ଓଡିଶା ରାଜନୀତିରେ ପାଣ୍ଡିଆନ ଯୁଗ !!

ଓଡିଶା ରାଜନୀତିରେ ପାଣ୍ଡିଆନ ଯୁଗ !!

ଗତ କିଛିଦିନ ହେଲାଣି ଓଡିଶାର ରାଜନୀତିରେ କେବଳ ଗୋଟେ ନାଁ ଶୁଣିବାକୁ ମିଳୁଛି- ଭିକେ ପାଣ୍ଡିଆନ ସବୁ ବିରୋଧୀ ଦଳ ଏବଂ ଶାସକ ଦଳ ଭିତରେ ଥିବା ବିରୋଧୀ ଶକ୍ତିମାନେ ଏବେ ଭିକେ ପାଣ୍ଡିଆନଙ୍କୁ ତାଙ୍କ ରାଜନୀତିର ଉପଲକ୍ଷ୍ୟ ଭାବରେ ବ୍ୟବହାର କରୁଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ଏହି ପ୍ରସଙ୍ଗକୁ ପ୍ରଥମେ ଉଠାଇବା ପରେ ବିଜେପିର ସବୁ ତୁଙ୍ଗ ନେତା ଏହାକୁ ପ୍ରମୁଖ ପ୍ରସଙ୍ଗ ଭାବରେ କହିବା ଆରମ୍ଭ କଲେ ତେବେ ବିଜେପି ପାଣ୍ଡିଆନଙ୍କ ବିରୋଧରେ ସାମ୍ବାଦିକ ସମ୍ମିଳନୀରେ କହୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ଅଧୀନରେ ଥିବା ପର୍ସୋନେଲ ଏବଂ କାର୍ମିକ ବିଭାଗରେ ଏ ନେଇ ଅଭିଯୋଗ କରୁନାହାନ୍ତି । (ଇତି ମଧ୍ୟରେ ଏକ ଖବର ଆସିଛି ଯେ ଜନୈକ ଆଇଏଏସ ଅଧିକାରୀଙ୍କ ନାମରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ନିର୍ଦ୍ଦିଷ୍ଟ ଅଭିଯୋଗ କରିଥିବାରୁ ଏ ସମ୍ପର୍କରେ କେନ୍ଦ୍ର ସରକାର ଯଥାଯଥ ପଦକ୍ଷେପ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ) 

ପ୍ରଥମଥର ପାଇଁ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କ ବିରୋଧରେ ସଂପୃକ୍ତ ମନ୍ତ୍ରଣାଳୟରେ ଅଭିଯୋଗ କରିଛନ୍ତି ତେବେ ସବୁଠୁ ମଜାର କଥା ହେଲା, ଆଜି ଭିକେ ପାଣ୍ଡିଆନଙ୍କ ବିରୋଧରେ ଅଭିଯୋଗ ଆଣୁଥିବା ବିଜୟ ପଟ୍ଟନାୟକ କିଛି ବର୍ଷ ତଳେ ସେଇ ସମାନ ଜାଗାରେ ଥିଲେ ଓ ତାଙ୍କ ନାମରେ ଏମିତି ଅଭିଯୋଗ ସବୁ ରହିଥିଲା ବିଜୟ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ ମୁଖ୍ୟ ଶାସନ ସଚିବ ଭାବରେ ନିରଙ୍କୁଶ କ୍ଷମତା ଉପଭୋଗ କରୁଥିବାରୁ ସେତେବେଳେ ବିଜେଡ଼ିର ଦ୍ଵିତୀୟ କ୍ଷମତା କେନ୍ଦ୍ର କୁହା ଯାଉଥିବା ପ୍ୟାରୀ ମୋହନ ମହାପାତ୍ର ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ପ୍ୟାରୀ ବାବୁଙ୍କ ବିକ୍ଷୋଭ ପଛରେ ବିଜୟ ପଟ୍ଟନାୟକଙ୍କର ମାତ୍ରାଧିକ କ୍ଷମତା ଏକ ବିଶେଷ କାରଣ ଥିଲା  

