ନ୍ୟାୟପାଳିକା ସରକାରର ଅଧସ୍ତନ ନୁହେଁ
ଭାରତର ନ୍ୟାୟପାଳିକା ଏବଂ କାର୍ୟପାଳିକା ଭିତରେ ସମ୍ପର୍କ ଯେ ଆଦୌ ସହଜ ନୁହେଁ, ଏହାର ପ୍ରମାଣ ଖୋଜିବାକୁ ଖୁବ ବେଶୀ ଗବେଷଣା କରିବାକୁ ପଡିବ ନାହିଁ । ମହାରାଷ୍ଟ୍ରରେ ଉଦ୍ଧବ ଥାକରେ ସରକାର ଭାଙ୍ଗିବାରେ ରାଜ୍ୟପାଳଙ୍କ ଭୂମିକାକୁ ନେଇ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ଦେଇଥିବା ଏକ ମନ୍ତବ୍ୟକୁ ନେଇ ତାଙ୍କୁ ଯେଉଁ ପ୍ରକାର ଗାଳିଗୁଲଜ କରାଯାଉଛି ଓ ଏ ସମ୍ପର୍କରେ ସରକାର ନୀରବ ରହିଛନ୍ତି, ସେଥିରୁ ନ୍ୟାୟପାଳିକା ଉପରେ ରହିଥିବା ସରକାରୀ ଚାପକୁ ସହଜରେ ଠଉରାଇ ହେବ । ତେବେ ଏ ଘଟନା ଆଜିର ନୁହେଁ ।
ଗତ ୬ ଜାନୁଆରୀରେ ଭାରତର ଆଇନମନ୍ତ୍ରୀ କିରଣ ରିଜିଜୁ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖି ଦାବୀ କରିଥିଲେ ଯେ ଦେଶର ସୁପ୍ରିମ କୋର୍ଟ ଏବଂ ହାଇକୋର୍ଟ ପାଇଁ ବିଚାରପତି ନିଯୁକ୍ତି ପାଇଁ ରହିଥିବା “କଲେଜିୟମ”ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କୁ ସାମିଲ କରାଯାଉ । ଗତ କିଛି ମାସ ଧରି ମୋଦୀ ସରକାର ସୁପ୍ରିମ କୋର୍ଟ ଉପରେ ଚାପ ପ୍ରୟୋଗ କରିବାର ଯେଉଁ ପ୍ରକ୍ରିୟା ଜାରି ରଖିଛନ୍ତି, ଏହି ଚିଠି ସେହି ପ୍ରକ୍ରିୟାର ଏକ ଅଂଶ ବିଶେଷ ମାତ୍ର । ମୋଦୀ ସରକାର ଚାହାନ୍ତି ସୁପ୍ରିମକୋର୍ଟ ତାଙ୍କ ଚାପରେ ପ୍ରଭାବିତ ହୋଇରୁହନ୍ତୁ । “କଲେଜିୟମ” ବ୍ୟବସ୍ଥାକୁ ସମାଲୋଚନା କରିବା ଆଳରେ ସରକାର ଓ ସରକାରୀ ଦଳ ସୁପ୍ରିମକୋର୍ଟକୁ ବିଭିନ୍ନ ବାଗରେ ନିନ୍ଦିତ କରିଚାଲିଛନ୍ତି । ସ୍ଵାଧୀନ ଭାରତର ଇତିହାସରେ କୌଣସି ସରକାର ନ୍ୟାୟପାଳିକା ଉପରେ ଏ ପ୍ରକାର ଆକ୍ରମଣ କରିବାର ସାହସ କେବେ କରିନଥିଲେ । ଏପରିକି ଜରୁରୀ କାଳୀନ ପରିସ୍ଥିତି ସମୟରେ ମଧ୍ୟ ଇନ୍ଦିରା ଗାନ୍ଧୀ ସରକାର ସୁପ୍ରିମ କୋର୍ଟ ବିରୋଧରେ ବକ୍ତବ୍ୟ ରଖିବାର ସାହସ କରିନଥିଲେ ।
ତେବେ ମୋଦୀ ସରକାର ହଠାତ “କଲେଜିୟମ” ବ୍ୟବସ୍ଥାକୁ ନେଇ ଅକସ୍ମାତ ଏତେ ଚିନ୍ତିତ ହେବାର କାରଣ କଣ ? ଅକ୍ଟୋବର ୨୦୧୫ରେ ଯେତେବେଳେ ସୁପ୍ରିମକୋର୍ଟ ଭାରତୀୟ ସଂସଦରେ ଗୃହୀତ ଜାତୀୟ ନ୍ୟାୟପାଳିକା ନିଯୁକ୍ତି କମିଶନ ଆଇଆନକୁ ଅସାମ୍ବିଧାନିକ ଘୋଷଣା କଲେ, ତାକୁ ନେଇ ସେତେବେଳେ ବିଜେପି ସରକାର ଆପାତତଃ ଚୁପ ରହିଥିଲେ । ତତ୍କାଳୀନ ଆଇନମନ୍ତ୍ରୀ ସୁପ୍ରିମୋକୋର୍ଟଙ୍କ ରାୟକୁ ସୋସିଆଲ ମିଡିଆରେ ସମାଲୋଚନା କରିଥିଲେ ମଧ୍ୟ ଏହି ରାୟର ସମୀକ୍ଷା ପାଇଁ ଅପିଲ କରିନଥିଲେ କିମ୍ବା ସଂସଦରେ ଏହାର ପୁନରାଲୋଚନା ହୋଇନଥିଲା । ହଠାତ ସାତ ବର୍ଷ ପରେ ମୋଦୀ ସରକାର ସୁପ୍ରିମ କୋର୍ଟକୁ ନେଇ ଏତେ ଅସୁରକ୍ଷିତ ହେବାର କାରଣ କଣ ? କଲେଜିୟମ ବ୍ୟବସ୍ଥା ବିରୋଧରେ ଏବେ ସରକାର, ଉପ ରାଷ୍ଟ୍ରପତି ଏବଂ ବିଜେପି ସିଧା ସିଧା ଆକ୍ରମଣ କରିବାର ଉଦ୍ଦେଶ୍ୟ କଣ ?
