ପ୍ରେମନାମା

ପ୍ରେମନାମା

ତମେ କ'ଣ ସତରେ ମତେ ଭଲପାଅ ?

ହଁ କୁହ ତ' ସେୟା

ସବୁଠି କୁହ

ସମସ୍ତ ଙ୍କ ସାମ୍ନାରେ ବି କୁହ

କିନ୍ତୁ ସମୀର ମୋ ବିଶ୍ବାସ କାହିଁକି ହଉନି ?

ଦିନେ କି ଦୁଇଦିନ ନୁହଁ, ଦୀର୍ଘ ପାଞ୍ଚ ବର୍ଷର ସମ୍ପର୍କ ପରେ ବି ମୁଁ ସନ୍ଦିହାନ । ମୁଁ କ'ଣ ଭଲପାଇବାକୁ ନେଇ ଅଧିକ ଆଶାବାଦୀ ? ମାନେ ମୋ ମନରେ ଭଲପାଇବାକୁ ନେଇ ଯେଉଁ  କୋମଳ ଭାବନା ସବୁ ଗଣ୍ଠି ବାନ୍ଧି ରହିଚି, ସେଇଟା ତମ ଭାବନା ଠାରୁ ବହୁତ ଅଲଗା ନା' ?

ନା' ମୁ ହିଁ ଅଲଗା ?

କେଜାଣି ?

 

ସେ ଯାହା ବି ହଉ କିନ୍ତୁ ସମୀର ତମେ ତ କେବେ ମତେ ମୋ ଭଲପାଇବା ଭଳି ଭଲପାଇ ପାରିବନି । ତମେ କେବେ ଆମ ଆକାଶ ତଳେ ପ୍ରେମର ବର୍ଷାରେ ଭିଜି ପାରିବନି ।

ଆମ ପ୍ରେମର ବର୍ଷାରେ ଅମାନିଆ କାହାଣୀଟିଏ ଲେଖି ପାରିବନି ।

ମୋ କହିବାର ଅଛି ତମକୁ ଯେ, ତମେ ପାଗଳ ହେଇ ପାରିବନି ।

ପ୍ରେମ ତ' ପାଗଳ ।  ଭାବି,ଚିନ୍ତି ପ୍ରେମ କରିହୁଏନି । ବ୍ୟବସାୟ କିମ୍ବା ଅତି ବେଶି ହେଲା ତ' ବିବାହ କରି ହବ । ଲାଭ, କ୍ଷତି ଏଇସବୁ ବିଚାର କରି ପ୍ରେମ କ'ଣ କରାଯାଇ ପାରିବ ?

 

ସମସ୍ତଙ୍କ ସାମ୍ନାରେ ମତେ ଗେଲ କରିବା, ମୋ ପାଇଁ ଉପହାର ଆଣିବାକୁ ତମେ ପ୍ରେମ କହିପାର ।

କିନ୍ତୁ କେହି ନଥିବାର ସମୟରେ ମୋ ହୃଦୟର କୋହକୁ ଜାଣି ବି'ତ ପାରିନ ।

ମୋ ଗଡି ଆସିଥିବା ଲୁହ ସମସ୍ତେ ଦେଖିପାରନ୍ତି । ଯୋଉ ଲୁହ ସବୁ ଆଖିରେ ମରିଯାଏ, ସେଇ ଯାଏଁ ତମ ମନ କ'ଣ ପହଞ୍ଚି ପାରିବ ?

 

ମୋ ଶରୀରର ସୁନ୍ଦର ଅଂଶ କୁ ସମସ୍ତେ ଚାହିଁବେ । ସମୀର, ଆଜି ଯଦି ମୁଁ ଅସୁନ୍ଦର ହୋଇଥାଆନ୍ତି ? ତାହେଲେ ତମେ ବୋଧେ ମତେ ଚାହିଁ ନଥାନ୍ତ ନା ।

ହଁ, ସବୁଠୁ ଅସୁନ୍ଦର ମଣିଷ ମଧ୍ୟ ପ୍ରେମ କରି ଜାଣେ । ପ୍ରେମ ପାଇବା ଇଚ୍ଛା ରଖେ ।

 

ମୋ ପାଇଁ ଭଲପାଇବା ପରେ ଆଉ କିଛି ନାହିଁ । ଭଲପାଇବା ନିଃସ୍ବ କରିଦିଏ । ପୋଛି ନେଇଯାଏ ସବୁକିଛି । ଆଉ ସବୁ ଦେଇଦେବା ପରେ ହିଁ ପ୍ରେମରେ ପୂରା ହୋଇଯାଏ  ସେହି ଶୂନ୍ୟସ୍ଥାନ ସବୁ ।

