ନିରୁଦ୍ଦିଷ୍ଟା ଆକାଂକ୍ଷା

ନିରୁଦ୍ଦିଷ୍ଟା ଆକାଂକ୍ଷା

କେହି ଯଦି ଆକାଂକ୍ଷାର ସନ୍ଧାନ ପାଆନ୍ତି ତେବେ ଦୟାକରି ଜଣାଇବେ । ଅବଶ୍ୟ ଏକଥା ସତ ଯେ ବହୁ ଦିନ ଧରି  ଆକାଂକ୍ଷାକୁ ଆମେ ଯେମିତି ଆଦର ଦୃଷ୍ଟିରେ ଦେଖିବା କଥା ସେମିତି ଦେଖି ନାହୁଁ । କିନ୍ତୁ ତା ଅର୍ଥ ନୁହେଁ ଯେ ସେ ଏମିତି ନିରୁଦ୍ଦିଷ୍ଟ ହୋଇ ସମ୍ପୂର୍ଣ୍ଣ ଭାବେ ଆମ ଆଖି ଆଗରୁ ହଜିଯିବ । ତେଣୁ ବନ୍ଧୁଗଣ, ଆପଣ ଯଦି କେଉଁଠି ବି ଆକାଂକ୍ଷାକୁ ଦେଖନ୍ତି ତେବେ ତାକୁ ଆମ ମଧ୍ୟକୁ ଫେରି ଆସିବାରେ ସାହାଯ୍ୟ କରନ୍ତୁ । ଆଗ ଅପେକ୍ଷା ଏବେ ତାହାର ଉପସ୍ଥିତି ଅଧିକ ଜରୁରୀ । 

ମୁଁ କେଉଁ ଝିଅ ଆକାଂକ୍ଷା ବିଷୟରେ କହୁନାହିଁ । ମୁଁ କହୁଛି ଆମ ଭିତରେ ରହିବାକୁ ଥିବା ଆକାଂକ୍ଷା ବା aspirationsର କଥା । ପ୍ରାୟ ଆମ ସମସ୍ତଙ୍କ ମଧ୍ୟରେ ଆକାଂକ୍ଷାର ସ୍ତର ବହୁ ନିମ୍ନରେ ରହିଛି । ଆଗ ଅପେକ୍ଷା ଆମେ ବହୁତ ଭଲରେ ଅଛୁ - ଏହି ଭାବନା ଆମ ଆକାଂକ୍ଷାକୁ ଛୋଟ କରି ଦେଉଛି । ନେତା ମାନେ ଡାଟା ସହିତ ଆମକୁ ବୁଝାଇ ଦେଉଛନ୍ତି ଯେ ଆମେ ଆଗ ଅପେକ୍ଷା ଭଲରେ ଅଛୁ।‌ କିନ୍ତୁ ସେହି ଡାଟା ଆମକୁ ଧୋକା ଦେଉନାହିଁ ତ ?  ଡାଟା ତୁରନ୍ତ ପ୍ରମାଣ କରି ଥୋଇଦେବ ଯେ ୨୫ ବର୍ଷ ପୂର୍ବେ ଯାହା ଆମ ପାଖରେ ନଥିଲା, ଏବେ ତାହା ଆମ ପାଖରେ ଅଛି । ସେଥିପାଇଁ ସରକାର ଓ ନୀତି ନିର୍ଦ୍ଧାରଣକାରୀ ମାନଙ୍କୁ ଧନ୍ୟବାଦ୍। କିନ୍ତୁ ଏହାର ଅର୍ଥ ହେଲା ୨୫ ବର୍ଷ ପୁର୍ବର ଆବଶ୍ୟକତାକୁ  ଆଜି ଆମେ ପୂରଣ କରିଛୁ । ସେଥିପାଇଁ ଆମକୁ ୨୫ ବର୍ଷ ଲାଗିଗଲା । ତାହେଲେ  ଆଜିର ଆବଶ୍ୟକତା ପୂରଣ ପାଇଁ କ'ଣ ଆମକୁ ପୁଣି ଆଉ ୨୫ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ? ସେତେବେଳେ ବି କଣ ଆମକୁ ଆମ ନିର୍ବାଚିତ ସରକାର କହୁଥିବ , ଦେଖ ୨୦ ବର୍ଷ ତଳେ କ'ଣ ଥିଲା ? ଆମ ସରକାର ଆସିବା ପରେ ଆଜି ସେସବୁ ପୂରଣ ହୋଇ ସାରିଛି। 

