ଅଗ୍ନିବୀର ରାସ୍ତାରେ କଣ୍ଟା କିଏ ?

ଅଗ୍ନିବୀର ରାସ୍ତାରେ କଣ୍ଟା କିଏ ?
ଫଟୋ- ୱିକି ମିଡିଆ କମନ୍ସ

୧୮ ଜାନୁଆରୀ ୨୦୨୪ ରେ ଅଗ୍ନିବୀର ଅଜୟ କୁମାର ଜମ୍ମୁ-କାଶ୍ମୀରରେ ଏକ ଲ୍ୟାଣ୍ଡମାଈନ ବିସ୍ଫୋରଣରେ ସହୀଦ ହୋଇଥିଲେ । ଏହି ଘଟଣାର ୬ ମାସ ପରେ ମଧ୍ୟ ସହୀଦଙ୍କ ପରିବାରକୁ କ୍ଷତିପୂରଣ ରାଶି ସରକାର ପ୍ରଦାନ କରିନାହାନ୍ତି ବୋଲି ସଂସଦରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ କହିଥିଲେ । ଏହାର ପ୍ରତ୍ୟୁତ୍ତରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ, ସହୀଦ ଅଗ୍ନିବୀରଙ୍କ ପରିବାରକୁ ୧ କୋଟି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଉକ୍ତିର ଉତ୍ତର ଏକ ଭିଡ଼ିଓ ବାର୍ତ୍ତାରେ ଦେଇ ସହୀଦଙ୍କ ପିତା କହିଲେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାରଙ୍କ ତରଫରୁ କୌଣସି ସହାୟତା ରାଶି ଆମେ ପାଇନାହୁଁ ବରଂ ବୀମା ରାଶି ବାବଦକୁ ସମୁଦାୟ ୯୮ ଲକ୍ଷ ଟଙ୍କା ପାଇଛନ୍ତି । ଅଗ୍ନିବୀର ଯୋଜନା ୨୦୨୨ ମସିହାରେ କେନ୍ଦ୍ର ସରକାର ପ୍ରଣୟନ କରିଥିବା ବେଳେ ଆରମ୍ଭରୁ ହିଁ ଏହି ଯୋଜନାକୁ ବିଭିନ୍ନ ରାଜ୍ୟ ଏବଂ ବିଭିନ୍ନ ବର୍ଗଦ୍ୱାରା ବିରୋଧ କରାଯାଉଛି । ଏହି ଯୋଜନାରେ ୪ ବର୍ଷର ସ୍ୱଳ୍ପ ଅବଧି ପାଇଁ ଯବାନ ନିଯୁକ୍ତିର ପ୍ରାବଧାନ ରହିଛି । ତେବେ ଏହି ଯୋଜନାକୁ ନେଇ ବିଭିନ୍ନ ପ୍ରଶ୍ନ ରହିଛି, ଅଗ୍ନିବୀର ଯୋଜନା ମାଧ୍ୟମରେ ଦେଶରେ କଣ ଦୁଇ ପ୍ରକାରର ସେନା ଅଧିକାରୀଙ୍କ ନିଯୁକ୍ତି କରାଯାଉଛି ? ଯେଉଁଥିରେ ଜଣେ ସେନା ଅଧିକାରୀ ଅବସରକାଳୀନ ଭତ୍ତା ସହ ସହୀଦର ସମ୍ମାନ ପାଇବାକୁ ଥିବା ବେଳେ ଅଗ୍ନିବୀର ଯୋଜନାରେ ନିଯୁକ୍ତ ଯବାନଙ୍କ କ୍ଷେତ୍ରରେ ଏଗୁଡ଼ିକ ପ୍ରଯୁଜ୍ୟ ନୁହେଁ । ମାତ୍ର ୬ ମାସର ତାଲିମ୍ ପରେ ଜଣେ ଅଗ୍ନିବୀର କଣ ସୀମାରେ ଲଢ଼େଇ ପାଇଁ ପ୍ରସ୍ତୁତ ? ଯଦି ସୀମାରେ ଲଢ଼େଇ ସମୟରେ ଯଦି କୌଣସି ଅଗ୍ନିବୀର ସହୀଦ ହୁଅନ୍ତି ତେବେ ସେମାନଙ୍କୁ କ୍ଷତିପୂରଣ ମିଳିବା ପରିବର୍ତ୍ତେ ମିଳିବ ବୀମା ରାଶି ?

