ଦାର୍ଶନିକ ଜୀତେନ୍ଦ୍ରନାଥ ମହାନ୍ତି , ଜଗତୀକରଣ ଓ ମଣିଷର କର୍ତ୍ତବ୍ୟ
ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତିଙ୍କ ଆତ୍ମଜୀବନୀ - "Between Two Worlds - East and West" , 'ପ୍ରାଚ୍ୟ ଓ ପାଶ୍ଚାତ୍ୟ - ଦୁଇଟି ପୃଥିବୀ ମଧ୍ୟରେ', ତାଙ୍କର ଗୁଣଗ୍ରାହୀ ପାଠକ ମାନଙ୍କ ଦୀର୍ଘ ପ୍ରତୀକ୍ଷା ପରେ ୨୦୦୨ ମସିହାରେ ପ୍ରକାଶିତ ହୋଇଥିଲା । ଯେଉଁମାନେ ପ୍ରତୀକ୍ଷାରେ ଥିଲେ ସେମାନଙ୍କ ମନରେ କିଞ୍ଚିତ ଅସନ୍ତୋଷ - ଏହା ମାତ୍ର ଶହେ ତେତିଶ ପୃଷ୍ଠାର । ପ୍ରଫେସର ଜୀତେନ୍ଦ୍ରନାଥଙ୍କ ଜନ୍ମ ପୃଥିବୀ ଇତିହାସର ଏପରି ଏକ ମୁହୁର୍ତ୍ତରେ ଯେତେବେଳେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ଅନେକ ଯୁଗଜନ୍ମାଙ୍କର କର୍ମମୟ ଜୀବନର ଫଳାଫଳ ମାନଙ୍କର ସମନ୍ଵୟ ଓ ସଂଘାତ ମାଧ୍ୟମରେ ଏକ ନୂତନ ଯୁଗର ଅୟମାରମ୍ଭ ନିର୍ମଳ ଭାବେ ସୂଚିତ | ପ୍ରାଚ୍ୟ ଓ ପାଶ୍ଚାତ୍ୟର ସେହି ସବୁ ବିଶେଷତ୍ୱ ସହ ପ୍ରଫେସର ମହାନ୍ତିଙ୍କ ଜିଜ୍ଞାସାପୂର୍ଣ୍ଣ ଜୀବନ ପ୍ରତ୍ୟକ୍ଷ ଭାବେ ଯୋଡି ହୋଇପାରିବାର ସୌଭାଗ୍ୟ ପାଇପାରିଥିବାରୁ ତାଙ୍କ ଆତ୍ମଜୀବନୀ ଦୁଇଟି ପୃଥିବୀ ମଧ୍ୟରେ ସମନ୍ଵୟର ଆବଶ୍ୟକତା ଓ ପ୍ରଚେଷ୍ଟାର ପ୍ରକୃତ କାହାଣୀ |
ଆତ୍ମଜୀବନୀର ପ୍ରକାଶନ ବେଳକୁ ୧୯୨୮ ନଭେମ୍ୱର ୨୬ରେ ଜନ୍ମିତ ପ୍ରଫେସର ମହାନ୍ତିଙ୍କ ବୟସ ଚୌସ୍ତରି ବର୍ଷ ଏବଂ ୨୦୦୨ ମସିହା ବେଳକୁ ଜଗତୀକରଣ ପ୍ରକ୍ରିୟା ପୃଥିବୀକୁ ସମ୍ପୂର୍ଣ ଅକ୍ତିଆର କରି ନେଇଥାଏ । ଏହି ଦୃଷ୍ଟିରୁ ତାଙ୍କ ଆତ୍ମଜୀବନୀର ଉତ୍କଣ୍ଠିତ ଉପାଦେୟତା ।
ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତି ତାଙ୍କର ଆତ୍ମଜୀବନୀ ରମାଦେବୀ ଚୌଧୁରୀଙ୍କୁ ସମର୍ପଣ କରି ଲେଖନ୍ତି :"ମୋର ମାଇଁ ରମାଦେବୀ ଚୌଧୁରୀଙ୍କ ସ୍ମରଣରେ ଯିଏ ଜୀବନ କିପରି ଉତ୍ତମ, ସୁନ୍ଦର ଓ ପବିତ୍ର ହୋଇପାରେ ତାହା ଶବ୍ଦରେ ନ କହି ଦୃଷ୍ଟାନ୍ତ ରୂପେ ପ୍ରଦର୍ଶିତ କରି ଯାଇଥିଲେ |"
ମାତ୍ର ଚାରିଟି ଅନୁଛେଦ ବିଶିଷ୍ଟ ଭୂମିକାର ପ୍ରଥମ ଧାଡି :"ଏହି ଜୀବନ କାହାଣୀ ଜଣେ ଭାରତୀୟ ଦାର୍ଶନିକଙ୍କର ଯିଏ ତାଙ୍କର ଜୀବନ ବିତେଇଥିଲେ ତିନିଟି ଦେଶରେ - ଭାରତ, ଜର୍ମାନୀ ଓ ଯୁକ୍ତରାଷ୍ଟ୍ର ଆମେରିକା |"
ଭୂମିକାରେ ସେ ପ୍ରକାଶ କରନ୍ତି ଯେ ଯଦିଚ ବା ତାଙ୍କର ସମଗ୍ର ଜୀବନ ଦର୍ଶନ ଧାରାରେ ଚିନ୍ତନ ଓ ଧାରଣାରେ ଅତିବାହିତ ତେଣୁ ଏହି ଦିଗରେ ତାଙ୍କର ଆନ୍ତରିକତା ଅବଶ୍ୟମ୍ଭାବୀ କିନ୍ତୁ ନିଜ ଜୀବନ କାହାଣୀ କହିବାକୁ ଯାଇ ପୁଣି ଏକ ଦାର୍ଶନିକ ପୁସ୍ତକ ଲେଖିବାକୁ ସେ ଅବଶ୍ୟ ଚାହିଁବେ ନାହିଁ । "ମୋ ଜୀବନର ଉତ୍ସ ଏବଂ ଆଧାର, ଭାରତର ଓଡିଶା ପ୍ରଦେଶରେ ମୋର ଗାଁ (କଟକ ଜିଲ୍ଲାର ନୀଳକଣ୍ଠପୁର), ତେଣୁ ମୋ ଭିତରେ ତାର ପୁନର୍ଜାଗରଣ ଓ ପୁର୍ନ-ଲାଭ ଅବଶ୍ୟ ମୋ ଲାଗି ଅତୀବ ଗୁରୁତ୍ୱପୂର୍ଣ |"
ମାତ୍ର ଦୁଇଟି ବାକ୍ୟ ବିଶିଷ୍ଟ ଶେଷ ଅନୁଚ୍ଛେଦରେ ଦାର୍ଶନିକ ମହାନ୍ତି ଯାହା କହନ୍ତି ଆମର ଏହି ଉଗ୍ର ଜଗତୀକରଣ ସମୟ ଓ ଜୀବନରେ ତାହା ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟର ପ୍ରତ୍ୟେକ ବ୍ୟକ୍ତି-ମାନସ ଲାଗି ନିର୍ଣ୍ଣାୟକ ନୀତି ସ୍ୱରୂପ :
