କୁମ୍ଭୀର କାନ୍ଦଣା : ସାମ୍ବାଦିକତାର ନୂଆ ପାଠ ଓ ପ୍ରତୀକ

କୁମ୍ଭୀର କାନ୍ଦଣା : ସାମ୍ବାଦିକତାର ନୂଆ ପାଠ ଓ ପ୍ରତୀକ

ମୁଁ ଥରେ ଟିଭି ଡିବେଟରେ ଭାଗ ନେଇ ଫେରିବା ବେଳେ ମୋତେ ଦୁଆର ପର୍ଯ୍ୟନ୍ତ ଛାଡ଼ିବାକୁ ଆସିଥିବା ସଞ୍ଚାଳକଙ୍କୁ କହିଲି ଆପଣ ବଦନାମ ହୋଇ ସାରିଲେଣି। 

ସଞ୍ଚାଳକ ହଠାତ୍ ମୋ ଠାରୁ ଏକଥା ଶୁଣିବା ପରେ ଆଦୌ ଆଶ୍ଚର୍ଯ୍ୟ ହେବାର ଦେଖାଗଲେ ନାହିଁ। ସେ ସଙ୍ଗେ ସଙ୍ଗେ ଉତ୍ତର ଦେଲେ ଏକଥା ସେ ଜାଣିଛନ୍ତି। ମୁଁ କିନ୍ତୁ ଏକଥା ଶୁଣି ଆଶ୍ଚର୍ଯ୍ୟ ହେଲି ଓ ବୁଲିପଡ଼ି ତାଙ୍କୁ ପ୍ରଶ୍ନ ପଚାରିବା ଭଳି ଦେଖିବାରେ ସେ କହିଲେ ' କାହିଁକି ନୁହେଁ ? ଅନ୍ୟମାନେ ଯଦି ସେ ପ୍ରକାର ସାମ୍ବାଦିକତା କରି ଗୋଟିଏ ପାର୍ଟିକୁ ଘେରିବାରେ ଲାଗିଛନ୍ତି, ତେବେ ଆମେ କାହିଁକି ସେ ପାର୍ଟିର ସମର୍ଥନରେ ବାହାରିବୁ ନାହିଁ ଓ ସେମାନେ ସମର୍ଥନ କରୁଥିବା ପାର୍ଟିକୁ ଆକ୍ରମଣ କରିବୁ ନାହିଁ ? '

ମୋତେ ଲାଗିଲା ତାଙ୍କ କଥାରେ ଦମ୍ ଅଛି । ମୁଁ ଘରକୁ ଆସି ପୁଣି ଭାବିଲି। ଯଦି ଟିଭି ଚ୍ୟାନେଲମାନେ ଅମୂକ ପାର୍ଟି ଓ ସମୁକ ପାର୍ଟି ଭିତରେ ବିଭକ୍ତ ହୋଇଯିବେ ତେବେ ପ୍ରକୃତ ସତ୍ୟ ଓ ସାମ୍ବାଦିକତାର ନିଶ୍ଚୟ ମୃତ୍ୟୁ  ଘଟିଛି । ଯଦି ଟିଭି ଚ୍ୟାନେଲମାନେ ଭଲ ସାମ୍ବାଦିକତା ଓ ଖରାପ ସାମ୍ବାଦିକତା ମଧ୍ୟରେ ବିଭକ୍ତ ହୁଅନ୍ତେ ତେବେ ଦର୍ଶକମାନେ ଉପକୃତ ହୁଅନ୍ତେ । ସେମାନେ ଯାହା କରୁଛନ୍ତି କରନ୍ତୁ, ଆମେ କିନ୍ତୁ ଆମ ସାମ୍ବାଦିକତାର ଧର୍ମ ପାଳନ କରିବୁ - ଏମିତି ଏହି ଦୁଇ ପକ୍ଷ ଭିତରୁ କେହି ଗୋଟିଏ ବି ପକ୍ଷ ଭାବୁ ନାହିଁ। 

