ଅକ୍ଟାଭିଓ ପାଜଙ୍କ କବିତା "ରାତି , ଦିନ , ପୁଣି ରାତି"
(ଅକ୍ଟାଭିଓ ପାଜ୍ - ସ୍ପେନୀୟ ଭାଷାର କବି । ୧୯୯୦ ମସିହାରେ ମାନବୀୟ ସଂବେଦନା ଏବଂ ସଂବେଦନଶୀଳ ବୌଦ୍ଧିକତାରେ ଭରା ଆବେଗମୟ ସାହିତ୍ୟ ରଚନା ପାଇଁ ତାଙ୍କୁ ନୋବେଲ ପୁରସ୍କାର ମିଳିଥିଲା ।)
( ୧ )
ଆଲୋକର ଧାରା : ଗୋଟେ ଚଢ଼େଇ
ଗୀତ ଗାଉଥାଏ ଟେରାସ ଉପରେ
ତୁମ ଦେହର
ଉପତ୍ୟକା ଆଉ ପାହାଡ଼ ପର୍ବତରେ
ସେ ଉଇଁ ଆସେ ।
( ୨ )
ନିଆଁ ରାତିରେ ଶୋଇଥାଏ
ପାଣି ହସିହସି ଚେଇଁଉଠେ ।
( ୩ )
ତୁମ କେଶର ପତ୍ରବହଳ ତୋରଣ ଭିତରେ
କପାଳ : ଗୋଟିଏ କୁଂଜବନ
ଡାଳପତ୍ର ମଝିର ନିର୍ମଳତା |
ମୁଁ ବଗିଚା ବିଷୟରେ ହିଁ ଭାବୁଛି :
ପବନ ହେଇ
ତୁମ ସ୍ମୃତିକୁ ଚହଲେଇଦେବା ପାଇଁ
ସୂର୍ଯ୍ୟଟିଏ ହେଇ
ଉଇଁ ଆସିବାକୁ
ତୁମ ଘରପାଖ ବଣବୁଦା ଭିତରୁ !
( ୪ )
ଆଦିମତା ପରି ଉଚ୍ଚ
ତାଳଗଛର ପାଦ ପାଖରେ
ଢ଼େଉ ଖେଳୁଥିବା ସବୁଜିମା
ଆଗରେ ଲଢ଼ୁଆ ସୂର୍ଯ୍ୟ
ତମେ ବିଶ୍ରାମ ନିଅ |
ତୁମ ଶରୀର ଛାଇ ଭିତର ଉଜାଣି ସୁଅ ।
ନିସ୍ତବ୍ଧତା , ବିଶାଳ ଦ୍ବିପ୍ରହରର
ପୁଲକିତ ହିଁ ହେଉଥାଏ କେବଳ ।
ତୁମ ଗୋଡ଼ ଦୁଇଟି
ମଝିରେ
ସମୟ
ଜିଦଖୋର ସମୟ
ଖସି ଯାଉଥାଏ ।
( ୫ )
ସୂର୍ଯ୍ୟକିରଣର ପ୍ରବାହ , ଜୀବନ୍ତ ସୁନା
ଖୋଦିତ ନାଳୀ , କ୍ରୁଶଚିହ୍ନ , କୁଣ୍ଡଳୀ
ସବୁଜ ତାରାପୁଂଜ :
ତ୍ରିଭୁଜ ପରି ପୋକ
ଘାସ ଉପରେ ଘଣ୍ଟାକୁ ତିନିଚାରି ମିଲିମିଟର
ବେଗରେ ଚାଲୁଥାଏ ।
କ୍ଷଣକ ପାଇଁ ତମେ
ହାତପାପୁଲିରେ ଉଠେଇନେଲ ତାକୁ
( ଯେଉଁଠି ଭାଗ୍ୟ ଧନ୍ଦି ହେଉଥାଏ
ତା’ର ଛନ୍ଦାଛନ୍ଦି ରହସ୍ୟ ଭିତରେ )
ଏ ଗୋଟିଏ ଜୀବନ୍ତ ମୁକ୍ତା , ଗୋଟେ ଜୀବନ
ଖସିପଡ଼ିଛି , ବୋଧହୁଏ ଟାଇଟାନିଆରୁ -
ଆଉ ସମ୍ମାନର ସହ ତମେ ତାକୁ ଯିବାକୁ ଦେଲ ଫେରିଯିବାକୁ ଦେଲ ପରମେଶ୍ଵରଙ୍କ ପାଖକୁ ।
(୬)
ଦିନ , ସର୍ବଶ୍ରେଷ୍ଠ ଫୁଲ
ଘଣ୍ଟା ପରେ ଘଣ୍ଟା ଜଳୁଥାଏ ।
ଆଉ ଗୋଟିଏ ଫୁଲ , କଳାରଂଗର
ଖୋଲୁଥାଏ ନିଜକୁ ।
ଅନନୁଭବନୀୟ ଭାବରେ
ତମେ ଅତିକ୍ରମ କର
ଛାୟାକୁ
ପ୍ରବେଶ କର ,
ରାତିର ରମଣୀ
କେବଳ ଢେଉଟିଏ
ମହମହ ବାସ୍ନା ଖାଲି , ସଫେଦ ,
ମୋ ଖଟ ଉପରେ
ତୁମେ ବିଛେଇଦିଅ ନିଜକୁ
ଏବଂ ନାରୀଟିଏ ହେଇଯାଉଥାଅ ପୁଣିଥରେ ।
(୭)
କାଗଜ ପୃଷ୍ଠାର ସମତଳ
ଆଉ ଦେହର ରାତି ,
କାମନାର ସୁଅ ଆଉ
ସ୍ଵପ୍ନର ଛୋଟଛୋଟ ଗୁଫା ।
( ୮ )
ଗାଆଁଟିଏ , ଅନୁଭବର ଉର୍ଦ୍ଧ୍ବରେ
ଶୋଇରହିଥାଏ ତୁମ ଆଖିପତା ତଳେ :
ବ୍ୟଗ୍ର ଖଣ୍ଡିଆଭୂତ , ଛୁଇଁ ଦେବାର ଉତ୍ତରାଧିକାରୀ ପରିଣତ ମାଂସପିଣ୍ଡୁଳାରେ
ରକ୍ତପାନ କରି
ବଦଳେଇ କାମନାର ରୂପ
ସବୁବେଳ ପାଇଁ ଅବା ସେଇ ଏକା କଥା :
ଚେହେରା ପରେ ଚେହେରା
ଜୀବନର
ଯାହା ମୃତ୍ୟୁ
ମୃତ୍ୟୁର ଯାହା ହିଁ ଜୀବନ ।
***
ମୂଳ ରଚନା: ଅକ୍ଟାଭିଓ ପାଜ୍
ଅନୁବାଦ: ଈପ୍ସିତା ଷଡ଼ଙ୍ଗୀ