ପୁନର୍ଜନ୍ମ
ମୁଁ ଜନ୍ମ ନେଉଥାଏ ବାରମ୍ବାର
କାହା ଶବ୍ଦରେ
କାହା ସ୍ବରରେ
କାହାର ଭଲ ପାଇବାରେ
ମୋତେ ନେଇ ତୋଳାଯାଏ
କେତେ କେତେ ବାଲିଘର
ଅଂକାଯାଏ ଚିତ୍ର, ବୁଣାଯାଏ ପାଟ
ଅଥଚ ମୁଁ ସବୁଠୁ ମୁକୁଳି ବାଛିନିଏ
ନିଜ ପାଇଁ ଅଲଗା ଗୋଟେ ବାଟ
ଯୋଉ ହାତ, ଯୋଉ ଆଖି, ଯୋଉ ତୂଳି
ମୋତେ ତୋଳି ଧରିବାର ପ୍ରୟାସରେ
ହୁଅନ୍ତି ଲହୁଲୁହାଣ
ହୁଅନ୍ତି ଆନମନା ନିଜର ନିଜର
ପରିଚୟ ଭୁଲି
ମୁଁ ଖାସ୍ ସେମାନଙ୍କ ପାଇଁ
ବୁଣେ ଆକାଶରେ ପକ୍ଷୀ
ଆଂକେ ସମୁଦ୍ରରେ ଢେଉ
ଭରେ ଝରଣାରେ ସ୍ବର
ମୁଁ ସୀମାହୀନତାର ସମାହାରଟେ
ହୋଇଥିବି ସତ
ତଥାପି ମୋ ଭିତରେ
ଅନୁରଣିତ ଅହରହ
ଦିଶାହୀନ ଦିଗବଳୟଟିଏ
ସମସ୍ତଙ୍କୁ ସାଉଁଟି
ବାରମ୍ବାର ହେଉଥାଏ ପୁନର୍ଜନ୍ମ ମୋର
ଏପରିକି ମୃତ୍ୟୁ ସହ ଓ ପ୍ରତିଟି
ଓଲଟି ସାରିଥିବା ପୃଷ୍ଠା ସହ