ସତ୍ୟପାଲ ମଲ୍ଲିକଙ୍କ ସତ୍ୟର ପ୍ରମାଣ !!

ସତ୍ୟପାଲ ମଲ୍ଲିକଙ୍କ ସତ୍ୟର ପ୍ରମାଣ !!

ଜାମ୍ମୁ କାଶ୍ମୀରର ଶେଷ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ନରେନ୍ଦ୍ର ମୋଦୀ ସରକାରର କାଶ୍ମୀର ନୀତି ଉପରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି, ସେ ସବୁର ଅକାଟ୍ୟ ପ୍ରମାଣ ଖୋଦ ମୋଦୀ ସରକାର ହିଁ ଦେଇଛନ୍ତି । ମଲ୍ଲିକଙ୍କର ବିଷ୍ଫୋରକ ସାକ୍ଷାତ୍କାର ପ୍ରକାଶିତ ହେବାର ସପ୍ତାହେ ଭିତରେ ମୋଦୀ ସରକାରଙ୍କ ପୋଶା ଶୁଆ ସିବିଆଇ ସତ୍ୟପାଲ ମଲ୍ଲିକଙ୍କୁ  ସମନ କରିଛି । ଅବଶ୍ୟ ମଲ୍ଲିକ ନିଜେ ଯେହେତୁ ରିଲାଏନ୍ସ ଘୋଟାଲା ସମ୍ପର୍କରେ ଅଭିଯୋଗକାରୀ ସାକ୍ଷୀ ଭାବରେ ତାଙ୍କର ବୟାନ ଜରୁରୀ । ଏକାଧିକ ଥର ସତ୍ୟପାଲ ମଲ୍ଲିକ କହିଛନ୍ତି ଯେ କାଶ୍ମୀରର ସରକାରୀ କର୍ମଚାରୀଙ୍କ ପାଇଁ ଅନୀଲ ଅମ୍ବାନୀ ଗୋଷ୍ଠୀର ବୀମା ଏକ ବଡ ଘୋଟାଲା ଥିଲା । ରିଲାଏନ୍ସ ବୀମା କମ୍ପାନୀ ସହିତ ହୋଇଥିବା କାଶ୍ମୀର ସରକାରଙ୍କ ଚୁକ୍ତିକୁ ବାତିଲ ନ କରିବା ପାଇଁ ବିଜେପିର ତତ୍କାଳୀନ ସାଧାରଣ ସମ୍ପାଦକ ତଥା ସଂଘର  ପ୍ରଭାବଶାଳୀ ନେତା ରାମ ମାଧବ ଏବଂ କାଶ୍ମୀରର ପୂର୍ବତନ ଅର୍ଥମନ୍ତ୍ରୀ ହାସିବ ଡ୍ରାବୁ ତାଙ୍କ ଉପରେ ଚାପ ପକାଇଥିଲେ ବୋଲି ଶ୍ରୀ ମଲ୍ଲିକ ବାରମ୍ବାର କହି ଆସିଛନ୍ତି । ରାଜ୍ୟପାଳ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିବା କଥା ମଧ୍ୟ କହିଛନ୍ତି ।

ରାଜ୍ୟପାଳ ସତ୍ୟପାଳ ମଲ୍ଲିକ ଯେ ଏ ପ୍ରସଙ୍ଗରେ ସତ୍ୟ କହିଛନ୍ତି, ତାର ପ୍ରମାଣ ସିବିଆଇ ଦେଇଛି । ଏହି ମାମଲାର ତଦନ୍ତ ଗତ କିଛି  ବର୍ଷ ହେଲା ସିବିଆଇ କରୁଛି । ତେବେ ମାମଲାରେ ଅଭିଯୁକ୍ତ ରାମ ମାଧବ, ହସିବ ଡ୍ରାବୁ ଏବଂ ଅନୀଲ ଅମ୍ବାନୀଙ୍କୁ ଏ ବିଷୟରେ ସିବିଆଇ ଡାକି ପଚରା ଉଚୁରା କରିବା କିମ୍ବା ସେମାନଙ୍କ ଗିରଫଦାରୀ ବିଷୟରେ ଚିନ୍ତା କରିବାକୁ ସିବିଆଇ ଉଚିତ ଭାବିନାଇଁ । କାଶ୍ମୀର ପ୍ରସଙ୍ଗରେ ରାଜ୍ୟପାଳ ମଲ୍ଲିକ ସିଧା ସିଧା ପ୍ରଧାନମତ୍ରୀଙ୍କୁ ପ୍ରଶ୍ନ କରିବା ପରେ ଏବେ ତାଙ୍କୁ ଇ ସିବିଆଇ ଜେରା କରିବାକୁ ଡାକିଛି ।

ମୋଦୀ ସରକାରର ଗୋଟେ ଭଲ ଗୁଣ ହେଉଛି, ରାଜନୀତିରେ ଯେ କୌଣସି ଅନୈତିକ କାମ କରିବାକୁ ଏହା ଭୟ କରେ ନାହିଁ ଓ ନିଜ ବିରୋଧୀଙ୍କୁ ନିର୍ଲଜ ଭାବରେ ଓ ଖୋଲାଖୋଲି ହଇରାଣ କରିବାର ପ୍ରକ୍ରିୟାକୁ ଏହା ଲୁଚାଇବାକୁ ଉଚିତ ବୋଲି ଭାବେ ନାଇଁ । ଯେ ହେତୁ ସତ୍ୟପାଳ ମଲ୍ଲିକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଦୁର୍ନୀତି ପ୍ରତି ବେଶ ଉଦାର” ଏବଂ “କାଶ୍ମୀର ପ୍ରସଙ୍ଗରେ ଅତ୍ୟନ୍ତ ଅଜ୍ଞ” ବୋଲି କହିଛନ୍ତି, ତେଣୁ ତାଙ୍କୁ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ । ଯିଏ ମୋଦୀ ସରକାରକୁ  ବିରୋଧ କଲା ତା ପଛରେ ମୋଦୀ ସରକାର ବିନା ଦ୍ଵିଧାରେ ନିଜ ପୋଷା ଏଜେନ୍ସିମାନଙ୍କୁ ଲଗାଇବେ- ଏହା ହିଁ ତାଙ୍କର ବୀରତ୍ଵ ।  

