ହାସନ୍ ଦା ଇଂଟରନେସ୍‌ନାଲ

ହାସନ୍ ଦା ଇଂଟରନେସ୍‌ନାଲ

“ସମ୍ପତ୍ତି ବୋଇଲେ ନିରାଶା
ସ୍ୱପ୍ନ ବୋଇଲେ ରାଜନୈତିକ ପ୍ରତାରଣା
ମନୋରଂଜନ କହିଲେ ମଦ ଓ ମାଇକିନା
ତିଳ ତିଳ ମୃତ୍ୟୁରେ ସରିଯାଇଥାଏ ଆଇନ୍ 
ଥ୍ରୀ ଚିୟର୍ସ ଟୁ ଫେମାଇନ୍ ।” (ରୂପିୟା ଭୂୟାଁର ସଂସାର)

ଗୋଟିଏ ଦେଶରେ ଏକ ଜଂଗଲ ଥିଲା
ଓ ଏବେ ସେ ଦେଶଟା ଜଂଗଲ ହେଇଗଲା । ( ଜଂଗଲ)

ନାରୀର ସବୁଠୁ ବଡ଼ ଦୁର୍ବଳତା
ତାର ଦୁର୍ନାମ
ନାରୀ ଦୁର୍ନାମକୁ ଡ଼ରିଲା ନାହିଁ ତ
ଗଡ଼ ଜିଣିଗଲା । ( ଗଡ଼ ଜିଣାର ଗୀତ)

୮ ତାରିଖ ସଂଧ୍ୟାରେ ଗୋଟିଏ ଫୋନ୍ ଆସେ  ସାଂଗେସାଂଗେ ଘରକୁ  ଯଲ୍‌ଦି ଆସ । ହାସନ୍ ଦା ଙ୍କ ଝିଅ ସୀମାର ଫୋନ୍ । ମୁଁ ଘାବେରେଇ ଗଲି, କ’ଣ ହେଲାଯେ । ଘରେ ଘଡ଼ିଏ ବସି ଚିନ୍ତା କଲି କ’ଣ ହେଇପାରେ । ମୁଣ୍ଡରେ କିଛି ଜୁଟୁନଥାଏ । ଟିକିଏ ଡ଼େରି କରି ଗଲି । ହାସନ୍ ଦା ଘରେ ତାଙ୍କ ସାରା ପରିବାର ଜମା ହେଇଥାଏ ।  ଏମ ଆର୍ ଆଇ ରିପୋର୍ଟ ଓ ଡ଼ାକ୍ତରଙ୍କ ପ୍ରେସ୍‌କ୍ରିପ୍ସନ୍ ଦେଖେଇ ବଡ଼ ଅସହାୟ ହେଇ ସୀମା କହିଲା- “ଆବାକୋ ବ୍ରେନ୍ ଟ୍ୟୁମର୍ ।” ମୁଁ ବି ରିପୋର୍ଟ ସବୁ ଓଲଟପାଲଟ କଲି । ବିଶ୍ୱାସ କରିବାକୁ ଇଛା ହେଉନଥାଏ । ଅପରେସ୍‌ନ କରି ଟ୍ୟୁମର୍ କାଢିଦେଲା ପରେ ଅନେକେ ଠିକ ହେବା ଖବର ମୋଠି ଥିବା ସତ୍ୱେ ମୁଁ ମନକୁ ବୁଝେଇପାରୁନଥାଏ ।  ସୀମାକୁ କହିଲି ଚାଲ କାଲି ବୁର୍ଲାରେ ଦେଖେଇବା । ଡ଼. ସଂଜୀବ ମିଶ୍ରଙ୍କ ସହ କଥାବାର୍ତା ପରେ ତାଙ୍କ ସହାୟତାରେ ନ୍ୟୁରୋ ସର୍ଜନ ପାଟ୍ଟଯୋଶୀଙ୍କୁ ଦେଖେଇଲୁ । ହାସନ୍ ଦାଙ୍କୁ ଦୁଇ ତିନିଟା କଥା ପଚାରିବା ପରେ କହିଲେ ଆପଣ ବାହାରକୁ ଯାଆନ୍ତୁ । ହାସନ୍ ଦା ବାହାରିଗଲେ । ତାପରେ ପାଟ୍ଟଯୋଶୀ ଯାହା କହିଲେ ଆମ ପାଦ ତଳୁ ମାଟି ଧସିଗଲା । ହାସନ୍ ଦାଙ୍କ ଝିଅ ସୀମା, ପୁଅ ଫିରୋଜ ଥିଲେ ମୋ ସହ । ସଭିଙ୍କ ଆଖି ଛଳଛଳ ହେଇଗଲା । ପାଟ୍ଟଯୋଶୀ କହିଲେ ଏଇଟା ବେଡ଼ ଟ୍ୟୁମର୍ । ବେଶି ହେଲେ ୫/ ୬ ମାସ ସମୟ ଅଛି । ଅପରେସନ୍ ସଫଳ ହେବ ନାହିଁ । ଯଦି ଅପରେସନ୍ ହୁଏ ତେବେବି ବେଶି ହେଲେ ୧୦-୧୨ ମାସ । ଏ କଟୁ ସତ୍ୟକୁ କେହି ହଜମ କରିବାର ଅବସ୍ଥାରେ ନଥିଲେ । ଘରକୁ ଫେରିଲା ପରେ ଘରେ ଏଇମିତି ଏକ ମାହୋଲ ହେଲା ଯା’ର ମୂଳ ଭାବନାଟି ଥିଲା- ଡ଼ାକ୍ତର କିଏ? ଅଲ୍ଲା ବୁଝିବେ । ଯେତେବେଳେ ଆମ ହାତରୁ ସବୁକିଛି ଖସିଯାଏ ଆମେ ଇଶ୍ୱର ବା ଆଲ୍ଲା ଆଡ଼କୁ ଦେଖୁ । ଦୁର୍ଭାଗ୍ୟର କଥାଯେ ପାଟ୍ଟଯୋଶୀଙ୍କ କହିଥିବା ୫/୬ ମାସ ଆମକୁ ମିଳିଲା ନାହିଁ । ସେ ଗତ ଅଗଷ୍ଟ ୫ରେ ଚାଲିଗଲେ । ମୃତ୍ୟୁର ନିଜର ଏକ ସମୟ ଥାଏ , ସେ କେବେ ଆପଣଙ୍କ ପାଖରୁ ଆପଣଙ୍କର ନିକଟତମ ଲୋକଙ୍କୁ ନେଇଯିବ ଆଗରୁ ଜାଣିପାରିବେ ନାହିଁ । ବଂଗଳା ପତା ପାନ ଖାଇ ସଦା ବେଳେ ମୁରକି ମୁରୁକି ହସୁଥିବା ଓ ଅତି ମିଠା ଚା ପିଉଥିବା କୁମାର ହାସନ୍‌ଙ୍କୁ ନେଇ ମାଳମାଳ କଥା କୁହା ଲେଖାଯାଇପାରେ । ମାତ୍ର ଆଜି ମୁଁ କେବଳ ଦୁଇଟି କଥା କହିବି । ଗୋଟିଏ ହେଲା ‘ମନୀଷା ଇଂଟରନେସନାଲ୍‌’ ଓ ଅନ୍ୟଟି ହେଲା ତାଙ୍କ ପ୍ରଥମ କବିତା ସଙ୍କଳନ- ‘ଠିଆ ଲଂଗଲା’ । 


ହାସନ୍ ଦା ଏକ ପତ୍ରିକା ସମ୍ପାଦନା ସହ ତାର ପ୍ରକାଶନ କରୁଥିଲେ । ତାର ନାଁ ଥିଲା ‘ମନୀଷା ଇଂଟରନେସ୍‌ନାଲ’ ।  ଅନେକେ ସେତେବେଳେ ଏ ନାଁ କୁ ନେଇ ପ୍ରଶ୍ନ କରୁଥିଲେ, ଆଉ କିଛି ବେଶ୍ କୌତୁହଳୀ ଥିଲେ । ଅନେକ ସାହିତ୍ୟିକ ଏ ପତ୍ରିକାର ନାଁର ମାୟାରେ ପଡ଼ି ତାର ଅଫିସ ଖୋଜଖୋଜି ହାସନ୍ ଦାଙ୍କ ସେ ଛୋଟିଆ ମାଟି ଘରକୁ ପହଁଚି ଆଶ୍ଚର୍ଯ୍ୟ ହେଇଯାଉଥିଲେ । ହାସନ୍ ଦା ବହୁବର୍ଷ ଭୁତାପଡ଼ା