉଠାଇ ପାରିବ ନାହିଁ ବୋଲି ଖବରଦାର କରିଛନ୍ତି ।
ହୁଁ ।
ଏତିକି କହି ମୁନା କିଛି ସମୟ ଭାବିବାରେ ଲାଗିଲା । ପୁଣି ଚିହ୍ନିକି ଉଠି କହିଲା ୟା ବୋଲି କେଦାର ମିଶ୍ର ଆମକୁ ବିରଳ ଜାତିର ମେଣ୍ଢା କହିବେ ? ଆମେ ମାନୁଛୁ , ଠିକ୍ ହେଉ କି ଭୁଲ୍ ହେଉ, ଆମେ ହିନ୍ଦୁ ରାଷ୍ଟ୍ରର ସ୍ବପ୍ନ ଦେଖୁଛୁ । କେଦାର ମିଶ୍ରଙ୍କ ଭଳି ଲୋକ ଆମକୁ କେଉଁ ସ୍ବପ୍ନ ଦେଖାଉଛନ୍ତି ? ସେମାନଙ୍କ ପାଖରେ କୈାଣସି ସ୍ବପ୍ନ ଅଛି କି ନାହିଁ ?
ଦେଖ ମୁନା । ତୁ ଯେଉଁ ସ୍ବପ୍ନ ଦେଖୁଛୁ ଦେଖ । ତୋ ଲକ୍ଷ ତୋତେ ଯେଉଁ ଦିଗକୁ ନେଉଛି ନେଉ । ପଞ୍ଚମ ଶତାବ୍ଦୀରୁ ଚତୁର୍ଦ୍ଦଶ ଶତାବ୍ଦୀ ପର୍ଯ୍ୟନ୍ତ ୟୁରୋପରେ ଅନ୍ଧକାର ଯୁଗ ଥିଲା । ପୋପ୍ ସୁପ୍ରିମ ଥିଲେ । ଖ୍ରୀଷ୍ଟ ଧର୍ମର ରାଜୁତି ଚରମ ଅବସ୍ଥାରେ ପହଞ୍ଚି ଥିଲା । ସେ ସମୟରେ ନା ବିଜ୍ଞାନ, ନା କଳା, ନା ସାହିତ୍ୟ , ନା ଦର୍ଶନ , ନା ଐତିହାସିକ ଅନୁସନ୍ଧାନ …କେଉଁଥିରେ ବି ଅଗ୍ରଗତି ହୋଇ ନଥିଲା । କିମ୍ବଦନ୍ତୀ କୁହେ ଜଣେ ପୋପ୍ ଧନୀକ ବ୍ୟକ୍ତିଙ୍କ ଠାରୁ ପ୍ରଚୁର ଅର୍ଥ ଓ ଧନ ନେଇ ସେମାନଙ୍କୁ ସ୍ବର୍ଗରେ ସିଧା ପହୁଞ୍ଚାଇବା ପାଇଁ ଏକ ଅନ୍ଧଗଳି ମଧ୍ୟ ଦେଇ ନେଉଥିଲେ ଓ ଗଳି ଶେଷରେ ସେମାନଙ୍କୁ ହତ୍ୟା କରୁଥିଲେ । ତୁ ବୋଧହୁଏ ସେହି ଗୋଟିଏ ଲକ୍ଷରେ ଅନ୍ଧଗଳିରେ ଅଗ୍ରସର ହେଉଛୁ । ଇଉରୋପର ଧନୀକମାନଙ୍କ ପାଇଁ ଯେମିତି ଏକମାତ୍ର ଲକ୍ଷ ଥିଲା ସ୍ବର୍ଗ ସୁଖ, ତମ ମାନଙ୍କ ପାଇଁ ସେମିତି ଏକମାତ୍ର ଲକ୍ଷ ହେଉଛି ହିନ୍ଦୁ ରାଷ୍ଟ୍ର । ଓ୍ବେଲ୍, ତମମାନଙ୍କର ହତ୍ୟା ନ ହୋଇ ପାରେ, ତମେ କିନ୍ତୁ ଅନ୍ଧଗଳିର ଶେଷରେ ବିନାଶ ଦେଖିପାର । ତମ ଭଳି ହିନ୍ଦୁରାଷ୍ଟ୍ରର ଯାତ୍ରୀଙ୍କ ପାଇଁ ଦେଶର ଅବକ୍ଷୟମୁଖୀ ଅର୍ଥନିତୀ ବରଦାସ୍ତ କରିହେବ, କୋଭିଡ ସମୟରେ ଲକ୍ଷ ଲକ୍ଷ ଲୋକ ପାଦରେ ଚାଲି ଚାଲି ହଜାର ହଜାର କିଲୋମିଟର ଯିବା ବରଦାସ୍ତ କରିହେବ, ଅନ୍ତଃରାଷ୍ଟ୍ରୀୟ ମଞ୍ଚରେ ବଡ଼ ବଡ଼ ଯୋଦ୍ଧାଙ୍କୁ ଚିତ୍ କରିଥିବା ମହିଳା କୁସ୍ତି ଖେଳାଳିଙ୍କୁ ତମେ ଦିଲ୍ଲୀର ରାଜରାସ୍ତାରେ ପୋଲିସ ଦ୍ବାରା ଘୋଷାରି ଘୋଷାରି ନେବାକୁ ତମେ ଦେଖି ପାରିବ । ତମେ ସେହି ଅନ୍ଧ ଗଳିରେ ବହୁ ବାଟ ଆଗେଇ ସାରିଛ । ତମ ଇପ୍ସିତ ହିନ୍ଦୁ ରାଷ୍ଟ୍ରର ରୋମାଞ୍ଚରେ ତମ ଇନ୍ଦ୍ରିୟସବୁ ଯଡ ପାଲଟି ସାରିଛି ।
ଆଉ ତମ କେଦାର ମିଶ୍ରମାନେ ?