ଏଥିରେ କିନ୍ତୁ ଗୋଟିଏ ରିସ୍କ ରହିଛି । ଭଲ ସାମ୍ବାଦିକତା କରିବାକୁ ଯାଇ କେହି ହୁଏତ ବାଲାନ୍ସିଂ କରିବା ଆରମ୍ଭ କରି ଦେଇ ପାରେ । ଅର୍ଥାତ୍ ଅମୁକ ପାର୍ଟି ବିରୁଦ୍ଧରେ ଯେତିକି କହିବି ସମୁକ ପାର୍ଟି ବିରୁଦ୍ଧରେ ମଧ୍ୟ ସେତିକି କହିବି । ଏହା ମଧ୍ୟ ବିପଦଜନକ। ମନେ କରନ୍ତୁ ଅମୁକ ପାର୍ଟିର ନେତା ଗୋଟିଏ ଜଘନ୍ୟ ଅପରାଧ କରିଛି । ସଞ୍ଚାଳକ ଜଣକ ଡିବେଟରେ ତା' ଦଳକୁ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଲା ଏବଂ ତା'ର ପ୍ରତିଦ୍ବନ୍ଦି ଦଳକୁ ମଧ୍ୟ ପ୍ରଶ୍ନ ଓ ଆକ୍ଷେପ କରିବାକୁ ସୁଯୋଗ ଦେଲା । କିନ୍ତୁ ଶେଷରେ ସଞ୍ଚାଳକ ଯଦି ପ୍ରତିଦ୍ବନ୍ଦୀ ଦଳକୁ ମଧ୍ୟ ପଚାରିବାକୁ ଆରମ୍ଭ କଲା ଯେ ତମ ପାର୍ଟିର ଅମୁକ ନେତା ଅମୁକ ସମୟରେ କାହିଁକି ସେହିଭଳି ଅପରାଧ କରିଥିଲା, ସେଇଟା ହେବ ବାଲାନ୍ସିଂ । ତାକୁ ହ୍ବାଟଏବାଉଟ୍ରି ମଧ୍ୟ କୁହାଯାଉଛି । ସଞ୍ଚାଳକ ଏପରି କରିବା ଦ୍ବାରା ତାର ଦର୍ଶକଙ୍କୁ ଏକ ବାର୍ତ୍ତା ଦେଉଛି ଯେ ଆଜିକାର ଏହି ଅପରାଧ ହେଉଛି ଏକ ସାଧାରଣ ଅପରାଧ । କାରଣ ଏହା ସବୁ ପାର୍ଟି କରୁଛନ୍ତି। ସଞ୍ଚାଳକ ଏପରି କରିବା ଦ୍ବାରା ଆଜିର ଅପରାଧୀ ଖସିଗଲା । 

ମଣିପୁର ଘଟଣାକୁ ନେଇ ଟେଲିଗ୍ରାଫ୍ ତାହାର କଭର ପୃଷ୍ଠାରେ ଯେଉଁ ଚିତ୍ର ଦେଇଛି ତାକୁ କେତେକ ହୁଏତ ଅତିରଞ୍ଜିତ କହି ପାରନ୍ତି । କେହି ଅତିରିକ୍ତ ମୋଦୀ ବିରୋଧୀ  ବୋଲି କହି ପାରନ୍ତି । କେହି ପଚାରି ପାରନ୍ତି ମମତା ବାନାର୍ଜୀଙ୍କ ଯଥେଛାଚାର ବେଳେ କିମ୍ବା ପଶ୍ଚିମବଙ୍ଗରେ ନିର୍ବାଚନ ବେଳେ ଯେଉଁ ହତ୍ୟା ହୋଇଥିଲା ସେତେବେଳେ କାହିଁକି ଟେଲିଗ୍ରାଫ୍ ଏପରି ବିଦ୍ରୁପାତ୍ମକ ଛବି ପ୍ରଥମ ପୃଷ୍ଠାରେ ପକାଇ ନଥିଲା । 