 ଟଙ୍କା ବଞ୍ଚାଇବା ଲକ୍ଷ୍ୟରେ ମୋଦି ସରକାର ଦେଶର ସୁରକ୍ଷାକୁ ବିପଦକୁ ଠେଲିଦେଉ ନାହାନ୍ତି ତ ? ଯେଉଁ ବରିଷ୍ଠ ସେନାଧିକାରୀମାନେ ପୂର୍ବରୁ ଅଗ୍ନିବୀର ଯୋଜନାକୁ ସମର୍ଥନ କରୁଥିଲେ ଆଜି ଏହାର ବିରୋଧରେ କାହିଁକି ? କଣ ବିମୁଦ୍ରୀକରଣ, ଜିଏସଟି ଓ କଳା କୃଷି ଆଇନ ଭଳି ଅଗ୍ନିବୀର ଯୋଜନା ମୋଦି ଶାସନରେ ଏକ ବିଫଳ ଯୋଜନାରେ ପରିଣତ ହେବ ? ପ୍ରତିବର୍ଷ ଏହି ଯୋଜନାରେ ୪୦ ହଜାର ଯୁବକ ସେନାରେ ସାମିଲ ହେବାକୁ ଥିବା ବେଳେ ଏବେ ମଧ୍ୟରେ ସେନାରେ ଦେଢ଼ ଲକ୍ଷ ଶୂନ୍ୟତା ରହିଛି । ଅର୍ଥାତ ଅଗ୍ନିବୀର ଯୋଜନା ସେନାରେ ନିଯୁକ୍ତି ସମସ୍ୟାର ସ୍ଥାୟୀ ସମାଧାନ ନୁହେଁ । ଏଭଳି ଅନେକ ପ୍ରଶ୍ନ ବିଗତ ଏକ ମାସ ହେବ ବିରୋଧୀ ଦଳଗୁଡ଼ିକ ଉଭୟ ସଂସଦ ଏବଂ ସଂସଦ ବାହାରେ ମୋଦି ସରକାରଙ୍କୁ ପ୍ରଶ୍ନ କରୁଛନ୍ତି । ଇଣ୍ଡିଆ ଗଠବନ୍ଧନ ଏହାକୁ ନିର୍ବାଚନୀ ମୁଦ୍ଦା କରିଥିବା ବେଳେ ବର୍ତ୍ତମାନ ନିର୍ବାଚନ ପରେ ଏହି ଯୋଜନାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରୁଛନ୍ତି । କେବଳ ବିରୋଧୀ ଦଳଗୁଡ଼ିକ ନୁହେଁ ବରଂ ମୋଦିଙ୍କ ତୃତୀୟ ପାଳିର ଘନିଷ୍ଠ ସହଯୋଗୀ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଜେଡ଼ିୟୁ ଦଳ ମଧ୍ୟ ଏହି ଯୋଜନା ପ୍ରତ୍ୟାହାର କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରତିରକ୍ଷା ବିଶେଷଜ୍ଞ ଏବଂ ପୂର୍ବତନ ସେନାଧିକାରୀମାନଙ୍କ ମତରେ ଅଗ୍ନିବୀର ଯୋଜନା ଆମ ଦେଶର ସେନା ଉପରେ ଏକ ସର୍ଜିକାଲ ଷ୍ଟ୍ରାଇକ ଅଟେ । ସ୍ଥଳ ସେନା କ୍ଷେତ୍ରରେ ଅଗ୍ନିବୀର ଯୋଜନା ଲାଗୁ ହୋଇପାରିବ କିନ୍ତୁ ବାୟୁ ଓ ଜଳ ସେନାରେ ଏହି ଯୋଜନାର କାର୍ଯ୍ୟକାରିତା ଅସମ୍ଭବ । ଏଣୁ ପ୍ରତିରକ୍ଷା ବିଭାଗ ଏବଂ ସେନାଗୁଡ଼ିକ ଏହି ଯୋଜନାର ପୁନଃମୂଲ୍ୟାୟନ କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି ।

          ସେନାରେ ବିଭିନ୍ନ ପଦ ରହିଥିବା ବେଳେ ସର୍ବାଧିକ ପଦବୀ ପର୍ସନେଲ ଵିଲୋ ଅଫିସର ରାଙ୍କ (ପିବିଓଆର)ର ରହିଛି; ଯେଉଁଥିରେ ସିପାହୀ, ନାୟକ, ଲାନ୍ସ ନାୟକ, ସୁବେଦାର ଓ ମେଜର ସୁବେଦାର ଆଦି ପଦବୀ ରହିଛି । ଅଗ୍ନିବୀର ଯୋଜନାରେ ଏହି ପଦବୀଗୁଡ଼ିକରେ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଇଛି । ପୂର୍ବରୁ ପିବିଓଆର ଯବାନ ୧୭ ବର୍ଷ ପାଇଁ ଦେଶ ସେବାରେ ନିୟୋଜିତ ହେଉଥିଲେ ଏବଂ ଅବସରରେ ପରେ ମଧ୍ୟ ଜରୁରୀକାଳୀନ ପରିସ୍ଥିତିରେ ପୁନଃନିଯୁକ୍ତି ପାଉଥିଲେ । ଉକ୍ତ ଯବାନମାନେ ଚାକିରୀ କରିବା ସମୟରେ ଦରମା ସହ ନିଜର ଓ ନିଜ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ବୀମା, ଅବସର ଉପରାନ୍ତ ଭତ୍ତା ଏବଂ ସେନା କ୍ୟାଣ୍ଟିନର ସୁବିଧା ପାଉଥିଲେ । ଯଦି କାର୍ଯ୍ୟରତ ଯବାନ ସହୀଦ ହୁଅନ୍ତି ତେବେ ପରିବାରବର୍ଗକୁ ଭତ୍ତା, ଯବାନଙ୍କ ପରିବାର ସଦସ୍ୟଙ୍କୁ ମାଗଣା ସ୍ୱାସ୍ଥ୍ୟ ଓ ଶିକ୍ଷାର ସୁଯୋଗ ସହ ସେନା କ୍ୟାଣ୍ଟିନର ସୁବିଧା ମିଳୁଥିଲା । ଅର୍ଥାତ ସରକାର ଦେଶ ପ୍ରତି ଯବାନଙ୍କ ଶ୍ରମ ଦାନ ପ୍ରତି ବଦଳରେ ଯବାନଙ୍କ ଓ ତାଙ୍କ ପରିବାରର ଧ୍ୟାନ ରଖୁଥିଲା । କିନ୍ତୁ ଏଭଳି ନିଯୁକ୍ତି ପ୍ରକ୍ରିୟାର ବିଡମ୍ବନା ହେଉଛି ଯବାନଙ୍କ ଦରମା ଓ ଭତ୍ତା ପାଇଁ ଖର୍ଚ୍ଚ ହେଉଥିବା ଅତ୍ୟଧିକ ଅର୍ଥ ରାଶି । ବର୍ତ୍ତମାନ ସେନା ବଜେଟର ପ୍ରାୟ ୫୫ ପ୍ରତିଶତ ଅର୍ଥ ଯବାନଙ୍କ ଦରମା ଓ ଭତ୍ତା ପାଇଁ ଖର୍ଚ୍ଚ ହେଉଛି ଫଳରେ ଭାରତୀୟ ସେନାର ଆଧୁନିକରଣ ଓ ନୂତନ ଅସ୍ତ୍ରଶସ୍ତ୍ର କ୍ରୟରେ ବାଧା ସୃଷ୍ଟି ହେଉଛି । ଆମ ପଡ଼ୋଶୀ ରାଷ୍ଟ୍ର ଚୀନ ସୈନ୍ୟ ବଜେଟର ପ୍ରାୟ ୪୦ ପ୍ରତିଶତ ଅର୍ଥ ସେନାର ଆଧୁନିକରଣରେ ବ୍ୟୟ କରୁଥିବା ବେଳେ ଭାରତ ମାତ୍ର ୨୫ ପ୍ରତିଶତ ଅର୍ଥ ବ୍ୟୟ କରୁଛି ।

 ଏହା ବ୍ୟତୀତ ପୂରୁଣା ବ୍ୟବସ୍ଥା ଯୋଗୁଁ ଭାରତୀୟ ସେନାର ହାରାହାରି ବୟସ ୩୨ ବର୍ଷ ହୋଇଥିବା ବେଳେ ଅନ୍ୟ ଦେଶଗୁଡ଼ିକର ହାରାହାରି ବୟସ ୨୫ ବର୍ଷ ରହିଛି । ଉପରକ୍ତ ତଥ୍ୟ ଦର୍ଶାଉଛି ଭାରତୀୟ ସେନାରେ ପରିବର୍ତ୍ତନ ତଥା ସୁଧାରର ଆବଶ୍ୟକତା ରହିଛି କିନ୍ତୁ ଏହି ସମସ୍ୟାର ସମାଧାନ ଅଗ୍ନିବୀର ଯୋଜନା ନୁହେଁ । ଅଗ୍ନିବୀର ଯୋଜନାରେ ନିଯୁକ୍ତ ସୈନ୍ୟ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତ ହେଉଥିବା ବେଳେ ୪ ବର୍ଷ ପରେ ନିଯୁକ୍ତ ଦଳର ୭୫ ପ୍ରତିଶତ ଯବାନଙ୍କୁ ସେବା ନିବୃତ କରାଯିବ ଏବଂ ବାକି ୨୫ ପ୍ରତିଶତ ଯବାନ ଅଧିକ ୧୫ ବର୍ଷ ପାଇଁ କାର୍ଯ୍ୟ କରିବେ । ଏହି ୪ ବର୍ଷର ସେବା ସମୟରେ ଅଗ୍ନିବୀର ଯବାନ ମାସକୁ ୪୦ ହଜାର ଦରମା ପାଉଥିବା ବେଳେ ସେବା