ମନ ମଶାଣି

ମନ ମଶାଣି

ପଛରେ ଦିଶୁଛି ଧ୍ବଂସସ୍ତୂପ
ଆଗରେ ଅନେକ ନକ୍‌ସା 
ପଛରେ ରହିଲେ ସବୁ ଶବ
ଆଗରେ ଭ୍ରୂଣର ଈପ୍‌ସା 

ଭ୍ରୂଣ ବଢ଼ି କେବେ ଜୀବଟେ ହେବ
ତାହା କେହି ଜାଣିନାହିଁ
ଗର୍ଭଧାରିଣୀ ନାରୀକୁ ଏବେ
ପଚାରିବି କାହିଁ ପାଇଁ ?

ସ୍ମୃତିଧର ହୋଇ ପ୍ରତୀକ୍ଷାରତ
ରହିଲିଣି କେତେ କାଳ
ବାଂଝ ଗଛରେ ସତରେ କି ଆଉ
ଫଳିବ କୌଣସି ଫଳ ?

ମଲା ମୁଲକରେ ଜିଇଁଛିଁ ବୋଲି
ମନ ହେଲାଣି ମଶାଣି
ପରିଚିତ ମୁହଁ ଗୋଟେ ଦିଶୁନାହିଁ 
କୁଆଡ଼େ ଗଲେ କେଜାଣି