କେଦାର ମିଶ୍ରମାନେ ? ଅବଶ୍ୟ ମୁଁ ଠିକ୍ ଭାବେ କହି ପାରୁନି । ବୋଧହୁଏ ସେମାନେ ତାଙ୍କ ସ୍ବପ୍ନ ଅନ୍ୟମାନଙ୍କୁ ଦେଖିବାକୁ ବାଧ୍ୟ କରୁ ନାହାନ୍ତି । ସେମାନେ ବୋଧହୁଏ ଚାହୁଁଥିବେ ସମସ୍ତଙ୍କ ପାଇଁ ନିଜ ନିଜର ସ୍ବପ୍ନ ଦେଖିବାର ସ୍ଵାତନ୍ତ୍ର୍ୟତା ରହୁ । କିଛି ଲୋକଙ୍କ ସ୍ବପ୍ନ କାହିଁକି ସମସ୍ତେ ଦେଖିବେ ? ସେମାନେ ସମସ୍ତଙ୍କୁ ଚଏସ୍ ଦେଉଛନ୍ତି । ସେମାନେ ଚାହାନ୍ତି ସମସ୍ତଙ୍କ ପାଖରେ ପ୍ରଶ୍ନ ପଚାରିବାର ସ୍ବାଧୀନତା ରହୁ, ଯେମିତି ଜଣେ ଖରାପ ଅର୍ଥନିତୀ ପାଇଁ ଶାସକକୁ ପ୍ରଶ୍ନ ପଚାରି ପାରିବ । ସେମାନେ କେଉଁ ଅନ୍ଧଗଳିର ମୁହଁରେ ଛିଡ଼ା ହୋଇ ଭିତରକୁ ଯିବାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁ ନାହାନ୍ତି। ସେମାନେ ଚାହାନ୍ତି ମଣିଷର ସବୁ ଇନ୍ଦ୍ରିୟ ସକ୍ରୀୟ ରହୁ ଓ ସେ ଜୀବନକୁ ପୁରାପୁରି ଜିଉ । ସେମାନେ ବୋଧହୁଏ ଚାହାନ୍ତି ବିଜ୍ଞାନ, କଳା, ସାହିତ୍ୟ ଓ ଦର୍ଶନ କ୍ଷେତ୍ରରେ ସ୍ବାଧୀନ ମଣିଷ ସବୁବେଳେ ଉତ୍କର୍ଷତା ଆଡ଼କୁ ଅଗ୍ରସର ହେଉ । କିଏ ଜାଣେ ସ୍ବର୍ଗ କିମ୍ବା ହିନ୍ଦୁ ରାଷ୍ଟ୍ରରେ ଏସବୁ ସୁବିଧା ଅଛି କି ନାହିଁ। ସେମାନଙ୍କ ପାଇଁ ଏ ଦୁନିଆ ଏକ ଜେଲଖାନା ନୁହେଁ ଯାହା ଚାରିପଟେ ଚେତନାର ଜଡତା ପ୍ରାଚୀର ହୋଇ କଏଦୀ ମାନଙ୍କୁ ଜଗିଥିବ । ସିଏ ହିନ୍ଦୁ ହୋଇଥାଉ କି ମୁସଲିମ ହୋଇଥାଉ କି ଦଳିତ ହୋଇଥାଉ, ସେମାନେ ଚାହାନ୍ତି ମଣିଷର ଖୁସିରେ ମଣିଷ ଖୁସି ହେଉ । ଯଦି ତାହା ନ ହୋଇ ପାରୁଛି ତେବେ କୈାଣସି ଇନ୍ଦ୍ରିୟରେ କିଛି ଡିଫେକ୍ଟ ଅଛି ବୋଲି ଭାବିବାକୁ ପଡିବ । ସତ କହିବାକୁ ଗଲେ ତାଙ୍କ ସହିତ ମୋର ଅନେକ କଥାରେ ସହମତି ନାହିଁ । ଆମେ କିନ୍ତୁ ଜାଣୁ ଆମ ଇନ୍ଦ୍ରିୟସବୁ ଅନୁଭୁତିଶୂନ୍ୟ ହୋଇ ନାହିଁ । ତାହା ହିଁ ସର୍ବନିମ୍ନ । ମୁଁ ଜାଣେନି ସ୍ବର୍ଗରେ କିମ୍ବା ହିନ୍ଦୁରାଷ୍ଟ୍ରରେ ତାହା ସମ୍ଭବ କି ନୁହେଁ।