ପାଣ୍ଡିଆନଙ୍କ ବିଭିନ୍ନ ଜିଲା ଗସ୍ତ ଓ ତାଙ୍କ ଉପସ୍ଥିତିରେ ଓଡିଶାର ରାଜନୈତିକ ନେତୃତ୍ଵ ମଳିନ ପଡିଯାଉଥିବାର ଦୃଶ୍ୟ ଅନେକଙ୍କୁ ବିଚଳିତ କରୁଛି ବିରୋଧୀ ଦଳ ଏହାକୁ ଏକ ବଡ ପ୍ରସଙ୍ଗ ବୋଲି ଭାବୁଛନ୍ତି । ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ତଥା ଦୈନିକ ସମ୍ବାଦପତ୍ର “ସମ୍ବାଦ” ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ସମ୍ପାଦକୀୟ ଲେଖିବା ପରେ ଆଲୋଚନା ଆଉଟିକେ ସରଗରମ ହୋଇ ଉଠିଛି ତେବେ ବିରୋଧୀ ପାଣ୍ଡିଆନଙ୍କୁ ଯେତେ ସମାଲୋଚନା କରୁଛନ୍ତି, ସେ ସେତିକି ଅଧିକ ଜିଲା ଗସ୍ତ କରୁଛନ୍ତି ଓ ଖୋଲାଖୋଲି ବିଭିନ୍ନ ପ୍ରକଳ୍ପ କାମରେ ସାମିଲ ହେଉଛନ୍ତି । ବିରୋଧୀଙ୍କ ସମାଲୋଚନା ପାଣ୍ଡିଆନଙ୍କ ସ୍ଥିତିକୁ ବିଗାଡିବା ପରିବର୍ତ୍ତେ ଅଧିକ ସୁଦୃଢ କରୁଛି ବରଗଡର ଏକ ସଭାରେ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ଟେଲିଫୋନ ବାର୍ତ୍ତା ଶୁଣାଇଲେ- ଯେଉଁଥିରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଲୋକଙ୍କ ଖବର ବୁଝିବାକୁ ପଠାଇଛନ୍ତି ବୋଲି କହିଲେ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ସଚିବ ମୁଖ୍ୟମନ୍ତ୍ରୀଙ୍କ ଚଳନ୍ତି ପ୍ରତିନିଧି ଭାବରେ ଏ କାମ କରୁଛନ୍ତି ।  ଏ ପ୍ରସଙ୍ଗରେ ରାଜନୀତି ବିଜ୍ଞାନର ଅଧ୍ୟାପକ ଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ପଚାରିଛନ୍ତି ଯେ, ଆମ ଶାସନରେ ଡେଲିଗେସନ ଅଫ ପାୱାର ସମ୍ଭବ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ପଦବୀ ଓ କ୍ଷମତା ଆଉ କେହି ଉପଭୋଗ କରିପାରିବେ ନାହିଁ- ଏହା ହେଉଛି ସାମ୍ବିଧାନିକ ନିୟମ ।  

ଏଠି ବାବୁ ଭିକେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ପ୍ରତିନିଧି ଭାବେ କାମ କରୁନାହାନ୍ତି ସେ ଶାସନର ବିକାଶମୂଳକ କାମ ତଦାରଖ କରିବାକୁ ଫାଇଭ ଟି ସଚିବ ଭାବରେ କାମ କରୁଛନ୍ତି । ଶାସନ ବ୍ୟବସ୍ଥା ଅନୁଯାୟୀ ପାଣ୍ଡିଆନଙ୍କ କାମକୁ ବେଆଇନ କହିହେବ ନାହିଁ ସେ କୌଣସି ରାଜନୈତିକ ମତ ବା ବାର୍ତ୍ତା ଦେଉନାହାନ୍ତି  ବିରୋଧୀ ତାଙ୍କ ଉପସ୍ଥିତିକୁ ରାଜନୈତିକ ବୋଲି କହିଲେ ସେଥିରେ ପାଣ୍ଡିଆନ ବିଚଳିତ ନହେବା ସ୍ଵାଭାବିକ ।  