ନିବୃତ୍ତ ସମୟରେ ୧୧ ଲକ୍ଷ ୭୧ ହଜାର ଟଙ୍କାର ସେବା ନିଧି ଅର୍ଥ ମିଳିବ । ଏହା ବ୍ୟତୀତ ଏକ ଦକ୍ଷତା ପ୍ରମାଣପତ୍ର, ବ୍ୟବସାୟ ପାଇଁ ବ୍ୟାଙ୍କ ଋଣ ସହ ରାଜ୍ୟର ପୋଲିସ ସେବାରେ ନିଯୁକ୍ତି ପାଇଁ ଅଗ୍ରାଧିକାର ଦିଆଯିବ । କିନ୍ତୁ ଏହି ଯୋଜନା ଘୋଷଣା ପରେ ଉତ୍ତର ପ୍ରଦେଶ, ବିହାର ଆଦି ରାଜ୍ୟରେ ବଡ଼ଧରଣର ଆନ୍ଦୋଳନ ଆରମ୍ଭ ହୋଇଥିଲା ଏବଂ ଅନେକ ପିଲା ଯବାନ ପାଇଁ ଜାରି ରହିଥିବା ନିଜ ପ୍ରସ୍ତୁତିକୁ ବନ୍ଦ କରିଦେଇଥିଲେ ।

          ଅଗ୍ନିବୀରକୁ ନେଇ ଜନ ଅସନ୍ତୋଷର ସବୁଠାରୁ ବଡ଼ କାରଣ ହେଉଛି ୪ ବର୍ଷ ପରେ ସେବା ନିବୃତ୍ତ ପରେ ଅଗ୍ନିବୀର ଯବାନଙ୍କୁ ଭତ୍ତା, ଆନୁ୍ତୋଷିକ ରାଶି, ମହଙ୍ଗା ଭତ୍ତା, ଛୁଟି ନଗଦିକରଣ, ସେନା କ୍ୟାଣ୍ଟିନ ସୁବିଧା, ଯବାନ ଓ ଯବାନ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ବୀମା ଆଦି ସୁବିଧା ମିଳିବ ନାହିଁ । ଠିକ ଏଭଳି କିଛି ଦେଖିବାକୁ ମିଳିଛି ସହୀଦ ଅଜୟ କୁମାରଙ୍କ କ୍ଷେତ୍ରରେ, ସେ ସହୀଦ ହେବା ପରେ ତାଙ୍କ ପରିବାରକୁ ୪୮ ଲକ୍ଷ ସେନା ବୀମା ଓ ୫୦ ଲକ୍ଷ ଆଇସିଆଇସିଆଇ ବ୍ୟାଙ୍କର ବୀମା ବାବଦକୁ ଟଙ୍କା ମିଳିଛି । ତେବେ ବର୍ତ୍ତମାନ କିଛି ପ୍ରଶ୍ନ କରିବେ ଟଙ୍କା ତ ମିଳିଛି ତେବେ ପୁଣି କଣ ? କଥାଟି ହେଉଛି ସହୀଦଙ୍କ ପରିବାରକୁ ଏଯାବତ କ୍ଷତିପୂରଣ ରାଶି ମିଳିନାହିଁ ଏବଂ ବୀମା ଓ କ୍ଷତିପୂରଣ ଦୁଇଟି ଭିନ୍ନ ବସ୍ତୁ ଅଟେ । ବୀମା ରାଶି ସମ୍ମାନ ନୁହେଁ ବରଂ କ୍ଷତିପୂରଣ ରାଶି ସମ୍ମାନ ଅଟେ । ସେନା ସହୀଦଙ୍କ ପରିବାରକୁ ୬୭ ଲକ୍ଷର କ୍ଷତିପୂରଣ ରାଶି ପ୍ରଦାନ କରିବା କଥା ଯାହା ଏଯାବତ ହୋଇନାହିଁ । ବିରୋଧୀ ଦଳ ନେତାଙ୍କ ଉକ୍ତି ପରେ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଜଣାଇଛନ୍ତି ଯେ ଖୁବଶୀଘ୍ର ସହୀଦଙ୍କ ପରିବାରକୁ ସେମାନେ କ୍ଷତିପୂରଣ ରାଶି ପ୍ରଦାନ କରିବେ ।

 ତେବେ ଆମ ମନରେ ପ୍ରଶ୍ନ ଉଙ୍କି ମରିବା ଉଚିତ ପ୍ରତିରକ୍ଷା ମନ୍ତ୍ରୀ ଯେଉଁ ୧ କୋଟିର ସହାୟତା ରାଶି ସମ୍ପର୍କରେ ସଂସଦରେ କହିଥିଲେ ତାହା ବୀମା ରାଶି ନା ଅନୁଗ୍ରହପୂର୍ବକ ଦାନ ଅର୍ଥ ରାଶି ଥିଲା ? ଏବଂ ଯବାନ ସହୀଦ ହେବାର ୬ ମାସ ବିତି ଯାଇଥିଲେ ମଧ୍ୟ ଏଯାବତ କାହିଁକି ସହୀଦଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରାଯାଇ ନାହିଁ ? ଏହା ବ୍ୟତୀତ ସହୀଦଙ୍କ ପରିବାରକୁ ଭତ୍ତା, ସ୍ୱାସ୍ଥ୍ୟ ବୀମା, ଛାତ୍ର ବୃତ୍ତି ଓ ସେନା କ୍ୟାଣ୍ଟିନ ଆଦି ସୁବିଧା ମିଳିବ ନାହିଁ । ଅଗ୍ନିବୀର ଯୋଜନାକୁ ନେଇ ଅସନ୍ତୋଷର ଦ୍ଵିତୀୟ କାରଣ ସରକାରଦ୍ୱାରା ପ୍ରଦତ୍ତ ଦକ୍ଷତା ବିକାଶ ପ୍ରମାଣ ପତ୍ର, ଯାହା ଅବସରପ୍ରାପ୍ତ ଯବାନଙ୍କ କୌଣସି କାମରେ ଲାଗୁ ନାହିଁ । ଅସନ୍ତୋଷର ତୃତୀୟ କାରଣଟି ହେଉଛି ଅବସର ପରେ ନିଯୁକ୍ତି । ଆଜି ମଧ୍ୟ ଜଣେ ଯବାନ ଅବସର ପରେ ସାଧାରଣ ବେସାମାରିକ କ୍ଷେତ୍ରରେ ବ୍ୟବସ୍ଥିତ ହେବା ପାଇଁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାର ଅଧୀନସ୍ଥ ପୋଷ୍ଟ, ରେଳ ଓ ବ୍ୟାଙ୍କ ସେବାର ଗ୍ରୁପ ସି', ଗ୍ରୁପ ଡ଼ି', କେନ୍ଦ୍ରୀୟ ପାରାମିଲିଟାରୀ ବାହିନୀ ଏବଂ କେନ୍ଦ୍ରୀୟ ସଶସ୍ତ୍ର ବାହିନୀର ପଦରେ ଅବସରପ୍ରାପ୍ତ ସେନାଧିକାରୀଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ପ୍ରାବଧାନ ରହିଛି । କିନ୍ତୁ ଆଜି ଅବସରପ୍ରାପ୍ତ ସେନାଧିକାରୀଙ୍କ ମଧ୍ୟରୁ ମାତ୍ର ୧.୨୯ ପ୍ରତିଶତ ଅଧିକାରୀ ହିଁ ଅବସର ପରେ ଅନ୍ୟତ୍ର ନିଯୁକ୍ତି ପାଉଛନ୍ତି । ୧୭ ବର୍ଷର ଚାକିରୀ ପରେ ମଧ୍ୟ ଯଦି ଜଣେ ସାଧାରଣ ସେନାଧିକାରୀ ପାଇଁ ପୁନଃନିଯୁକ୍ତି ଅସମ୍ଭବ ତେବେ ମାତ୍ର ୪ ବର୍ଷର ଅଗ୍ନିବୀର ଯବାନଙ୍କୁ ଅବସର ପରେ ପୁନଃନିଯୁକ୍ତି ମିଳିବ ବୋଲି କଣ ମାନେ ଅଛି ? ୨୦୨୦ ମସିହାରେ ପ୍ରତିରକ୍ଷା ବିଭାଗର ପାର୍ଲିଆମେଣ୍ଟ ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ପୂର୍ବତନ ସିଡ଼ିଏସ ଜେନେରାଲ ବିପିନ ରାବତ କହିଥିଲେ ୩୮ ବର୍ଷ ବୟସରେ ଏକ ଅବସରପ୍ରାପ୍ତ ଯବାନଙ୍କ ପାଇଁ ନୂତନ ନିଯୁକ୍ତି ଖୋଜିବା କାର୍ଯ୍ୟ ସେମାନଙ୍କ ସମ୍ମାନ ଓ ମହତ୍ତ୍ୱକୁ କ୍ଷୁର୍ଣ୍ଣ କରୁଛି ।

          ଅଗ୍ନିବୀର ଯୋଜନାର ସଂଘାତ ଯୋଗୁଁ ବିଜେପିକୁ ହରିଆଣା, ରାଜସ୍ଥାନ, ଉତ୍ତରପ୍ରଦେଶ, ବିହାରରେ ସିଟ ହରାଇବା ପାଇଁ ପଡିଛି ବୋଲି ଅନେକ ରାଜନୀତି ବିଶେଷଜ୍ଞଙ୍କ ମତ । ମୋଦି ସରକାରଙ୍କ ମତରେ ଏହି ଯୋଜନା ସେନାକୁ ସଶକ୍ତ କରିବା ସହ ସେନାର ଯୁବକରଣରେ ସହାୟକ ହେବ କିନ୍ତୁ ପ୍ରତିରକ୍ଷା ବିଶେଷଜ୍ଞ ଓ ପୂର୍ବତନ ସେନାଧିକାରୀଙ୍କ ମତରେ ଏହି ଯୋଜନା