"ଏଠାରେ ମୁଁ ଉପସ୍ଥାପନ କରୁଥିବା କାହାଣୀ ସେହି ବ୍ୟକ୍ତି ବିଶେଷଙ୍କର ଯିଏ ଭାରତୀୟ ବଂଶୋଦ୍ଭବ ତଥା ଲାଳନପାଳନ ଓ ଶିକ୍ଷାଦୀକ୍ଷାରେ ଭାରତୀୟ, ବିଶ୍ୱାସରେ ହିନ୍ଦୁ, ବୃତ୍ତି ସ୍ଵୀକୃତିରେ ଦାର୍ଶନିକ, ବିଗତ ତିନି ଦଶନ୍ଧି ଧରି ଯୁକ୍ତରାଷ୍ଟ୍ର ଆମେରିକାରେ କର୍ମରତ, ତେଣୁ ତାଙ୍କୁ ଗ୍ରହଣ କରିନେଇଥିବା ଏହି ରାଷ୍ଟ୍ର ପ୍ରତି କୃତଜ୍ଞ, ମାତ୍ର କୌଣସି ସମୟରେ ଭୁଲିନଥିବା ଭାରତୀୟ ପରମ୍ପରା ଓ ଐତିହ୍ୟକୁ ନେଇ ପୃଥିବୀର ସାମଗ୍ରୀକତା ପ୍ରତି ସହୃଦୟ ଅନୁଭୂତି ଓ ପ୍ରଶ୍ନୋତ୍ତରରେ ଉପନିଷ୍ଟ । ସଂସ୍ମରଣ ଓ ବ୍ୟାଖ୍ୟାୟନ ଏହି ପ୍ରଶ୍ନୋତ୍ତର ପ୍ରକ୍ରିୟାରେ ପରସ୍ପର ମଧ୍ୟରେ ସମ୍ମିଶ୍ରିତ ଓ ଏକତ୍ରିତ - ତେଣୁ ଏହି କାହାଣୀ ଇତିହାସ ସହ ଏକ ଜବାବ-ସୁଆଲ ।"
"ପ୍ରଫେସର ଜେ. ଏନ. ମହାନ୍ତିଙ୍କ ଜୀବନ ଏକ ଦ୍ଵୈତ-ବୌଦ୍ଧିକ ଜୀବନ । ଯେଉଁମାନେ ପ୍ରଫେସର ମହାନ୍ତିଙ୍କ ନିଜସ୍ୱ ଅନୁରକ୍ତି ଏବଂ ପାରଦର୍ଶିତାରେ ସ୍ୱତନ୍ତ୍ରତା ବିଷୟରେ ପରିଚିତ ସେମାନଙ୍କ ଅନୁଭୂତିରେ ଏହା ସ୍ପଷ୍ଠ । ପ୍ରଫେସର ମହାନ୍ତିଙ୍କ ପାଠକ ଓ ଅନୁଧାବକ ମାନଙ୍କୁ ଦୁଇଟି ସ୍ୱତନ୍ତ୍ର ଗୋଷ୍ଠୀ ରେ ବିଭକ୍ତ କରାଯାଇପାରେ । ଗୋଟିଏ ଗୋଷ୍ଠୀ ତାଙ୍କୁ ଖ୍ୟାତି-ସମ୍ପନ ଟ୍ରାନ୍ସଏଡେଣ୍ଟାଲ ଫିଲୋସଫର ବା ଇନ୍ଦ୍ରିୟାନୁଭୂତି-ଉଲ୍ଲଂଘିତ ଅନ୍ତର୍ଜ୍ଞାନର ଦାର୍ଶନିକ ଏବଂ ଏଡମଣ୍ଡ ହୁସେର୍ଲଙ୍କ ଫେନମନୋଲୋଜି ବା ପ୍ରତ୍ୟକ୍ଷାନୁଭୂତି ବାଦରେ ଦକ୍ଷ ଓ ବିଶ୍ୱାଗ୍ରଣୀ ମାନଙ୍କ ମଧ୍ୟରେ ଜଣେ ଭାବେ ଅଭିହିତ କରୁଥିବା ସ୍ଥଳେ, ଅନ୍ୟ ଏକ ଗୋଷ୍ଠୀ ତାଙ୍କୁ ଆମ ସମୟର ଜଣେ ପୋଖତ ଓ ଆଦୃତ ଭାରତୀୟ ଦର୍ଶନ ଶାସ୍ତ୍ର ବିଶାରଦ ରୂପେ ଏକ ଶ୍ରେଷ୍ଠ ସ୍ଥାନ ଦେବାଲାଗି ତତ୍ପର |" ପ୍ରଫେସର ପୁରୁଷୋତ୍ତମ ବିଲ୍ୱମୋରୀୟ, ଏହି ଭଳି ଆରମ୍ଭ କରନ୍ତି ତାଙ୍କର ସୁଦୀର୍ଘ ମୁଖବନ୍ଧ ଜେ.ଏନ. ମହାନ୍ତିଙ୍କ ୨୭ଟି ପ୍ରବନ୍ଧ ବିଶିଷ୍ଟ ୧୯୯୩ରେ ପ୍ରକାଶିତ "ଏସେଜ ଅନ ଇଂଡିଆନ ଫିଲୋସଫି"ର ସମ୍ପାଦକ ରୂପେ ।
