ମନଦୋଳି
ଯା...ମେଘ ଛୁଁ
ତାରା ଛୁଁ..
ଜହ୍ନ ଛୁଁ....
ଯା...ଉଡିଯା....
ଏଯାଏ ବତୁରିନି ମାଟି
ଉଠୁଛି ପୋଡ଼ା ବାରୁଦ ଧୂଆଁ
ଗଜା ହୋଇନଥିବା ବିହନର
ଆଁରୁ ଉକୁଟି ଆସୁଛି
ମରୁଡ଼ିର ଗନ୍ଧ....
ଯା....ଏ ମାଟି ଛାଡି
ଉଡିଯା....
ଆକାଶ ଆଡେ
ଯେଉଁଠି ମେଘ ନାହିଁ
ଦେବତା ନାହିଁ...
ଅଛି ନିଆଁ....ବତାସ....
ଯା....ଉଡିଯା ସେଆଡ଼େ
ଯା......
ଏଠି ଆଉ ତୋର କାମ କଣ?
ଶସ୍ୟ ଜଗିବାକୁ ଅଛି ପଙ୍ଗପାଳ ଦଳ
ଫୁଲ ଜଗିବାକୁ ଅଛି
ରୋବୋ ମାଳି
ଫଳ ଜଗିବାକୁ ଅଛି
ଡହ ଡହ ଅନ୍ଧାର
ପ୍ରେମ ଜଗିବାକୁ ଅଛି
ଦେବତା-ଛାରଖାର ।
ଯା...ଉଡିଯା...ସେଇଆଡ଼େ
ଯୁଆଡ଼େ ଅଛି ନୀଳମେଘ
ଉପତ୍ୟକା...
ଯୁଆଡ଼େ ଅଛି ଧାରେ
ଏଯାଏ ଲିଭି ନଥିବା ଧାଡିଏ
କୁହାସିଆ ସୁର...
ଯା...ଉଡିଯା ସିଆଡେ
ନିଆଁଲଗା ମନଦୋଳି ମୋର.....