ଛକ ପାଖରେ ଏକ ଛୋଟ ମାଟିର ଖପୁରୁଲି ଘରେ ରହୁଥିଲେ । ଘରେ ପଶୁପଶୁ ଜଣେ ତାଙ୍କ ପଢାଲେଖା ଟେବୁଲକୁ ଭେଟିବ । ଭିତରକୁ ଆଉ ଏକ ବଖରା ଓ ଛୋଟ ରନ୍ଧାଘର । ନୁୃଆଁଣିଆ ଖପର ଛାତ । ଅନ୍ଧାରୁଆ ବଖରା ସବୁ । ବିଜୁଳୀ  କି ଲଂଠନ ନ ଥିଲେ ଲେଖିପଢି ହେବ ନାହିଁ । ଏତେ ଛୋଟ ଘରେବି କବି ବଡ଼ ବ୍ୟବସ୍ଥିତ ତାଙ୍କ କଲମ ଓ ବହିପତ୍ରକୁ ନେଇ । ସେ ଥିଲା କବିର ଘର ଓ ମନୀଷା ଇଂଟରନେସ୍‌ନାଲର ଅଫିସ । ଏଇଥିରୁ ଜାଣିହେବଯେ ଲିଖନର କାମ ଯାହା ଏକ ପ୍ରତିଭାଶାଳୀ ମଣିଷକୁ  ଯାବତୀୟ ପ୍ରତିକୂଳତା ଭିତରେବି ଜିଏଇଁ ରଖେ ଓ ଅନ୍ୟମାନଙ୍କୁ ଜିଇଁବା ଲାଗି ପ୍ରେରିତ କରିପାରେ ନିଜର କଳା ଓ ସୃଷ୍ଟିରେ । ଏ କଥାର ଯଥାର୍ଥତା  ହାସନ୍ ଦାଙ୍କ ବ୍ୟକ୍ତି ଓ ସାହିତ୍ୟିକ ଜୀବନକୁ ଦେଖିଲେ ବେଶି ବୁଝିହୁଏ । ‘ମନୀଷା’ ଥିଲା ସେ ସମୟର ଏକ ନିଆରା ପତ୍ରିକା ଯିଏ ଏକା ସାଂଗରେ ଆଫ୍ରିକାର ଇୟୋଥୋପିଆ ଓ କଳାହାଣ୍ଡିର ଭୋକକୁ, ଓଡ଼ିଶାର ଦୁର୍ଭିକ୍ଷକୁ ନିଜର ହୃଦୟ ଜାଚି ଦେଉଥିଲା । ତା’ର ଆଖି ଓ କଲମ  ଖେଦିଯାଉଥିଲା ପାଲେଷ୍ଟାଇନ୍‌, ସିରିଆ, ଲେବାନନ୍ ଓ ଭିଏତ୍‌ନାମ ।  ଯେଉଁଠି ଯୁଦ୍ଧର ବିଭିଷିକା, ସାମ୍ରାଜ୍ୟବାଦର ବନ୍ଧୁକ ଓ ବୋମା, ଦଂଗାର ଦାଗ, ଯେଉଁଠି ଭୋକ, ଦାରିଦ୍ର‌୍ୟ ଓ ଭୋକବିରୋଧୀ ସଂଘର୍ଷ. ଯେଉଁଠି ମାଟି ହେଉକି ମହିଳା ଉପରେ ହିଂସା, ସେ ସବୁଠି ଆମେ ଦେଖିବା ହାସନ୍ ଦା ତାର କଲମକୁ ବଲମ କରି ଠିଆ ହେଇଥିବ । ସେ ଆମେରିକୀୟ ସାମ୍ରାଜ୍ୟବାଦ ହେଉକି ଆମ ଦେଶ ବା ଦକ୍ଷିଣ ଏସିଆର ଯେଉଁଠି ମୌଳବାଦୀ ଶକ୍ତିଙ୍କ ମାନବତା ବିରୋଧୀ ଗତିବିଧି, ସେଠି ହାସନ୍ ଦାର ‘ମନୀଷା’  ପିଡ଼ୀତ ମଣିଷକୁ ଭାଷା ଦେଉଥିଲା । 