ଭାରତୀୟ ଦର୍ଶନର ତର୍ଜମା ଓ ବ୍ୟାଖ୍ୟାରେ ସେ ଯେଉଁ ପ୍ରାଞ୍ଜଳତା ଓ ଉର୍ଜା ଆଣିପାରିଲେ ସେଥିଲାଗି ୧୯୬୦ ମସିହାରୁ ହିଁ ତାଙ୍କର ସୁଖ୍ୟାତି ସର୍ବବିଦିତ । ନିହାତି ବିସ୍ମୟକର ଭାବେ ଭରିତୀୟ ଦର୍ଶନ ଧାରାରେ ତାଙ୍କର ପ୍ରାଞ୍ଜଳତା, ପାଶ୍ଚାତ୍ୟ ଦର୍ଶନ ବିଦ୍ୟାରେ ତାଙ୍କର ପାରଦର୍ଶିତାକୁ ଖଣ୍ଡିତ କରିବା ପ୍ରତିବଦଳରେ ଅଧିକ ଋଦ୍ଧିମନ୍ତ ହିଁ କରିଥିଲା । ପ୍ରାଚ୍ୟ ଓ ପାଶ୍ଚାତ୍ୟ, ଦର୍ଶନ ବିଦ୍ୟାର ଉଭୟ ଧାରାରେ ଚିନ୍ତନ ଓ ଵ୍ୟାଖ୍ୟାନରେ ସମସ୍ତ ଆବଶ୍ୟକୀୟ ସ୍ଵାତନ୍ତ୍ର୍ୟ ରକ୍ଷାକରି ମଧ୍ୟ ଉଭୟ କ୍ଷେତ୍ରରେ ତାଙ୍କର ସମସ୍ତ ରଚନା ସ୍ୱୟଂ ସମ୍ପୂର୍ଣ ରୂପେ ଗ୍ରହୀତ ଓ ସମ୍ମାନିତ ।
ଏହି ଦୃଷ୍ଟିରୁ ହିଁ ଦାର୍ଶନିକ ଜିତେନ୍ଦ୍ରନାଥ ମହାନ୍ତି, ଏକକ ପୃଥିବୀ ଓ ଜଗତୀକରଣ ବିଷୟରେ ଯାହା କହନ୍ତି ତାହା ଉଭୟ, ପ୍ରାଚ୍ୟ ଓ ପାଶ୍ଚାତ୍ୟବାସୀଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ-
ଗୋଟିଏ ପରମ୍ପରାର ଅନୁଧାବକ ଲାଗି ଅନ୍ୟ ଏକ ପରମ୍ପରା ପୃଥକ ଲାଗିବା ଅପରିହାର୍ଯ୍ୟ | ଅର୍ଥାତ, ଏକ ନିର୍ଦିଷ୍ଟ ପରମ୍ପରାରେ ଜନ୍ମିତ ବ୍ୟକ୍ତିଙ୍କ ଲାଗି ହିଁ ସେହି ପରମ୍ପରା ସମ୍ପୂର୍ଣ ରୂପେ ହୃଦବୋଧ ହୋଇପାରେ | କିନ୍ତୁ ଅପ୍ରତ୍ୟାଶିତ ଭାବେ କିମ୍ବା ଅନଭିପ୍ରେତ ଭାବେ କୌଣସି ବ୍ୟକ୍ତି ଯଦି ଅନ୍ୟ ଏକ ପରମ୍ପରାରେ ପ୍ରବେଶ କରନ୍ତି ତେବେ ସେ ସେହି ପରମ୍ପରା ଭୁକ୍ତ ହୋଇପାରିବା ସମ୍ଭବ କି ?
ଏହା ଠାରୁ ବି ଆହୁରି ଗୁରୁତ୍ୱପୁର୍ଣ ପ୍ରଶ୍ନଟି ହେଲା, ଜଣେ ହୁଏତ ଅନ୍ୟ ଏକ ପରମ୍ପରାର ଗୁଢ ବିଷୟ ଓ ସାଧାରଣ ଚଳଣି ମାନଙ୍କ ସହ ପରିଚିତ ହୋଇ ନିଜକୁ ସେହି ପରମ୍ପରାରେ ନିମଜ୍ଜିତ କରି ଦେଇପାରେ ଏବଂ ଏହା ଦ୍ୱାରା ହୁଏତ କୁହାଯାଇପାରେ ଯେ ସେ ସେହି ଅନ୍ୟ ପରମ୍ପରାର 'ଭିତର-ମଣିଷ' | କିନ୍ତୁ ତାଙ୍କୁ ନିଜର ମୌଳିକ ପରମ୍ପରାକୁ ନେଇ ଏକ ଅନିଶ୍ଚିତ ଏବଂ ଅସୁରକ୍ଷିତ ଅବସ୍ଥାରେ ନିଜକୁ ପାଇବା ଏକ ପ୍ରକାର ନିଶ୍ଚିତ ହୋଇଯାଇଥାଏ | ତେଣୁ ପ୍ରଶ୍ନ ଆସେ, ଭିନ୍ନ ଏକ ପରମ୍ପରା ମଧ୍ୟରେ ପ୍ରବେଶ କରିଥିବାଯୋଗୁଁ ଜଣକୁ ନିଜ ମୌଳିକ ପରମ୍ପରାରେ ଅବାଂଛିତ, ଏପରିକି ଅପରିଚିତ ହୋଇଯିବା ଅବଶମ୍ଭାବୀ କି ?
ସମକାଳୀନ ଜଗତୀକରଣର ଆବଶ୍ୟକତାକୁ ନେଇ ବଂଚୁଥିବା ବ୍ୟକ୍ତି ବିଶେଷଙ୍କ ସଂଖ୍ୟା ବହୁମାତ୍ରାରେ ବଢି ଚାଲିଥିବା ପରିପ୍ରେକ୍ଷୀରେ ଏହି ଭଳି ପ୍ରଶ୍ନର ଉତ୍ତର ତଥା ସମାଧାନ ପନ୍ଥା ମାନଙ୍କ ଅନୁସନ୍ଧାନ ନିତାନ୍ତ ଜରୁରୀ | ଏବଂ ସମସାମୟିକ ଜୀବନର ବାସ୍ତବତା ଓ ଆବଶ୍ୟକତାକୁ ନେଇ ସକାରାତ୍ମକ ଭାବେ ବିଚାର କରାଯାଇ ପାରେ ଯେ ନିଜ ଜନ୍ମଗତ ସ୍ଥାନ ଓ ପରମ୍ପରା ଠାରୁ ଦୁରେଇ ଭିନ୍ନ ଏକ ସ୍ଥାନ ଓ ପରମ୍ପରା ମଧ୍ୟରେ ବଂଚୁଥିବା ବ୍ୟକ୍ତି ଜଣକ ଉଭୟ ପରମ୍ପରାରେ ଯେତିକି 'ଭିତର-ବ୍ୟକ୍ତି' ସେତିକି 'ବାହାର-ବ୍ୟକ୍ତି' ହୋଇପାରିବା ସମ୍ଭବପର | କିନ୍ତୁ ଏହା ନିଶ୍ଚିତ ଭାବେ ଏକ ଦୁରୁହ ବ୍ୟାପାର | କାରଣ ଅହରହ ସଚେତନତା ଏଥିଲାଗି ଅପରିହାର୍ଯ୍ୟ । ଏବଂ ଯଦିଚ ବା ଏହି ନିରବଛିନ୍ନ ସଚେତନତା, ମଣିଷ ଲାଗି ଯୁକ୍ତିଯୁକ୍ତ ଭାବେ ସମ୍ଭବ, କିନ୍ତୁ ବାସ୍ତବରେ ଏହା କୋଚିତ କୌଣସି ବ୍ୟକ୍ତି ବିଶେଷକଂ ପକ୍ଷେ ସମ୍ଭବ ହୋଇପାରିଥାଏ । ଅର୍ଥାତ, ସାର୍ବଜନିତ ଭାବେ ଏଭଳି ଆଶା କରିବା ବୃଥା | କାରଣ ସୁଦୀର୍ଘ ପ୍ରସ୍ତୁତି ସହ ବ୍ୟକ୍ତିବିଶେଷଙ୍କ ଲାଗି ଏହା ସମ୍ଭବ ହୋଇପାରୁଥିବା ସ୍ଥଳେ, ମଣିଷ ସମାଜ ଏଥିଲାଗି ବିଧିବଦ୍ଧ ଭାବେ ଆବଶ୍ୟକୀୟ ପ୍ରଚେଷ୍ଟା କରିଥିବା କେଉଁଠି ବି ପରିଲିକ୍ଷିତ ନୁହେଁ । ତେଣୁ କହିବା ବାହୁଲ୍ୟ, କେବଳ ଅର୍ଥନୈତିକ ସମୃଦ୍ଧି ଲାଗି ହିଁ ଜଗତୀକରଣ ପ୍ରକ୍ରିୟାର ଜନ୍ମ ଓ ପ୍ରସାର ।
ଏହି ବିଷୟକୁ ନେଇ ପ୍ରଫେସର ମହାନ୍ତିଙ୍କ ନିଜ ପ୍ରତି ପ୍ରଶ୍ନ ଅତ୍ୟନ୍ତ ମର୍ମସ୍ପର୍ଶୀ ଓ ଭାଵୋକ୍ତିପୁର୍ଣ : ଏହି ଭଳି ପରିସ୍ଥିତିରେ "ତାହାହେଲେ, ମୋର ପ୍ରକୃତ ସ୍ଥିତି କେଉଁଠାରେ, କେଉଁଠାରେ ସେହି ଭଳି ଏକ ସ୍ଥାନ ଯେଉଁଠି ମୁଁ ଉଭୟ ପରମ୍ପରା ମଧ୍ୟରେ 'ବାହାର-ବ୍ୟକ୍ତି' ହୋଇଥିବା ସତ୍ୱେ 'ଭିତର-ବ୍ୟକ୍ତି' ମଧ୍ୟ ହୋଇପାରିଥାଏ !"
ଏଭଳି ପ୍ରଶ୍ନ ମାନଙ୍କର ଅନୁଧ୍ୟାନ ନୃତତ୍ୱ-ବିଦ୍ୟାର ମୁଖ୍ୟ ଆଧାର ଯେହେତୁ ଏହା ମଣିଷ ତଥା ସମାଜ ଓ ସଂସ୍କୃତିର ଉତ୍ପତ୍ତି, ବିକାଶ ତଥା ଅବନତି ଓ ବିନାଶ ଇତ୍ୟାଦି ବିଷୟରେ ଅଧ୍ୟୟନ ଲାଗି ଉଦ୍ଦିଷ୍ଟ । ସମକାଳୀନ ନୃତତ୍ତ୍ୱବିତମାନେ ଆଦିମ ଅଧିବାସୀ ମାନକଂ ସଂସ୍କୃତି ଓ ପରମ୍ପରା ସହ ଓତପ୍ରୋତ ଭାବେ ଜଡିତ ହୋଇପାରିବା ପ୍ରଚେଷ୍ଟା ସହ ଉପଲବ୍ଧି କରିଛନ୍ତି ଯେ ଆଦିମ ଅଧିବାସୀମାନକଂ ପରମ୍ପରାରେ 'ଭିତର-ବ୍ୟକ୍ତି' ହୋଇପାରିବ ପ୍ରାୟତଃ ଅସମ୍ଭବ । ପ୍ରତ୍ୟେକଟି ପରମ୍ପରାର ଜୀବନ ପ୍ରବାହରେ ଐତିହାସିକ ସ୍ୱତନ୍ତ୍ରତା ଓ ନିର୍ଦ୍ଧିଷ୍ଟତା ନିଶ୍ଚିତ ହୋଇଥିବା ଯୋଗୁଁ ଅନ୍ୟ ଏକ ପରମ୍ପରାର ବ୍ୟକ୍ତି ଲାଗି ଏହାର ଅଧିକାଂଶ ଦିଗ ଓ ବିଭବ ସବୁବେଳେ ଅଗମ୍ୟ, ଏପରି କି ଅନୁବାଦ ଦୁଷ୍କର ।
