ପାଣି ଫାଟିଗଲି, ବହି ନ ପାରିଲି
ନିଦା ପଥର ମୁଁ
ପାଣି ଫାଟିଗଲି
ଭାବିଲି ଦୂରକୁ ବହିଯିବି
ଟାଣପଣ ଭୁଲି
ମମତାର ଧାରେ
ଯେଣେ ପାରେ ତେଣେ ଗଡ଼ିଯିବି
ଜଟାରେ ଓଠରେ
ଜଠରେ କୁକ୍ଷିରେ
ନଖକୋଣେ କାର ସଂଭାଇବି
ଋଷି ଜାନୁ ଚିରି
ମାଟି ଦୋରସାଇ
ବିହନ ଭିଜାଇ ପଳାଇବି
ମଂତ୍ର ପରି ଏଣେ
ଶାପ ପରି ତେଣେ
ନୀରବତା କେଣେ ପାଲଟିବି
ଚଳୁ ପରି କେଣେ
ପ୍ରଳୟ ପରି ବା
ଚୋଷି ହେବି ଅବା ଗ୍ରାସିଯିବି
ଧଳା ନୀଳ ନାଲି
ମାଟିଆ ଦିଶିବି
ଯାହାର ଆଖିକି ଯେମିତିକା
କେଉଁଠି ମୋ' ନାଆଁ
ମହୋଦଧି ଯଦି
ଆଉ କେଉଁଠାରେ ମରୀଚିକା
ବିଷମ ପାଷାଣ
ଥିଲି କାହା ଶାପେ
ଏତେ କାଳ ଯାଏଁ ଜାଣିନାହିଁ
ଉଠାଣି ଉଜାଣି
ପାରିଲି ନ ଗମି
ପାଣି ହେଲି, ଶୁଖି ପାରୁନାହିଁ
ପାରୁଶରେ ଉଭା
ବାଳୁତ ଦିଅଁର
ପୟର ଛୁଇଁ ମୁଁ ପାରିଲିନି
ଥଗନରେ ଥାଇ
ପାରୁନାହିଁ ମୁଁ ଯେ
ବହି ଜମା ଯାଇ ପାରିଲିନି
ପାଣି ଫାଟିଗଲି
ବହି ନ ପାରିଲି
ରହି ପାରୁନାହିଁ ଏହିଠାରେ
ସାରୂପ୍ୟ ସତେକି
ପାଇଯିବି ଏବେ
ଜମାଟ ବାଂଧି ମୁଁ ଆଉଥରେ ।