ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ

ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ
ପିଲାଦିନେ ଦୁଇଟି ଜିନିଷ ପ୍ରତି ଥିଲା ଦୁର୍ବାର ଆକର୍ଷଣ । ପ୍ରଥମଟି ଥିଲା ଚିନି ଓ ଦ୍ୱିତୀୟଟି ଥିଲା ଅମୁଲ୍ । ଦୁଇଟିଯାକ ଆମପରି ପିଲାମାନଙ୍କ ହାତ ପାହାନ୍ତିରେ ନଥିଲା । ମାସକୁ ଥରେ କଣ୍ଟ୍ରୋଲ୍ ଦୋକାନରୁ ଚିନି ଆସୁଥିଲା । ମା ତାକୁ ପୁରୁଣା ଅମୁଲ୍ ଟିଣ ଡବାରେ ପୁରେଇ ସାଇତି ରଖୁଥିଲା । ଜଳଖିଆ ଖାଇଲାବେଳକୁ ଦେଉଥିଲା । ଆଉ ଅମୁଲ୍ ଅକାଳେ ସକାଳେ ଆସୁଥିଲା । ଆମମାନଙ୍କୁ ଅମୁଲର ସ୍ୱାଦ ସେତେବେଳକୁ ସ୍ୱର୍ଗୀୟ ମନେହେଉଥିଲା । ବଡ଼ କଷ୍ଟରେ ମାଗି ମାଗି ଚାମୁଚେ ଅମୁଲ୍ ଗୁଣ୍ଡ ମିଳୁଥିଲା ଓ ତାକୁ ଆମେ ଚାଟି ଚାଟି ଖାଉଥିଲୁ । କେବେ କେବେ ମିଲ୍କ ପାଉଡର୍ ନାମରେ ଗୁଣ୍ଡ ଦୁଧ ବି ସ୍କୁଲରେ ମିଳୁଥିଲା, କିନ୍ତୁ ତା'ର ସ୍ୱାଦ ଅମୁଲ୍ ପରି ନଥିଲା । ଲୋକେ ଗାଈ ଦୁଧର ଚା' ଠାରୁ ଅମୁଲ୍ ଚା' ପିଇବାକୁ ସମ୍ଭ୍ରାନ୍ତୀୟ ମନେକରୁଥିଲେ । ବିଶେଷ ଅତିଥି ଆସିଲେ ଅମୁଲ୍ ଦୁଧରେ ଚା' ତିଆରି କରାଯାଉଥିଲା । ମୁଁ  ସେଇ ପିଲାଦିନେ ନିଷ୍ପତ୍ତି ନେଇଥିଲି ବଡ଼ ହେଲେ ଚାକିରି ବାକିରି କଲେ ଏକାଥରେ ପୁଳେ ଅମୁଲ୍ ଡବା କିଣି ଘରେ ରଖିବି ଓ ଯାଉଣୁ ଆସୁଣୁ ଚାମୁଚେ ଲେଖା ଖାଇବି । ମୋ ସାନ ଭାଇର ବି ସେଇ ଏକା ପରି ମନସ୍କାମନା ଥିଲା । ଏବେ ଅବଶ୍ୟ ମୋତେ ଅମୁଲ୍ ଚା' ଭଲ ଲାଗେନି । କିନ୍ତୁ ସୁବିଧା ସୁଯୋଗ ପାଇଲେ ଅମୁଲ୍ ଚାମୁଚେ ପାଟିରେ ପକେଇ ଖାଇବାକୁ ଭଲଲାଗେ । କୋଷ୍ଠକାଠିନ୍ୟର ଭୟରେ ବେଶୀ ଖାଇପାରେନି । ଅମୁଲ୍ ତା'ର ବିଜ୍ଞାପନରେ ଠିକ୍ କଥା କୁହେ; ଅମୁଲ୍ ଦି ଟେଷ୍ଟ ଅଫ ଇଣ୍ଡିଆ । ତେବେ ପିଲାଦିନର ସେ ଚମତ୍କାରୀ ସ୍ୱାଦ ମୁଁ କିନ୍ତୁ ଆଉ ଆଜିର ଅମୁଲରେ ପାଏନି ।