କିନ୍ତୁ ପ୍ରଫେସର ମହାନ୍ତିଙ୍କ ପ୍ରଶ୍ନ ଓ ଉଦ୍ବିଗ୍ନତା ଏହି ଧରଣର ହୋଇନପାରେ । ସେ ଏଭଳି ଏକ ସ୍ଥାନ ଏବଂ ପରିସ୍ଥିତି ଠାବ କରିବାଲାଗି ଚାହୁଁଛନ୍ତି, ଯେଉଁଠି ଦୁଇଟି ପରମ୍ପରା ପରସ୍ପରକୁ ଆବୃତ୍ତ କରି ରଖିପାରିବା ସଙ୍ଗେ ସଙ୍ଗେ ପରମ୍ପରା ଦ୍ୱୟର ବ୍ୟକ୍ତି ବିଶେଷଙ୍କ ଲାଗି ଉଭୟ ପରମ୍ପରାରେ ସମାନ୍ତରାଳ ଭାବେ 'ବାହାର-ବ୍ୟକ୍ତି' ଏବଂ 'ଭିତର-ବ୍ୟକ୍ତି' ମଧ୍ୟ ହୋଇ ପାରିବା ଲାଗି ସହାୟକ ହୋଇପାରେ ।
ଯେହେତୁ ଭାରତ ତଥା ଭାରତ ଭଳି ଅନ୍ୟ ଦେଶ ଓ ସଭ୍ୟତା, ଯେଉଁମାନେ ପାଶ୍ଚାତ୍ୟ ଔପନିବେଶିକ ଶକ୍ତି ମାନଙ୍କର ଶାସନାଧୀନ ଥିଲେ, ସେମାଙ୍କ ଲାଗି ଏହି ଜଗତୀକରଣ ପ୍ରକ୍ରିୟା କିଛି ନୁଆଁ କଥା ହୋଇନଥାଇପାରେ । ଭାରତୀୟ ପୁନର୍ଜାଗରଣ ଓ ସ୍ୱାଧୀନତା ଲାଗି ଯେଉଁ ମାନେ ଉନ୍ନବିଂଶ ଶତାବ୍ଦୀର ମଧ୍ୟ ଭାଗରୁ ଚିନ୍ତା ଓ କାର୍ଯ୍ୟ କରି ଆସୁଥିଲେ, ସେମାନେ ଏହାର ଗଭୀରତା ଏବଂ ସୁଦୂର ପ୍ରସାରି ପ୍ରଭାବ ଓ ପ୍ରକୋପ ବିଷୟରେ ସମ୍ୟକ ଭାବେ ସଚେତନ ଥିଲେ | ଜିତେନ୍ଦ୍ରନାଥ ତାଙ୍କର ଛାତ୍ର ଜୀବନର ଆରମ୍ଭରୁ ହିଁ ଭାରତୀୟ ପୁନର୍ଜାଗରଣ ପ୍ରକ୍ରିୟାରେ ତିନିଜଣ ସର୍ବାଗ୍ରଣିକଂ ଜୀବନ, ଚିନ୍ତା ଓ କାର୍ଯ୍ୟଧାରା ପ୍ରତି ପ୍ରତ୍ୟକ୍ଷ ଭାବେ ଉନ୍ମୁକ୍ତ ଥିଲେ ।
ତତକାଳୀନ ଓଡ଼ିଶାରେ ଗାନ୍ଧୀ ମାର୍ଗର ପ୍ରଚାର ଓ ପ୍ରସାର ଦିଗରେ ଜୀତେନ୍ଦ୍ରନାଥଙ୍କ ପରିବାର ସଦସ୍ୟ ମାନେ ମୁଖ୍ୟ ଭୂମିକା ତୁଲାଇ ଥିବାବେଳେ, କଟକରେ କଲେଜ ପଢା ଆରମ୍ଭରୁ ହିଁ ସେ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣଯୋଗ ପ୍ରତି ଆକୃଷ୍ଟ, କଟକରେ ଓଡ଼ିଶାର ପ୍ରଥମ ଶ୍ରୀ ଅରବିନ୍ଦ ପାଠଚକ୍ର ଆରମ୍ଭ କରିବାରେ ପ୍ରଵକ୍ତା ଥିଲେ | ଗ୍ରାଜୁଏସନ ପାଇଁ କଲିକତା ପ୍ରେସିଡେନସି କଲେଜରେ ପଢୁଥିବାବେଳେ ରବିନ୍ଦ୍ରନାଥ ଓ ବିଶ୍ୱଭାରତୀ ସହ ତାଙ୍କର ସମ୍ମାନପୁର୍ଣ ସମ୍ପର୍କ ହୋଇଥିବା ସ୍ୱାଭାବିକ ଥିଲା ।