୨୫ ବର୍ଷ ପୂର୍ବେ ଓଡ଼ିଶାର ଯେତୋଟି ଘରକୁ ବିଦ୍ୟୁତ୍ ସଂଯୋଗ ଥିଲା ଏବେ ତାହାଠାରୁ ବହୁଗୁଣ ସଂଖ୍ୟକ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଦ୍ୟୁତିକରଣ  ଯୋଜନା ଏଥିରେ ସହାୟକ ହୋଇଛି । ସେଥିପାଇଁ ଉଭୟ ସରକାରଙ୍କୁ ଅଶେଷ ଧନ୍ୟବାଦ । କିନ୍ତୁ ପ୍ରଶ୍ନ ହେଉଛି ଆଜି କେତୋଟି ପରିବାରର ମହିଳାମାନେ ଓ୍ବାଶିଂ ମେସିନ୍ ବ୍ୟବହାର କରି ପାରୁଛନ୍ତି ? କ'ଣ ୨୦୨୩ ମସିହାରେ ଜଣେ ଗୃହିଣୀ ପାଇଁ ଓ୍ବାଶିଂମେସିନ୍ ଜରୁରୀ ନୁହେଁ ? ୨୫ ବର୍ଷ ପୂର୍ବେ ଓ୍ବାଶିଂମେସିନ୍ ନଥିଲା । ଆହୁରି ଅନେକ ବୈଦୁତିକ ଉପକରଣ ନଥିଲା ।   ଏବେ ଓ୍ବାଶିଂମେସିନ୍ ବ୍ୟବହାର କରିବାକୁ ହେଲେ ସେଥିପାଇଁ ଓ୍ବାଶିଂମେସିନ୍ କିଣିବାକୁ ପଡ଼ିବ ଏବଂ ପ୍ରତି ମାସରେ ଅତିରିକ୍ତ ବିଜୁଳି ବିଲ୍ ପଇଠ କରିବାକୁ ପଡ଼ିବ । ସେଥିପାଇଁ ଏବେ କେତୋଟି ପରିବାର ସକ୍ଷମ ହେଉଛନ୍ତି? ଏବେ ବିଭିନ୍ନ ସରକାରୀ ଯୋଜନାରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ଯେତିକି ସର୍ବନିମ୍ନ ମାଗଣା ବିଦ୍ୟୁତ୍ ଯୋଗାଇ ଦିଆଯାଉଛି ତାହା ସେତେବେଳେ ଲୋକଙ୍କ ଆକାଂକ୍ଷାର ସ୍ତର ଛୁଇଁବା ପାଇଁ ଯଥେଷ୍ଟ ଥିଲା । ବର୍ତମାନ ପାଇଁ ନୁହେଁ । ଅନ୍ୟ ପ୍ରକାରେ କହିବାକୁ ଗଲେ, ବିଜୁଳି ଦର ମହଙ୍ଗା ରଖିବା ଦ୍ବାରା ଲୋକଙ୍କୁ ସେମାନଙ୍କର ବର୍ତ୍ତମାନର ଆବଶ୍ୟକତା ଠାରୁ କମ୍ ବିଜୁଳି ବ୍ୟବହାର ପାଇଁ ବାଧ୍ୟ କରି   ସରକାର ଯଦି ଦାବି କରନ୍ତି ଯେ ଆମ ରାଜ୍ୟ ଲୋକଙ୍କ ବିଦ୍ୟୁତ୍  ଚାହିଦା ପୁରଣ କରି ସାରିଛି, ତେବେ ତାହା ଏକ ଗ୍ରହଣୀୟ ଦାବି ହେବ ନାହିଁ । 

ଗତବର୍ଷ ଜୁଲାଇ ମାସରେ ବିଦ୍ୟୁତ୍ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ବିଧାନସଭାରେ ରଖିଥିବା ଏକ ତଥ୍ୟ ମୁତାବକ ଓଡ଼ିଶାରେ ମୋଟ ବିଦ୍ୟୁତ୍ ବ୍ୟବହାରର ମାତ୍ର ୨.୭୨% କୃଷି କ୍ଷେତ୍ରରେ ଉପଯୋଗ ହୁଏ, ଯାହା ୨୦୦୬-୦୭ରେ ୧.