ମନୀଷାର ଇସ୍ୟୁ ଗୁଡ଼ିକ ଜଣେ ଦେଖିଲେ ଜାଣିପାରିବଯେ ସେ ଓଡ଼ିଆରେ ଛପା ହେଉଥିବା ଏକ ଛୋଟ ପତ୍ରିକା କେବଳ ନଥଲା, ସେ ଥିଲା ଅସଲ ଅର୍ଥରେ ଆନ୍ତର୍ଜାତୀୟ ସ୍ତରର ସୁଖ ଦୁୂôଃଖ ଓ ସଂଘର୍ଷର ପ୍ରତିନିଧିତ୍ୱ କରୁଥିବା ଏକ ଆର୍ନ୍ତଜାତୀୟ ପତ୍ରିକା । ଏକା ସାଂଗରେ ସ୍ଥାନୀୟ ଓ ଗ୍ଳୋବାଲକୁ ଧାରଣ କରିବାର ଶକ୍ତି ଥିଲା ହାସନ୍ ଦାର, ମନୀଷାର । ସେ ଜାଣିଥିଲା ସ୍ଥାନୀୟ ସମସ୍ୟା ଓ ସଙ୍କଟ ସହ ଗ୍ଳୋବାଲ ସମସ୍ୟା ଓ ସଙ୍କଟର ଏକ ନିବିଡ଼ ସମ୍ପର୍କ ରହିଛି । ମନୀଷାର ଗୋଟିଏ ଇସ୍ୟୁ ଥିଲା ତସ୍‌ଲିମାଙ୍କୁ ନେଇ । ଓଡ଼ିଶାରେ ସେତେବେଳକୁ ତସ୍‌ଲିମା ପ୍ରକରଣର ଚର୍ଚ୍ଚା ଜୋର୍ ଧରିନଥାଏ । ତାଙ୍କର ଲେଖା ସବୁ ଓଡ଼ିଆରେ ଅନୁଦିତ ହେଇନଥାଏ । ସେଇ ଇସ୍ୟୁ ବେଳକୁ ସେ ମତେ ମନୀଷାର ସମ୍ପାଦନା ମଣ୍ଡଳୀରେ ଯାଗା ଦିଅନ୍ତି । କବି ନିରାକାର ଦାଶ ବି ସେତେବେଳେ ମନୀଷା ସହ ଯୋଡ଼ିହେଇଥାନ୍ତି । ପତ୍ରିକାର ପ୍ରୁଫ୍ ଦେଖିବା କାମଟି ମୋ ଭାଗରେ ପଡ଼ିଥାଏ ।  କିନ୍ତୁ ତା ବହୁ ପୂର୍ବରୁ  ‘ମନୀଷା’ର ବିକ୍ରି ଓ ବଂଟନ କାମରେ ମୁଁ ଲାଗିଥାଏ । ସେତେବେଳେ ମୁଁ ରହୁଥାଏ ଆମ ଗାଁ ଭାତପୁରାରେ । କବି ନିରାକାର ଦାଶ ଓ କୁମାର ହାସନ୍ ହଠାତ୍ ଦିନେ ଆସି ପହଁଚିଗଲେ ଗାଁରେ । ଭେଟଘାଟ ଓ କଥାବାର୍ତା ସାରି ସେମାନେ ଫେରିବା ବେଳେ ତାଙ୍କ ହାତରେ ଧ଼ରେଇଦେଲି ପତ୍ରିକା ବିକ୍ରିରୁ ମିଳିଥିବା ଅର୍ଥ । ସେମାନେ ବହୁତ ଖୁସି ହେଇଗଲେ । ସେମାନେ ଭାବିନଥିଲେ ଯେ ମୁଁ ଏତେ ପତ୍ରିକା ବିକିଦେଇପାରିବି । 


ଯିଏ ମନୀଷାରେ ସ୍ଥାନୀତ ପ୍ରସଂଗ ଗୁଡ଼ିକ ଦେଖିଛି, ହାସନ୍ ଦାର ସମ୍ପାଦନା ପଛର ବିଚାର ସଂସାରକୁ ବୁଝିଛି ସେ ଜାଣିବ ମନୀଷା ସହ ଇଂଟରନେସ୍‌ନାଲ ଶଦ୍ଦଟି କେତେ ଯଥାର୍ଥ ରୂପରେ ଯୋଡ଼ି ହେଇଥିଲା । ହଁ ତାର କୌଣସି ସ୍ୱତନ୍ତ୍ର ଅଫିସ ନଥିଲା । ପତ୍ରିକାର କାଗଜ, ପ୍ରଛଦ ସବୁକିଛି ସାଧାରଣ ଥିଲା । ଆଜିକାଲିର ଅଫସେଟ୍ ଆସିନଥିଲା । କିନ୍ତୁ ପ୍ରସଂଗ ଓ ଲେଖାର ଚୟନ, ଦେଶ ଓ ଦେଶ ବାହରର ବଛା ବଛା ଲେଖାର ଅନୁବାଦ ତାକୁ ଓଡ଼ିଆ ସାହିତ୍ୟ ପତ୍ରିକା ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲା ।


 ଏବେ ଆସିବା ଦ୍ୱିତୀୟ ପ୍ରସଂଗକୁ । ଏ ଏମିତି ଏକ ସମୟ ଯେତେବେଳକୁ ହାସନ୍ ଦା ଓଡ଼ିଆ କବିତା କ୍ଷେତ୍ରରେ ବେଶ୍ ପ୍ରତିଷ୍ଠିତ ହେଇସାରିଥିଲେ । ଅନେକ ପୁରସ୍କାର ପାଇସାରିଥିଲେ । ଅଥଚ ଗୋଟିଏ ବି ସଙ୍କଳନ ବାହାରି ନଥାଏ । ହାସନ୍ ଦା କିନ୍ତୁ  ନିଜ ଡ଼େଂଗାଡ଼େଂଗା ଅଥଚ ସୁନ୍ଦର ଅକ୍ଷରରେ ଲେଖି କବିତା ସବୁ ସାଇତି ରଖିଥାନ୍ତି । ଅନେକ କବିତା ଟାଇପ୍ ହେଇକି ଥାଏ । ଅନେକ ଥର ଅନେକ ପବ୍ଳିସିଂଗ୍ ହାଉସ ପାଣ୍ଡୁଲିପି ନେବା ସତ୍ୱେ ଛପା ହେଉନଥାଏ । ମୁଁ ସେସବୁ କବିତା ଏକାସାଂଗରେ ପଢିବାର ଲୋଭରେ କହିଲି ଦା ସବୁ ମତେ ଦିଅ । ଗୋଟିଏ ସଙ୍କଳନରେ କ’ଣ ଏତେ ବେଶି କବିତା ଯାଇପାରିବ? ଗୋଟିଏ ସଙ୍କଳନ ପାଇଁ ଏ ଭିତରୁ ମୁଁ କିଛି କବିତା ବାଛିଦେବି । ସେ ସାଂଗେସାଂଗେ ରାଜି ହେଇଗଲେ । ତା ପରଠୁ ମୁଁ ଲାଗିଗଲି କବିତା ପଢା ଓ ବଛାରେ । ଦେଖିଲି କବିର ବିସ୍ତାରିତ ସଂସାର । ଜରି ଗୋଟଉଥିବା ଝିଅ, ଜେଲ ଯାଇଥିବା ଲୋକର ସ୍ତ୍ରୀ, ଖବରକାଗଜ ବିକୁଥିବା ଶିଶୁ, ଭିକାରୁଣୀ ତରୁଣୀ, ପାଗଲା କୁକୁର, ଶୁଆ ହେଉକି ରୂପିୟା ଭୂୟାଁର ସଂସାର ଅବା କାମଠିପୁରା ସଭିଏଁ କବିଙ୍କ କବିତାରେ ନିଜକୁ ଆଉଥରେ ଜିଇଁଛନ୍ତି । ଛନ୍ଦା ଆଚାର୍ଯ୍ୟଠୁ ଆରମ୍ଭ କରି ସଫ୍‌ଦାର ହାସ୍‌ମୀ ଦେଇ ପଂଜାବୀ କବି ଗୁରୁମିତ ସିଂକ ସହ କଥା ହେଇପାରିବ ପାଠକ । ଇବ୍ ତାପଜ ବିଦ୍ୟୁତ କେନ୍ଦ୍ରରୁ ଆରମ୍ଭ କବିର