ଘରେ ଆମର ବେଶ୍ କେତେଟା ପୁରୁଣା ଅମୁଲ୍ ଡବା ଥିଲା । ସେଥିରେ ମା ବିଭିନ୍ନ ଖାଦ୍ୟ ପଦାର୍ଥ ସବୁ ସାଇତି ରଖୁଥିଲା । ଗାଁରେ ଅନେକଙ୍କ ଘରେ ପୁରୁଣା ଅମୁଲ୍ ଡବା ସବୁ ଥିଲେ । ଅମୁଲ୍ ଡବା ଅନେକଙ୍କ ଘରେ ଏତେ ପରିମାଣର ଥିବାର କାରଣ ନୁହେଁ ଯେ ସେବେ ଆମ ଗାଁର ଲୋକେ ଅମୁଲ ଚା' ପିଇବାକୁ ପସନ୍ଦ କରୁଥିଲେ । ପ୍ରକୃତ କାରଣଟି ହେଲା ସାନ ସାନ ପିଲାଙ୍କୁ ସେବେ ଅମୁଲ ଦୁଧ ପୁଷ୍ଟିକର ଶିଶୁ ଖାଦ୍ୟ ଭାବରେ ଖାଇବାକୁ ଦିଆଯାଉଥିଲା । ଘର ତିଆରି ଶିଶୁ ଖାଦ୍ୟକୁ ଛାଡିଦେଲେ ବଜାରରେ ଅମୁଲ୍ ହିଁ ଏକମାତ୍ର ଶିଶୁଖାଦ୍ୟ ଭାବରେ ଉପଲବ୍ଧ ଓ ବହୁଳ ପ୍ରଚଳିତ ଥିଲା । ମୋଟା ରୋଟା ଗୁଲୁଗୁଲିଆ ପିଲାଙ୍କୁ ଅମୁଲ୍ ଛୁଆ କୁହାଯାଉଥିଲା । ଅମୁଲ୍ ଡବା ଉପରେ ବି ଗୋଟେ ସୁନ୍ଦରିଆ ପିଲାର କଳା ଧଳା ମୁହଁ ଛପା ଯାଇଥିଲା । ପରେ ସେ ପିଲାମୁହଁ ବଦଳରେ ଠେକୁଆ ମୁହଁ ଦିଆଗଲା । ସେବେ ଆମେ ଯେକୌଣସି ମୋଟା ରୋଟା ଗୁଲୁଗୁଲିଆ ପିଲାଙ୍କୁ ସ୍କୁଲରେ ଅମୁଲ୍ ଛୁଆ ବୋଲି କହି ଚିଡାଉଥିଲୁ । ଶିଶୁ ଖାଦ୍ୟ ଭାବରେ ଅମୁଲର ବ୍ୟବହାର ସାମାଜିକ ଜୀବନରେ ଗୋଟେ ଧାରଣାର ପ୍ରଚଳନ କଲା, ଯେଉଁଠି ଲୋକେ ବିଶ୍ୱାସ କଲେ ଅମୁଲ ଦୁଧ ପିଲାକୁ କେବଳ ଗୋଲ ମୋଟଲ୍ କରିବ ସିନା ଆବଶ୍ୟକୀୟ ବଳ ଯୋଗାଇ ଶାରିରୀକ ଭାବରେ ଶକ୍ତିଶାଳୀ କିନ୍ତୁ କରିପାରିବନି ।
ଏବେ ଅମୁଲ୍ ବିଷୟରେ ଜାଣିବା । ଅମୁଲର ଜନ୍ମ ୧୯୪୬ ଡିସେମ୍ବର ୧୪ ତାରିଖରେ ଗୁଜୁରାଟରେ ହେଇଥିଲା । ମାନେ ଭାରତ ସ୍ୱାଧୀନତା ପାଇବାର ଗୋଟେ ବର୍ଷ ଆଗରୁ । ଅମୁଲ୍ ବ୍ୟକ୍ତିଗତ କମ୍ପାନୀ ଭାବରେ ନୁହେଁ ବରଂ ଏକ ସମବାୟ ସମିତି ଭାବରେ ଆରମ୍ଭ ହେଇଥିଲା । ଆନନ୍ଦ ମିଲ୍କ ୟୁନିୟନ୍ ଲିମିଟେଡ୍ ହିଁ ସଂକ୍ଷେପରେ ଅମୁଲ୍ ହେଇଛି । ସଂସ୍କୃତରେ ଅମୁଲ୍ୟ ବୋଲି ଶବ୍ଦଟିଏ ଅଛି । ଅମୁଲକୁ ପରିଚାଳନା କରନ୍ତି ଗୁଜରାଟ କୋ ଅପରେଟିଭ୍ ମିଲ୍କ ମାର୍କେଟିଙ୍ଗ ଫେଡେରେସନ୍ ଲିମିଟେଡ୍ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ କଥାରେ ତ୍ରିଭୂବନଦାସ କିଶିଭାଇ ପଟେଲ୍ ଅମୁଲର ପ୍ରଥମ ଚେୟାରମ୍ୟାନ୍ ହେଇଥିଲେ ଓ ୧୯୪୯ରେ ଭର୍ଗେଶ କୁରିଆନଙ୍କୁ ତାଙ୍କୁ ଆସି ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ । କୁରିଆନ୍ ପ୍ରଥମେ ଜେନେରାଲ୍ ମ୍ୟାନେଜର୍ ପରେ କିଶିଭାଇଙ୍କ ଦେହାନ୍ତ ପରେ ତିରିଶ ବର୍ଷ ଧରି ଚେୟାରମ୍ୟାନ୍ ହେଇ ରହିଥିଲେ । କୁରିଆନଙ୍କ ଅଧ୍ୟବସାୟ, ନିଷ୍ଠା ଓ ଦୂରଦୃଷ୍ଟି  ହିଁ ଅମୁଲକୁ ପରିଚୟ ଦେଇଥିଲା । ଭାରତରେ ସେଉଠୁ ଆରମ୍ଭ ହେଇଥିଲା ଅପରେସନ୍ ଫ୍ଲଡ ବା ଦୁଗ୍ଧ ବନ୍ୟା ।
ଦୁଧ ଚାଷୀଙ୍କ ଦୁରାବସ୍ଥା ଓ ଦୁଧ ବେପାରୀଙ୍କ ଦୌରାତ୍ମ୍ୟରୁ ସେମାନଙ୍କୁ ରକ୍ଷା କରିବାକୁ ଏକ ବ୍ୟବସ୍ଥାର ଆବଶ୍ୟକତା ଥିଲା । ସେ ସମୟରେ ବମ୍ବେ ସହର ପାଇଁ ଆବଶ୍ୟକୀୟ ଦୁଧ ମୁଖ୍ୟତଃ ଗୁଜରାଟର ଆନନ୍ଦ ଅଞ୍ଚଳରୁ ଆସୁଥିଲା । ଦୁଧ ବେପାରୀମାନେ ତାଙ୍କ ଇଚ୍ଛା ମୁତାବକ ଦର ଧାର୍ଯ୍ୟ କରୁଥିଲେ ଓ ବିଭିନ୍ନ ବାଗରେ ଦୁଧ ଚାଷୀଙ୍କୁ ଶୋଷଣ କରୁଥିଲେ । ସ୍ଥାନୀୟ କୃଷକ ନେତା ତ୍ରିଭୂବନଦାସ ପଟେଲ ଏ ବିଷୟରେ ଯେବେ ସର୍ଦ୍ଦାର ପଟେଲଙ୍କୁ ଜଣେଇଲେ ପଟେଲ୍ ଉପଦେଶ ଦେଲେଲଯେ ସେମାନେ ଏକ ସମବାୟ ସମିତି ଗଠନ କରନ୍ତୁ । ସେଉଠୁ ଏକ ସମବାୟ ସମିତି ଆରମ୍ଭ ହେଲା ଓ ଅନେକ ଲଢେଇ ପରେ ଯାଇଁ ସମିତି  ସିଧାସଳଖ ବମ୍ବେକୁ ଦୁଧ ପଠେଇଥିଲା । ଚାଷୀମାନେ ଦୁଇ ପଇସା ଅଧିକ ରୋଜଗାର କରିଥିଲେ ।