୪୧% ଥିଲା। ଯଦିବା ଗତ ୧୭ ବର୍ଷରେ କୃଷି କ୍ଷେତ୍ରରେ ବିଦ୍ୟୁତ୍ ବ୍ୟବହାର ପ୍ରାୟ ୨ ଗୁଣ ହୋଇଛି କିନ୍ତୁ ଏହା ସର୍ବଭାରତୀୟ ଶତକଡା ୨୦.୫% ଠାରୁ ଅନେକ କମ୍ । ୨୦୦୬-୦୭ ପରେ ଅନେକ କୃଷି ଯନ୍ତ୍ରପାତି ଓ ଟେକ୍ନୋଲୋଜି ଉଦ୍ଭାବନ ହୋଇସାରିଛି । ୨୦୦୬-୦୭ ବର୍ଷରେ ଉପଲବ୍ଧ ଯନ୍ତ୍ରପାତି ଓ କୃଷି ଟେକ୍ନୋଲୋଜି ମଧ୍ୟରୁ ଓଡ଼ିଆ ଚାଷୀ ଯେତିକି ଉପଯୋଗ କରି‌ ପାରୁଥିଲେ ଏବେ ଉପଲବ୍ଧ ଯନ୍ତ୍ରପାତି ଓ ଟେକ୍ନୋଲୋଜି ମଧ୍ୟରୁ ଯଦି ତାହା ଠାରୁ ଅଧିକ ପ୍ରତିଶତ ଉପଯୋଗ ‌କରି ପାରୁଛନ୍ତି ତେବେ ଯାଇ ଆମେ କହି ପାରିବା ଯେ ଆମେ ଉଭୟ  କୃଷି ଓ ବିଦ୍ୟୁତ୍ ଯୋଗାଣ ସେବାରେ  ଆଗେଇଛୁ । ନଚେତ୍ ଆମେ କହିବାକୁ ବାଧ୍ୟ ହେବା ଉଚିତ୍ ଯେ କୃଷକମାନଙ୍କ ଆକାଂକ୍ଷା ପୂରଣ କରିବାରେ ଆମ ରାଜ୍ୟ ଅସମର୍ଥ ହୋଇଛି । ରାଜ୍ୟ ଆଗ ଅପେକ୍ଷା ଅଧିକ ବିଦ୍ୟୁତ୍ ଉତ୍ପାଦନ କରୁଛି କିମ୍ବା ଅଧିକ ଘରକୁ ବିଦ୍ୟୁତ୍ ସଂଯୋଗ କରି ପାରିଛି ବୋଲି ଦାବି କରିବା ଯଥେଷ୍ଟ ନୁହେଁ । ପୁଣି ୨୦୨୩ ମସିହାରେ ତ ଆଦୌ ନୁହେଁ । 

ଦେଖନ୍ତୁ, ଗୋଟିଏ ଦୌଡ ପ୍ରତିଯୋଗୀତାରେ ଭାଗ ନେଇଥିବା ଖେଳାଳି ନିଶ୍ଚୟ ଦୌଡିବ । ସେ ଦୌଡିବା ସମୟରେ ନିଶ୍ଚୟ ଆରମ୍ଭ କରିଥିବା ବିନ୍ଦୁ ଠାରୁ ଅଧିକରୁ ଅଧିକ ଦୁରକୁ ଆଗେଇଯିବ । କିନ୍ତୁ ଏହା ଏତେ ଗୁରୁତ୍ବପୂର୍ଣ୍ଣ ନୁହେଁ ।  ସେ ଆଗ ଅପେକ୍ଷା ଅଧିକ ବେଗରେ ଦୌଡିବା ମଧ୍ୟ ଗୁରୁତ୍ତ୍ୱପୂର୍ଣ୍ଣ ନୁହେଁ । ଗୁରୁତ୍ଵପୂର୍ଣ୍ଣ ହେଉଛି, ସେ ତାଠାରୁ ଆଗରେ ଦୌଡ଼ୁଥିବା ଖେଳାଳିଙ୍କର କେତେ ନିକଟବର୍ତ୍ତୀ ହେଉଛି । ଗତ ଅଗଷ୍ଟ ୨ ତାରିଖରେ 'ସମତା'ରେ ପ୍ରକାଶିତ 'ଏତେ ଖୁସିକୁ ରିମୋଟ୍ ହଜିଛି' ଶୀର୍ଷକ ଏକ ସ୍ତମ୍ଭରେ ଏହି ଲେଖକ ଲେଖିଥିଲା ଯେ ଆମ ଦେଶ  ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନିତୀ ହୋଇସାରିଛି ସତ,କିନ୍ତୁ ଅର୍ଥନିତୀର ଦୌଡରେ ଆମ ଆଗରେ ଦୌଡ଼ୁଥିବା ଚାଇନା ଓ ଆମ ମଧ୍ୟରେ ଦୁରତା ୨୦୧୯-୨୦ରେ ୧୧.