ନବୀନ ଓ ନୀତିଶ -ଏକ ଅଣରାଜନୈତିକ ଭେଟଘାଟ !!

ନବୀନ ଓ ନୀତିଶ -ଏକ  ଅଣରାଜନୈତିକ  ଭେଟଘାଟ !!

ନବୀନ ନିବାସରେ ନୀତିଶ କୁମାର ଏବଂ ନବୀନ ପଟ୍ଟନାୟକଙ୍କ ଭେଟ ଯେ କେବଳ ଏକ ବନ୍ଧୁମିଳନ ଓ ଏଥିରେ କୌଣସି ରାଜନୈତିକ ଚର୍ଚ୍ଚା ସାମିଲ ନଥିଲା, ଏହା କେବଳ ଗାଲୁଗପ । ଉଭୟ ନବୀନ ଓ ନୀତିଶ ଏହାକୁ ଏକ ସୌଜନ୍ୟମୂଳକ ସାକ୍ଷାତ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି । ଏହା ପୂର୍ବରୁ ନବୀନଙ୍କର ମମତା ବାନାର୍ଜୀଙ୍କ ସହିତ ସାକ୍ଷାତ ମଧ୍ୟ “ଅଣରାଜନୈତିକ” ଥିଲା । ବିରୋଧୀ ଦଳର ଦୁଇଜଣ ବରିଷ୍ଠ ମୁଖ୍ୟମନ୍ତ୍ରୀ ପରଷ୍ପରକୁ ଭେଟିବା ପଛରେ କିଛି ନା କିଛି ରାଜନୀତି ଅବଶ୍ୟ ରହିବ । ତେବେ ଏ ସବୁ ଭେଟଘାଟକୁ “ଅଣରାଜନୈତିକ” ବୋଲି କହିବା ଇ ନବୀନ ପଟ୍ଟନାୟକଙ୍କର ସବୁଠୁ ବଡ ରାଜନୀତି । ନବୀନ ଓଡିଶାର ସବୁଠୁ ପୁରୁଣା ଆପ୍ତ ବାକ୍ୟ “ଦୁଇ ନାଆରେ ଗୋଡ ଦେବା ଲୋକ ବୁଡିମରେ” କୁ ଭୁଲ ପ୍ରମାଣିତ କରିଛନ୍ତି । ତାଙ୍କର ଗୋଟେ ଗୋଡ ମୋଦୀ ଶିବିରରେ ତ ଆର ଗୋଡଟି ବିରୋଧୀ ଶିବିରରେ ।  ସେ ଅବସ୍ଥା ଦେଖି ବ୍ୟବସ୍ଥା ବଦଳାଇବାର କଳା ଜାଣନ୍ତି ।

ଅନ୍ୟ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋଦୀ ଏବଂ ଶାହାଙ୍କର ଯେଉଁ ପ୍ରକାର ଚାପ ରହିଛି, ନବୀନଙ୍କ ଉପରେ ସେ ଚାପ ନାଇଁ । ବିଜେପିର ସ୍ଥାନୀୟ ନେତା ତାଙ୍କୁ ଗାଳି ଗୁଲଜ କଲେ ସେଥିରେ ନବୀନଙ୍କର କିଛି ହେବାର ନାଇଁ । ନବୀନଙ୍କୁ ସନ୍ତୁଷ୍ଠ କରିବାକୁ ମୋଦୀ ସରକାର ସବୁ ଓଡିଶା ଫାଇଲ୍ସ ବନ୍ଦ କରି ବସିଛନ୍ତି । ଚିଟ ଫଣ୍ଡ ହେଉ କି ଶାହା କମିଶନ ରିପୋର୍ଟ, କୌଣସି ପ୍ରସଙ୍ଗରେ କେନ୍ଦ୍ରୀୟ ବିଜେପି ନେତୃତ୍ଵ ଚୁପ । ସମାନ ମାମଲାରେ ମମତା ବାନାର୍ଜୀଙ୍କୁ ନାକେଦମ କରୁଥିବା ବିଜେପି ନବୀନଙ୍କ ଉପରେ କିନ୍ତୁ ବେଶ ସନ୍ତୁଷ୍ଟ । ସେହି ଦୃଷ୍ଟିରୁ ନବୀନ ଅନ୍ତତଃ ଏବେ ବିଜେପିକୁ କିଛି କହିବାକୁ ଚାହାନ୍ତି ନାଇଁ ।    

ତେବେ ବିରୋଧୀ ସମୀକରଣରେ ମଧ୍ୟ ସେ ନିଜକୁ ସାମିଲ କରିବାକୁ ଚାହାନ୍ତି । ୨୦୨୪ ନିର୍ବାଚନ ବେଳକୁ ବର୍ଷା ଯୁଆଡେ, ନବୀନଙ୍କ ଛତା ସେ ଆଡକୁ ମୁହାଁଇବ । ନବୀନଙ୍କ ରାଜନୀତିରେ “ଅଣରାଜନୈତିକ” ବନ୍ଧୁମିଳନ ଗୁଡିକର ବିଶେଷ ଭୂମିକା ସବୁବେଳେ ରହିଆସିଛି । ସେ ଅଣରାଜନୈତିକ ରହି ରାଜନୀତିରେ ସବୁଠୁ ଅଧିକ ରନ ସଂଗ୍ରହ କରିବାର କଳା ଜାଣନ୍ତି ।