ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୫

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୫

ଭାଗ-୫

 ଅଫିସ‌୍‍ରୁ ଘର। ଘରୁ ଅଫିସ। ସକାଳୁ ଅପରାହ୍ଣ। ଅପରାହ୍ଣରୁ ରାତି। ସବୁ ଚାଲିଛି ଡଗ ଡଗ ହୋଇ। କିନ୍ତୁ ପ୍ରୀତି ମହାନ୍ତି ମନ ପରଦାରୁ ଲିଭୁନାହିଁ ଗତକାଲି ବରେଣ୍ୟ କଫି ପିଉପିଉ ଲେଖି ଦେଇଥିବା କଥା ପଦକ। ସତେ ଯେମିତି ଖୋଦେଇ ହୋଇଯାଇଛି ସେ ଧାଡିଟା। ତାକୁ ଲାଗୁଛି, ଯେମିତି ସମସ୍ତେ ତା'ର ଓ ବରେଣ୍ୟର ସଂପର୍କକୁ ନେଇ ବ୍ୟସ୍ତ। ଘରର ଚାରିକାନ୍ଥରେ ବରେଣ୍ୟର ସେଇ କଥା ପ୍ରତିଧ୍ୱନିତ ହେବାରେ ଲାଗିଛି।

 ସେ କ'ଣ ବରେଣ୍ୟର କଥାରେ ରାଜି? ନା, କେବେ ନୁହେଁ। ଏହା କେମିତି ସମ୍ଭବ ଯେ? ଓଡିଆ ଘରର ଜଣେ କୁଳବଧୂ ପକ୍ଷରେ ଏହା କେମିତି ସମ୍ଭବ? ଆଃ, ଗାଇଛନ୍ଦ ପରି ଧନ୍ଦି ହୋଇ ପଡୁଛି ପ୍ରୀତି ମହାନ୍ତି। ବରେଣ୍ୟ ତାକୁ ଭଲ ଲାଗେ। ଏପଟେ ତା'ର ସେଇ ପଦକ କଥା ତାକୁ ଭଲ ଲାଗୁନାହିଁ। ବରେଣ୍ୟର ପରଶ ପାଇଁ, ତା'ର ବନ୍ଧୁତ୍ୱ ପାଇଁ ସେ ବ୍ୟତିବ୍ୟସ୍ତ। କିନ୍ତୁ ନିବିଡ ବନ୍ଧୁତ୍ୱ ପାଇଁ ତା'ର ଶେଷ ପ୍ରସ୍ତାବରେ ସେ ରାଜି ନୁହେଁ। ଏହା କେମିତିକା ଦ୍ୱନ୍ଦ୍ୱ?

 ବିଛଣାରେ ଶୋଇ ଶୋଇ ଭାବନାରେ ବୁଡି ରହିଛି ପ୍ରୀତି ମହାନ୍ତି। କେତେବେଳୁ ଆସିଲାଣି ଅଫିସରୁ। କିନ୍ତୁ ଏଯାଏଁ ସେ ଫ୍ରେସ‌୍‍ ହୋଇନାହିଁ। ଆଜି ତା'ର ସେ ସବୁ ପାଇଁ ଆଗ୍ରହ ନାହିଁ। ବାଉଳା ପବନ ପରି ସେ ଆନମନା ରହିବାକୁ ଚାହୁଁଛି। ସକାଳୁଆ ସିଫ୍ଟରେ ତା'ର ରୁଟିନ‌୍‍ ବେଶ‌୍‍ ଶୃଙ୍ଖଳିତ। ଏଇ ସମୟରେ ସେ ପ୍ରତ୍ୟୁଷ ସହିତ ମନଭରି ଖେଳେ। ତାକୁ ବଜାର ବୁଲେଇ ନିଏ। ମନଇଚ୍ଛା ଟଫି ଓ ଚକୋଲେଟ‌୍‍ କିଣେ। ନିଜେ ଖାଏ ଓ ପ୍ରତ୍ୟୁଷକୁ ଦିଏ। ବେଳେବେଳେ ପାର୍କକୁ ବୁଲିବାକୁ ଯାଏ। ଶାଶୂ ଶ୍ୱଶୁରଙ୍କୁ ଧରି ଓଡିଆ ଫିଲ୍ମ ଦେଖିବାକୁ ଯାଏ।