୫ ଟ୍ରିଲିଅନ ଡଲାର ଥିବା ବେଳେ ୨୦୨୨-୨୩ ବେଳକୁ ତାହା ବଢ଼ି  ୧୪.୭୧ ଟ୍ରିଲିଅନ ଡଲାର ହୋଇଗଲା। ଅତଏବ ଆମ ଆକାଂକ୍ଷିତ ସ୍ତରକୁ ଛୁଇଁବାରେ ଆମେ ପଛେଇ ପଛେଇ ଯାଉଛୁ । ଆଉ ଦିନେ ଏ ଲେଖକ  ଏକ ଟିଭି ଆଲୋଚନାରେ ଜଣେ ନିରପେକ୍ଷ ଓ ଅଣରାଜନୈତିକ ବିଶେଷଜ୍ଞଙ୍କ ମୁହଁରେ ସେତେବେଳେ ଖୁସି ଦେଖି ସ୍ତବ୍ଧ ହୋଇଗଲା ଯେତେବେଳେ ସେ କହୁଥିଲେ ଭାରତ ଏବେ ଫାଇଭ୍ ଟ୍ରିଲିଅନ୍ ଡଲାର ଇକୋନୋମି ହୋଇଗଲା । ଅର୍ଥାତ୍ ସାଧାରଣ ଲୋକଙ୍କ କଥା ଛାଡ଼ନ୍ତୁ, ବୁଦ୍ଧିଜୀବିଙ୍କ ମଧ୍ୟରେ ବି ଆକାଂକ୍ଷା ନିରୁଦ୍ଦିଷ୍ଟ ରହିଛି  । 

ଗତ ଜୁଲାଇ ୨୩ ତାରିଖରେ ଦିଲ୍ଲୀରେ ବିଦ୍ୟୁତ୍ ଚାହିଦା ୭୩୯୮ ମେଗାୱାଟକୁ ଛୁଇଁଥିଲା । ଦିଲ୍ଲୀରେ ଯେ କେବଳ ଧନୀ ଲୋକ ରୁହନ୍ତି ତାହା ନୁହେଁ। ଦିଲ୍ଲୀର ପ୍ରାୟ ଅଢେ଼ଇ କୋଟି ଜନସଂଖ୍ୟା ମଧ୍ୟରୁ ଅର୍ଦ୍ଧେକ ବସ୍ତି ଅଞ୍ଚଳରେ ରୁହନ୍ତି ଓ ସେମାନଙ୍କ ମଧ୍ୟରୁ ଅନେକ ବିଭିନ୍ନ ପ୍ରଦେଶରୁ କାମ ସନ୍ଧାନରେ ଆସିଥାନ୍ତି । ଓଡ଼ିଶାର ଜନସଂଖ୍ୟା ପ୍ରାୟ ସାଢେ଼ ୪ କୋଟି । ଅଥଚ ଓଡ଼ିଶାର ସର୍ବାଧିକ ବିଦ୍ୟୁତ୍ ଚାହିଦା ଗତ ମଇ ମାସରେ ୬୮୦୫ ମେଗାୱାଟ ଥିଲା । ଅର୍ଥାତ୍ ଦିଲ୍ଲୀର ଜନସାଧାରଣ ଓଡ଼ିଶା ଅପେକ୍ଷା ବହୁତ ଅଧିକ ବିଦ୍ୟୁତ୍ ବ୍ୟବହାର କରିବାରେ ସମର୍ଥ ହେଉଛନ୍ତି । ଏହା ଦ୍ବାରା ଏହି ଲେଖକ ଦିଲ୍ଲୀ ସହିତ ଓଡ଼ିଶାକୁ ତୁଳନା କରିବାକୁ ଚାହୁଁନାହିଁ । କିନ୍ତୁ ଏକଥା ମାନିବାକୁ ପଡିବ ଯେ ଓଡ଼ିଶା ତାହାର ବିଦ୍ୟୁତ୍ ଆବଶ୍ୟକତା ପୁରଣ କରି ପାରିବାରେ ସମର୍ଥ ହୋଇପାରିଛି ବୋଲି ଯଦି କେହି ଖୁସି ହେଉଥାଏ ତେବେ ତାହାର ଆକାଂକ୍ଷାର ସ୍ତର ନିମ୍ନ ରହିଛି । ଆମେ ୨୦୦୦ ମସିହାରୁ ଏପର୍ଯ୍ୟନ୍ତ ବିଦ୍ୟୁତ୍ କ୍ଷେତ୍ରରେ କେତେ ଅଗ୍ରଗତି କରିଛୁ ତାହା ଚିନ୍ତା ନକରି , ବର୍ତ୍ତମାନର ଆବଶ୍ୟକତା ପୁରଣ କରିବାରେ ଆମେ କେତେ ସଫଳ ହୋଇଛୁ ଓ ଉତ୍କର୍ଷତା ଠାରୁ ଆମେ କେତେ ପଛରେ ଅଛୁ ତାହା ଚିନ୍ତା କରିବା ଆବଶ୍ୟକ । କାରଣ ପ୍ରତ୍ୟେକ ସମୟର ଏକ ପରିବର୍ତ୍ତିତ ଆକାଂକ୍ଷା ଥାଏ । 