ଏବେ ବିଜେପି ତରଫରୁ ଗୋଟେ ପ୍ରଶ୍ନ ସବୁଠି ରଖାଯାଉଛି । “ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି?” ଏହାର ଉତ୍ତରରେ କୁହାଯାଇପାରିବ ଯେ ନ୍ୟାୟପାଳିକା ସମ୍ପର୍କରେ ବିଚାରପଟିମାନଙ୍କର ଯେଉଁ ଅଭିଜ୍ଞତା ଓ ଅନୁଭବ ରହିଛି, ସେହି ଆଧାରରେ ଓ ନ୍ୟାୟପାଳିକା ଏକ ସ୍ଵାଧୀନ ବ୍ୟବସ୍ଥା ଭାବରେ ବିଚାରପତି ନିଯୁକ୍ତି ପାଇଁ ଯୋଗ୍ୟତାର ଅଧିକାରୀ । ସମ୍ବିଧାନର ଧାରା ୧୨୪ ଅତି ସ୍ପଷ୍ଟ ଭାବରେ ଉଲ୍ଲେଖ କରନ୍ତି ଯେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ବିଚାରପତିଙ୍କୁ ନିଯୁକ୍ତି ଦେବେ । ମୂଳରୁ ସୁପ୍ରିମକୋର୍ଟ ଏକ ସ୍ଵାଧୀନ ଅନୁଷ୍ଠାନ ଭାବରେ ନ୍ୟାୟପାଳିକାର ନିଯୁକ୍ତି ପ୍ରକ୍ରିୟା ପାଇଁ ଅଧିକାର ପ୍ରାପ୍ତ । ଏଥିରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପକୁ ଆଡେଇବାକୁ ଯାଇ ୧୯୯୩ରେ ସୁପ୍ରିମକୋର୍ଟଙ୍କର ଏକ ଖଣ୍ଡପୀଠ ବିଚାରପତିଙ୍କ ବଦଳି ଓ ନିଯୁକ୍ତି ପ୍ରକ୍ରିୟାକୁ ଅଧିକ ଶକ୍ତିଶାଳୀ କରିବା ଉଦ୍ଦେଶ୍ୟରେ “କଲେଜିୟମ” ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଥିଲେ । ୨୦୧୫ରେ କଲେଜିୟମ ବ୍ୟବସ୍ଥାକୁ ବଦଳାଇ ଯେତେବେଳେ ଏକ ଜୁଡିସିଆଲ ନିଯୁକ୍ତି କମିଶନ କଥା ଉଠିଲା, ତାକୁ ବ୍ୟାପକ ପରୀକ୍ଷା ନିରୀକ୍ଷା ପରେ ସୁପ୍ରିମକୋର୍ଟ ଅସାମ୍ବିଧାନିକ ବୋଲି ରଦ୍ଦ କରି ଦେଇଥିଲେ ।
ବର୍ତ୍ତମାନ ସମୟରେ ସୋସିଆଲ ମିଡିଆ ଏବଂ ସରକାର ସମର୍ଥିତ ମିଡିଆ ଜରିଆରେ ପ୍ରଚାର କରାଯାଉଛି ଯେ “କଲେଜିୟମ” ବ୍ୟବସ୍ଥା ବଦଳାଇ ଏକ ସରକାରୀ ନିୟନ୍ତ୍ରୀତ ବ୍ୟବସ୍ଥା ଅଣାଯାଉ । ଯଦିଓ ଆଜିର “କଲେଜିୟମ” ବ୍ୟବସ୍ଥାରେ ସରକାରଙ୍କର ପ୍ରଭାବ କିଛି କମ ନୁହେଁ, ତଥାପି ସରକାର ନିଯୁକ୍ତି ଓ ବଦଳି ପ୍ରକ୍ରିୟାରେ ନିଜର ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଛନ୍ତି । ଆଜିର ବ୍ୟବସ୍ଥାରେ ହାଇକୋର୍ଟ ବିଚାରପତି ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟର କଲେଜିୟମ ବିଚାରପତି ପ୍ରାର୍ଥୀଙ୍କ ନାମକୁ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏବଂ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ପଠାଇଥାନ୍ତି । ସେଠୁ ଅନୁମୋଦନ ପାଇଲା ପରେ ସୁପ୍ରିମକୋର୍ଟ କଲେଜିୟମ ଏହି ନାମକୁ ପୁଣିଥରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାନ୍ତି । ସରକାର ହଁ କଲାପରେ ଯାଇ ବିଚାରପତିଙ୍କୁ ରାଷ୍ଟ୍ରପତି ନିଯୁକ୍ତି ଦିଅନ୍ତି । ଏବେ ଦେଖା ଯାଉଛି ଏତେ ସବୁ ବ୍ୟବସ୍ଥା ସତ୍ତ୍ୱେ ମଧ୍ୟ କେନ୍ଦ୍ର ସରକାର ନିଯୁକ୍ତି ପ୍ରକ୍ରିୟାକୁ ବର୍ଷ ବର୍ଷ ଧରି ଝୁଲେଇ ରଖୁଛନ୍ତି । ଏହା ସହିତ ବିଚାରପଟିମାନଙ୍କୁ ବରଖାସ୍ତ କରିବାର କ୍ଷମତା ଆଜି ମଧ୍ୟ ସଂସଦ ହାତରେ ରହିଛି । ଏତେ ସବୁ ସରକାରୀ ନିୟନ୍ତ୍ରଣ ସତ୍ତ୍ୱେ ମଧ୍ୟ ମୋଦୀ ସରକାର ସୁପ୍ରିମ କୋର୍ଟ ଓ ହାଇକୋର୍ଟକୁ ନିଜ ହାତମୁଠାରେ ନଚାଇବାକୁ ସ୍ପଷ୍ଟ ଭାବରେ ଚାହୁଁଛନ୍ତି ।
କେଉଁ ଦକ୍ଷତା, କ୍ଷମତା ଏବଂ ଅଭିଜ୍ଞତା ବଳରେ ଜଣେ ସରକାରୀ ପ୍ରତିନିଧି କଲେଜିୟମରେ ରହିବେ ? ଏ ଭଳି ଦାବୀ ଆଇନମନ୍ତ୍ରୀଙ୍କର ବେଆଇନ ନୁହେଁ କି ? ସମ୍ବିଧାନର ଧାରା ୫୦ ଅତି ସ୍ପଷ୍ଟ ଭାବରେ ସରକାର ଓ ନ୍ୟାୟପାଳିକାର ଅଧିକାରକୁ ଅଲଗା ରଖିବାକୁ କହିଛି । ତା ସତ୍ତ୍ୱେ ବିଚାରପତିଙ୍କ ନିଯୁକ୍ତି ଓ ବଦଳିରେ ହସ୍ତକ୍ଷେପ କରିବା ପାଇଁ ଦାବୀ କରିବାର ଅର୍ଥ ହେଉଛି, ସମ୍ବିଧାନ ଓ ଅଦାଲତର ଅବମାନନା । ଏ ସରକାର ସ୍ପଷ୍ଟତଃ ସମ୍ବିଧାନ ବିରୋଧରେ କାମ କରୁଛନ୍ତି ।
ସରକାରୀ ଦଳ ଓ ତାଙ୍କର କର୍ମକର୍ତ୍ତାମାନେ ନିର୍ବୋଧ ଭାବରେ ପଚାରୁଛନ୍ତି - “ବିଚାରପତିମାନେ ନିଜେ ବିଚାରପତି ନିଯୁକ୍ତ କରିବେ କେମିତି?” । ସେମାନେ ଜାଣନ୍ତି ନାଇଁ ଯେ ଏ ଦେଶର ଅଦାଲତ ଗୁଡିକରେ ସବୁଠୁ ଅଧିକ ମାମଲା କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ବିରୋଧରେ ରହିଥାଏ । ସେହି ଦୃଷ୍ଟିରୁ ସବୁଠୁ ବଡ ମାମଲାବାଜ ହାତକୁ ବିଚାରପତି ନିଯୁକ୍ତି ଓ ବଦଳି କ୍ଷମତା ଦିଆଯିବ କେମିତି ? ନ୍ୟାୟାଳୟକୁ ଅକ୍ତିଆର କରି ଦେଶରେ ଗଣତନ୍ତ୍ର ଓ ସମ୍ବିଧାନର ଶାସନ ଧ୍ଵଂସ କରିବାକୁ ଏହା ବିଜେପିର ଏକ ପରୋକ୍ଷ ଷଡଯନ୍ତ୍ର ବୋଲି କହିବା ହୁଏତ ଭୁଲ ହେବନି ।