ସେନାର ହାନି ଘଟାଇବ । ସେମାନଙ୍କ ମତରେ ପ୍ରଥମ ସେନା ପାଇଁ କ୍ଷତି ହେଉଛି ଉପଯୁକ୍ତ ପ୍ରଶିକ୍ଷଣର ଅଭାବ । ପୂର୍ବର ପିବିଓଆର ଯବାନଙ୍କୁ ୨ରୁ ୩ ବର୍ଷର କଠିନ ପ୍ରଶିକ୍ଷଣ ନେବାକୁ ହେଉଥିଲା ବେଳେ ଅଗ୍ନିବୀରଙ୍କ କ୍ଷେତ୍ରରେ ଏହି ସମୟ ମାତ୍ର ୬ ମାସ । ପୂର୍ବତନ ମେଜର ଜେନେରାଲ ଅମ୍ରିତପାଲ ସିଂଙ୍କ ମତରେ ପ୍ରଶିକ୍ଷଣକୁ କଦାପି ଦ୍ରୁତ ଅଗ୍ରଗାମୀ କରାଯାଇପାରିବ ନାହିଁ ଏବଂ ସ୍ୱଳ୍ପ ସମୟର ତାଲିମ୍ ପରେ ଏହି ଅଗ୍ନିବୀରମାନେ ଅନ୍ୟ ବୃନ୍ଦଙ୍କ ଉପରେ ଏକ ବୋଝ ପାଲଟିବେ । ଏହା ବ୍ୟତୀତ ଅଗ୍ନିବୀର ଯୋଜନା ନୌସେନା ଓ ବାୟୁସେନା ପାଇଁ ମଧ୍ୟ କ୍ଷତିକାରକ ଅଟେ, କାରଣ ନୌସେନା ଓ ବାୟୁସେନାର ଅସ୍ତ୍ରଶସ୍ତ୍ର ଚାଳନା ପଦ୍ଧତି ଜଟିଳ ଅଟେ । ପୂର୍ବତନ ଆଡମିରାଲ ଅରୁଣ ପ୍ରକାଶଙ୍କ ମତରେ ନୌସେନା ଓ ବାୟୁସେନାର ଜଟିଳ ଅସ୍ତ୍ରଶସ୍ତ୍ର ଚାଳନା ନିମନ୍ତେ ଯବାନଙ୍କୁ ସର୍ବନିମ୍ନ ୫ରୁ ୬ ବର୍ଷର ପ୍ରଶିକ୍ଷଣ ଆବଶ୍ୟକତା ରହିଛି । ଅର୍ଥାତ ୪ ବର୍ଷ ପରେ ଏକ ଅଗ୍ନିବୀର ଆଂଶିକ ତାଲିମପ୍ରାପ୍ତ ନୌଚାଳକ ହିଁ ହୋଇପାରିବ, ଏହା ବ୍ୟତୀତ ଆଉ କିଛି ନୁହେଁ ।

 ଏହି ଯୋଜନାରୁ ତୃତୀୟ ସମସ୍ୟାଟି ହେଉଛି ଧାରଣ ହାର (ରିଟେନ୍ସନ ରେଟ) । ପୂର୍ବତନ ସେନାଧ୍ୟକ୍ଷ ଏମ.ଏମ. ନରଭଣେଙ୍କ ମତରେ ୪ ବର୍ଷର ପ୍ରଶିକ୍ଷଣ ପରେ ୨୫ ପ୍ରତିଶତ ଅଗ୍ନିବୀରଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇ ବାକି ୭୫ ପ୍ରତିଶତଙ୍କୁ ସେନାରେ ସାମିଲ କରାଯାଉ କିନ୍ତୁ ସରକାର ଏହାର ଠିକ ଓଲଟା କାର୍ଯ୍ୟ କରୁଛନ୍ତି । ଫଳରେ ଅଗ୍ନିବୀରଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଭାବ ସୃଷ୍ଟି ହୋଇଯାଇଛି, ସେନାରେ ଯେଉଁ ଭାଇଚାରାର ଦୃଷ୍ଟାନ୍ତ ଦେଖିବାକୁ ମିଳୁଥିଲା ତାହା ଆଉ ମିଳିବ ନାହିଁ । ଏହି ସମସ୍ୟା ବଜାୟ ରହିଲେ ଯୁଦ୍ଧ ସମୟରେ ଜଣେ ଯବାନ ଅନ୍ୟ ଯବାନକୁ ସାହାଯ୍ୟ ନକଲେ ସେନା ପ୍ରତିପକ୍ଷ ସେନା ନିକଟରେ ଦୁର୍ବଳ ହୋଇଯିବ । ଭାରତୀୟ ସେନାର ଆଭ୍ୟନ୍ତରୀଣ ରିପୋର୍ଟ ଅନୁସାରେ ସେନାରେ ବର୍ତ୍ତମାନ ସଂବଦ୍ଧଶିଳତା ଓ ପାରସ୍ପରିକ ବିଶ୍ୱାସରେ ଅଭାବ ଦେଖାଦେଇଛି । ପୂର୍ବତନ ଲେଫ୍ଟନାଣ୍ଟ ଜେନେରାଲ ବିନୋଦ ଭାଟିଆଙ୍କ ପ୍ରଶ୍ନ ହେଉଛି ସରକାର ଏତେ ବଡ଼ ନିଷ୍ପତ୍ତି ନେବା