କାବ୍ୟିକ ଯାତ୍ରା କଳାହାଣ୍ଡିର ଭୋକ, କାଶୀପୁରର ସଂଘର୍ଷ ଦେଇ ଦଂଗାର ଇତିହାସ ଧରିଥିବା ଭଦ୍ରକ ଓ ସେଠୁ ଯମୁନାବ୍ରିଜ୍ ତଳେ ଅନିଶ୍ଚିତ ଭାଗ୍ୟ ନେଇ ରହୁଥିବା ପିଲାଙ୍କୁ ଭେଟେଇ ଦେଇ ଆମକୁ କାରଗିଲ୍‌ର ପାହାଡ଼ ଉପରେ ପହଁଚେଇଦେଇପାରେ । କବି ଦେଖିପାରେ କଳା ଟନେଲ୍ ଭିତରେ ମହମବତୀ, କଚେରୀ କମ୍ପାଉଣ୍ଡରେ ସୂର୍ଯ୍ୟାସ୍ତ ଓ ଟେଲିଭିଜନ୍‌ରେ ଭୂମିକମ୍ପ । ଡ଼୍ରଇଁ ଖାତାର ଘରଠୁ କାଠଖଣ୍ଡା ଧରି ଲଢୁଥିବା ବୁଦ୍ଧିଜିବୀର ଉଜୁଡ଼ା ସହର ଦେଇ ଫେରେଇ ନେଇପାରେ ଏକ ଦେଶକୁ ଯାହା ସମୟକ୍ରମେ ଜଂଗଲ ହେବାରେ ଲାଗିଛି । 


 କବିଙ୍କ କବିତାରେ ଏତେ ବିସ୍ତାରିତ ସଂସାର ଭେଟିବା ପରେବ ମୁଁ ମୋର ଛୋଟ ମସ୍ତିଷ୍କ ଲଗେଇ  କବିତାଗୁଡ଼ିକର ଯାଗାଯାଗାରେ କାଟ ଛାଟ ପାଇଁ  ଆଉ ଏକ କାଗଜରେ ଲେଖି ରଖିଲି । ମୋ ମତରେ କବିତାକୁ ଆହୁରି ଧାରୁଆ କରିବା ଲାଗି କୋଉ ଧାଡ଼ି କାଟିଲେ ଭଲ ହେବ, କୋଉ କବିତାଟି ଶେଷ ଆଡ଼କୁ ଅଯଥା ଲମ୍ବିଯାଇଛି, କ’ଣ କଲେ ଛନ୍ଦଟି ବଂଚି ରହିବ ସବୁ କିଛି । ପ୍ରାୟ ଦୁଇମାସ ପରେ ମୁଁ ପାଣ୍ଡୁଲିପି ସହ ଦା ପାଖକୁ ଗଲି । ସବୁ ଗୋଟି ଗୋଟି କରି ଦେଖିଲେ । ହାସନ୍ ଦା ଖୁସ୍ ହେଇଗଲେଯେ ଜଣେ ଏତେ ପରିଶ୍ରମ କରି ତାଙ୍କ କବିତା ପଢିଛି । ମୁଁ ସେତେବେଳେ ତାଙ୍କ ମୁହଁର ହାବଭାବ ନିରେଖିଛି । ତାଙ୍କ ପ୍ରତିକ୍ରିୟା ଶୁଣିଛି । କବିତା ଜଗତରେ ଏଇ ଏଇ ପାଦ ଦେଇଥିବା ଏକ ପିଲା ତାଙ୍କ କବିତା ବାଛିବ, କାଟଛାଟ ଲାଗି  କହିବ ଆଉ ହାସନ୍ ଦା ପରି ବହୁପ୍ରତିଷ୍ଠିତ କବି ତା କଥାକୁ ଅତି ସହଜରେ ଗ୍ରହଣ କରିନେବେ । ତାଙ୍କ କବି ମନକୁ ଆଘାତ ଲାଗିବ ନାହିଁ । ଏ କଥା ଭାବିଲେ ମୁଁ ଆଜି ବି ହତ୍‌ବାକ ହେଇଯାଏ । ସେ ଦିନ ଦେଖିଥିଲି ତାଙ୍କ ଭିତରେ ଏକ ଅହଙ୍କାର