ଦୃଶ୍ୟମୟ ଅଥଚ ଅଦୃଶ୍ୟ

ତୁମେ ଏଇଠି କୋଉଠି ଅଛ
ମୁଁ ତୁମକୁ ପାଉନି ,
ତୁମକୁ ଖୋଜିବା ଆରମ୍ଭ କରିଛି ମୁଁ
ରାତିର ଅନ୍ଧାରରେ ତୁମକୁ ସ୍ପଷ୍ଟ ଦେଖୁଛି
ରାତିର ଛାଇରେ,
ଦିନର ଖରାରେ ଚିକଚିକ୍ କରୁଛ ତୁମେ
ସୂର୍ଯ୍ୟ କିରଣରେ,
ତୁମ ପ୍ରତିବିମ୍ବ ଭାସୁଛି
ନଦୀର ଉତ୍ତପ୍ତ ପାଣିରେ !
ଏ ରାସ୍ତା ଯାହା ମୋ ଘରୁ ବାହାରି
ତୁମ ଘରର ଦରଜା ପାଖରେ ଶେଷ ହେଉଛି
ତାର ତରଳ ପିଚୁରେ ଦିଶୁଛି
ତୁମ ଝାଉଁଳା ଚେହେରା!
ତୁମେ ପାଖରେ ଅଛ
ମୋ ପାଦର ନୂପୁର ରେ ଶୁଭୁଛି
ତୁମ ଛାତିର ସ୍ପନ୍ଦନ
ମୋ ଆଖିର ଲୁହରେ ଦିଶୁଛ ତୁମେ
ଆଉ ପୋଛିଦେଲେ
ଉଭେଇ ଯାଉଛ!
ମୋ ଓଠର ଚୁମ୍ବନରେ
ଆହୁରି ବାକିଅଛି
ତୁମ କାଲି ରାତିର ଭୋକ
ମୋ ଛାତି ଭିତରେ ତୁମେ
ମୋ ପ୍ରଶ୍ବାସ ରେ ଆତଯାତ
ଏତେ ନିକଟରେ ତୁମେ ତଥାପି
ଅଦୃଶ୍ୟ !