ପୂର୍ବରୁ କୌଣସି ପରୀକ୍ଷିତ କାହିଁକି କରିଲେ ନାହିଁ ଏବଂ ଏଭଳି ନିଷ୍ପତ୍ତି ଯୋଗୁଁ ସମାଜର ସାମରିକକରଣ ହେବ । ବନ୍ଧୁକଚାଳନାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଯୁଦ୍ଧ କୌଶଳରେ ଅର୍ଦ୍ଧପ୍ରଶିକ୍ଷିତ ୪୦ ହଜାର ଅବସରପ୍ରାପ୍ତ ଅଗ୍ନିବୀର ଋଷର ବାଗନର ଗ୍ରୁପ ଭଳି ବେସରକାରୀ ସେନା ଗଠନ କରିବେ ନାହିଁ ବୋଲି କଣ ମାନେ ଅଛି ? ନିକଟରେ ପଞ୍ଜାବର ମୋହାଲିରେ ଏକ ଅଗ୍ନିବୀର ଯବାନ ଛୁଟିରେ ଆସି ନିଜ ଭବିଷ୍ୟତ ସମ୍ଭାଵ୍ୟତା ସମ୍ପର୍କରେ ଚିନ୍ତା କରି କାର ଚୋରି କରିବା ଘଟଣାରେ ସାମ୍ନାକୁ ଆସିଛି । ଏହା ଦର୍ଶାଉଛି ଆଗାମୀ ଦିନରେ ଅବସର ପରେ ଅଗ୍ନିବୀରମାନେ ଦେଶ ପାଇଁ ବିପଦ ସୃଷ୍ଟି କରିପାରନ୍ତି ।

          ମୋଦି ସରକାର ରାତାରାତି ଗୋଟିଏ ପରେ ଗୋଟିଏ ନୂତନ ଯୋଜନା ଲାଗୁ କରୁଛନ୍ତି କିନ୍ତୁ ତାହା ଦେଶକୁ ଲାଭ ଦେବା ବଦଳରେ ଦେଉଛି କ୍ଷତି । ଜିଏସଟି, ବିମୁଦ୍ରୀକରଣ, କଳା କୃଷକ ଆଇନ ଭଳି ଯୋଜନାଗୁଡ଼ିକ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ । ଆଜି ମୋଦି ସରକାର ଜିଏସଟିର ମାସିକ ତଥ୍ୟ ଦେବାକୁ ପଛଘୁଞ୍ଚା ଦେଉଛନ୍ତି ଏବଂ ବିମୁଦ୍ରୀକରଣ ସମ୍ପର୍କରେ ଚୁପ ରହୁଛନ୍ତି; ସେଭଳି ଆଗାମୀ ଦିନରେ ଅଗ୍ନିବୀର ଯୋଜନା ସହ ହେବ ନାହିଁ ତ ? ଯଦି ସରକାରଙ୍କୁ ଯବାନଙ୍କ ଦରମା ଓ ଭତ୍ତା ଖର୍ଚ୍ଚ କମ କରିବାର ଥିଲା ତେବେ ଏହାର ଅନେକ ବିକଳ୍ପ ରହିଥିଲା ତେବେ ଅଗ୍ନିବୀର ଯୋଜନା କାହିଁକି ? ପ୍ରତିରକ୍ଷା ମନ୍ତ୍ରୀଙ୍କ ମତରେ ଆମେରିକାରେ ମଧ୍ୟ ଅଗ୍ନିବୀର ଭଳି ଯୋଜନା କାର୍ଯ୍ୟକାରୀ ହୋଇଛି କିନ୍ତୁ ଆମେରିକା ସରକାର ତାହାର ସୈନିକ ପାଇଁ ମୋଟା ଅଙ୍କର ପାରିଶ୍ରମିକ ପ୍ରଦାନ କରିଥାଏ । ସେହିପରି ଅବଧି ଶେଷ ହେବା ପରେ ସୈନିକ ଯଦି ସେନାରେ କାମ ଜାରି ରଖିବା ପାଇଁ ଚାହୁଁଥାଏ ତେବେ ସେନା ତାହାର ଇଚ୍ଛାକୁ ସମ୍ମାନ ଦେଇଥାଏ କିନ୍ତୁ ଅଗ୍ନିପଥ ଯୋଜନାରେ ୭୫ ପ୍ରତିଶତଙ୍କୁ ଅବ୍ୟାହତି ନେବାକୁ ପଡ଼ିବ । ଯଦି ଏକ ଆମେରିକୀୟ ସୈନିକ ସହୀଦ ହୋଇଥାଏ ତେବେ ସରକାର ତାହାର ପରିବାରକୁ ସମସ୍ତ ସୁବିଧା ପ୍ରଦାନ କରିଥାନ୍ତି କିନ୍ତୁ ଭାରତ ଭଳି ସେଠାରେ ଦୁଇ ପ୍ରକାରର ସୈନିକ ପ୍ରସ୍ତୁତ କରାଯାଉ ନାହିଁ ।