 ଓଡିଆ ସିନେମା ଦେଖିଲେ ପ୍ରତ୍ୟୁଷ ବୋର‌୍‍ ହୋଇଯାଏ। ତାକୁ ଖାଲି ଦରକାର ହୁଏ ହଲିଉଡ‌୍‍ ହଙ୍ଗାମା। ବେଳେବେଳେ ହିନ୍ଦି ସିନେମା ଦେଖିବାକୁ ମଧ୍ୟ ସେ ଅମଙ୍ଗ ହୁଏ। ବେଳେବେଳେ ଏଇ ସକାଳୁଆ ସିଫ‌୍‍ଟରେ ସେ ବରେଣ୍ୟ ସହ ବୁଲିବାକୁ ମଧ୍ୟ ଯାଏ। ଘରେ କହିଦିଏ, ଅଫିସରେ କାମ ଅଛି। ନୂଆ ଗୋଟେ ପୋଗ୍ରାମ ପାଇଁ ପାଇଲଟ‌୍‍ ଏପିସୋଡ‌୍‍ ତିଆରି କରୁଛି। ରାତି ଆଠଟା ପର୍ଯ୍ୟନ୍ତ ବେଶ‌୍‍ ବୁଲି ବୁଲି ଘରକୁ ଫେରେ। କେହି ହେଲେ ପଦେ ପଚାରନ୍ତି ନାହିଁ, କୁଆଡେ ଯାଇଥିଲା ସେ। ବରଂ ଶାଶୂ ପଚାରିଲେ ପଚାରନ୍ତି- ଏତେବେଳ ଯାଏଁ ଖଟୁଛୁ, କିଛି ଖାଇଛୁ ନା ନାହିଁ?

 ପ୍ରୀତି ମହାନ୍ତି ମନରେ ପାପ ପଶିଯାଏ। ଭୁଲ କରିଥିବା ପୋଷା ଆଲ‌୍‍ସିସିଆନ‌୍‍ ପରି ମୁହଁ ଲୁଚେଇ ସେ ବେଡ‌୍‍ରୁମରେ ପଶିଯାଏ। ବାଥ‌୍‍ ରୁମରେ ସାୱାର ଖୋଲି ଦେହକୁ ଧୋଇବା ବେଳେ ତଥାପି ସାରା ଶରୀରରେ ବୋଳି ହୋଇ ରହିଥାଏ ବରେଣ୍ୟର ପରଶ। ବହୁ ସମୟ ଧରି ଦେହକୁ ଘସି ମାଜି ସଫା କରିବାକୁ ଚେଷ୍ଟା କରେ। ଝାଳ ଛାଡିଯାଏ। କିନ୍ତୁ ପ୍ରୀତି ମହାନ୍ତି ଚାହେଁ, ବରେଣ୍ୟର ସେ ଅଭୁଲା ଉଷୁମ ପରଷ ତା ଦେହରୁ କେବେ ନଛାଡୁ। ସେମିତି ବୋଳି ହୋଇ ରହିଥାଉ ସାରା ଦେହରେ। ଆଃ ! ପ୍ରୀତି ମହାନ୍ତିର ଦେହ ଶୀତେଇ ଉଠେ।

 କିନ୍ତୁ ସେଇ ବରେଣ୍ୟ ଆଜି ତାକୁ ହଠାତ‌୍‍ ଦୋ’ଛକିରେ ଛିଡ଼ା କରିଦେଇଛି। ତାକୁ ଏମିତି ଗୋଟେ ଜାଗାରେ ଛାଡ଼ିଛି, ଯେଉଁଠି ଅକ୍ଟୋପସ‌୍‍ର ଶରୀର ପରି ସବୁଆଡ଼କୁ ଲମ୍ୱିଛି ଅଙ୍କାବଙ୍କା ରାସ୍ତା। ଆଜି ତା'ର ମନେପଡ଼ୁଛି, ସ୍କୁଲବେଳେ ପଢ଼ିଥିବା ରବର୍ଟ ଫ୍ରଷ୍ଟ‌୍‍ଙ୍କ ସେଇ ପ୍ରସିଦ୍ଧ କବିତା- ଦି ରୋଡ‌୍‍ ନଟ‌୍‍ ଟେକେନ‌୍‍। କବିଙ୍କ ପରି ତା’ ଆଗରେ ଦୁଇଟି ରାସ୍ତା। ଗୋଟେ ଚିକ‌୍‍ ଚିକ‌୍‍, ଅନ୍ୟଟି ଶୁଖିଲା ପତ୍ର ଗହଳରେ ଲୁଚିଯାଇଛି।