ଆମେ ପ୍ରକୃତରେ କେତେ ବିକାଶ କରିଛୁ ତାହା ସଠିକ୍ ଭାବେ ଜାଣିବାକୁ ହେଲେ ସେଥିପାଇଁ ଭିନ୍ନ ସମୟର ଭିନ୍ନ ଆକାଂକ୍ଷା  ଜାଣିବା କାହିଁକି ଜରୁରୀ ତାହା ଦେଖାଇବାକୁ ଆଉ ଗୋଟିଏ ଉଦାହରଣ ବିଚାରକୁ ନିଅନ୍ତୁ । ୨୦୧୧ ମସିହାରେ ବିଶ୍ବବ୍ୟାଙ୍କ ଆକଳନ ଅନୁସାରେ ଯେଉଁ ବ୍ୟକ୍ତି ଦିନକୁ ୧.୯୦ ଡଲାର ଖର୍ଚ୍ଚ କରି ପାରୁ ନଥିଲା ସେ ଗରିବ ଥିଲା । ଏହି ହିସାବରେ ସେତେବେଳେ ଭାରତରେ ୨୨% ଲୋକ ଗରିବ ଥିଲେ । କିନ୍ତୁ ୨୦୧୭ରେ ଆମ ଚଳଣିର ଜଟିଳତା ବଢିବା ପରେ ଓ ଆମପାଇଁ ଜରୁରୀ  ଆବଶ୍ୟକତାର ତାଲିକା ଲମ୍ବା ହେବା ପରେ,  ଏହାକୁ ଦୈନିକ ୧.୯୦ ଡଲାରରୁ  ବଢ଼ାଇ ଦୈନିକ ୩.୨୦ ଡଲାର କରାଗଲା । ଏହି ନୂଆ ମାନଦଣ୍ଡରେ ହିସାବ କରି ଦେଖାଗଲା ଭାରତରେ ୬୦% ଗରିବ  ଅଛନ୍ତି । ତେଣୁ ୬୦% ଓ ୨୨% ମଧ୍ୟରେ ଥିବା ପାଖାପାଖି ୩୮% ଜନସଂଖ୍ୟା ସେହି ୬ ବର୍ଷରେ ଦାରିଦ୍ର୍ୟ ସୀମାରେଖାର ଉପରେ ହେଉ କିମ୍ବା ତଳେ ହେଉ, କିନ୍ତୁ ତାହାର ପାଖାପାଖି ଥିଲେ । ଯେଉଁମାନେ ବି ଉପରେ ଥିଲେ, ସେମାନଙ୍କ ପରିବାରର ଜଣେ କେହି ହସପିଟାଲରେ ଶଯ୍ୟାଶାୟୀ ହେଲେ କିମ୍ବା ଜଣେ କେହି ଚାକିରୀ ହରାଇଲେ କିମ୍ବା କୈାଣସି ବର୍ଷ ଫସଲହାନୀ ହେଲେ ସେମାନେ ତୁରନ୍ତ ପୁଣିଥରେ ଦାରିଦ୍ର୍ୟ ସୀମାରେଖା ତଳକୁ ଚାଲି ଯାଇଥିବେ । ତେଣୁ ଆମକୁ ଏଠାରେ ଦୁଇଟି କଥା ଉପରେ ଧ୍ୟାନ ଦେବାକୁ ହେବ । ପ୍ରଥମଟି ହେଲା , ସମୟ ଅତିବାହିତ ହେବା ସହିତ ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁସାରେ ବିଶ୍ବବ୍ୟାଙ୍କ ଦାରିଦ୍ର୍ୟର ମାନଦଣ୍ଡରେ ପରିବର୍ତ୍ତନ ଆଣିଛି । ଦ୍ବିତୀୟ କଥା ହେଲା, ସବୁବେଳେ ସର୍ବନିମ୍ନ ଆବଶ୍ୟକତା ପୂରଣରେ ଖୁସି ହେଲେ ସେଥିରେ ରିସ୍କ ରହିଛି । 

