ନିଆଁ

ନିଆଁ

ନଗରରେ ନିଆଁ
ନଗ୍ରଜନେ ଧାଇଁ ଗଲେ ବଣକୁ । 

ଆଶ୍ରୟ ନେବେ ।

ପିଲାଏ ତାଙ୍କର ଫୁଲ ପତର ଦେଖିବେ,
ଫଳ ମୂଳ ଖାଇବେ
ଝରଣାର ମିଠା ପାଣି ପିଇବେ
ଓ ଏଥର ବାଘ ମାମୁର ହାଉଁରେ 
ଭୟକରି ବନ୍ଦ କରିବେନି ଆଖି ।
 
ଜଂଗଲରେ ବି ନିଆଁ ଲାଗିଛି ।

ସେଉଠୁ  ପିଲାଏ  ଫେରି ଆସିଛନ୍ତି 
ଯେଝା ଘରକୁ ,
କିଛି ବୟସ୍କ ବାଟ ଭୁଲି ହଜିଯାଇଛନ୍ତି ଜଂଗଲରେ 
ବାକି କିଛି ଖୋଜି ଯାଇଛନ୍ତି ସମୁଦ୍ର ।  
ସମୁଦ୍ରରେ ବି ନିଆଁ ।

କଳା କଳା କଳା ଓ କଳା ଧୂଆଁରେ 
ଭରି ଯାଇଛି ଆକାଶ, 

ଦେହ ଅବଶ 
ମନ ଉଦାସ । 

ଚାରିଆଡେ ନିଆଁର ଲାଲ୍ ଓ କଳା ରଙ୍ଗ ମିଶା 
ଗରମ ଜିଭ,
ଜଳି ଯାଉଛି ପୃଥିବୀ । 

କିଏ ଜଳୁଛି ଆଉ କିଏ ଜାଳୁଛି ବୁଝା ପଡୁନି 
କିଏ ଲଗାଉଛି ଓ କେଉଁଠି ଲାଗିଛି  ଜଣା ପଡୁନି ।

କାହା ବାପାର ତେଲ 
କାହା ବାପାର କପଡ଼ାରେ
ଆଜି କାହାର ଏ ଦେଶ ଜଳୁଛି 
ପଚାରି ହେଉନି ।