 ଗୋଟେ ଜନଗହଳିପୂର୍ଣ୍ଣ, ଅନ୍ୟଟି ଜନାକୀର୍ଣ୍ଣ। ଗୋଟେ ଆକର୍ଷଣୀୟ, ଅନ୍ୟଟି ଚିରାଚରିତ। ଦ୍ୱିତୀୟ ରାସ୍ତାଟିରେ ଯାଇ କବି ଭାବୁଛିନ୍ତି, ବୋଧେ ଛାଡି ଆସିଥିବା ରାସ୍ତାଟି ହିଁ ଥିଲା ଭଲ। ସେଥିରେ ଥିଲା ଆକର୍ଷଣ। ସେଥିରେ ଥିଲା ପ୍ରାଚୁର୍ଯ୍ୟ ଭରା ପରିବେଶ। କବି ଓ ପ୍ରୀତି ମହାନ୍ତି ମଧ୍ୟରେ କେବଳ ଏତିକି ଫରକ, କବି ରାସ୍ତାଟିଏ ବାଛି ସାରିଥଲେ। ପ୍ରୀତି ମହାନ୍ତି କିନ୍ତୁ ଏବେ ଠିଆ ହୋଇଛି ଦୋ’ଛକିରେ।

 ପରେଶଙ୍କ ଦେହାନ୍ତର କିଛିଦିନ ପରେ ଯେତେବେଳେ ଧୀରେ ଧୀରେ ସହଜ ହୋଇଥିଲା ପ୍ରୀତି ମହାନ୍ତି, ସେତେବେଳେ ଶାଶୂ ଶ୍ୱଶୁର ମିଳିମିଶି ତାକୁ ଗୋଟେ କଥାରେ ମନେଇବାକୁ ଚେଷ୍ଟା କରିଥିଲେ। ସେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସେମାନଙ୍କ କଥାରେ। ଶାଶୂ ପଚିରିଥିଲେ- ତୁ କ'ଣ ଏମିତି ଜୀବନ ସାରା ଏକାଏକା ରହିବୁ?

 କ'ଣ ବା ଉତ୍ତର ଦେବ ଏ ପ୍ରଶ୍ନର ପ୍ରୀତି ମହାନ୍ତି? ମନେମନେ ହସିଲା ଯେତିକି, ଦୁଃଖ କଲା ବି ସେତିକି। ଆଜିକାଲି ଦୁନିଆରେ କୋଉ ଶାଶୂ ଶ୍ୱଶୁର ଏପରି ପ୍ରଶ୍ନ ପଚାରନ୍ତି ନିଜ ବୋହୂକୁ? ସେ ବୁଢାବୁଢୀଙ୍କ ଅସହାୟତା ଓ ବଡପଣିଆକୁ ଅନୁଭବ କଲା। ଦୁଃଖ କଲା ଆଉ ସଲାମ ମଧ୍ୟ କଲା।

ବେଳେବେଳେ ସେ ଅଗଣାରେ ଥିବା ସିମେଣ୍ଟ ଚଉଁରା ଆଗରେ ଠିଆ ହୋଇ ତୁଳସୀ ଗଛକୁ ପଚାରେ- ତୁ କ'ଣ ଏଇଠି ରହିଥିବୁ ସବୁଦିନ ଏଇମିତି? ଏଠି ପାଣି ଆଉ ସଂଜ ବଳିତାକୁ ଅପେକ୍ଷା କରି ରହିଥିବୁ ସବୁଦିନ?

ତୁଳସୀ ଗଛ କିଛି ଉତ୍ତର ଦିଏନି। ତା ତରଫରୁ ନଜେ ନିଜକୁ ଉତ୍ତର ଦେଇଦିଏ ପ୍ରୀତି ମହାନ୍ତି। କହେ, ତୋ ଭାଗ୍ୟ ସେତିକି। ସେଇମିତି ସିମେଣ୍ଟ କୁଣ୍ଡ ଭିତରେ ରହିଥିବୁ କଷ୍ଟେ ମଷ୍ଟେ, କିନ୍ତୁ ନମସ୍ୟ ହୋଇ ସମସ୍ତଙ୍କଠାରୁ ଜୁହାର ପାଉଥିବୁ। ଦିଅଁ ବୋଲି ପୂଜା ମିଳୁଥିବ। ଶାଶୂଙ୍କର ଏ ପ୍ରଶ୍ନରେ ପ୍ରୀତି ମହାନ୍ତି ନିଜକୁ ହଠାତ‌୍‍ ତୁଳସୀ ଗଛ ପରି ମନେ କରିଥିଲା। ଏବେ ତା'ର ଯାହା ଅବସ୍ଥା ସେ ଆଉ କୋଉଠି ପୂଜା ପାଇପାରିବ ନାହିଁ। ସବୁଦିନ ଏଇଠି ରହି ସେଇମାନଙ୍କ ସଂଜ ବଳିତାକୁ ହିଁ ଅପେକ୍ଷା କରିଥିବ ସେ।

 ଶାଶୂଙ୍କ ପ୍ରଶ୍ନରୁ ହଠାତ‌୍‍ କିଛି ଖିଅ ବାହାର କରିପାରିଲା ନାହିଁ ପ୍ରୀତି ମହାନ୍ତି। ପ୍ରକୃତରେ ଶାଶୂ ନିର୍ଦ୍ଦିଷ୍ଟ ଭାବରେ କ'ଣ ପଚାରିବାକୁ ଚାହୁଁଛନ୍ତି? ଏକୁଟିଆ ରହିବା ବଦଳରେ ସେ ଆଉ କ'ଣ କରିପାରିବ?

 ହଠାତ‌୍‍ ଶାଶୂ ତା ପାଇଁ ଏକ ଆଶ୍ଚର୍ଯ୍ୟ ପ୍ରସ୍ତାବ ଦେଇବସିଲେ। କହିଲେ- ତୁ ଆମ ଝିଅ ପରି। ଝିଅ ପରି କାହିଁକି ? ଝିଅଟିଏ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। ତୋ'ର ସୁଖଦୁଃଖ ସବୁ ଆମର। ଏ ବୟସରେ ତୋ'ର ଏ ଅବସ୍ଥା ଦେଖି ଆମେ ବୁଢାବୁଢୀ ଦୁଇଟା ସହିପାରୁ ନାହୁଁ। ତୁ ଯଦି ଚାହୁଁ ଆମେ ତୋ ପାଇଁ ବାହାଘର ଠିକ‌୍‍ କରିବୁ।

ବାହାଘର!!!

 ସବୁ ଦୁର୍ଘଟଣା ଓ ବଜ୍ରପାତକୁ ଧୀରେ ଧୀରେ ଭୁଲି ଆସୁଥିବା ପ୍ରୀତି ମହାନ୍ତି ଉପରେ ଯେମିତି ହଠାତ‌୍‍ ଛାତର ସିମେଣ୍ଟ ପଲସ୍ତରା ଖଣ୍ଡେ ଖସିପଡିଲା। ଭାରତୀୟ ବିବାହ ପରଂପରାକୁ ସମ୍ମାନ ଦେଉଥିବା କୈାଣସି ମହିଳା ହୁଏତ ନିଜ ଶାଶୂଙ୍କଠାରୁ ଏପରି ଏକ ପ୍ରଶ୍ନ ଆଶା କରିବ ନାହଁି। ପ୍ରୀତି ମହାନ୍ତି କ'ଣ କରିବ, କ'ଣ କହିବ କିଛି ବୁଝି ପାରିଲା ନାହିଁ। ସାରା ମୁହଁରେ ତା'ର ହଠାତ‌୍‍ ଅବିର ଟିକିଏ ଯେମିତି କିଏ ଛିଞ୍ଚି ଦେଇଛି।

