ଆମେ ଜାଣୁନା

ଆମେ ଜାଣୁନା

ଆମେ ଗଣୁନା,
ତମ ଇସ୍ତ୍ରୀମରା ସାର୍ଟତଳେ
କେତେ ଗାନ୍ଧୀ ମୁଣ୍ଡ ଅଣନିଃଶ୍ବାସୀ !
ଆମେ ଜାଣୁନା କେତେଥର ଟିପିଲେ,
ଟଙ୍କାବାହାରେ ସେ ଠିଆ ମେସିନ ରୁ !

ଆମେ କେବେ ପଚାରିନୁ
କୋଉ ଗ୍ରେଡ଼୍ ପେ ରେ ତମେ ପାଅ ତମ ମାସିକ ଖର୍ଚ୍ଚ !
ଆମେ କେବେ ଜାଣିବାକୁ ଚେଷ୍ଟା ବି କରିନୁ 
ତମ ମହଙ୍ଗା ଭତ୍ତାର ତାଲିକା,ତମ ଇପିଏଫ୍ ର ଶତକଡା ସୁଧ !

ଆମେ କେବେ ଭାବି ନାହୁଁ
ମାସର କୋଉ ତାରିଖରେ ଉଛୁଳିପଡେ ତମ ବ୍ୟାଙ୍କ ଖାତା !
ଆମେ କେବେ ଦେଖିନୁ 
ତମ ଇସ୍ତ୍ରୀମରା ନୋଟ୍ ଆମ ପକେଟରେ !

କିନ୍ତୁ !!!
ତମେ.....
ମାଟି ଛାତିରେ ଗାରଟାଣ ବିଶି ଆଙ୍ଗୁଠିରେ
ଆଖିରେ କୁଢକୁଢ ଇର୍ଷା ଧରି
ଲୁଚିଲୁଚି କରୁଥାଅ ଆମ ଝାଳର ହିସାବ !

ଆମେ ଶୋଇଗଲାପରେ
ତମ ପଙ୍ଗତରେ ଆମେ ଥାଉ ଶିରୋନାମା
ପଙ୍ଗତ ପଛେ ସରିଯାଏ,
ସରେନାହିଁ ଆମ ଚର୍ଚ୍ଚା !
ଯେବେ ଋତୁର ନାଁ ଅମଳ ଥାଏ !

ଆମେ ଦେଖିଛୁ !
ତମ ଆଖି ଫୁଲି ନାଲି ପଡ଼ିବା
ଯେବେ ଆମ ବିଲର ରଙ୍ଗ ହଳଦୀ ଥାଏ !
ଆମେ ଦେଖିଛୁ !
ତମ ଦେହରେ ଗମ୍ ଗମ୍ ଝାଳ 
ଯେବେ ଆମ ଦେହର ଝାଳ ମରିମରିଯାଏ !

ଆମେ ଜାଣୁ 
ଆଜି ବି ତମେ ନିଦ୍ରା ଶୂନ୍ୟ ରାତି କାଟୁଛ !
ହେଲେ ବିଶ୍ବାସକର  ଆମକୁ  ରାତି ନିଅଣ୍ଟ !!!