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳଙ୍କୁ ପାଣ୍ଡିଆନଙ୍କ ପଛରେ ଲଗାଇ ବିଜେଡି ନିଜ ନିର୍ବାଚନୀ ପ୍ରସ୍ତୁତି ଚଳାଇଛି ବିରୋଧୀ ପକ୍ଷ ଲୋକଙ୍କ ବାସ୍ତବ ପ୍ରସଙ୍ଗ ନ ଉଠାଇ ଏକ ଅପ୍ରସଙ୍ଗକୁ ଏବେ ମୁଖ୍ୟ ପ୍ରସଙ୍ଗ ଭାବରେ ଉଠାଇ ଚାଲିଛନ୍ତି । ଯାହାକି ବିଜେଡ଼ିକୁ ବେଶ ସୁହାଉଛି

ଏ ପ୍ରସଙ୍ଗରେ ବିଜେପିର ସ୍ଥିତି ଅତି ବିକଳ ଅବସ୍ଥାରେ ରହିଛି କେନ୍ଦ୍ରରେ ନବୀନ ଏବଂ ନରେନ୍ଦ୍ର ମୋଦୀଙ୍କ ଘନିଷ୍ଠ ସମ୍ପର୍କ ବିଷୟରେ ରାଜ୍ୟ ବିଜେପି ନେତାମାନେ ବେଶ ଅବଗତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବାରମ୍ବାର ନିଜର ଓଡିଶା ଗସ୍ତକୁ ବାତିଲ କରିବା ପଛରେ ବିଜେଡ଼ିକୁ ସନ୍ତୁଷ୍ଟ କରି ରଖିବାର ଏକ ବାର୍ତ୍ତା ରହିଛି ଭିକେ ପାଣ୍ଡିଆନ ସର୍ବ ଭାରତୀୟ ସେବାର ଜଣେ ଅଧିକାରୀ ହୋଇଥିବାରୁ ତାଙ୍କୁ ବଦଳି କରିବାର କିମ୍ବା ଡେପୁଟେସନରେ ନେବାର ଅଧିକାର କେନ୍ଦ୍ର ସରକାରଙ୍କର ରଖିଛି । ନବୀନଙ୍କୁ ଅସନ୍ତୁଷ୍ଟ କରି ବିଜେପି ସେ କାମ ଆଦୌ କରିବାକୁ ଚାହୁଁନାହିଁ । ପାଣ୍ଡିଆନଙ୍କ ବିରୋଧରେ ବିଜେପି କେବଳ କାଗଜବାଘ ପରି ଗର୍ଜନ କରୁଛି, ଯାହାର କୌଣସି ପ୍ରଭାବ ଓଡିଶା ଲୋକଙ୍କ ଉପରେ ପଡୁନାହିଁ

ପାଣ୍ଡିଆନଙ୍କ ପ୍ରତି ବିରୋଧୀଙ୍କ ସମାଲୋଚନା ଯେତେ ବଢୁଛି, ଓଡିଶାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ତାଙ୍କର ପତିଆରା ସେତିକି ବଢୁଛି ବିରୋଧୀଙ୍କ ସମାଲୋଚନା ପାଣ୍ଡିଆନଙ୍କୁ ଜଣେ ପ୍ରଭାବଶାଳୀ ଶାସନ ସଚିବରୁ ଏବେ ଓଡିଶା ରାଜନୀତିର ସବୁଠୁ ବଡ ଚେହେରାରେ ରୂପାନ୍ତରିତ କରୁଛି