ତ୍ରିଲୋଚନ କାନୁନଗୋ: ରାଜନୀତିର ଏକ ବିରଳ ଅନୁଷ୍ଠାନ
ରାଜନୀତିକୁ ସବୁବେଳେ ଦୁଇ ପ୍ରକାର ଲୋକ ଆସନ୍ତି । ପ୍ରଥମ- ଯେଉଁମାନେ ଅନ୍ୟ କିଛି କରିପାରନ୍ତି ନାହିଁ, ସେମାନଙ୍କ ପାଇଁ ରାଜନୀତି ଏକ ସହଜିଆ ବାଟ ପାଲଟି ଯାଏ । ଦ୍ବିତୀୟରେ ଆଉ କିଛି ଲୋକ ଆସନ୍ତି, ଯେଉଁମାନେ ଅନ୍ୟ ସବୁ କ୍ଷେତ୍ରରେ ବି ସଫଳ ହୋଇପାରିବେ, କିନ୍ତୁ ରାଜନୀତି ତାଙ୍କ ପାଇଁ ଏକ ଆହ୍ବାନ, ଏକ ଅଦମନୀୟ ପ୍ରବୃତ୍ତି । କହିବାରେ ଦ୍ୱିଧା ନାହିଁ, ତ୍ରିଲୋଚନ କାନୁନଗୋ ଦ୍ବିତୀୟ ପ୍ରଜାତିର ରାଜନେତା । ରାଜନୀତିକୁ ନ ଆସି, ସେ ଆଉ ଯାହା ବି କରିଥାନ୍ତେ, ସେଥିରେ ସେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ପାରିଥାନ୍ତେ । ରାଜନୀତି ତ୍ରିଲୋଚନ କାନୁନଗୋଙ୍କ ପାଇଁ ଏକ ପ୍ରକାର ପବିତ୍ର ବିଫଳତା । ତାଙ୍କର ପ୍ରଜ୍ଞା, ପ୍ରତିଭା, ସାଙ୍ଗଠନିକ ଶକ୍ତି ଏବଂ ରାଜନୈତିକ ଦକ୍ଷତା ତୁଳନାରେ ତାଙ୍କର ରାଜନୈତିକ ପଦବୀ ବିଶେଷ କିଛି ନୁହେଁ । ଗୋଟେ ସମୟରେ ତ୍ରିଲୋଚନ କାନୁନଗୋଙ୍କୁ ଆମେ ଦେଖୁଥିଲୁ ବିଜୁ ପଟ୍ଟନାୟକଙ୍କ ବିକଳ୍ପ ଭାବରେ । ମୋ ମତରେ, ସେ ଓଡ଼ିଶାର ଏକମାତ୍ର ରାଜନେତା ଯିଏ ଯେଉଁ ଦାୟିତ୍ଵରେ ବସିଲେ ବି ସେ ଦାୟିତ୍ୱର ଶୀର୍ଷତମ ଅବଦାନ ଦେଇପାରିବେ । ଅଥଚ ତାଙ୍କୁ ରାଜନୀତିରେ ମିଳିଲା କଣ? ପଚାଶ ବର୍ଷର ରାଜନୈତିକ ଜୀବନରେ ମନ୍ତ୍ରୀଟିଏ ମଧ୍ୟ ସେ ହେଲେ ନାହିଁ । ତିନି ଥର ବିଧାୟକ, ଥରେ ସାଂସଦ, ଦୁଇ ଥର କଟକ ମ୍ୟୁନିସିପାଲିଟିର ଅଧ୍ୟକ୍ଷ ଭାବରେ ସେ ଦାୟିତ୍ଵ ନେଲେ । କଟକ ସହରର ସେ ସବୁଠୁ ସଫଳତମ ନଗରପାଳ । ଆଜି ପର୍ଯ୍ୟନ୍ତ ସେ ପୌର ପ୍ରଶାସନ କ୍ଷେତ୍ରରେ ଏକ ସଫଳ ଉଦାହରଣ । ଗୋଟେ ରାଜ୍ୟ ଏବଂ ସମାଜ ଭାବରେ ଆମର ଦୁର୍ଭାଗ୍ୟ ହେଉଛି, ତାଙ୍କ ଦକ୍ଷତାର ସଦୁପଯୋଗ ବୃହତ୍ତର କ୍ଷେତ୍ରରେ ଆମେ କରିପାରିଲୁ ନାହିଁ ।