ଶୂନ୍ୟ କବି ମଣିଷକୁ । ସେ ପାଣ୍ଡୁଲିପିଟି ପରେ ଆଶୁ ଦା ଓ ଲେନିନ୍ ଦା  ପାଖକୁ ଯାଇ ଶେଷରେ ପହଂଚିଲା ‘ପଶ୍ଚିମା’ର ଅଶୋକ ମହାନ୍ତି ପାଖରେ । ଛପା ହେଇ ବାହରିଲା ୨୦୦୪ରେ । ଭାବି ଦେଖନ୍ତୁ ୧୯୫୫ରେ ଜନ୍ମିତ ଓ ତରୁଣ କାଳରୁ ନିରନ୍ତର କବିତା ଲେଖୁଥିବା ଜଣେ କବିର କବିତା ସଙ୍କଳନ ଛପା ହେଲା ତାଙ୍କର ବୟସ ପଚାଶ ହେଲାପରେ । ସେ ସଙ୍କଳନର ନାଁ ହେଲା-‘ଠିଆ ଲଂଗଲା’ । ଠିଆ ଲଂଗଲା ଆମ ଭିତରର ଛଳ ମଣିଷକୁ ଓ ପୁରା ବ୍ୟବସ୍ଥାକୁ ଲଂଗଲା କରିଦେଉଥିବା ଏକ କବିତା ସଂଗ୍ରହ ।


 ସେଇ ସଙ୍କଳନର ମୁଖବନ୍ଧରେ ଲିଖିତ କ୍ଷୋଭରେ ଭରା କିଛି ଧାଡ଼ି ପଢନ୍ତୁ ଶେଷରେ-“ ପେଟପାଟଣାର ସୱାଲ ମୋତେ ସ୍ଥିରତା ଦେଇ ନାହିଁ । ମୁଁ ସ୍ଥିରତାର ବିରୋଧୀ ଓ ନିରନ୍ତର ଗତିଶୀଳତା ମୋର ଆଧେୟ । ଏବେ ସମସ୍ତଙ୍କୁ ଶୁଭେଛା ଜଣାଇ ମୁଁ ନିଜ ଘର( କବିତା)କୁ ଫେରୁଛି ।  ଏବେ ମୁଁ ମୋ କବିତା ଭିତରକୁ ଅବସର ନେଉଛି । ରାଜେନ୍ଦ୍ର ପଣ୍ଡାଙ୍କ ବର୍ଣ୍ଣମାଳାରେ, ଓଡ଼ିଶା ସାହିତ୍ୟ ଏକାଡ଼େମୀର ଗ୍ରନ୍ଥାୟନରେ , କାହାଣୀ ପ୍ରକାଶନ ଭିତରେ ମୋର ତିନିଟି କବିତା ସଙ୍କଳନର ଅସାମାୟିକ ଗର୍ଭପାତ ହେଲା । ପରେ ବିଂଶ ଶତାଦ୍ଦୀରେ କବିତା ଆରମ୍ଭ କରି ଏକବିଂଶ ଶତାଦ୍ଦୀଯାଏଁ ଓଡ଼ିଆର ଏ ଅନ୍ୟତମ ସଙ୍କଳନବିହୀନ କବିର ଏହି ପ୍ରଥମ ସଙ୍କଳନ ପାଇଁ ତା ଆଗ୍ରହ ଅପେକ୍ଷା ଅନୁଜ ସହଯାତ୍ରୀ ସରୋଜ, ଲେନିନ, ଅଶୋକ ମହାନ୍ତିମାନଙ୍କ ଆନ୍ତରିକତା ଅନେକ ବେଶି । ନହିଲେ କବିତା କହିଲେ ନାକ ଟେକୁଥିବା ପ୍ରକାଶକଙ୍କ ସେହିପରି ଅ ରୁ କ୍ଷ ଭିତରେ ନାମ ଥିବା ଏ ଦୀର୍ଘକାଳର ପ୍ରାୟ ସବୁ ପତ୍ରପତ୍ରିକାରେ ମୋ କବିତା ଯେତେ ଛାପିଛନ୍ତି ସେତେ ଅଗ୍ରାହ୍ୟ ବି କରିଛନ୍ତି । ସମସ୍ତଙ୍କୁ ମୋର ଆନ୍ତରିକତା ।”