ଘଟଣାର କାହାଣୀ ଆରମ୍ଭ ହେଇଥିଲା ଗୁଜରାଟର କଇରା ଅଞ୍ଚଳରୁ । ସ୍ଥାନୀୟ ଚାଷୀଙ୍କ ଆର୍ଥୀକ ଅବସ୍ଥା ଆଦୌ ଭଲ ନଥିଲା । କେବଳ ଚାଷ ଉପରେ ନିର୍ଭର କରି ପରିବାରର ଭରଣ ପୋଷଣ କାଠିକର ପାଠ ଥିଲା । ସେମାନେ ପାଳିଥିବା ଦୁଧିଆଳୀ ମଇଁଷିଙ୍କ ଦୁଧରୁ ବି ସେମିତି କିଛି ଲାଭ ବାହାରୁନଥାଏ । ଦୁଧକୁ କିଣୁଥିବା ବେପାରୀମାନେ ଚାଷୀମାନଙ୍କର ଅସହାୟତାରୁ ଭଲ ଲାଭ ଉଠଉଥିଲେ । କାରଣ ଦୁଧକୁ ଅନ୍ୟ ଦ୍ରବ୍ୟ ପରି ଅଧିକ ସମୟ ସଂରକ୍ଷଣ କରାଯାଇପାରୁନଥିଲା । ନୀରକ୍ଷର ଚାଷୀମାନେ ବୁଝି ପାରୁନଥିଲେ ଯେ, ତାଙ୍କ ପାଖରୁ କମ୍ ଦରରେ ଦୁଧ କିଣି ବେପାରୀ କଣ୍ଟ୍ରାକ୍ଟର ବେଶ୍ ଭଲ ମୁନାଫା କମଉଛି କେମିତି । ବମ୍ବେ ସରକାର ୧୯୪୫ରେ ବମ୍ବେ ମିଲ୍କ ସ୍କିମ୍ ଆରମ୍ଭ କଲେ । ଗୁଜୁରାଟର ଆନନ୍ଦରୁ ବମ୍ବେ ସହରର ଦୂରତା ଚାରି ଶହ ସତେଇଶ କିଲୋମିଟର । ତେଣୁ ବିନା ଶୀତଳୀକରଣ ପ୍ରକ୍ରୀୟାରେ ଏତେ ଦୂର ଯାଏଁ ଦୁଧ ଯାଇପାରିବନି । ତେଣୁ ବମ୍ବେ ସରକାର ପୋଲସନ୍ ନାମକ ଏକ କମ୍ପାନୀ ସହ କଥା ହେଲେ । କଥା ହେଲା; ପୋଲସନ୍ ପାଶ୍ଚରାଇଜଡ୍ ଦୁଧ ବମ୍ବେରେ ପହଞ୍ଚାଇବ । ବମ୍ବେର ସମସ୍ୟା ସମାଧାନ ହେଲା । ପୋଲସନ୍ କମ୍ପାନୀ ତା' ଭାଗ ଲାଭ ପାଇଲା । ନିତିଦିନର ଦୁଧ ବିକ୍ରୀ ନିଶ୍ଚିନ୍ତ କରାଇ ଚାଷୀମାନଙ୍କ ପାଖରୁ ଦୁଧ ସଂଗ୍ରହ କରୁଥିବା କଣ୍ଟ୍ରାକ୍ଟରମାନେ ଭଲ ମୁନାଫା କମେଇଲେ । କିନ୍ତୁ ଦୁଧ ଚାଷୀମାନଙ୍କ ଅବସ୍ଥାରେ କିଛି ବି ପରିବର୍ତ୍ତନ ଆସିଲାନି । ପୂର୍ବାବସ୍ଥା ବଳବତ୍ତର ରହିଲା । ଚାଷୀମାନେ ସେମାନଙ୍କ ଦୁର୍ଦ୍ଦଶା ଜଣାଇବାକୁ ସର୍ଦ୍ଦାର ପଟେଲଙ୍କୁ ଭେଟିଲେ । ପଟେଲ୍ ମଧ୍ୟ ଚାହୁଁଥିଲେ ଚାଷୀମାନଙ୍କର ଅବସ୍ଥାରେ ସୁଧାର ଆସୁ । ଆଜିର ରାଜନେତାଙ୍କ ପରି ସେ ଚାଷୀ ମାରଣ ଓ ପୁଞ୍ଜିପତି ପୋଷଣକାରୀ ନୀତିରେ ନଥିଲେ । ପଟେଲ୍ ଚାଷୀମାନଙ୍କୁ ସାହାଯ୍ୟ କରିବାକୁ ତାଙ୍କ ସହଯୋଗୀ ମୋରାରାଜୀ ଭାଇ ଦେଶାଇଙ୍କୁ କଇରା ପଠେଇଲେ ଦୁଧ ଚାଷୀଙ୍କ ଆନ୍ଦୋଳନକୁ ନେତୃତ୍ୱ ଦେଇ ଆଗକୁ ନେବାକୁ । ଚାଷୀମାନଙ୍କର ଦାବୀ ଥିଲା ବିନା କଣ୍ଟ୍ରାକ୍ଟରରେ ସେମାନଙ୍କ ସମବାୟ ପାଖରୁ ଦୁଧ ସିଧାସଳଖ କିଣାଯାଉ । ସରକାର କିନ୍ତୁ ଚାଷୀଙ୍କ କଥା ଶୁଣିଲେନି । ତେଣୁ ପନ୍ଦର ଦିନ ପର୍ଯ୍ୟନ୍ତ ଦୁଧଚାଷୀ ସେମାନଙ୍କ ଦୁଧ କାହାକୁ ବି ବିକ୍ରୀ ନକରି ଆନ୍ଦୋଳନ କଲେ । ଆନନ୍ଦରୁ ଠୋପାଏ ବି ଦୁଧ ଏଥର ବମ୍ବେରେ ପହଞ୍ଚିଲାନି । ପନ୍ଦରଦିନ ପରେ ବମ୍ବେର ମିଲ୍କ କମିଶନର୍ ତାଙ୍କ ସହଯୋଗୀକୁ ଧରି ଆନନ୍ଦରେ ପହଞ୍ଚିଲେ ଓ ଚାଷୀ ନେତାଙ୍କ ସହ କଥା ହେଇ ସେମାନଙ୍କ ଦାବୀକୁ ମାନିନେଲେ । ପ୍ରଥମେ ଅଳ୍ପ ଚାଷୀ ସମବାୟ ସମିତିରେ ଯୋଗ ଦେଇଥିଲେ । କିନ୍ତୁ ପରେ ପରେ ଆହୁରି ଚାଷୀ ସେଥିରେ ସାମିଲ୍ ହେଲେ । ଅଧିକ ଦୁଧ ଆସିବାରୁ ବଳକା ଦୁଧକୁ ଗୁଣ୍ଡ ଦୁଧକୁ ରୂପାନ୍ତରିତ କରିବାର କାରଖାନା ବସାଗଲା । ସେଉଠୁ ଆରମ୍ଭ ହେଲା ଅମୁଲ୍ ଦୁଧ ଗୁଣ୍ଡର ରାଜୁତି । ବଟର୍ ତିଆରି କାରଖାନା ବି ବସିଲା ।
ଅମୁଲ୍ ମଡେଲର ସଫଳତା ପରେ ଦେଶର ଭିନ୍ନ ଭିନ୍ନ ପ୍ରାନ୍ତରରେ ତା'ର ପରୀକ୍ଷା କରାଗଲା ଓ ସଫଳତା ମଧ୍ୟ ମିଳିଲା । କ୍ରମେ ଭାରତ ବିଶ୍ୱର ଏକ ନମ୍ବର ଦୁଗ୍ଧ ଉତ୍ପାଦନକାରୀ ଦେଶ ହେଇଗଲା । ଆମ ଓଡ଼ିଶାରେ ଅମୁଲ୍ ମଡେଲରେ ଓମଫେଡ୍ ଆରମ୍ଭ କରାଯାଇଥିଲା ।
ଅମୁଲ୍ ତା'ର ଦୁଧ ଓ ଅନ୍ୟାନ୍ୟ ଜିନିଷ ବିଷୟରେ ଗ୍ରାହକମାନଙ୍କୁ ଅବଗତ କରାଇବାକୁ ବିଜ୍ଞାପନ ଆରମ୍ଭ କଲା । ବିଭିନ୍ନ କାରଣରୁ ଅମୁଲର ବିଜ୍ଞାପନ ଅନେକଙ୍କୁ ଭଲଲାଗେ । ସହରର ଠାଏ ଠାଏ ଅମୁଲର ବିଜ୍ଞାପନ ଥିବା ହୋର୍ଡଂ ମୋର ଅତ୍ୟନ୍ତ ପ୍ରିୟ । ସାମ୍ପ୍ରତିକ ଘଟଣାକୁ ନେଇ ଅମୁଲ୍ ବଟରର ବିଜ୍ଞାପନ ଆଜି ବି ବେଶ ଲୋକପ୍ରିୟ । ୧୯୬୬ରେ ଅମୁଲ୍ ଦୈନନ୍ଦିନ ଜୀବନର ଘଟଣାକୁ ନେଇ ତା'ର ବିଜ୍ଞାପନ ଆରମ୍ଭ କରିଥିଲା । ଦୀର୍ଘ ଦିନ ଧରି ଚାଲିଥିବା ଲୋକପ୍ରିୟ ବିଜ୍ଞାପନ ଭାବରେ ଗିନିଜ୍ ୱାର୍ଲଡ ରେକର୍ଡ ବି ଅମୁଲ୍ ନାମରେ ରହିଛି । ପୋଲକା ଡଟ୍ ଥିବା ଫ୍ରକ୍ ପିନ୍ଧିଥିବା, ଚୁଳକୁ ଟେକି ବାନ୍ଧିଥିବା ଅମୁଲ୍ ଗାର୍ଲକୁ କିଏ ବା ନଚିହ୍ନେ? ଅମୁଲକୁ ଲୋକପ୍ରିୟ କରିବାକୁ ୧୯୬୭ରେ ବମ୍ବେର ଏକ ବିଜ୍ଞାପନ କମ୍ପାନୀ ବ୍ରାଣ୍ଡଆମ୍ବାସଡର ଭାବରେ ଅମୁଲ୍ ଗାର୍ଲକୁ ତିଆରି କରିଥିଲେ । ଆଜି ତ ଅମୁଲ ତା'ର ବ୍ରାଣ୍ଡକୁ ଦି ଟେଷ୍ଟ ଅଫ ଇଣ୍ଡିଆ ସ୍ଲୋଗାନ ଦେଇ ବିକ୍ରୀ କରେ ।
ଲୋକପ୍ରିୟ ଅମୁଲର କାହାଣୀ ଖୁବ୍ ରୋମାଞ୍ଚଭରା । ସେଇ କାହାଣୀକୁ ନେଇ ୧୯୭୬ ମସିହାରେ ଶ୍ୟାମ ବେନେଗଲ୍ ‘ମନ୍ଥନ’ ନାମରେ ଗୋଟେ ଚମତ୍କାର ହିନ୍ଦୀ ସିନେମା ତିଆରି କରିଥିଲେ । ସିନେମା ପାଇଁ ଆବଶ୍ୟକ ହେଇଥିବା ଅର୍ଥରାଶିକୁ ପାଞ୍ଚ ଲକ୍ଷ ଚାଷୀ ଦୁଇ ଦୁଇ ଲେଖା ଟଙ୍କା ଦେଇ ଭରଣା କରିଥିଲେ । ଭାରତରେ କ୍ରାଉଡ୍ ଫଣ୍ଡିଂରେ ସିନେମା ନିର୍ମାଣ କରିବାରେ ଏଇଟି ପ୍ରଥମ ଘଟଣା ଥିଲା । ସିନେମାରେ ଗିରୀଶ କନ୍ନଡ, ସ୍ମିତା ପାଟିଲ୍, ନାସିରୁଦ୍ଦିନ୍ ସାହା ଓ ଅମରିଶ ପୁରୀ ଆଦିଙ୍କ ସହ ଆମ ଓଡ଼ିଆ ଅଭିନେତା ସାଧୁ ମେହେର ମଧ୍ୟ ଅଭିନୟ କରିଥିଲେ । ସିନେମା ଜାତୀୟ ପୁରସ୍କାର ପାଇଥିଲା । ସିନେମାଟିକୁ ସମସ୍ତେ ଦେଖିବା କଥା ।  ଭାରତରେ ଏବେ ସମବାୟ ଆନ୍ଦୋଳନ ଏକପ୍ରକାର ଅସଫଳ ହେଇସାରିଛି । ଯେଉଁଠି ଦିଇଟା ମଣିଷଙ୍କ ମନ ଏକାଠି ହେଇପାରୁନି ସେଠି ଅନେକଙ୍କୁ ନେଇ କିଛି ବି ସମବାୟ ଭାବରେ କରିବା ଦିବାସ୍ୱପ୍ନ ହେଇସାରିଲାଣି । ଆଜି ସମବାୟ ଢାଞ୍ଚାରେ ଗଢା ଅମୁଲର ବାର୍ଷିକ ଟର୍ଣ୍ଣଓଭର ବାବନ ହଜାର କୋଟି ଟଙ୍କା । ଆଜି ବି ଅମୁଲ୍ ସହ ଯୋଡି ହେଇ ରହିଛନ୍ତି ହଜାର ହଜାର ଦୁଧ ଚାଷୀ । ଅମୁଲ୍ ଦିନକୁ ପ୍ରାୟ ୧୮,୬୦୦ ଗାଁରୁ ସଂଗୃହିତ ହୋଇଥିବା ୨୬.୩ ମିଲିୟନ ଲିଟର୍ ଦୁଧ ବଜାରରେ ବିକ୍ରୀ କରେ । ଅମୁଲ୍ ମଡେଲକୁ ଦେଶ ଓ ଦେଶ ବାହାରର ପାଠ୍ୟକ୍ରମରେ ସାମିଲ୍ କରାଯାଇ ପିଲାଙ୍କୁ ସେ ବିଷୟରେ ପାଠ ମଧ୍ୟ ପଢାଯାଉଛି ।