ମଣିପୁରରେ ରକ୍ତବର୍ଷା: ବାଙ୍ଗାଲୋରରେ ଫୁଲବର୍ଷା

ମଣିପୁରରେ ରକ୍ତବର୍ଷା: ବାଙ୍ଗାଲୋରରେ ଫୁଲବର୍ଷା

ଆମେ ଏକ ବିଚିତ୍ର ସମୟରେ ବଞ୍ଚିଛୁ, ଯେଉଁଠି ମଣିଷ ଜୀବନର ମୂଲ୍ୟ ରାଜନୀତି ଆଗରେ କେବଳ ଶୂନ। ଗତ ତିନି ଦିନ ଭିତରେ ମଣିପୁରରେ ଭୀଷଣ ଦଙ୍ଗା ଘଟି ୫୪ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ସରକାରୀ ଭାବରେ ଏ ଯାଏଁ ଏହି ସଂଖ୍ୟା ଘୋଷଣା କରାଯାଇଥିବା ବେଳେ ବେସରକାରୀ ସୂତ୍ରରୁ ଏହି ସଂଖ୍ୟା ଢେର୍ ଅଧିକ ବୋଲି ଜଣାଯାଇଛି। ଏହି ସମାନ ସମୟରେ କାଶ୍ମୀରରେ ସନ୍ତ୍ରାସବାଦୀ ଆକ୍ରମଣରେ ସେନାବାହିନୀର ପାଞ୍ଚଜଣ ଜଓ୍ବାନ ସହିଦ ହୋଇଛନ୍ତି। ଅଳ୍ପ କିଛି ଦିନ ଆଗରୁ କାଶ୍ମୀରରେ ଆହୁରି ପାଞ୍ଚ ଜଣ ଜଓ୍ବାନ ସହିଦ ହୋଇଥିଲେ। କାଶ୍ମୀରରେ ନିୟମିତ ବ୍ୟବଧାନରେ ଆମର ସୈନିକ ମରୁଛନ୍ତି, ହେଲେ ମୋଦୀ ସରକାରର ଭାଷା ହେଲା- ସବୁ ଠିକ୍ ଚାଲିଛି। ମଣିପୁରରେ ନିଆଁ ଓ ରକ୍ତର ତାଣ୍ଡବ ଚାଲିଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ କର୍ଣାଟକ ନିର୍ବାଚନରେ ପ୍ରଚାର କରୁଛନ୍ତି। ମଣିପୁରରେ ଲୋକଙ୍କ ଉପରେ ଗୁଳିବର୍ଷା ହେଉଛି, ସମାନ୍ତରାଳରେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୁଲ ବର୍ଷା ହେଉଛି। ସାମାନ୍ୟ ମାନବୀୟ ସମ୍ବେଦନା ଥିବା ଜଣେ ରାଜନେତା ନିଜ ରାଜଧର୍ମ ପାଳନ କରିବାକୁ ଏ ଭଳି ସ୍ଥିତିରେ ନିଜ ଦାୟିତ୍ୱ ନିର୍ବାହ କରିବା କଥା। ଦେଶରେ ନିଆଁ ଲାଗିଥିବା ସମୟରେ ନିଜ ଉପରେ ଫୁଲ ବର୍ଷାର ବନ୍ଦୋବସ୍ତ କରୁଥିବା ଲୋକର ନେତୃତ୍ବରେ ଗୋଟେ ଦେଶ ଆଗକୁ ବଢିବ କେମିତି?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଏ ଦେଶର ଏକ ନିର୍ଦ୍ଦିଷ୍ଟ ଅଂଶ ସବୁ ବେଳେ ଦୁର୍ବଳ ରହିଆସିଛି। ତାଙ୍କୁ ଅନ୍ଧ ଭାବରେ ଭଲପାଉଥିବା ଲୋକେ ଯେତେବେଳେ ତାଙ୍କ ଉପରେ ଫୁଲ ପକାଇ ବନ୍ଦାପନା କରୁଥାନ୍ତି, ସେତେବେଳେ ତାଙ୍କୁ ମଣିପୁର କି କାଶ୍ମୀର ଦେଖାଯାଏ ନାହିଁ । ଏହା ଗୋଟିଏ ଗଣତାନ୍ତ୍ରିକ ସମାଜ ପାଇଁ ସବୁଠୁ ବଡ଼ ବିପଦ।

ଗଣତନ୍ତ୍ରରେ ଯେହେତୁ ଲୋକଙ୍କ ଶାସନ ଚାଲିଛି, ସେଠି ଲୋକଙ୍କ ବିପଦ ସମୟରେ ଦେଶର ପ୍ରଧାନ ସେବକ ଏତେ ସମ୍ବେଦହୀନ ହୋଇପାରିବ କେମିତି? ତେବେ ଏହି ଘଟଣା କେବଳ ଆଜିର ନୁହେଁ। ୨୦୧୯ ଫେବୃଆରୀ ମାସରେ ପୁଲଓ୍ବାମାରେ ଚାଳିଶ ଜଣ ଜଓ୍ବାନ ସହିଦ ହେଉଥିବା ସମୟରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିନେମା ଶୁଟିଙ୍ଗରେ ବ୍ୟସ୍ତ ଥିଲେ। କୋଭିଡର ସବୁଠୁ ଭୟଙ୍କର ପ୍ରଭାବ ସମୟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ନିର୍ବାଚନ ପ୍ରଚାରରେ ମାତିଥିଲେ

 ଅନେକ ସମୟରେ ଏ ପ୍ରକାର ସମ୍ବେଦନହୀନତାକୁ ନେଇ ଗଣମାଧ୍ୟମ ଶାସକମାନଙ୍କୁ ପ୍ରଶ୍ନ କରିଥାଏ ଭାରତୀୟ ଗଣମାଧ୍ୟମ ସେ ଦୃଷ୍ଟିରୁ ସବୁଠୁ ପଛୁଆ । ମଣିପୁର ହିଂସା ଘଟନା ଗଣମାଧ୍ୟମରେ ପ୍ରାୟତଃ ଆସିନଥିଲା ୫୪ ଭାରତୀୟଙ୍କ ମୃତ୍ୟୁ ଅପେକ୍ଷା ବାଙ୍ଗାଲୋରରେ ପ୍ରଧାନମନ୍ତ୍ରୀଙ୍କର ଏକ ରୋଡ ଶୋ ଗଣମାଧ୍ୟମର ସବୁଠୁ ବଡ ଖବର ଥିଲା ପୂରା ଗୋଟେ ରାଜ୍ୟ ଯେତେବେଳେ ନିଆଁରେ ଜଳୁଥିଲା ସେତେବେଳେ ଆମର ଗଣମାଧ୍ୟମ ମୁହଁରେ ତୁଣ୍ଡି ବାନ୍ଧି ଚୁପଚାପ ବସିଥିଲା ଏହି ଭୟଙ୍କର ଦଙ୍ଗାରେ ମରିଥିବା ଲୋକଙ୍କ ବିଷୟରେ ସରକାର ଘୋଷଣା ନ କରିବା ଯାଏ ଗଣମାଧ୍ୟମ ପାଖରେ କିଛି କହିବାକୁ ନଥିଲା । ବାସ୍ତବରେ ଆଜିର ଭାରତୀୟ ଗଣମାଧ୍ୟମ ସରକାରୀ ଲୋକସମ୍ପର୍କ ଅନୁଷ୍ଠାନ ପାଲଟି ଯାଇଛି