ପୁଲୱାମାରେ ୪୦ ଜଣ ଯବାନଙ୍କ ସହିଦ ହେବା  ପ୍ରସଙ୍ଗରେ ଯେଉଁ ନିର୍ଦ୍ଦିଷ୍ଟ ସୁରକ୍ଷା ତ୍ରୁଟି କଥା ରାଜ୍ୟପାଳ ମଲ୍ଲିକ କହିଥିଲେ- ସେ ବିଷୟରେ ମୋଦୀ ସରକାରର ପାଟି ଫିଟୁ ନାହିଁ । ମୋଦୀ ସରକାର ଦେଶବାସୀଙ୍କୁ ଉତ୍ତର ଦେବାର ଆବଶ୍ୟକତା ଅଛି ଯେ-

  • କାହିକି ସିଆରପିଏଫର ଅନୁରୋଧ ସତ୍ତ୍ୱେ ଯବାନଙ୍କୁ ବିମାନ ଯୋଗେ ସ୍ଥାନାନ୍ତରିତ କରାଗଲା ନାହିଁ? ଗୃହ ବିଭାଗ ଏ ପ୍ରସଙ୍ଗରେ ଉତ୍ତର କାହିଁକି ଦେଉନାହିଁ ?
  • ପୁଲୱାମା ରାସ୍ତାକୁ ସଂଯୋଗ କରୁଥିବା ରାସ୍ତା ଗୁଡିକରେ ସୁରକ୍ଷା ବ୍ୟବସ୍ଥା କାହିଁକି ହୋଇନଥିଲା ?
  • ଏତେ ପରିମାଣର ଆରଡିଏକ୍ସ ଥିବା ଏକ ଗାଡିକୁ ଏତେ ଦିନ ଧରି କେହି କେମିତି ଠାବ କରିପାରିଲେ ନାହିଁ ?
  • ପୁଲୱାମାରେ ଏତେ ବଡ ଦୁର୍ଘଟଣା ଘଟୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ସିନେମା ଶୁଟିଙ୍ଗ ରେ ବ୍ୟସ୍ତ ଥିଲେ ନା ନାଇଁ ?
  • ସୁରକ୍ଷା ପ୍ରସଙ୍ଗରେ ରାଜ୍ୟପାଳ ମଲ୍ଲିକଙ୍କୁ ଚୁପ ରହିବାକୁ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ଚାପ ପକାଇଥିଲେ କାହିଁକି ?

ଏ ସବୁ ପ୍ରଶ୍ନର ଉତ୍ତର ନ ରଖି ସତ୍ୟପାଲ ମଲ୍ଲିକଙ୍କ ପଛରେ ସିବିଆଇକୁ ଲଗାଇଲେ ସତ୍ୟ ଲୁଚିଯିବ ନାଇଁ । ସବୁଠୁ ମଜା କଥା ହେଉଛି –ସତ୍ୟପାଲ ମଲ୍ଲିକଙ୍କ ସାକ୍ଷାତକାରକୁ ଅଣଦେଖା କରିଥିବା ଆମର ଗଣମାଧ୍ୟମ ଏବେ ସିବିଆଇ ସମନ ବିଷୟରେ ବଡ ଖବର ଦେଖାଉଛି । ଆଜି ପ୍ରଶ୍ନ ଉଠୁଛି, ରିଲାଏନ୍ସ ଦୁର୍ନୀତି ମାମଲାରେ ରାମ ମାଧବଙ୍କୁ ସିବିଆଇ ଜେରା କରିବ କେବେ ?  ରାମ ମାଧବଙ୍କ ଭଳି ସଂହାର ଆହୁରି ଅନେକ ନେତା କାଶ୍ମୀରରେ ପ୍ରଶାନ ଉପରେ ଚାପ ପକାଇ କାମ ହାସଲ କରୁଥିବା ଖବର ଏବେ ଆସୁଛି । ସିବିଆଇ ସେମାନଙ୍କୁ କେବେ ଧରିବ? ହସିବ ଡ୍ରାବୁ ଏବଂ ଅନୀଲ ଅମ୍ବାନୀ କେବେ ସିବିଆଇ ପଞ୍ଝାକୁ ଆସିବେ ?

ସତ୍ୟପାଲ ମଲ୍ଲିକ ବିରୋଧୀ ଦଳ ନେତା ନୁହନ୍ତି । ତାଙ୍କୁ ଖୋଦ ମୋଦୀ ସରକାର କାଶ୍ମୀର ଦାୟିତ୍ଵ ଦେଇଥିଲା ଓ ତାଙ୍କରି ସମୟରେ କାଶ୍ମୀରରୁ ଧାରା ୩୭୦ ହଟିଥିଲା । ତେଣୁ ତାଙ୍କୁ ସିବିଆଇର ଡର ଦେଖାଇ ଚୁପ କରାଇବାର ପ୍ରକ୍ରିୟା  ମୋଦୀ ସରକାର ପାଇଁ ଆତ୍ମଘାତୀ ହୋଇପାରେ ।