ତ୍ରିଲୋଚନ କାନୁନଗୋ ରାଜନୀତିକୁ ଆସି ନଥିଲେ ତାଙ୍କର ଅନେକ ଲାଭ ହୋଇଥାନ୍ତା । ସେ ଯେଉଁ କ୍ଷେତ୍ରରେ ରହିଥାନ୍ତେ, ସେଠି ସୁନା ଫଳିଥାନ୍ତା । ଆଇନ ଓ ସମ୍ବିଧାନକୁ ସୂକ୍ଷ୍ମଭାବେ ତର୍ଜମା କରିପାରୁଥିବା ଖୁବ୍ ଅଳ୍ପ ରାଜନେତାଙ୍କ ମଧ୍ୟରୁ ସେ ଜଣେ । ସେ ଚମତ୍କାର ଓକିଲ କିମ୍ବା ବିଚାରପତି ହୋଇପାରିଥାନ୍ତେ । ଅର୍ଥନୀତି ସମ୍ପର୍କରେ ତାଙ୍କର ଅବଧାରଣା ବେଶ୍ ଗମ୍ଭୀର। ଓଡ଼ିଶା ତାଙ୍କୁ ଅର୍ଥମନ୍ତ୍ରୀ ଭାବରେ ନିହାତି ପାଇବା ଉଚିତ ଥିଲା ! ତାଙ୍କର ଅର୍ଥନୀତି ସମ୍ବନ୍ଧୀୟ ଆଲୋଚନା ଶୁଣିବାର ଏବଂ କେବେ କେମିତି ତାଙ୍କ ସହ ଆଲୋଚନା କରିବାର ବିରଳ ସୁଯୋଗ ମୋତେ ମିଳିଛି । ସେ ଅର୍ଥନୀତିର ସବୁ ତତ୍ତ୍ଵ ଓ ତଥ୍ୟ ଜାଣନ୍ତି । ସେ ହୁଏତ ଦେଶର ସର୍ବୋଚ୍ଚ ଅର୍ଥନୀତିଜ୍ଞ ହୋଇପାରିଥାନ୍ତେ। ସଂସଦୀୟ ପରମ୍ପରା ଓ ନିୟମ ବିଷୟରେ ସେ ଆମ ସମୟର ସବୁଠାରୁ ବଡ଼ ବିଦ୍ୱାନ, ହେଲେ କେବେ ତାଙ୍କୁ ଆମେ ବାଚସ୍ପତି ଚଉକି ରେ ଦେଖି ପାରିଲୁ ନାହିଁ ।
ଇତିହାସ, ସାହିତ୍ୟ, ସମାଜତତ୍ତ୍ଵ, ଆନ୍ତର୍ଜାଜିକ ସମ୍ପର୍କ, ଗାନ୍ଧୀ ଓ ଲୋହିଆ ବିଚାର- ଏମିତି କୌଣସି କ୍ଷେତ୍ରର ନାଇଁ ଯେଉଁଥିରେ ତାଙ୍କର ଗଭୀର ପ୍ରବେଶ ନଥିଲା । ରାଜନେତା ବା ଆମ ସାମ୍ବାଦିକଙ୍କ ପରି ସେ ପଲ୍ଲବଗ୍ରାହୀ ନଥିଲେ। ସବୁ ବିଷୟର ଗଭୀରତାକୁ ପଶିବା, ତନ୍ନ ତନ୍ନ କରି ତାର ବିଶ୍ଳେଷଣ କରିବା ଓ ତହିଁରୁ ମୌଳିକ ନିର୍ଯାସ ବାହାର କରିବାର ବୌଦ୍ଧିକ ଦକ୍ଷତା ତାଙ୍କର ରହିଥିଲା ।
ସେ ନିଜ ହାତରେ ଗୋଟେ ଶିକ୍ଷାନୁଷ୍ଠାନ ଗଢିଲେ। ଅଡଶପୁରର ୟୁଏନ୍ କଲେଜ ଶିକ୍ଷା କ୍ଷେତ୍ରରେ ଗୋଟେ ପ୍ରୟୋଗଶାଳା। ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଏହାର ସବୁ ଦାୟିତ୍ଵ ସେ ନିଜେ ବୁଝୁଥିଲେ। ଶିକ୍ଷା କ୍ଷେତ୍ରରେ ପିଲାଙ୍କ ସହିତ ତାଙ୍କ ସମ୍ପୃକ୍ତି ମୁଁ ଦେଖିଛି। କଲେଜର ଏମିତି କୌଣସି କାର୍ଯ୍ୟକ୍ରମ ନାହିଁ ଯେଉଁଥିରେ ସେ ନଥିବେ। ଗତ ମାର୍ଚ୍ଚ ପ୍ରଥମ ସପ୍ତାହରେ ଆନ୍ତର୍ଜାତିକ ମହିଳା ଦିବସ କାର୍ଯ୍ୟକ୍ରମରେ ମୁଁ ପ୍ରଥମେ ଦେଖିଲି, ତ୍ରିଲୋଚନ ସାର୍ ଆସିନାହାନ୍ତି। ସେ ବୋଧହୁଏ ଥିଲା ଏକମାତ୍ର ବ୍ୟତିକ୍ରମ। ଅନୁଷ୍ଠାନ ଗଢ଼ିବା ପାଇଁ ନିଜର ସବୁ ଶକ୍ତି ଓ ସାମର୍ଥ୍ୟ ବିନିଯୋଗ କରିବା କ୍ଷେତ୍ରରେ ସେ ବୋଧହୁଏ ଆମ ସମୟର ଶେଷ ରାଜନେତା।
ସ୍ବାଧୀନତା ପରବର୍ତ୍ତୀ ଓଡ଼ିଶା ରାଜନୀତିରେ ସବୁବେଳେ ଦୁଇଟି ଧାରା ରହିଆସିଛି। ଗୋଟିଏ ଧାରାର ଆଦି ସ୍ରୋତ ହେଉଛନ୍ତି ନବକୃଷ୍ଣ ଚୌଧୁରୀ। ଏ ଧାରାର ରାଜନୀତିରେ ନୀତି, ଆଦର୍ଶ ଓ ମୂଲ୍ୟବୋଧ ହେଉଛି ମୂଳକଥା। ମୂଲ୍ୟବୋଧ ପାଇଁ କ୍ଷମତାକୁ ଗୋଇଠା ମାରିବାର କଳା ଓଡ଼ିଶା ରାଜନୀତିରେ ନବକୃଷ୍ଣ ଚୌଧୁରୀ ଶିଖାଇଥିଲେ। ଆଉ ଗୋଟେ ଧାରା ଯେଉଁଠି ରାଜନୀତି ଏକ କୌଶଳ। ସେଠି କ୍ଷମତା ପାଇଁ କୂଟନୀତି ଜରୁରୀ । ସେ ଧାରାର ଆଦି ସ୍ରୋତ ଡକ୍ଟର ହରେକୃଷ୍ଣ ମହତାବ । ତ୍ରିଲୋଚନ କାନୁନଗୋ ଚୌଧୁରୀ ଧାରାର ରାଜନେତା । କ୍ଷମତାର ପାଖାପାଖି ସେ ସବୁବେଳେ ରହିଛନ୍ତି, ହେଲେ ଚଉକି ମୋହରେ କେଉଁଠି ପଡିନାହାନ୍ତି । ରାଜନୀତିର ବ୍ୟୁହ ଭିତରେ ରହି, ତହିଁରୁ ମୁକୁଳି ଆସିବାର କଳା ସେ ଜାଣନ୍ତି । ପ୍ରାୟ ସମୟ ଆମେ ତାଙ୍କୁ ବିରୋଧୀ ରାଜନୀତିରେ ଦେଖିଛୁ । କଂଗ୍ରେସରୁ ରାଜନୀତି ଆରମ୍ଭ କରି, ସେ କଟ୍ଟର କଂଗ୍ରେସ ବିରୋଧୀ ହୋଇଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରି ସାନଭାଇ ପଂଚାନନ କାନୁନଗୋଙ୍କ ସାଙ୍ଗରେ ଜେଲ ଯାଇଛନ୍ତି । ୧୯୮୫-୧୯୮୯ ବିଧାନସଭାରେ ଯେତେବେଳେ ରାଜ୍ୟ ବିଧାନସଭାରେ ବିରୋଧୀଦଳର ଉପସ୍ଥିତି ନଗଣ୍ୟ, ସେତେବେଳେ ତ୍ରିଲୋଚନ କାନୁନଗୋ ଥିଲେ ଏକ ସର୍ବ ଶକ୍ତିମାନ ଶାସକ ଦଳ ଆଗରେ ଦୁର୍ଦ୍ଦମନୀୟ ବିରୋଧୀ । ସେ ବିଜୁ ଜନତା ଦଳର ଅନ୍ୟତମ ପ୍ରତିଷ୍ଠାତା । ହେଲେ କ୍ଷମତାର ଶୀର୍ଷରେ ବିଜେଡି ପହଞ୍ଚିଲା ବେଳକୁ ତ୍ରିଲୋଚନ କାନୁନଗୋ କ୍ଷମତା ବଳୟରେ ନାହାନ୍ତି । ତାଙ୍କୁ ଘେରି କ୍ଷମତାର ଲୋକ ଯେତିକି ଥାନ୍ତି, ତା ଠୁ ଅଧିକ ଥାନ୍ତି ବିକଳ୍ପ ଚିନ୍ତନରେ ବିଶ୍ଵାସୀ ସାମାଜିକ କର୍ମୀ ଓ ସତ୍ତା ବିରୋଧୀ ।
ବ୍ୟକ୍ତିଗତ ଭାବରେ ପଞ୍ଚୁ ଭାଇ ମୋର ବେଶୀ ଘନିଷ୍ଠ । ତ୍ରିଲୋଚନ ସାରଙ୍କ ସହିତ ଟିକେ ଭୟ ଓ ସମ୍ମାନର ସମ୍ପର୍କ । ଯେଉଁ ଅଳ୍ପ କେତେକ ଓଡିଆଙ୍କର ବୌଦ୍ଧିକ ଶକ୍ତି ମୋତେ ଅବାକ କରିଦିଏ, ସେମାନଙ୍କ ଭିତରୁ ତ୍ରିଲୋଚନ କାନୁନଗୋ ଅନ୍ୟତମ। କେଉଁ ଟେଲିଭିଜନ ଡିବେଟ ଦେଖି ସେ ଯେତେବେଳେ ଥରେ ଅଧେ କହିଛନ୍ତି, “ତମକୁ ଶୁଣିଲି”- ସେଠି ଟିକେ ଛାତି ଶଙ୍କି ଯାଇଛି । ସେ ମଞ୍ଚରେ ଥିଲେ କହିବା ପାଇଁ ଅଧିକ ସତର୍କ ହେବାକୁ ପଡେ । ଅଦ୍ଭୁତ ତାଙ୍କର ସ୍ମୃତି ଶକ୍ତି ।
ଓଡିଶା ରାଜନୀତିରେ ତ୍ରିଲୋଚନ କାନୁନଗୋ ଏକ ବିରଳ ଅନୁଷ୍ଠାନ । ଆମର ଦୁର୍ଭାଗ୍ୟ ଯେ ସେ ଅନୁଷ୍ଠାନର ଗହଳି କମିଯାଉଛି । ଆମର ସୌଭାଗ୍ୟ ଯେ ସେ ଅନୁଷ୍ଠାନର ସ୍ମୃତି ଆମ ରାଜନୀତି ଓ ସମାଜକୁ ସବୁବେଳେ ଛାଟ ଧରି ଜଗି ରହିଥିବ ଓ ସବୁ ଅନୀତିକୁ ଆକଟ କରୁଥିବ ।