ବିନ୍ୟାସ
ବିଚ୍ଛେଦ ବିନା ଅପୂର୍ଣ ରହିଥାଂତା ନାଟକ ।
ଶତ୍ରୁତାର ଫ୍ରେମ୍ ଭିତରେ
ସୁଂଦର ଦିଶୁଛି ଚିତ୍ର ।
ଚାରିଆଡ଼େ ଶୈଳବିନ୍ୟାସ, ମଝି ମଂଡକ ଉପତ୍ୟକା,
ଶାଗୁଆ ବେଦୀର ମଧ୍ୟକୁଂଜରେ
ଅଗ୍ନି ରଂଗର କଢ଼ ଉପରକୁ
ଓହ୍ଲାଇ ଆସୁଛି ଛାୟା ବିସ୍ତାର କରି
ଆବିଷ୍ଟ ଆକାଶ ।
ଲଘୁଚାପର ଆକର୍ଷ-ବିଂଦୁକୁ ମାଡ଼ି ଆସୁଛି
ଆଷାଢ଼ ଓ ବତାସ,
ପ୍ରତୀକ୍ଷାରେ ପ୍ରଖର ହେଉଛି ମାଟିର ଆଁ
ନିଆଁର ଆଁ...
ବ୍ୟୂହକେଂଦ୍ରରେ ମାଡ଼ିଆସୁଛି
ବାଳଖିଲ୍ୟ ଅଭିମନ୍ୟୁ ଆଡ଼କୁ ବିଂଧ୍ୟାଚଳୀ ସପ୍ତରଥୀ
ଅହଂ ଆଡ଼କୁ ଦିଗ ଦିଗର ଜିଘାଂସା...
ତଥାପି
ଆଉ ଗୋଟିଏ ଫ୍ରେମ୍ ଭିତରେ
ଶୂନ୍ୟତା ପ୍ରତୀକ୍ଷା କରୁଛି
ଅଜ୍ଞାତ ରଂଗର ଭିନ୍ନ ଆଷାଢ଼କୁ,
ନୀରବତା ପ୍ରତୀକ୍ଷା କରୁଛି
ବର୍ଣମାଳାରୁ ଛିଟକି ପଡ଼ିଥିବା
ସାମାନ୍ୟ କେତୋଟି ଅକ୍ଷରକୁ ।
ବିଚ୍ଛେଦ ପରେ ବି ଅପୂର୍ଣ ରହିଛି ନାଟକ ।।