ନିଆଁଫୁଲ
କେହିଜଣେ କହିଦେଇଛି
ଯଦି ଶୀତ ଆସିସାରିଛି,
ବସନ୍ତ ଆସିବ ହିଁ ଆସିବ
ପାଚିଲା ପତ୍ର ଝରିବ,ନୁଆଁ ପତ୍ର ପିକେଇବ।
ହେଲେ ଏଇ ଦୃଶ୍ୟ ଦେଖିବାକୁ
ମୋ ଆଖି ମନା କରି ଦେଇଛି
ଡାଇରୀ ପୃଷ୍ଠାରେ ଏବେବି ଶୁଖିଲା ପତ୍ରଟାଏ
ହୃଦୟ କାନ୍ଥରେ ରକ୍ତର ଦାଗ
ଖାଁଖାଁ ଲାଗୁଛି ଏବେବି ରାସ୍ତା, ମୋହଲ୍ଲା
ଦର୍ପଣ ଅପେକ୍ଷା କରିଛି ମୁହଁଟିକୁ !
ମଢ଼ମଢ଼ ମନେ ହେଉଛି ଯୁଆଡେ ଅନଉଛି
ନିଆଁଗଛରେ ଫୁଟିଛି ନିଆଁଫୁଲ
ଯଦି ବଂଶୀ ବାଦନ କରୁଛି ସମ୍ରାଟ ନିରୋ, କରୁଥାଉ
ମୁଁ କିନ୍ତୁ କୌଣସି ବି କୋଇଲିକୁ
ଗୀତ ଗାଇବାକୁ ଦେବିନି
ବସନ୍ତର ଆଗମନରେ
ଏଥରକ ମୁଁ ଜମା କୋଇଲି ସାଜିବିନି।
ଛଖଣ୍ଡି କାଠରେ ସଜା ହୋଇଛି ଗୋଟାଏ ମୃତ ଦେଶ
ନିରବଦ୍ରଷ୍ଟା ମାଟିଆ ପୋଷାକର ବାଘ
ରାଜନୀତିର ଶୀତୁଆ ଆଙ୍ଗୁଳି ସବୁ
ନିଆଁ ପୋଇବାରେ ବ୍ୟସ୍ତ ।
ସମ୍ପର୍କରେ ଏ କି ଶୀତଋତୁ
ରକ୍ତର ଏ କି ହୋରିଖେଳ !
କଥାଥିଲା ଆମେ ପରସ୍ପରକୁ ଅବିର ଲଗେଇବା,
ରକ୍ତ ମଖେଇବା କିଏ ଶିଖେଇଲା
କଥା ଥିଲା,ମଲାପରେ କାନ୍ଧଦେଇ
ଜଣେ ଆରଜଣକୁ ଜାଳିବା
ଜୀଅନ୍ତା ଜଳେଇବାକୁ କେଉଁ ଜହ୍ଲାଦ ପ୍ରବର୍ତ୍ତାଇଲା ?
ମଂଦିର ମସଜିଦ ଗୀର୍ଜା ,ପ୍ରାର୍ଥନା ମୁଦ୍ରାରେ
ଧର୍ମାନ୍ଧ,ରକ୍ତପିପାସୁ କିଆଁ ମଣିଷ?
ଗଛର ଡାଳପତ୍ର ଏବେବି ଶାଗୁଆ
ପକ୍ଷୀସବୁ ଯିଏ ଯା'ର ନୀଡ଼ରେ
ପାଖୁଡା ମେଲିଛନ୍ତି କୋମଳମତୀ ଫୁଲସବୁ
କିଏ ନିଆଁ ଲଗେଇଦେଲା
ଜଳିଗଲେ ପାଖୁଡା ଯେତେ, ଜଳିଗଲା ପକ୍ଷୀର ପର,
ସବୁ ଆଖି ଭୟାତୁର
ବସନ୍ତକୁ ଏଥର ଦେଖିଲାମାତ୍ରେ ଗୁଳିକର ।