ଗପଟିଏ, ଆରମ୍ଭରେ

ଗପଟିଏ, ଆରମ୍ଭରେ

ଜୟନ୍ତ ମହାପାତ୍ର କେବେ କିଛି କରିନଥିଲା

ଆଜିର ପିଲା ଜାଣନ୍ତି ନାଇଁ ସେ କଣ କରିଥିଲା

ଯୋଉମାନେ ଜାଣିଥିଲେ ତାକୁ କିଛି କିଛି

ସେମାନେ ସମସ୍ତେ ପ୍ରାୟ ଦୁନିଆରୁ ଗଲେଣି

ଭୟଙ୍କର ଲୋକଟାଏ ଥିଲା ସିଏ

ପ୍ରକୃତରେ ତାକୁ କେହି ଦେଖିନାହାନ୍ତି,

ସାଙ୍ଗମାନେ ବା ଶତ୍ରୁମାନେ ।

କେମିତି ଦେଖିବେ ଯେ ତାକୁ ? ସେ ତ ଜଳୁଥାଏ ଦିନରାତି

ତା ଆପଣା କର୍ମର ନିଆଁରେ,

ଲୋକଙ୍କୁ ଦିଶେ ନିଆଁଟି କେବଳ, ଆଉ ଦିଶେ

ଝାପ୍ସା ଧୂଆଁ କିଛି ।

 

ଜୟନ୍ତ ମହାପାତ୍ରର ଦେହ ଧୀରେ ଧୀରେ

କେମିତି ଉଭେଇ ଯାଇଥିଲା, ଥିଲା ଖାଲି

ଗର୍ବର ପଖିଆଟି ତା ଚନ୍ଦା ମୁଣ୍ଡ ଉପରେ ।

ଏତେ ଧୂର୍ତ୍ତ ଥିଲା ଯେ 

କେହି ତାକୁ ପ୍ରଭାବିତ କରି ପାରୁନଥିଲେ ।

ନିଦ ହେଉନଥିବା ବୈଶାଖ ରାତିମାନଙ୍କ ପାଇଁ

ଭଲ ଗପଟିଏ ଥିଲା ସିଏ ,

ତାକୁ ନିନ୍ଦା କରିବା ଯୋଜନା ତିଆରି ହୁଏ ସେଇଠି ।

 

ଜୟନ୍ତ ମହାପାତ୍ର ତା ନିଜ ଦେହର କାନ୍ଥଙ୍କୁ

କେବେ ଭାଙ୍ଗି ପାରିନାହିଁ ।

ସେ କାନ୍ଥ ବର୍ଷ ବର୍ଷ ଧରି

ଦୂରେଇ ନ ଯାଇ, ଆଗେଇ ଆସି,

ଶେଷରେ ତା ଦେହରେ କିଛି ରଖିନଥିଲେ ।

ବୋଧେ ତା ବାକିତକ ଦେହ ବି ତାର ନଥିଲା ।

ତା ପାଖରୁ କେମିତି ଉଡି ଯାଇଥିଲା ,

ଖୋଜି ବୁଲୁଥିବା ସୁନାରୂପା

ଏଣେତେଣେ ମାଟିରେ , ପଥରରେ, ଗାତ ଖୋଳି,

ଶବ୍ଦଙ୍କ ନଦୀ ପର୍ବତ ଜଙ୍ଗଲ ଭିତରେ

କିନ୍ତୁ କେବେ କିଛି ପାଇନଥିଲା ସିଏ ।

 

ଜୟନ୍ତ ମହାପାତ୍ରକୁ ଖୋଜି କୌଣସି ଲାଭ ନାଇଁ ।

କେବେ କେବେ ମାଘ ମାସ ଆକାଶରେ

ସ୍କର୍ପିଓର ପ୍ରଶ୍ନବାଚକ ତାରାଙ୍କ ମେଳ ଭିତରେ ରହିଯାଏ 

ତ କେବେ ଭଲପାଉଥିବା ସେ ଝିଅଟିର 

ଝାଳଗନ୍ଧ ଭିତରେ ବୁଲୁଥାଏ ।

ଅନେକ କହନ୍ତି ସେ ତା ନିଜ ଭୟ ଭିତରେ ଘାରି ହେଉଥାଏ ।

ଭୟ ତା ଚମର ବିନ୍ଦୁରେ ବିନ୍ଦୁରେ ଥାଏ ।

ଆଉ ଭୟ ଭିତରେ କଣ କିଏ କାହାକୁ ପାଇପାରେ ?

ସେ ଭୟ ତା ପାଖରେ କୋଊଠୁ ଆସିଲା କେଜାଣି ।

ମାଆର ନାଲି ଆଖିରୁ ନା ପିଲାଦିନର

ସ୍କୁଲପିଲାଙ୍କ ନୃଶଂସତାରୁ ଓ ଅପମାନରୁ

ସେ ଭୟ କିନ୍ତୁ ତା ଦେହରେ  ରହିଗଲା ।

ଦିନ ଦିନ ପାଇଁ ।

 

