ପ୍ରତିପଦ

ପ୍ରତିପଦ

ଇଏ ମୃଗେଶ ବୈଷ୍ଣବ,ଇଏ ସୁବ୍ରତ
ଇଏ ନିଖିଳେଶ ଇଏ ଯୀଶୁକୃଷ୍ଣ
ଇଏ , ନାଁ ଆସୁନି ମ,ରହ ପକାଏ ମନ
ସମୁଦ୍ର ସ' ସଂପର୍କ ,ହିମାଳୟ ସ' ଗଂଗା ସ'- 
ଓହୋ,ଇଏ ମହାଦେବ ପ୍ରଧାନ!

ସଂଜସଂଜୁଆ ଗୋଟେ ମେହଫିଲ୍'ରେ ମୁଁ ଭେଟିଥିଲି 
ଖରା ଯେତେବେଳେ ପଡ଼ିଆସୁଥିଲା ମହଳଣ !
କରିଡର୍'ରେ ଟହଲୁଥିଲେ ପାଣିବୋତଲ ଧରି କେଇଜଣ
ଜାଣିନି ସଭିଂକୁ 
ଥିଲେ ବୋଧେ ସୂର୍ଯ୍ୟସ୍ନାତ,ସିପୁନ୍ ଜେନା ଓ ଦୀପୁନ୍ ପୁହାଣ!

ଠିକ୍ ଏଇବେଳେ ମଂତ୍ରପଢ଼ି ଚାଲିଯାଏ କାନିଜାକି 
ଚୈତାଳୀ ପବନ!
ମୁଁ ଜାଣେନା ଏଇ ଚୁପ୍'ବେଳେ ଇ 
କାଇଁକି ଖେଳିଯାଏ ଦେହେ ମୋର ଭଦ୍ର ଶିହରଣ!

ମୋତେ ଠିକ୍ ଦିଶୁନି କିଛି କି ଶୁଭୁନି ଭଲ
ହଠାତ୍ ପଇଟୁନି ଜିଭରେ ଠିକ୍ ଗୋଟେ କଥା କିଛି 
ବୟସ ନା ବାର୍ଦ୍ଧକ୍ୟ ନା ରୋଗ ନା ଆଉ କ'ଣ?
ଠଉରାଠଉରି କରି ଚଲେଇଚି କାମ
ବ୍ରହ୍ମଚାରୀ ନୁହଁ, ନୁହଁ ବି ଚାଂଡାଳ କି ବ୍ରାହ୍ମଣ 
ଦିନରେ ଚିଂତକ ରାତିରେ ଭକ୍ଷକ ମୁଁ ନୁହଁ 
ମାତ୍ର ଜଣେ ପୂଜକ, ପୁଣି ଅର୍ବାଚୀନ;
କେବେ ଶୁଣିଚ ଅସ୍ପଷ୍ଟ ଉଚ୍ଚାରଣ ?
ଲୁଚିଯାଉ ମିଶିଯାଉ ମାଟିରେ ମୋ ଭଲପାଇବା ଓ
ଜୀଇବାର କୁହୁକ ଚଂଦନ ।

ଶବ୍ଦକଷଣ ସହି ଯାହାଂକୁ ଛୁଇଁଲି ସେମାନେ ପ୍ରଜାପତି ତ ?
ଚଗଲା ମଣିଷ ବାଇଆ ବୁଦ୍ଧି
ଭ୍ରମ ହେଇପାରେ, ଭୁଲ୍  କେବେ ହେଇନି ତ ମୋର!
କାଳେ ଗେଂଡାକୁ ମୁଁ ଭାବିଥିବି ଶଂଖ !
କାଳେ ବତକକୁ ଭାବୁଥିବି ହଂସ !
ପ୍ରଳୟ ହେଇଯିବନି ତ ! 
ଯଦି ଥାଏ ମାର୍ଜନା କରିବେ ଦୋଷ ।

ହଁ ମୁଁ ଯଦି, ଚିଲିକାରେ କେବେ କରେ ନୌକାବିହାର
ବେକରେ ଝୁଲେଇ ପୁରୁଣା ଗୋଟେ ଦୂରବୀଣ,
ତ ପଚାରିବି ନିଶ୍ଚୟ, ହେ ଦୂରବିଦେଶର ପକ୍ଷୀଏ !
ଉଡ଼ିବାପରେ କେମିତି ଲାଗେ ଶୀତଳ ସଂତରଣ ?
ସ୍ପର୍ଶକାତର ମନକୁ ଜାଳିଦେଇପାରେ କେମିତି 
ଶବ୍ଦରେ ଲୁଚିଥିବା ନିଆଁ ଅଥବା ଜହ୍ନକିରଣ  ??