କିନ୍ତୁ ମମତା ସମାଲୋଚନାର ଉର୍ଦ୍ଧ୍ବରେ କିମ୍ବା ସାମ୍ବାଦିକମାନଙ୍କ ପ୍ରଶ୍ନବାଣର ବୁମ୍ ଠାରୁ କେବେ ଦୁରରେ ନଥିଲେ, ଯେତିକି ପ୍ରଧାନମନ୍ତ୍ରୀ ମୋଦି ରହିଛନ୍ତି । ମୁଁ ଏହା ଦ୍ବାରା ମମତା ବାନାର୍ଜୀଙ୍କୁ ସମର୍ଥନ କରୁନାହିଁ କି ତାଙ୍କ ବିରୁଦ୍ଧରେ ଏମିତି ଛବି ବାହାରିବାକୁ ନିନ୍ଦା କରିବି ନାହିଁ। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ କଥା ସମ୍ପୁର୍ଣ୍ଣ ଅଲଗା । ସେ ଗୋଟିଏ ଖରାପ ପରମ୍ପରା ଆରମ୍ଭ କରିଛନ୍ତି ଓ ଭାରତୀୟ ସାମ୍ବାଦିକତାକୁ ଖିନଭିନ୍ କରି ନଷ୍ଟ କରିଛନ୍ତି। 

ଯଦି ପ୍ରଧାନମନ୍ତ୍ରୀ ସାମ୍ବାଦିକଙ୍କୁ ଭେଟୁଥାନ୍ତେ କିମ୍ବା ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରୁଥାନ୍ତେ ତେବେ ଗତ ୭୭ ଦିନ ମଧ୍ୟରେ କେହି ନା କେହି ସାମ୍ବାଦିକ ତାଙ୍କୁ ମଣିପୁର ବିଷୟରେ ପଚାରିଥାନ୍ତା ଓ ଆଜି କେହି କହି ନଥାନ୍ତା ଯେ ପ୍ରଧାନମନ୍ତ୍ରୀ କାହିଁକି ମଣିପୁର ବିଷୟରେ ମୁହଁ ଖୋଲୁ ନାହାନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ତାହା କରୁ ନାହାନ୍ତି। ସେ ନିଜର ପଦ ଗୁରୁତ୍ତ୍ଵର ଫାଇଦା ଉଠାଇ ଖବରକାଗଜର ମୂଖ୍ୟ ପୃଷ୍ଠାର ଶିରୋନାମାରେ କ'ଣ ରହିବ ତାହା ନିର୍ଣ୍ଣୟ କରୁଛନ୍ତି । କାରଣ ସେ ଜାଣିଛନ୍ତି ସେ ପ୍ରଧାନମନ୍ତ୍ରୀ ହୋଇ ଥିବାରୁ ଖବରକାଗଜମାନେ ନିଶ୍ଚୟ ତାଙ୍କର ଯେ କୌଣସି ଉତପଟାଙ୍ଗ କଥାକୁ ପ୍ରଥମ ପୃଷ୍ଠାରେ ପ୍ରଥମ ଖବର କରି ଛାପିବେ। କୃଷକ ଆନ୍ଦୋଳନ ସମୟରେ କୃଷକ ନେତାଙ୍କ ବକ୍ତବ୍ୟ ଖବରକାଗଜ ମୂଖ୍ୟ ପୃଷ୍ଠାର ହେଡଲାଇନ୍ ଖବର ହେଉ କି ନହେଉ , ସେହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ହେଡଲାଇନ୍ ହେବା ସମ୍ଭାବନା ଅଧିକ । ଏହା ହିଁ ପ୍ରଥା । କିନ୍ତୁ କାହାକୁ ଏହି ପ୍ରଥାର ଫାଇଦା ଉଠାଇବାକୁ କେମିତି ଦିଆଯିବ ? ଗତ ୯ ବର୍ଷ ଧରି ଭାରତୀୟ ଗଣମାଧ୍ୟମରେ ହେଡଲାଇନ୍ କ'ଣ ରହିବ ତାହା ସେ ନିୟନ୍ତ୍ରଣ କରି ଆସୁଛନ୍ତି । କାରଣ ତାଙ୍କର ଅଧିକାଂଶ ବକ୍ତବ୍ୟ ଉତପଟାଙ୍ଗ ଓ ରୋଚକ ଶ୍ରେଣୀର ଯାହା ଖବରକାଗଜ ମାନଙ୍କୁ ସେପରି କରିବାକୁ ବାଧ୍ୟ କରେ । ସେ ଜାଣିଛନ୍ତି ସେ ଯାହା କହିଯିବେ ସେଥିପାଇଁ ତାଙ୍କୁ ସଫେଇ ଦେବାକୁ ପଡ଼ିବ ନାହିଁ । କିନ୍ତୁ ଗୋଟିଏ ଦେଶର  ଗଣତନ୍ତ୍ର କେମିତି କାହାକୁ ଶିରୋନାମାରେ ଏକଚାଟିଆ ରାଜୁତି କରିବାକୁ ଅନୁମତି ଦେବ ? ହୁଏତ ଟେଲିଗ୍ରାଫର ଏହି ଛବି ତାହାର ଏକ ଉତ୍ତର । 