ଏଥର ଆଉ ଗୋଟିଏ ଉଦାହରଣ ଦେଖନ୍ତୁ । ନବେ ଦଶକର ମଧ୍ୟଭାଗରୁ ବର୍ତ୍ତମାନ ସମୟ ମଧ୍ୟରେ ଓଡ଼ିଶାରେ ଡାକ୍ତରଖାନା ସଂଖ୍ୟା ନିଃସନ୍ଦେହରେ ବଢ଼ିଛି । ସେଥିପାଇଁ ଆମେ ସରକାରଙ୍କୁ ଶ୍ରେୟ ଦେବା ଦରକାର । କିନ୍ତୁ ଏହି ଦୁଇଟି ବର୍ଷର ସ୍ବାସ୍ଥ୍ୟ ସୁବିଧା ମଧ୍ୟରେ ଏମିତି ସିଧା ତୁଳନା କରିବା ବେଳେ ଆମକୁ ଅଧିକ ଯତ୍ନବାନ ହେବାକୁ ପଡିବ । ପରିବେଶ ଓ ଖାଦ୍ୟ ଅଭ୍ୟାସରେ ପରିବର୍ତ୍ତନ, ଡାକ୍ତରୀ ବିଜ୍ଞାନରେ ଅଗ୍ରଗତି ଓ ଅନ୍ୟାନ୍ୟ କାରଣରୁ ସେତେବେଳ ଅପେକ୍ଷା ବର୍ତ୍ତମାନ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରତି ଅଧିକ ଚାଲେଞ୍ଜ ସୃଷ୍ଟି ହୋଇଛି । ସେତେବେଳେ ଜଣେ ଡାକ୍ତର ରୋଗୀ ଦେଖିବା ପରେ ଏତେ ଗୁଡ଼ିଏ ଟେଷ୍ଟ୍ ପାଇଁ ଲେଖୁ ନଥିଲା । ରୋଗୀକୁ ଦେଖି ଔଷଧ ଲେଖୁଥିଲା । ତେଣୁ ସେତେବେଳେ ରୋଗୀକୁ ଏତେ ଟଙ୍କା ଖର୍ଚ୍ଚ କରିବାକୁ ପଡୁ ନଥିଲା । ବର୍ତମାନ ପ୍ରାୟ ପ୍ରତ୍ୟେକ ଡାକ୍ତରୀ ପରାମର୍ଶ ପରେ ରୋଗୀକୁ ମହଙ୍ଗା ପରୀକ୍ଷା ପାଇଁ ଖର୍ଚ୍ଚ କରିବାକୁ ପଡୁଛି। ଯଦିଓ ସେତେବେଳେ ବି ଓଡ଼ିଶାରେ ସ୍ବାସ୍ଥ୍ୟସୁବିଧା ଦୟନୀୟ ଥିଲା, କିନ୍ତୁ ଲକ୍ଷ କରିବାର କଥା ହେଉଛି, ସେତେବେଳର ଚାଲେଞ୍ଜକୁ ମୁକାବିଲା କରିବା ପାଇଁ ତାହା ଯେତିକି ସକ୍ଷମ ହେଉଥିଲା, ବର୍ତ୍ତମାନର ଚାଲେଞ୍ଜକୁ ମୁକାବିଲା ପାଇଁ ବର୍ତ୍ତମାନର ସ୍ବାସ୍ଥ୍ୟ ସୁବିଧା ସେତିକି ସକ୍ଷମ ହେଉଛି କି ? ଯଦି କେହି ଏପରି ତୁଳନାର ଆବଶ୍ୟକତା ଅନୁଭବ କରୁ ନାହିଁ ଏବଂ ଏକ ସିଧା ଓ ସରଳ ନିଷ୍କର୍ଷରେ ପହଞ୍ଚୁଛି ଯେ ନବେ ଦଶକ ଅପେକ୍ଷା ଏବେ ଆମେ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ଅଗ୍ରଗତି କରିଛୁ , ତେବେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଉ, ତାଙ୍କ ହିସାବରେ ନବେ ଦଶକର ସରକାରୀ ସ୍ବାସ୍ଥ୍ୟସେବା ସୁବିଧା ସତୁରୀ ଦଶକର ସୁବିଧା ଠାରୁ ଭଲ ନଥିଲା କି ? 

ମହତ୍ତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ପରିବର୍ତ୍ତିତ ପରିସ୍ଥିତିରେ ଆମେ ଉତ୍କର୍ଷ ଠାରୁ କେତେ ଦୁରରେ ଅଛୁ ? ତା ନହେଲେ ଆମଠାରେ  ଆକାଂକ୍ଷାର‌ ଅଭାବ ଅଛି ଓ ଆମେ ସର୍ବନିମ୍ନ‌କୁ ହାସଲ କରିବାରେ କେତେ ସଫଳ ହୋଇଛୁ ତାକୁ ହିଁ ମାପିବାରେ  ବ୍ୟସ୍ତ ରହିଛୁ ।‌ ସଦ୍ୟ ପ୍ରକାଶିତ ବହୁବିଧ ଦାରିଦ୍ର୍ୟ ସୁଚକାଂକରେ ( Multidimensional Poverty Index)  ଜଣାପଡିଛି ଯେ ୨୦୧୫-୧୬ରୁ ୨୦୧୯-୨୧ ମଧ୍ୟରେ ଭାରତରେ ଗରିବଙ୍କ ସଂଖ୍ୟା ୨୪.୮୫%ରୁ ହ୍ରାସ ପାଇଁ ୧୪.୯୬%ରେ ପହଞ୍ଚିଛି ଓ ଭାରତର ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏଥିରେ ଅନେକ ସଫଳତା ପାଇଛନ୍ତି। ଏହା ସ୍ବାଗତଯୋଗ୍ୟ ଅଟେ । କିନ୍ତୁ ଏହା ହିସାବ କରିବାରେ କେବଳ ସର୍ବନିମ୍ନ ଆବଶ୍ୟକତାଗୁଡିକୁ ମପା ଯାଇଛି । ଉଦାହରଣ ସ୍ୱରୂପ, ଏଥିରେ ଧରି ନିଆ ଯାଉଛି ଯେ ଜଣେ ଯଦି ନବମ ଶ୍ରେଣୀ ପାଶ୍ କରିଗଲା ତାକୁ ଶିକ୍ଷିତରେ ଗଣାଯିବ ଏହା ଦ୍ବାରା ଗଣନାରେ ସ୍କୋର୍ ବଢିଯିବ । ଆପଣ ଜାଣିଥିବେ ଦେଶରେ ସରକାରୀ ସ୍କୁଲଗୁଡ଼ିକର ଅବସ୍ଥା କଣ ? ଏପରି ସ୍କୁଲରେ ଜଣେ ନବମ ପର୍ଯ୍ୟନ୍ତ ପଢିଲେ ତାହା ବର୍ତମାନର ସମୟର  ଆବଶ୍ୟକତା ପୂରଣ କରି ପାରିବ କି ? ସରକାରୀ ସ୍କୁଲରେ ପଢି କେତେଜଣ ଡାକ୍ତର, ଇଞ୍ଜିନିୟର କିମ୍ବା ଅନ୍ୟ କେଉଁ ପ୍ରୋଫେସନାଲ ହେଲେ ତାହା ଆମେ ମାପୁ ନାହୁଁ ।  ପୁଣି ଏହି ସର୍ଭେରେ ଧରି ନିଆଯାଇଛି ଯେ ୨୦୧୫ରେ ନବମ ପାଶ କରିବା ଯେତିକି ଗୁରୁତ୍ତ୍ୱପୂର୍ଣ୍ଣ ଥିଲା ୨୦୨୧ରେ ମଧ୍ୟ ନବମ ପାଶ କରିବା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ଥିଲା।  ସେହିପରି ପ୍ରଥମ ନାମକ ସଂସ୍ଥା ଦ୍ୱାରା ପ୍ରକାଶିତ ଅସର ରିପୋର୍ଟରେ ଜଣେ ଛାତ୍ର ମଧ୍ୟରେ ଥିବା ସର୍ବନିମ୍ନ ଜ୍ଞାନକୁ ମପାଯାଏ । କହିବାର ବିଷୟ ହେଉଛି, ଏସବୁ ସର୍ଭେରେ କୈାଣସି ସ୍କୁଲ୍, ଜିଲ୍ଲା କିମ୍ବା ରାଜ୍ୟ ଶତ ପ୍ରତିଶତ ସଫଳତା ପାଇଲେ ମଧ୍ୟ ତାହା ସମୟର ଆବଶ୍ୟକତା ଠାରୁ ବହୁତ ପଛରେ ଏବଂ ଉତ୍କର୍ଷତାର ସ୍ତର ଠାରୁ ବହୁ ନିମ୍ନରେ । ଏହି ଉତ୍କର୍ଷତାକୁ ଛୁଇଁବାକୁ ଆମେ ସରକାରଗୁଡିକ ଉପରେ ଚାପ ପକାଇବାରେ ବିଫଳ ହେଉଛୁ ।  