କବିକୁ

କବିକୁ

ଯଦି କଥାବାର୍ତ୍ତା ହେବାକୁ ଚାହଁ ଈଶ୍ବରଙ୍କ ସହ
ତେବେ କବିତା ଲେଖ।

ଯଦି ଈଶ୍ବର ନାହାନ୍ତି ଓ
ଏ ବାକ୍ୟରେ “ଯଦି" ଶବ୍ଦଟି ଯଦି ଅନାବଶ୍ୟକ
ତେବେ ବି ତାଙ୍କ ସହ କଥା ହୁଅ
କବିତା ଲେଖ।

କବିତା ଏକ ସଂଗୀତ
କିନ୍ତୁ ମଞ୍ଚରେ ଗାଅ ନାହିଁ
ଅନ୍ୟମାନଙ୍କ ପାଇଁ ତ କଥାଚିଦ୍ ନୁହେଁ
ଏପରି ଗାଅ, ଯେମିତି ତୁମେ ବି ଶୁଣି ପାରିବ ନାହିଁ।

କବିତା କିଛି କହେନାହିଁ
ଯେମିତି ବୀଣାର ତାର
ବଇଁଶୀର ସୁର।
ତଥାପି କବିତା ଲେଖ, ଏପରିକି ଗଦ୍ୟରେ।

କଣ ବା କହିବାର ଅଛି ମଣିଷମାନଙ୍କୁ,
ଈଶ୍ବରଙ୍କୁ ବା ନିଜକୁ ?

ତୁମେ ଥିବା ଓ କବିତା ଲେଖୁଥିବାରେ
ବ୍ରହ୍ମାଣ୍ଡ ହୁଏ ଅନୁରଣିତ।
ଏଫେଜିଆ ରୋଗୀ ଓ
ହରି ଦାସର ଗୀତ ଶୁଣିବାକୁ
ଯେଉଁ କେତୋଟି ତାରା ବାକିଥିଲେ
ଲିଭି ସାରିଛନ୍ତି ସେମାନେ,
ତଥାପି ଗାଅ।

ପରଲୋକରେ ଥିବା ଆତ୍ମୀୟସ୍ବଜନଙ୍କୁ
ଚିଠି ଲେଖ କବିତାରେ
କବିତାର ଭାଷା ବୁଝନ୍ତି ସେମାନେ।

ବୁଝେଇବାକୁ ଚେଷ୍ଟା କରନାହିଁ କବିତା,
ବୁଝି ହେବା ଓ ବୁଝେଇ ହେବାର ଭାଷାରେ ନୁହେଁ
କବିତା ଲେଖାହୁଏ ଅଶ୍ରୁତ ନିରବତାରେ
ଜଳର ତରଙ୍ଗ ପରି
ସୂର୍ଯ୍ୟର ଉଦୟ ପୂର୍ବର ଅରୁଣିମା ପରି।

ଈଶ୍ବରଙ୍କୁ ଭୁଲିଯାଅ, ନିଜକୁ ବି
କଥା ହୁଅ, ଗାଅ।