 

ଦେହର ସବୁ ଇଚ୍ଛା ପୂରଣକୁ ମୁଁ କେବେ ଭଲପାଇବା ର ନାଁ ଦେଇ ହିଁ ପାରିବିନି ।

 

ତୁମ ଜୀବସତ୍ତା ଯାଏଁ ମୋ ଉପସ୍ଥିତି ଅନୁଭବ କରିଛି । ତୁମ ଆତ୍ମା ଯାଏଁ ମୋ ଯାତ୍ରା ଅହରହ । ତା ପରେ ବାକି କ'ଣ ଅଛି ?

ଏଇ ଦେହଟା ?

ଦେହର କ'ଣ ଅଛି ?

ଖରା, ବର୍ଷା , ଉଡିଯାଉଥିବା, ଭାସିଯାଉଥିବା, ପ୍ରତ୍ୟେକ କୀଟାଣୁର ସ୍ପର୍ଶରେ ବି ସେ ବିଗିଡିବ । ଋତୁ ଅନୁସାରେ ତା' ଭଲ ଓ ଖରାପ ଲାଗି ରହିଥାଏ ।

ସେଠି ସାଇତି ରଖିବ ଯଦି ପ୍ରେମ, ସେ ବି ସେମିତି ଆଜି ଭଲ, ତ' କାଲି ଖରାପ ହେବା ସ୍ବାଭାବିକ ।

 

ଦେଖ ସମୀର, ପ୍ରେମ କୁ ନେଇ ମୋର ଏହି ନିଜସ୍ବ ଦାବି ଏକାନ୍ତ ଭାବରେ ମୋର । ମୁଁ କହୁନି, ଏହାଦ୍ୱାରା ତୁମ ବିଚାରରେ କିଛିବି ଭିନ୍ନତା ଆସୁ ।

ତୁମେ ଆଜି ଖୁସି ନ ହେଇ ଦୂରେଇ ଯାଇପାର । ଅନ୍ୟ କାହାର ବାହୁ ବନ୍ଧନରେ ଓଠର ସ୍ପର୍ଶରେ ପୁଲକିତ ହେଇପାର । କାଲି ପୁଣି ଆଉ କାହାଠାରୁ ସେଇ ରୋମାଞ୍ଚକର ସମୟ ଚାହିଁପାର ।

ବୟସର ଅପରାହ୍ନରେ ଥକି ଯାଇ ସମସ୍ତଙ୍କୁ ଦୋଷ ଦେଇ ପାର ।

କିନ୍ତୁ ସମୀର, ମୁଁ ଚାହେଁ ତମେ ଥରେ ପ୍ରେମ କର । ମତେ ପଚାରିବ ଯଦି ମୁଁ କହିବି ପ୍ରତି ମଣିଷର ସ୍ବପ୍ନ, ଲକ୍ଷ୍ୟ ସବୁକିଛି ପ୍ରେମ ହେବାକଥା ।

ତମ ଖୁସିରେ ମୁଁ କାହିଁକି ଖୁସି ହୁଏନି ? ଏହି ଅଭିଯୋଗ ସବୁବେଳେ ଥାଏ । ମୁଁ ଜାଣେ ତମ ଖୁସି କିଛି ସମୟର । ଯୋଉଦିନ ତମେ ଜୀବନ ସହିତ ପ୍ରେମ କରି ବସିବ, ସେଦିନ ମୁଁ ହିଁ ମନେପଡିବି । 'ଦି ଲାଷ୍ଟ ଲିଫ୍' , ଓ' ହେନେରିଙ୍କ ଗପଟି ଭଳି, ପ୍ରେମ ରେ କେବଳ ଦେଇ ଦେଇ ନିଜକୁ ଖାଲି କରିହୁଏ । ମୁଁ ତମ ଆଖିର ଲୁହକୁ ଦେଖିଥିଲି, ଯେବେ 'ଆଇ ହେଟ୍ ଦିସ୍' କହି ବହିର ଶେଷ ପୃଷ୍ଠାର ଶେଷ ଅକ୍ଷର ପର୍ଯ୍ୟନ୍ତ ପଢୁଥିଲ ।

ସମୀର, ପ୍ରେମ ମୁଁ ଓ ତୁମେ । ଏତିକି ମାତ୍ର ଜୀବନ ।