ପ୍ରଧାନମନ୍ତ୍ରୀ 'ଫ୍ରିବି' ବିଷୟରେ ବିଦ୍ରୁପ କରି ତାହାକୁ ରେଓଡି ବୋଲି କହିଲେ । ତାହା ଅଧିକାଂଶ ଗଣମାଧ୍ୟମରେ ହେଡଲାଇନ ମଣ୍ଡିତ କଲା । କ'ଣ ଏହି ବିଷୟରେ ସଫେଇ ଦେବାକୁ ପ୍ରଧାନମନ୍ତ୍ରୀ ଏ ପର୍ଯ୍ୟନ୍ତ କୈାଣସି ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି ? ହୁଏତ ଟେଲିଗ୍ରାଫ୍ ଏହି ଗ୍ରାଫିକ୍ସ ମାଧ୍ୟମରେ ହେଡଲାଇନ୍ ସଜାଇବା ଦ୍ବାରା ସେଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ନିୟନ୍ତ୍ରିତ ହେବାକୁ ମନା କରି ଦେଉଛି । 

ଜରୁରୀ ପରିସ୍ଥିତି ବେଳେ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ମିଡ଼ିଆକୁ ଏତେ କବଳିତ କରି ପାରି ନଥିଲେ, ଯେତିକି ଆଜି ମୋଦୀ କରୁଛନ୍ତି । ସେତେବେଳେ କେଉଁ ଖବର ପ୍ରକାଶ ପାଇବ ନାହିଁ ସେଥିରେ ତାଙ୍କ ସରକାର ହସ୍ତକ୍ଷେପ କରୁଥିଲା । କିନ୍ତୁ ଖବରକାଗଜର ଶିରୋନାମା କ'ଣ ହେବ ତାହା ନିୟନ୍ତ୍ରଣ କରୁ ନଥିଲା । ସେତେବେଳେ ପ୍ରତିବାଦରେ ସମ୍ପାଦକୀୟ ସ୍ଥାନ ଖାଲି ଛଡା ଯାଉଥିଲା ଓ ବେଳେ ବେଳେ କଳା କରି ଦିଆଯାଉଥିଲା । ତାହା ଟେଲିଗ୍ରାଫର ଏହି ହେଡଲାଇନ୍ ଠାରୁ ଆହୁରି ସଙ୍ଗୀନ୍ ଅଟେ । ତଥାପି ତାହା ଥିଲା ମାତ୍ର ଦେଢବର୍ଷର କଥା । ଉଭୟ ଇନ୍ଦିରା ଓ ଗଣମାଧ୍ୟମ ଭଲଭାବରେ ଜାଣିଥିଲେ ଯେ ଜରୁରୀକାଳୀନ ପରିସ୍ଥିତିର ଦିନେ ଅନ୍ତ ହେବ । କିନ୍ତୁ ଏବେକାର ଏ ଗୋଦି ସାମ୍ବାଦିକତା  ଗତ ୯ ବର୍ଷ ହେଲା ଚାଲିଛି ଓ ତାହା କେବେ ଅନ୍ତ ହେବ କେହି କହି ପାରିବେ ନାହିଁ । କେବଳ ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ଏହାକୁ ଏକ ସାଧାରଣ ଘଟଣା ବନାଇ ସାରିଲେଣି । ୨୦୧୪ରେ ଯିଏ ୧୦ ବର୍ଷର ବାଳକ ଥିଲା ସେ ଏବେ ଭୋଟ ଦେବାକୁ ଯିବ । ସେ ହୁଏତ ଭାବୁଥିବ ଶାସନମୂଖ୍ୟମାନେ  ଏମିତି ଉତ୍ତରଦାୟିତ୍ୱଶୂନ୍ୟ ହୋଇ ବୁଲନ୍ତି । ଯଦି କେହି ସାମ୍ବାଦିକ ବି ଏମିତି ଭାବୁଥାନ୍ତି ତାହା ତ ଆହୁରି ମାରାତ୍ମକ କଥା । 