ଦୌଡ ପ୍ରତିଯୋଗୀତାରେ ଆମେ ନିଜ ପସନ୍ଦର ଖେଳାଳିକୁ ପ୍ରଥମ ହେବା ପାଇଁ ଉତ୍ସାହିତ କରି ତାଳି ମାରିଥାଉ, କେବଳ ଆଗ ଅପେକ୍ଷା ଅଧିକ ବେଗରେ ଦୌଡି ଏକାଦଶ ସ୍ଥାନ ପାଇବା ପାଇଁ ନୁହେଁ । ତଥାପି ସରକାରଙ୍କୁ ଆମେ ଅତୀତର ସର୍ବନିମ୍ନ ପରିମାପ ଆଧାରରେ ସଫଳତା ହାସଲ କରିବାରେ ଅଭିନନ୍ଦନ ଜଣାଇଥାଉ । କାରଣ ଆମ ମଧ୍ୟରେ ଆକାଂକ୍ଷା ଏବେ ନିରୁଦ୍ଦିଷ୍ଟ ରହିଛି । ଯେତେବେଳେ ଦେଶରେ ଆବଶ୍ୟକ ସଂଖ୍ୟାରେ କୁଶଳୀ ଓ ଶିକ୍ଷିତ ଲୋକଙ୍କ ଅଭାବ ଯୋଗୁଁ ଉତ୍ପାଦନ ଶିଳ୍ପରେ (manufacturing sector) ଅଗ୍ରଗତି କରି ଆମେ ବିକଶିତ ଦେଶ ହେବା ପାଇଁ ସିଢି ଚଢି ପାରୁ ନାହୁଁ, ଯଦି ସେତେବେଳେ ଆମେ କେତେ ପିଲା ନବମ ପାଶ୍ ହେଲେ ତାହାରି ଉପରେ ଧ୍ୟାନ କେନ୍ଦ୍ରିତ କରି ଚାଲିଥିବା ତାହେଲେ ଆକାଂକ୍ଷା ନିରୁଦ୍ଦିଷ୍ଠ ରହିଛି ।  ଆମେ ସିକୁରିଟି ଗାର୍ଡ, ଖୁଚୁରା ଦୋକାନର କର୍ମଚାରୀ, ସୁଇଗି ଡେଲିଭରି ବୟ ଓ ପର୍ଯ୍ୟଟନ କ୍ଷେତ୍ରରେ  କମ୍ ଦରମା ଥିବା ଓ ଅସ୍ଥାୟୀ ରୋଜଗାର ସୃଷ୍ଟି କରୁଛୁ । କିନ୍ତୁ ମୂଲ୍ୟଯୁକ୍ତ ଉତ୍ପାଦନ ଶିଳ୍ପରେ ଅଧିକ ରୋଜଗାର ସୃଷ୍ଟି କରି ପାରୁନାହୁଁ। 

ଏପରି ଅନେକ ଉଦାହରଣ ଅଛି ଯାହା ଆପଣ ନିଜେ ଚାରିଆଡେ ଆଖି ପକାଇଲେ  ଦେଖି ପାରିବେ। ଲେଖାଟି ସାରିବା ପୂର୍ବରୁ ଆକାଂକ୍ଷା ଗୁପ୍ତା ନାମକ ଯେଉଁ  ଝିଅଟି ଅଛି ତା ବିଷୟରେ ଦୁଇ ପଦ ଲେଖୁଛି । ଦିଲ୍ଲୀର ଏ ଝିଅଟି ପିଲାଦିନରୁ ତା ବାପା ମା'ଙ୍କୁ ହରାଇ ଗରିବ ମାମୁଁ ଘରେ ରହୁଥିଲା । ଦିଲ୍ଲୀ ସରକାରୀ ସ୍କୁଲରେ ପାଠପଢି ସେ ନିଟ୍ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛି । ତା ଭଳି ଅନେକ ଅନୁସୁଚିତ ଜାତି, ଜନଜାତି, ପଛୁଆ ଓ ସାଧାରଣ ଗରିବ ପରିବାରର ପିଲାମାନେ ସରକାରୀ ଯୋଜନାର ଲାଭ ପାଇ କିପରି ମେଡିକାଲ, ଇଞ୍ଜିନିୟରଂ ଏବଂ ଅନ୍ୟାନ୍ୟ ଉଚ୍ଚ ପ୍ରୋଫେସନାଲ୍ ପାଠ ପାଇଁ ନାମ ଲେଖାଉଛନ୍ତି , ସେ ବିଷୟରେ ଆପଣ ଗତ ଜୁଲାଇ ୧୬ ତାରିଖରେ 'ସମତା'ରେ ପ୍ରକାଶିତ 'କେନ୍ଦ୍ର ସରକାରଙ୍କ ଶିକ୍ଷା ସର୍ଭେ : ଏକ ନିରର୍ଥକ ବ୍ୟାପାର' ଶୀର୍ଷକ ଲେଖାରେ ପଢି ପାରିବେ । 

ଆଉ ହଁ, ସମତା ଡିଜିଟାଲ ପତ୍ରିକା ମଧ୍ୟ ପରିବର୍ତ୍ତିତ ଉଚ୍ଚ ଆକାଂକ୍ଷା ସ୍ତରକୁ ଛୁଉଁଥିବା ଭଳି  ଅଲଗା ଧରଣର ଲେଖା ପ୍ରକାଶ କରିଥାଏ । ଆପଣମାନେ ଏହାର ପ୍ରତ୍ୟେକ ଲେଖାର ନିମ୍ନରେ ଥିବା ପ୍ରତିକ୍ରିୟା ଗୁଡିକ ମଧ୍ୟରୁ ଗୋଟିକୁ ବାଛି ଲେଖକ ଓ କବି ମାନଙ୍କୁ ଜଣାନ୍ତୁ ।