ମୋଦୀ ସରକାର : ବେଆଇନ ବାଟରେ ଆଇନର ଶାସନ !!

ମୋଦୀ ସରକାର : ବେଆଇନ ବାଟରେ ଆଇନର ଶାସନ !!

ସ୍ଵାଧୀନ ଭାରତର ଇତିହାସରେ ଇନ୍ଦିରା ଗାନ୍ଧୀଙ୍କୁ ଆଜି ପର୍ୟନ୍ତ ଗଣତନ୍ତ୍ର ବିରୋଧରେ କାମ କରିଥିବା ଏକମାତ୍ର ଏକଛତ୍ରବାଦୀ ନେତା ବୋଲି କୁହା ଯାଉଥିଲା କାରଣ ୨୫ ଜୁନ ୧୯୭୫ ତାରିଖ ରାତିରେ ଇନ୍ଦିରା ଗାନ୍ଧୀ ସାରା ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ ଆଜି ଇନ୍ଦିରା ଗାନ୍ଧୀଙ୍କ ଠାରୁ ଅଧିକ ବିପଜ୍ଜନକ ଗଣତନ୍ତ୍ର ବିରୋଧୀ ଶାସକ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଇତିହାସରେ କଳା ଅକ୍ଷରରେ ଲିପିବଦ୍ଧ ହୋଇରହିବ ଜରୁରୀକାଳୀନ ପରିସ୍ଥିତି ସେଦିନ ଘୋଷିତ ରାଜନୀତି ଥିଲା ସେଦିନ ଇନ୍ଦିରାଙ୍କ ସମର୍ଥକମାନେ ତାଙ୍କୁ ହିଁ ଦେଶ ବୋଲି କହୁଥିଲେ ଆଜି ଦେଶରେ ଜରୁରୀକାଳୀନ ପରିସ୍ଥିତି ବିଧିବଦ୍ଧ ଭାବରେ ଜାରି ହୋଇନାହିଁ ହେଲେ ୧୯୭୫-୭୭ ତୁଳନାରେ ଅଧିକ ବିପଜ୍ଜନକ ସ୍ଥିତିରେ ଆମେ ପହଞ୍ଚିଛୁ ଯେଉଁ ଢଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ କରାଗଲା, ତାହା ଗଣତନ୍ତ୍ରକୁ ହତ୍ୟା କରିବାର ଶେଷ ସଙ୍କେତ ବୋଲି ଆମେ କହିପାରିବା ରାହୁଲଙ୍କ ବହିସ୍କାରକୁ ଯେଉଁମାନେ ଆଇନସମ୍ମତ ବୋଲି କହୁଛନ୍ତି, ସେମାନେ ବୁଝିବା ଦରକାର ଯେ ଇନ୍ଦିରା ଗାନ୍ଧୀ ମଧ୍ୟ ଯାହା କରୁଥିଲେ ତାହା ସେତେବେଳେ ଆଇନ ସମ୍ମତ ଥିଲା ଆଇନ ଅନୁଯାୟୀ ବେଆଇନ କାମ ମଧ୍ୟ କରା ଯାଇପାରିବ, ଏକଥା ଆମେ ହିଟଲର ର ଇତିହାସରୁ ଜାଣିଛୁ । ନୀରବ ମୋଦୀ ଏବଂ ଲଳିତ ମୋଦୀଙ୍କୁ ଚୋର ବୋଲି କହିଲେ ସାରା ମୋଦୀ ସମାଜ ଅପମାନିତ ହେଲା ବୋଲି ଯେଉଁ ବିଚାରପତି ରାୟ ଦେଇଛନ୍ତି, ତାଙ୍କ ରାୟକୁ ଉପର ଅଦାଲତରେ ଅପିଲ କରିବା ପୂର୍ବରୁ ରାହୁଲଙ୍କୁ ଲୋକସଭାରୁ ବିଦା କରିଦିଆଗଲା । ଏହାକୁ ଆଇନ ଅନୁଯାୟୀ ବେଆଇନ କାମ କରିବାର ଏକ ସର୍ବକାଳୀନ ଉଦାହରଣ ବୋଲି  ଆମେ ନେଇ ପାରିବା। 

ଗୋଟେ କଥା ଇତି ମଧ୍ୟରେ ସ୍ପଷ୍ଟ ହୋଇଯାଇଛି – ନରେନ୍ଦ୍ର ମୋଦୀ ରାହୁଲ ଗାନ୍ଧୀଙ୍କ ବଢୁଥିବା ଲୋକପ୍ରିୟତାକୁ ନେଇ ଡରିକି ଅଛନ୍ତି । ଆଦାନୀ ସହିତ ମୋଦୀଙ୍କ ସମ୍ପର୍କ ସ୍ପଷ୍ଟ ହୋଇଗଲା ପରେ ଏହାକୁ ଚାପିବା ପାଇଁ ମୋଦୀ ସରକାର ରାହୁଲ ଗାନ୍ଧୀଙ୍କୁ ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରିବା ଆରମ୍ଭ କରିଛି ଦୁର୍ଭାଗ୍ୟର କଥା ହେଉଛି, ସରକାରର ଏହି ପ୍ରତିଶୋଧ ପରାୟଣ ରାଜନୀତିକୁ ବିଜେପିର ବରିଷ୍ଠ ନେତାମାନେ ଅନ୍ଧ ଭାବରେ ସମର୍ଥନ କରୁଛନ୍ତିଅନ୍ତତଃ ଇନ୍ଦିରା ଗାନ୍ଧୀଙ୍କ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ସେତେବେଳେ କଂଗ୍ରେସର ପୁରୁଖା ନେତାମାନେ କ୍ରମଶଃ ବିରୋଧ କରିବା ଆରମ୍ଭ କରିଥିଲେଆଜିର ବିଜେପି ଦଳେ ମେରୁଦଣ୍ଡବିହୀନ ଚାଟୁକାରଙ୍କର ଦଳ ପାଲଟି  ଯାଇଛି ଏକଛତ୍ରବାଦକୁ ଆଖି ବୁଜି ସମର୍ଥନ କରୁଥିବା ଏହି ଦଳ ସମୟକ୍ରମେ ନିଜକୁ ଗଣତନ୍ତ୍ରର ସବୁଠୁ ବଡ ଶତ୍ରୁ ଭାବରେ ଇତିହାସ ରଚନା କରୁଛି