ସେଥିପାଇଁ ଜୟନ୍ତ ମହାପାତ୍ର ଅନ୍ଧାରରେ ପଶିପାରେ ନାଇଁ

ଯୋଉ ଅନ୍ଧାର

ଝିଅମାନଙ୍କ ରକ୍ତାଭିଜା ଜଙ୍ଘର ଇତିହାସରେ ଥାଏ ।

ଯୋଉ ଅନ୍ଧାର ଈଶ୍ବରଙ୍କ ନିସ୍ତେଜ ଆଖିରେ ଥାଏ ।

କିନ୍ତୁ ଜୟନ୍ତ ମହାପାତ୍ରକୁ  କଟକରେ ଖୋଜିଲେ ପାଇପାରିବେ ।

କାଠଯୋଡି ବନ୍ଧ ଉପରେ ହେଉ   

ବା ଖ୍ରୀଷ୍ଟ କଲେଜର ପିଅନ କ୍ଵାଟର୍ସ ରେ

ପିଅନର ଧର୍ଷିତା ଝିଅଟିର କୋହଭରା ସ୍ତନରେ

ପାଇବେ ନିଶ୍ଚୟ, ମନ ଦେଇ ଖୋଜିଲେ ।

ପାଇବେ ତାକୁ ଆମ୍ବଗଛର ବୁଢା ପତରରେ ,

ଡେଣାଭଙ୍ଗା ପକ୍ଷୀର ଚିତ୍କାରରେ ,

ବା ପିଲାଟିର କାନ୍ଦରେ, ଯାହାର ନାଲି ବେଲୁନ

ଫାଟି ଯାଇଥିଲା ଅଷ୍ଟମୀ ପୂଜାର ଭିଡରେ ।

ନା ନା , ଗିର୍ଜା ଘରେ ବା ମନ୍ଦିରରେ ମୋଟେ ପାଇବେ ନାଇଁ ତାକୁ ।

 

କଣ କରିଥିଲା ସେମିତି ଯେ

ତାକୁ ଲୋକେ ଜାଣିବେ ?

ହଁ, ବୋଧେ ସ୍ଵପ୍ନ ପରେ ସ୍ଵପ୍ନ ତିଆରି କରି ପାରୁଥିଲା

ଚଢେଇ ଟି ପରି

କେବଳ ତା ମନର ଥୁଣ୍ଟା ଗଛ ଡାଳରେ ।

ଅନେକ ଆଡେ ବୁଲାବୁଲି କରି ଘରେ ରହିଲା ,

କଟକରେ ।

 

ସାଇକଲ ମରାମତି କଲାବାଲା ମାମାକୁ

ପଚାରିଲେ କହିଦେବ ଜୟନ୍ତ ମହାପାତ୍ର କୋଊଠି ଥାଏ ।

ବା କେବିନରେ ବସିଥିବା ସେ ପାନଦୋକାନୀ କାଳୁକୁ ।

ଆଷାଢର ବର୍ଷା ବି କହିଦେବ ସେ କୋଊଠି ଥାଏ

କିମ୍ବା ପୌଷ ସକାଳର କୁହୁଡି ।

ସେ ବାରବୁଲା ଲେଙ୍ଗେଡା କୁକୁରଟି ବି

ଯିଏ ମଝିରେ ମଝିରେ

ଜୟନ୍ତ ମହାପାତ୍ରର ହାତକୁ ଗେଟ ସାମ୍ନାରେ ଖୁସିରେ ଚାଟେ ।

 

ଆଉ କବିତା ? ତା କବିତା ଆଦୌ କହିପାରିବେ ନାଇଁ

ସେ କୋଉଠି ଥାଏ । ଶବ ପରି ସବୁ ପଡିଥାନ୍ତି ଇଆଡେ ସିଆଡେ ।

ନିର୍ଲଜୀ କବିତା ତା ମନକୁ କାବୁ କରିପାରିନଥିଲେ ,

ତା ଦେହର ଦୁଆର ବନ୍ଦ କରିଦେଇଥିଲେ ।

ଏକାକୀ ବସି ଶବ୍ଦଙ୍କ ଜଞ୍ଜାଳରେ

ଲଳିତଗିରି ବୌଦ୍ଧ ବିହାରର ସେଇ କ୍ଳାନ୍ତ ଓସ୍ତଟି ପରି ।

କଟକରେ ସେ ରହେ ତ ,

କିନ୍ତୁ କେହି ସେମିତି ଚିହ୍ନନ୍ତି ନାଇଁ ତାକୁ ।

କହନ୍ତି କେବେ କେବେ ଲୋକମାନେ

, ଜୟନ୍ତ ମହାପାତ୍ର ?

ସେଇ ଲୋକଟି ?

ସ୍ଵପ୍ନରେ ବଞ୍ଚିଥାଏ , ଆଉ ସ୍ଵପ୍ନରେ ବୁଡି ମରିବ ।

ଏତେ ବଡ ଆକାଶକୁ

ଏକା ଧରି ଧରି କେତେ ଦିନ ରହିବ ?

 

ହଁ, ଜୟନ୍ତ ମହାପାତ୍ର କେବେ କିଛି କରିନଥିଲା ।

ଖାଲି ହୃଦୟଟା ଯାହା ଥିଲା ତାର ,

ଆଉ ଯେତିକି ଜାଗା ଥିଲା ସେ ହୃଦୟ ଭିତରେ ,

ସେତିକି ଜାଗା ଦେଉଥାଏ କବର

ପ୍ରେମିକ ପ୍ରେମିକାମାନଙ୍କୁ ତାର ,

ଜୟନ୍ତ ମହାପାତ୍ର ତା ନିଜସ୍ଵ ଆବିଷ୍କାର କରିବା ଆଶାରେ ।