ମଣିପୁର ଘଟଣାକୁ କେହି ସମର୍ଥନ କରୁ ନାହାନ୍ତି ।‌ ଟେଲିଗ୍ରାଫର ଏହି ମୂଖ୍ୟ ଖବର ଚିତ୍ରକୁ ଯିଏ ନାପସନ୍ଦ କରୁଛନ୍ତି, ସେ ମଧ୍ୟ ମଣିପୁର ଘଟଣାକୁ ନିନ୍ଦା କରୁଛନ୍ତି ଓ ପ୍ରଧାନମନ୍ତ୍ରୀଙ୍କ ନୀରବତାକୁ କଠୋର ସମାଲୋଚନା କରୁଛନ୍ତି । 

କିନ୍ତୁ ପ୍ରଧାନମନ୍ତ୍ରୀ ନୀରବ ଥିଲେ କେତେବେଳେ ? ତାଙ୍କ ନୀରବତା ହିଁ ମଣିପୁର ବିଷୟରେ କଥା କହି ଚାଲିଥିଲା । ସେ ମୂଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଦେଇଥିବା ପ୍ରତ୍ୟେକ ବକ୍ତବ୍ୟ ଥିଲା ମଣିପୁର ବିଷୟରେ ବକ୍ତବ୍ୟ । ତାଙ୍କ ନୀରବତା କହି ଚାଲିଥିଲା 'ପରବାୟ ନାହିଁ' । କେହି ତ ଗୋଟିଏ ଗଣମାଧ୍ୟମ ସଂସ୍ଥା ପ୍ରଧାନମନ୍ତ୍ରୀଙ୍କ  ଏହି ବାକପଟୁତାକୁ ଜବାବ ଦେବାର ଥିଲା ? ଆଜି ଟେଲିଗ୍ରାଫ୍ ଦେଲା । 

ଟେଲିଗ୍ରାଫ୍ ଏମିତି ଅଧିକ କିଛି ପଚାରି ପାରି ନଥାନ୍ତା ଯାହା ତାହାର ଗ୍ରାଫିକ୍ସ ପଚାରି ପାରିଛି । ଏହି ଶ୍ଳେଷ କେବଳ ସାମ୍ବାଦିକ ଧର୍ମର ଉତ୍କର୍ଷତା ନୁହେଁ। ଏହା ମଧ୍ୟ ହେଉଛି ସାମ୍ବାଦିକ ଧର୍ମର ସାହସିକତା। ଗତ କିଛି ବର୍ଷ ଧରି ରବୀଶ କୁମାର, ପୂଣ୍ୟ ପ୍ରସୁନ୍ନ ବାଜପେୟୀ, ଅଭିଷାର ଶର୍ମା ଓ ସନ୍ଦୀପ ଚୌଧୁରୀମାନେ  ପ୍ରଶ୍ନ ପଚାରି ଯେଉଁ ଅବସ୍ଥା ଭୋଗିଛନ୍ତି ତାହା ଜାଣି ସୁଦ୍ଧା ଯଦି ଗୋଟିଏ ଖବରକାଗଜ ଏପରି ଗ୍ରାଫିକ୍ସ ରଖି ପାରୁଛି ତାହା ସାହାସିକତା ନୁହେଁ ତ ଆଉ କ'ଣ ?