ବର୍ତ୍ତମାନ ଏ ସୀମାର ନାଁ ମଣିପୁର
ମୋ ଦେହରେ ଆଙ୍କି ଦେଇ
ଗୋଟେ ଦେଶର ମାନଚିତ୍ର
କୁହ ମା
ନିଜ ଇଛାରେ ପିନ୍ଧେଇ ଦେଇ ବସ୍ତ୍ର
ଧରେଇ ଦିଅ ଗୋଟେ ଝଣ୍ଡା
ଗୋଟେ ଅଧେ ନାରା ଆଉ ଗୀତରେ ବାନ୍ଧିଦିଅ ମତେ
ବନ୍ଧା ମଣିଷର ଅବା କ’ଣ ଥାଏ ହାତେ?
ମୋର କପାଳରେ
ନେସି ଦିଅ ସିନ୍ଦୁର
ବସେଇ ଦେଇ ବାଘ ଅବା ସିଂହର ପିଠିରେ
ଖଣ୍ଡା ଖର୍ପର ଧରେଇବା ଲାଗି
ନିଜ ଇଛାରେ ବନେଇ ଦିଅ
ଆଠ ଦଶଟା ହାତ
ଘଂଟ ଶଂଖ ବଜେଇ
ଆଳତି କର୍ପୁର ଧୂପ ଦୀପ ନୈବଦ୍ୟ ଦେଇ
ଲୋକଙ୍କୁ କୁହ ଏଇ ଦେବୀ ଅବତରିଲେ ଧରାରେ
ମୁଁ ଚିମୁଟି ଦେଖୁଥାଏ ନିଜକୁ ଜାଣିବା ଲାଗି
ଜୀବନ ଅଛିକି ନାହିଁ ଏ ପିଣ୍ଡରେ ।
ମୋ ଚାରି ଦିଗରେ
ଖାଲି ସୀମା ଆଉ ସୀମା
ସେ ମାନଚିତ୍ର ଭିତରେ ବାହେରେ
ଆଙ୍କି ଦେଇଛ ଆଉ କିଛି ଦେଶ
ଯେତେ ଦେଶକୁ ସେତେ ସୀମା
ଯେତେ ସୀମା ସେତେ ଦେଶ
ସୀମା ଭିତରେ ପଶିଯାଏ ଦେଶ
ବାରି ହୁଏ ନାହିଁ କୋଉଟା ସୀମା କୋଉଟା ଦେଶ
ସବୁ ସୀମାରେ ଚେକ୍ ପୋଷ୍ଟ
ସବୁ ସୀମାରେ ଶତ୍ରୁ, ବନ୍ଧୁକ ତୋପ ଆଉ ବମ୍
ସବୁ ସୀମାରେ ଟେଙ୍କ ରକେଟ୍ ଲଂଚର ଆଉ ବଙ୍କର
ଯେତେବେଳେ ଦେଖିବ ଚାଲିଛି ଯୁଦ୍ଧ ଅବା ଯୁଦ୍ଧର ପ୍ରସ୍ତୁତି ।
ଘରେ ହେଉକି ବାହାରେ
ଦେଶ ଭିତରେ ହେଉକି ବାହାରେ
ଯୁଦ୍ଧ ଲାଗି ଜରୁରୀ ଗୋଟେ ସୀମା
ମୋର ଦେହଟା କ’ଣ ସେ ସୀମା?
ନା ସୀମା ସୀମାରେ ତିଆରି ହେଇଛି ମୋର ଦେହ?
କିଏ ସେ ମତେ
କହୁଛି ଦେବୀ
ଇଛା କଲେ ଡ଼ାକି ଦେଉଛି ମା
ନିଜ ନିଜର ଯୁଦ୍ଧ ପାଇଁ କରୁଛି ମତେ ସୀମା
ବର୍ତ୍ତମାନ ସେ ସୀମାର ନାଁ ମଣିପୁର ।