ମନେ ପଡେନି କେମିତି ରେ ବାଇମନ !!

ମନେ ପଡେନି କେମିତି ରେ ବାଇମନ !!

ପାଣି ଶୁଖି ଗଲାଣି ଗାଁ ନଈରୁ
ଥୁଣ୍ଟା ମାଛ କଣ୍ଟା ପରି ପଡିଛି ବାଲିରେ 
ଘରେ ଘରେ ଗୋପନ ଶାନ୍ତି ଆଉ ନାହିଁରେ
ବାହାର ରାଜନୀତି ପଶି ଆସିଲାରୁ
ଚୌଡା କଂକ୍ରିଟ ରାସ୍ତା ଲମ୍ବି ଲମ୍ବି ଗଲାଣି
ହେଲେ ଯା ଆସ ବନ୍ଦ କୁଣିଆ ଘରୁ
ମୋବାଇଲ ଯୁଗ ସବୁ ପାଠ ଭୁଲେଇ ଦେଲାଣି
ପିଲାଦିନର ବହି ପଢା ପୃଷ୍ଠାରୁ

 

ମନେ ପଡେନି କେମିତି ରେ ବାଇମନ

 

ପରଶରେ ମରମ ଚେଇଁଲାନି, ଭାଇଚାରା ହଜିଗଲା
ଲୋଭର କାମୁକ ନିଆଁରେ
ନାଁ ପାଶୋରା ହେଲା, ସଂପର୍କରେ କୁହେଳି ଛାଇଗଲା
ସମୟର ବିଚିତ୍ର ରଂଗରେ
ଛବି ଡୁବିଗଲା, ଚାହାଁଣୀରେ ପ୍ରତିବିମ୍ବ ମିଳେଇ ଗଲା
ଦର୍ପଣର ବହନ୍ତା ପାଣିରେ
ଡାକ ପଥର ହେଲା, ଗଂଠି ପୋକରା ହୋଇ ଝଡିପଡିଲା
ଚାକଚକ୍ୟ ଭରା ରାସ୍ତାର ଦୂରତାରେ

 

ମନେ ପଡେନି କେମିତି ରେ ବାଇମନ

 

ଜଂଗଲ ଯେ ଉଭାନ୍, ଝରଣା ଯେ ତାରବାଡ
ପୁଲିସି ଫାଣ୍ଡି ପାଦଚଲା ପାହାଡିଆ ରାସ୍ତା ମୋଡ
ଗାଁ ଯେ ଶୂନଶାନ୍, ଘରେ ଘରେ ପଡିଛି ତାଲା
ଏକ୍ଲା ବୁଢାବୁଢ଼ୀଙ୍କ ଫମ୍ପା ଦିନ ସବୁ ଭୋକିଲା
ଅତୀତ ଶୁଖା ପୋଲା ବୁଢା ଗଛର କଂକାଳ
ବିତାଡିତ ପକ୍ଷୀ ସବୁ, ଧର୍ଷିତା ନିଡ କାଂଗାଳ
ଲୋକ ଗୀତ ସବୁ ବୁଢିଆଣୀ ଜାଲରେ ଆତ୍ମହତ୍ୟା
କଷ୍ଟ ସହି ସହି ସ୍ତ୍ରୀଲୋକଙ୍କ ହୃଦୟରେ ନିଶ୍ଚଳ ବ୍ୟଥା

 

ମନେ ପଡେନି କେମିତି ରେ ବାଇମନ

 

