ରାସ୍ତାରେ ଗୁଳି ମାରିବା ପାଇଁ ଆହ୍ଵାନ ଦେଇଥିବା ମନ୍ତ୍ରୀ ଦଣ୍ଡିତ ହେବେ କି ?

ରାସ୍ତାରେ ଗୁଳି ମାରିବା ପାଇଁ ଆହ୍ଵାନ ଦେଇଥିବା ମନ୍ତ୍ରୀ ଦଣ୍ଡିତ ହେବେ କି ?

ଗତକାଲି ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ପଚାରିଥିଲେ, ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏବଂ ସାଂସଦ ପ୍ରବେଶ ବର୍ମା ଯେଉଁ “ଗୋଲି ମାରୋ” ସ୍ଲୋଗାନ ଦେଇଥିଲେ ସେ ସଙ୍କ୍ରାନ୍ତରେ ଏଫଆଇଆର କାହିଁକି ହୋଇନି ? ଗୋଲି କହିଲେ ପୁଲିସକୁ ଔଷଧ ଗୁଲି ବୋଲି ମନେହେଲା କି ବୋଲି ସୁପ୍ରିମକୋର୍ଟ ପଚାରିଛନ୍ତି  

ଦିଲ୍ଲୀ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ଜନତା ପାର୍ଟି ନେତାମାନେ ଏକ ଭୟଙ୍କର  ସ୍ଲୋଗାନର ଆବିଷ୍କାର କରିଥିଲେ ସେ ସ୍ଲୋଗାନ କୌଣସି ଭଦ୍ରଲୋକ ବା ସାମାନ୍ୟ ମାନବିକତା ଥିବା ଲୋକ ଶୁଣି ପାରିବ ନାହିଁ ଦେଶ କେ ଗଦ୍ଦାରୋ କୋ, ଗୋଲି ମାରୋ ....କୋ”- ଏହା କୌଣସି ପକେଟମାର ବା ବଟି ଆଦାୟ କରୁଥିବା ଚାରଣିଆ ଗୁଣ୍ଡାର ସ୍ଲୋଗାନ ନଥିଲା, ଦିଲ୍ଲୀ ବିଧାନସଭା ନିର୍ବାଚନ ମଇଦାନରେ ଏହି ସ୍ଲୋଗାନ ଦେଉଥିବା ଲୋକେ ବିଜେପିର ପ୍ରାର୍ଥୀ ଓ କେହି କେହି କେନ୍ଦ୍ରମନ୍ତ୍ରୀ ସମ୍ବିଧାନର ଶପଥ ନେଇଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଶ୍ରୀମୁଖକୁ ଅନୁସରଣ କରି ବିଜେପି କର୍ମୀମାନେ ଏହି ସ୍ଲୋଗାନ ଘୋଷି ଚାଲୁଥିବାର ଦୃଶ୍ୟ ଭାରତୀୟ ରାଜନୀତିର ସବୁଠୁ ଅଶ୍ଳୀଳ ଓ ହିଂସ୍ର ବୋଲି କୁହା ଯାଇପାରେ। 

ସେହି ନିର୍ବାଚନରେ ବିଜେପିର ଜନୈକ ବିଧାୟକ ପ୍ରାର୍ଥୀ କପିଲ ମିଶ୍ର ବଡ ଗର୍ବର ସହିତ ଏହି ସ୍ଲୋଗାନ ଦେଇ ଦେଇ ଶୋଭାଯାତ୍ରା କରୁଥିଲେ । ଏ ପ୍ରକାର ସ୍ଲୋଗାନ କପିଲ ମିଶ୍ର କି ଡିଏସ ବାଗ୍ଗା ଭଳି ନେତା ଦେଲେ, ସେମାନଙ୍କୁ ଘୃଣାର ବେପାରୀ କହି ଆଡେଇ ଦିଆ ଯାଇପାରିବ। ହେଲେ ଏ ସ୍ଲୋଗାନ ଯଦି ଜଣେ କେନ୍ଦ୍ରମନ୍ତ୍ରୀ ଦିଅନ୍ତି, ତାହେଲେ ତାର ସିଧାସଳଖ ଅର୍ଥ ହେବ, ସରକାର ଖୋଲାଖୋଲି ଏ ଦେଶର ହତ୍ୟା ଓ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ଭାବରେ ଅନୁରାଗ ଠାକୁର ସମ୍ବିଧାନର ଶପଥ ନେଇଛନ୍ତି। ତେଣୁ ସେ କହୁଥିବା ପ୍ରତ୍ୟେକ ବାକ୍ୟର ସାମ୍ବିଧାନିକ ଉତ୍ତରଦାୟିତ୍ଵ ରହିଛି।