           ତେବେ ଆମ ମନରେ ଏକ ପ୍ରଶ୍ନ ଉଙ୍କିମାରିବା ସ୍ୱାଭାବିକ, ଅଗ୍ନିବୀରର ସମାଧାନ କଣ ? ମୋ ମତରେ ଅଗ୍ନିବୀର ଯୋଜନାରେ ୨୫ ପ୍ରତିଶତ ପୁନଃଧାରଣ ବଦଳରେ ୭୫ ପ୍ରତିଶତ କରାଯାଉ ଫଳରେ କୋଭିଡ଼ ପରେ ସେନାର ଯେଉଁ ସୈନ୍ୟ ଅଳ୍ପତା ସୃଷ୍ଟି ହୋଇଛି ତାହାର ସମାଧାନ ହେବ, ସେନା ମଧ୍ୟ ଯୁବ ହେବ ଏବଂ ଯବାନଙ୍କ ମଧ୍ୟରେ ବନ୍ଧୁତ୍ୱ ଅକ୍ଷୁର୍ଣ୍ଣ ରହିବ । ଅଗ୍ନିବୀର ଯୋଜନାର ଅବଧିକୁ ୪ ବର୍ଷ ପରିବର୍ତ୍ତେ ୮ରୁ ୧୦ ବର୍ଷ କରାଯାଉ ଫଳରେ ଉଚ୍ଚ ତାଲିମପ୍ରାପ୍ତ ସୈନିକ ଦେଶକୁ ମିଳିବ ଓ ଦେଶ ସୁରକ୍ଷିତ ହାତରେ ନ୍ୟସ୍ତ ରହିବ । ଅଗ୍ନିବୀର ଯୋଜନାରେ ଏହି ସବୁ ସଂସ୍କାର ପରେ ସରକାର ଯେଉଁ ଖର୍ଚ୍ଚ କାଟ କଥା ଚିନ୍ତା କରିଛନ୍ତି ତାହା ହୋଇପାରିବ ନାହିଁ ଏଣୁ ବାରମ୍ବାର ଏହି ଯୋଜନାର ସପକ୍ଷରେ ଶାସକ ଦଳ ଯୁକ୍ତି ବାଢୁଛନ୍ତି ।

 ଅଗ୍ନିବୀର ଆଶାୟୀଙ୍କ ଆନ୍ଦୋଳନ ପରେ ସରକାର ଅଗ୍ନିବୀର ଯୋଜନା ପାଇଁ ଆବେଦନର ବୟସସୀମା ୨୧ ପରିବର୍ତ୍ତେ ୨୩ କରିଛନ୍ତି ଏବଂ ନିକଟରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶା ଭଳି କେତକ ରାଜ୍ୟ ସରକାର ରାଜ୍ୟର ସରକାରୀ ଚାକିରୀରେ ଅଗ୍ନିବୀରଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ଘୋଷଣା କରିଛନ୍ତି । ବିଶ୍ୱର ସାମ୍ପ୍ରତିକ ପରିସ୍ଥିତି ଦୁନିଆକୁ ତୃତୀୟ ବିଶ୍ୱଯୁଦ୍ଧ ନିକଟକୁ ନେଇଯାଉଛି କହିଲେ ଅତ୍ୟକ୍ତି ହେବ ନାହିଁ, ଏଭଳି କ୍ଷେତ୍ରରେ ଚୀନ ଓ ପାକିସ୍ତାନ ଭଳି ତୀବ୍ର ବିରୋଧୀ ପଡ଼ୋଶୀଙ୍କ ଆକ୍ରମଣରୁ ରକ୍ଷା ପାଇବା ପାଇଁ ଭାରତକୁ ସଶକ୍ତ ସୈନ୍ୟବଳ ଆବଶ୍ୟକ ସରକାର ଏହା ଭୁଲିବାକୁ ହେବା ନାହିଁ । ସରକାର ସେନାକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଲେ ମଧ୍ୟ ଏହାକୁ ଚଳାଇବା ପାଇଁ ଉଚ୍ଚ ପ୍ରଶିକ୍ଷଣଯୁକ୍ତ ସୈନିକ ଆବଶ୍ୟକ, ଏହାକୁ ମଧ୍ୟ ସରକାର ଭୁଲିବା ଉଚିତ ନୁହେଁ । ଏହା ବ୍ୟତୀତ ସରକାର ଦେଶର ସାମଗ୍ରିକ ଅର୍ଥନୈତିକ ବିକାଶ, ପ୍ରଚଣ୍ଡ ଉଦ୍ୟୋଗୀକରଣ ପ୍ରତି ଧ୍ୟାନ ଦେବା ଉଚିତ ଫଳରେ ଦେଶର ଆର୍ଥିକ ବିକାଶ ହେବ ଏବଂ ସରକାର ସେନା ପାଇଁ ଅଧିକ ଖର୍ଚ୍ଚ କରିପାରିବେ । ନଚେତ ପ୍ରତିରକ୍ଷା ବଜେଟ ବୃଦ୍ଧି କରାଯାଉ ଫଳରେ ଆମେ ଆମେରିକା ଓ ଚୀନକୁ ସମରସଜ୍ଜାରେ ଟକ୍କର ଦେଇପାରିବା ।