ସର୍ବ-ଭାରତୀୟ ପୁନର୍ଜାଗରଣ ଓ ପୁର୍ନ-ଗଠନରେ ଏହି ତିନି ଜଣ ଯୁଗ-ଜନ୍ମା ମହାନାୟକଙ୍କ ଯେଉଁ ଅଦ୍ଵିତୀୟ ଅବଦାନ ତାହା ପୃଥିବି ତଥା ମଣିଷଜାତି ଲାଗି ମଧ୍ୟ ନିର୍ଣ୍ଣାୟକ | କାରଣ କର୍ମ-ଜୀବନର ଆରମ୍ଭରୁ ହିଁ ତିନିହେଁ ନିଜସ୍ୱ ପ୍ରକାରେ ପାଶ୍ଚାତ୍ୟ ଜୀବନ ଓ ସଂସ୍କୃତି ସହ ଗଭୀର ଭାବେ ପରିଚିତ ଥିଲେ ଓ ହୃଦବୋଧ କରିଥିଲେ ଯେ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମଧ୍ୟରେ ସମନ୍ଵୟତା ଉପରେ ମଣିଷ ଜାତିର ଭବିଷ୍ୟତ ନିର୍ଭର କରେ |
ମଣିଷ ଜାତି ଶିକ୍ଷା, ସଂସ୍କୃତି, କଳା, ଇତିହାସ, ରାଜନୀତି ଏବଂ ଆଧ୍ୟାତ୍ମିକତାର ପ୍ରକୃତ ପରାକାଷ୍ଠାରେ ପହଂଚିବା ଦିଗରେ ଏହି ମହାନୁଭଵୀ ତ୍ରୟୀଙ୍କଙ୍କ ପରମ ଅବଦାନ ସହ ପୃଥିବୀର ଇଭୋଲ୍ୟୁସନ ବା କ୍ରମବିକାଶର ଧାରାରେ ମଣିଷର କର୍ତବ୍ୟକୁ ନେଇ ଶ୍ରୀ ଅରବିନ୍ଦଙ୍କ କର୍ମଧାରା ; ହୁଏତ ଆଜିର ମଣିଷ ସେଥିରୁ ଅଧିକାଂଶରେ ବିଚ୍ୟୁତ, କିନ୍ତୁ ସେହି ସବୁ ଠାରୁ ଉର୍ଦ୍ଧରେ ପହଂଚିବା କିମ୍ବା ବିକଳ୍ପ ପାଇବାରେ, ପ୍ରାଚ୍ୟ ବା ପାଶ୍ଚାତ୍ୟ କେଉଁଠାରେ ବି ସମ୍ଭବ ହୋଇପାରିନାହିଁ |
ଭାରତୀୟ ଦର୍ଶନ ମାର୍ଗ ଓ ପାଶ୍ଚାତ୍ୟ ଦର୍ଶନ ଧାରାରେ ନୂତନ ଚିନ୍ତା, ବ୍ୟାଖ୍ୟା ଓ ଦିଗଦର୍ଶନରେ କାର୍ଯ୍ୟରତ ରହି, ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟରେ ଅଭୂତପୂର୍ବ ଆଦୃତି ପାଇଆସୁଥିଲେ ମଧ୍ୟ, ଦାର୍ଶନିକ ଜୀତେନ୍ଦ୍ର ନାଥ ମହାନ୍ତି ତାଙ୍କର ସମଗ୍ର ଜୀବନ କାଳରେ ମହାଯୋଗୀ ଶ୍ରୀ ଅରବିନ୍ଦ, କବିଗୁରୁ ରବିନ୍ଦ୍ରନାଥ ଏବଂ ମହାତ୍ମା ଗାନ୍ଧୀଙ୍କ ଜୀବନ, କର୍ମ ଓ କୃତି ମାନଙ୍କର ତର୍ଜମା ଓ sଚର୍ଚ୍ଚା କରିବା ଦିଗରେ ସେତିକି ହିଁ ପ୍ରାଧାନ୍ୟତା ଦେଇ ଆସିଛନ୍ତି | ସେହି ମହାନ ତ୍ରୟଙ୍କ ଉପରେ ତାଙ୍କର ରଚନା ସବୁ ଏହି ଦୃଷ୍ଟିରୁ ଆମର ଏହି ବିଭ୍ରାନ୍ତିକର ସମୟରେ ଆଦୃତିକୁ ଅଣାଯିବା ନିତାନ୍ତ ଜରୁରୀ |