୧୯୭୫ରେ ଯେତେବେଳେ ଲଣ୍ଡନର ବିଭିନ୍ନ ସମ୍ବାଦପତ୍ରରେ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ବିଭିନ୍ନ ବିଜ୍ଞାପନ ପ୍ରକାଶ ପାଇଥିଲା, ସେତେବେଳେ ଇନ୍ଦିରା ଗାନ୍ଧୀ ସରକାର ପ୍ରଚାର କରିବା ଆରମ୍ଭ କରିଥିଲେ ଯେ, ଭାରତର ଗଣତନ୍ତ୍ର ବିରୋଧରେ ଏହା ହେଉଛି ବିଦେଶୀ ଷଡ଼ଯନ୍ତ୍ର। ସେତେବେଳେ ବିରୋଧୀ ଦଳ ନେତାମାନଙ୍କୁ ଆମେରିକାର ଗୁପ୍ତଚର ଏଜେନ୍ସି ସିଆଇଏର ଏଜେଣ୍ଟ ବୋଲି କହିବା ତତ୍କାଳୀନ ସରକାରର ଏକ ଅଭ୍ୟାସ ପାଲଟିଥିଲା। ଜରୁରୀକାଳୀନ ବ୍ୟବସ୍ଥା ଭାରତୀୟ ସମ୍ବିଧାନର ଅଂଶ ବିଶେଷ ଓ ଏହା ବିରୋଧରେ କହିବା ଦେଶ ବିରୋଧୀ ବୋଲି ଇନ୍ଦିରା ଗାନ୍ଧୀ ଓ କଂଗ୍ରେସ ଯୁକ୍ତି କରୁଥିଲେ ସମୟର ମୋଡ ଆଜି ଏମିତି ବଦଳିଛି ଯେ କଂଗ୍ରେସର ୧୯୭୫ର ଯୁକ୍ତି ଆଜି ସେହି ଦଳ ବିରୋଧରେ ଉପଯୋଗ କରାଯାଉଛି। ଭାରତର ଗଣତନ୍ତ୍ର ସଙ୍କଟରେ ଅଛି ବୋଲି ରାହୁଲ ଗାନ୍ଧୀ ଲଣ୍ଡନରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ଦେଶ ବିରୋଧୀ ବୋଲି ଆଜିର ସରକାର କହୁଛି

ରାହୁଲ ଗାନ୍ଧୀଙ୍କୁ କେବଳ ସାଂସଦ ଭାବରେ ବରଖାସ୍ତ କରାଯାଇନି, ଆଗାମୀ ଦିନରେ ତାଙ୍କୁ ଅଧିକ ଅପମାନିତ କରିବାକୁ ମୋଦୀ ସରକାର ଚେଷ୍ଟା କରିବ ପୂରା ସରକାର ବିରୋଧୀଙ୍କୁ ଦେଶଦ୍ରୋହୀ ଏବଂ ଭ୍ରଷ୍ଟ ବୋଲି ପ୍ରଚାର କରିବାକୁ ଏବେ ବିଜେପି ପ୍ରଚୁର ଅର୍ଥବଳ ଓ ଲୋକବଳ ଖଟାଇବ ଗଣତନ୍ତ୍ରକୁ ନଷ୍ଟ କରି ଏକଛତ୍ରବାଦ ଶାସନ କାୟମ ରଖିବାକୁ ସବୁପ୍ରକାର ଉଦ୍ୟମ ଚାଲିବ ସିବିଆଇ ଏବଂ ଇଡି ଭଳି ସଂସ୍ଥା ବିରୋଧୀ ଦଳର ନେତାମାନଙ୍କୁ ନିର୍ବିଘ୍ନରେ ବାନ୍ଧିକି ଜେଲରେ ପୂରେଇ ରଖିଛି ।

ସବୁବେଳେ ଏକଛତ୍ରବାଦୀମାନେ ନିଜକୁ ସର୍ବଶ୍ରେଷ୍ଠ ସ୍ବଚ୍ଛ ଏବଂ ନିର୍ମଳ ବୋଲି ଦାବୀ କରିଥାନ୍ତି ଅତି ନିର୍ଲଜ ଭାବରେ ଦେଶର ପଳାତଳ ଅର୍ଥନୈତିକ ଅପରାଧୀମାନଙ୍କୁ ବିଜେପି ଖୋଲା ସମର୍ଥନ ଦେଉଛି ଏବଂ ବିରୋଧୀଙ୍କୁ ଭ୍ରଷ୍ଟ ବୋଲି କହୁଛି

ଏହି ସ୍ଥିତିରେ ଗଣତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇ ରଖିବାକୁ ସାଧାରଣ ଲୋକ ଯଦି ଆଜି ପାଟି ନ ଫିଟାନ୍ତି ତା ହେଲେ, ଆମର ଭବିଷ୍ୟତ ଆହୁରି ବିପଜ୍ଜନକ ସ୍ଥିତିକୁ ଚାଲିଯିବ