ଝଡ ତୋଫାନ ଟଂଗା ହେଲା ମଲା ଝିଅର ଫୋଟୋ ହୋଇ
ଅଟକିଗଲା କାଲେଣ୍ଡରରେ କାର୍ତ୍ତିକ କୃଷ୍ଣପକ୍ଷ ରବିବାର
ବାପ ମା ଛାଡି ଚାଲିଗଲେ ଗାଁ ମଶାଣିରେ ଜୁଇ ହୋଇ
ମୋବାଇଲରେ ଝୁଲିରହିଲା ଜଳନ୍ତା ପାଉଁଶ ତାଙ୍କରି କୋଳର
ଚିହ୍ନି ହେଲାନି ରାସ୍ତାଘାଟ ବିଲବାଡି ନୂଆ ମୁହଁ ବଦଳେଇ
ଘଣ୍ଟି ଆଉ ନଥିଲା ବେକରେ ଜାଣିବାକୁ କେମିତି ସେ କୁଆଡେ ଯାଇ
ବଦଳିଗଲାବେଳର କାନ୍ଦକାନ୍ଦ ଝାପସାଝାପସା କୁହେଳିରେ ନିରୁଦ୍ଦିଷ୍ଟ
ପଛକୁ ଫେରିବା ବାଟ ସବୁ ହେଲା ଗୋଟେ ଗୋଟେ ବନ୍ଦ କବାଟ

 

ମନେ ପଡେନି କେମିତି ରେ ବାଇମନ

 

ଯେଉଁଠି ଯେମିତି ସତ ସବୁ ଯେତେ ହେଲା ଉଚ୍ଚବାଚରେ ପ୍ରକଟ
ମିଛ କଥାର ରାଜନୀତିରେ ନାଚେ ସେଠାରେ ଲଂଗଳା ଚିତ୍ରପଟ
ସଂସାରର ବାଧ୍ୟ ଗତି ଯେତେ ଟଙ୍କାର ଦିଆ ନିଆ ଅସରନ୍ତି ଖେଳ
ବିଜୟୀର ଅକ୍ତିଆରରେ ଲୁଣ୍ଠିତ ଯାହା ଅଛି ବଳକା ସମ୍ବଳ
ସ୍ବପ୍ନ ସବୁ ନିଏ ଯେତେ ଲୋଭନୀୟ ଆଖି ଝଲସାଇ ଛଦ୍ମବେଶ
ଜୀବନର ରଂଗମଞ୍ଚେ ପ୍ରେମର ଅତୁଟ ସ୍ବର ବେଶଘରେ ନିରୁଦ୍ଦେଶ 
ମୁକ୍ତି ନାହିଁ, ଡେଣା ତୋର କଟା ହୁଏ, ରାଷ୍ଟ୍ରର ଯେତେ ଫନ୍ଦିଫିକର 
ଭୟଶୂନ୍ୟ ସ୍ବାଧୀନତାକୁ କରାୟତ୍ତ କରିବ ସେ ବଳ ଲଗେଇ ତତ୍ପର


ମନେ ପଡେନି କେମିତି ରେ ବାଇମନ

 

ବଦଳିଗଲା ବେଳେ କେତେ କଣ
ତୁ ଯେବେ ଯାଉ ବଦଳି ପୁଣି ବଦଳି 
କେମିତି ଏମିତି ହେଲା ଯେମିତି 
ତୁ ହୋଇପାରିଲୁନି ଯାହା ଭାବିଥିଲୁ ସେମିତି
ଯାହା ଯାହା ଘଟିଲା ଯେତେ କଥା
ବିଛ୍ଛିନ୍ନତାର ଖାଇ ଡେଇଁ ନିରଵତା
ହେଲୁ କାହାଠି ଅନ୍ୟଥା ଲେଣଦେଣର କେତେ ଗୁଣ
କେବେ ବିଷାଦ କେଵେ ବିଳାପ ପୁଣି କେବେ ବିସ୍ଫୋରଣ
କେତେ ଯେ ଭ୍ରଷ୍ଟ ଜୀବନ ଭ୍ରଷ୍ଟ ପରାଣ ଭ୍ରଷ୍ଟ ମରଣ

 

ମନେ ପଡେନି କେମିତି ରେ ବାଇମନ

 

୯୭୭୭୯୬୫୩୨୦