ଏହି ସ୍ଲୋଗାନକୁ ନେଇ ବିଜେପି ଭକ୍ତ ଓ ଟ୍ରୋଲ ମାନଙ୍କର ଚିରାଚରିତ ଯୁକ୍ତି ହେଉଛି, ଆମେ ଦେଶ ପାଇଁ ବିଶ୍ଵାସଘାତକତା କରୁଥିବା ଲୋକଙ୍କୁ ଗୁଳି ମାରିବାକୁ କହୁଛୁ । ତେବେ ଏହାର ଉତ୍ତର ହେଉଛି, ଦେଶର ବିଶ୍ଵାସଘାତକ କିଏ? ଯିଏ ବିଜେପିର ସମର୍ଥକ ନୁହେଁ ସେ ହିଁ ଦେଶଦ୍ରୋହୀ ବୋଲି କହିବାର ଅଧିକାର ବିଜେପିକୁ ଦେଇଛି କିଏ? ୨୦୧୪ ପୂର୍ବରୁ କଂଗ୍ରେସ ଯଦି ନିଜର ବିରୋଧୀଙ୍କୁ ଦେଶଦ୍ରୋହୀ ବୋଲି କହି ଗୁଳି ମାରିବାର ଅଭିଯାନ ଚଳାଇଥାନ୍ତା, ତାହେଲେ ବିଜେପି ଆଜି ରହିଥାନ୍ତା କି? ଗୋଟେ ସାମ୍ବିଧାନିକ ଶାସନ ବ୍ୟବସ୍ଥାରେ ଶାସକ ଦଳ ବିରୋଧୀ ମତ ପ୍ରତି ଏତେ ଅସହିଷ୍ଣୁ ହେବା କେବଳ ଗଣତନ୍ତ୍ର ବିରୋଧୀ ନୁହେଁ, ଏହା ମାନବିକତା ବିରୋଧୀ ମଧ୍ୟ। ଦେଶରେ ବାମପନ୍ଥୀ, ଦକ୍ଷିଣ ପନ୍ଥୀ ଓ ମାଧ୍ୟମ ପନ୍ଥୀ ଅଛନ୍ତି ଏବଂ ରହିବେ। ଗଣତନ୍ତ୍ରରେ ଏହି ବୈଚାରିକ ବିରୋଧ ହିଁ ଏହାର ଜୀବନିକା। ତାକୁ ଅସ୍ଵୀକାର କରିବା, ବିରୋଧୀ ମତକୁ ବିଶ୍ଵାସଘାତକତା ବୋଲି କହିବା ଭୀଷଣ ଚିନ୍ତାଜନକ। 

ତେବେ ଏ ପ୍ରକାର ଭାଷାର ପ୍ରୟୋଗ କରୁଥିବା ରାଜନୈତିକ ଲୋକଙ୍କ ବିରୋଧରେ କାର୍ୟାନୁଷ୍ଠାନ ନେବବା କିଏ? ନିର୍ବାଚନ ସମୟରେ ଏ ପ୍ରକାର ଭାଷା ବିରୋଧରେ କଡା କାର୍ୟାନୁଷ୍ଠାନ ନେବାର ଅଧିକାର ନିର୍ବାଚନ କମିଶନଙ୍କର ରହିଛି। ହେଲେ ନିର୍ବାଚନ କମିଶନ ଆମ ସମୟର ସବୁଠୁ ବଡ ଧୃତରାଷ୍ଟ୍ର ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଓ ବିଜେପି ସଭାପତିଙ୍କ ଉତ୍ତେଜକ ଭାଷଣ ବିରୋଧରେ ପଦେ କହିବାର ସାହସ ନିର୍ବାଚନ କମିଶନ ଦେଖାଇ ନାହାନ୍ତି ତେଣୁ ନିର୍ବାଚନ କମିଶନ ଯେ କିଛି କହିବେ ବା କରିବେ, ସେ ଭରସା ଲୋକଙ୍କର ନାହିଁ

ଏହି ପ୍ରସଙ୍ଗ ବିଚାର ପାଇଁ ଯେତେବେଳେ ଦିଲ୍ଲୀ ହାଇକୋର୍ଟରେ ମାମଲା ହେଲା, ତାର ରାୟରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ରମନ୍ତ୍ରୀମାନଙ୍କୁ ଏକ ପ୍ରକାର ଛୁଟ ଦେଇଦେଲେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସ୍ତରର ରାଜନେତାମାନେ ଯେତେବେଳେ ହିଂସା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି, ଏହି ପ୍ରସଙ୍ଗରେ ଅଦାଲତ ନିଜ ତରଫରୁ କାର୍ୟାନୁଷ୍ଠାନ ଗ୍ରହଣ କରିପାରିବେ କିମ୍ବା ଏ ସମ୍ପର୍କରେ କଠୋର ହେବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇ ପାରିଥାନ୍ତେ । ଦିଲ୍ଲୀ ହାଇକୋର୍ଟ ସେ କଥା କାଲେ ନାଇଁ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ସୁପ୍ରିମକୋର୍ଟ ଏ ପ୍ରସଙ୍ଗରେ ପ୍ରଥମରୁ କଡା ଆଭିମୁଖ୍ୟ ପୋଷଣ କରିଛନ୍ତି

ରାଜନୀତି ଓ ଭୋଟ ପ୍ରଚାରରେ ଖୋଲାଖୋଲି ଏ ଯେଉଁ ହିଂସ୍ର ଭାଷାର ପ୍ରୟୋଗ ହେଉଛି, ଏଥିଲାଗି କେଉଁଠି ନା କେଉଁଠି ନିର୍ବାଚନ କମିଶନ ଓ ଦେଶର ସର୍ବୋଚ୍ଚ ଅଦାଲତ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଜରୁରୀଆଶା କରାଯାଉ, ସୁପ୍ରିମକୋର୍ଟ ଏ ପ୍ରକାର ଜଘନ୍ୟ ରାଜନୈତିକ ଭାଷା ବିରୋଧରେ ସ୍ପଷ୍ଟ ଆଭିମୁଖ୍ୟ ରଖିବେ