 "ଆଜିକାଲି ଶାଶୂମାନେ ବୋହୂକୁ ଶାସନ କରୁଛନ୍ତି। ଅଯଥାରେ ଆଇତି କରିବାକୁ କୈାଶଳ ପାଞ୍ଚୁଛନ୍ତି। କିନ୍ତୁ ମୋର ଏ ଶାଶୂ ଶ୍ୱଶୁର ବଡ ଅଦ୍ଭୁତ ଚରିତ୍ରର ! ସେମାନେ କୁଟିଳ ମନୋବୃତ୍ତିର ହୋଇଥିଲେ ହୁଏତ ପ୍ରୀତି ମହାନ୍ତି କଠୋର ପଦକ୍ଷେପ ସ୍ୱରୂପ ଖୋଜି ବୁଲୁଥାନ୍ତା ବରେଣ୍ୟ ପରି ପିଲାଟିଏର ସାହା ଭରସା। କିନ୍ତୁ ଏତେ ସରଳ ମନର, ଉତ୍ତର ବୟସର ଦୁଇଟି ମଣିଷଙ୍କୁ ଏମିତି ଅଧାବାଟରେ ଛାଡି ଚାଲିଯିବାକୁ ଯେମିତି ତା' ମନ ବାଟ ଓଗାଳି ବସିଥିଲା। ଶାଶୂଙ୍କ ପ୍ରଶ୍ନର ଉତ୍ତର ଦେଇନପାରି କଇଁ କଇଁ ହୋଇ କାନ୍ଦି ପକାଇଥିଲା ପ୍ରୀତି ମହାନ୍ତି, ଆଉ ଲୋଟି ପଡ଼ିଥିଲା ଶାଶୂଙ୍କ କାନ୍ଧ ଉପରେ। ଶାଶୂ ପ୍ରୀତିର ମୁଣ୍ଡ ସାଉଁଳେଇ ସାଉଁଳେଇ ପ୍ରବୋଧନା ଦେଇଥିଲେ- ବ୍ୟସ୍ତ ହଅନା ମା’, ସବୁ ଠିକ‌୍‍ ହୋଇଯିବ। ଆମ ନିଜ ପିଲା ପାଇଁ ବି ଆମର ଦୁଃଖ ବୋଲି ଟିକିଏ ନଥିଲା। ସତରେ ତୋ ଦୁଃଖ ଆମକୁ ଦିନରାତି ସମାନ କରିଦେଇଛି।

 ସେତେବେଳେ ପ୍ରତ୍ୟୁଷ ଯେ ପେଟରେ ଦାନା ବାନ୍ଧୁଛି, ସେ ଖବର କାହା ପାଖରେ ନଥିଲା। ଏପରିକି ପ୍ରୀତି ପାଖରେ ବି। ସେଥିପାଇଁ ଶାଶୂ ଶ୍ୱଶୁର ଚାହୁଁଥିଲେ ଏତେ କମ‌୍‍ ବୟସର ଝିଅଟି କାହିଁକି ନିଜ ଭାଗ୍ୟର ଉପହାସକୁ ମଥାପାତି ସହିବ? ଯାଉ କୁଆଡେ଼ ହେଲେ ଉଡିଯାଉ ନିଜ ପର ସାହାଯ୍ୟରେ। ଏପରିକି ଯେତେବେଳେ ସବୁକଥାକୁ ପ୍ରୀତି ପୂରାପୂରି ନା କରିଦେଇଥିଲା, ସେତେବେଳେ ସେମାନେ ଦିଅର ଦେବ ସହିତ ତା'ର  ବାହାଘର କରିବାକୁ ଚାହିଁଲେ।

 କିନ୍ତୁ ପ୍ରୀତି ମହାନ୍ତି ଜାଣେ ଦିଅର ଆଜିକାଲିକା ପିଲା। ମନ ତା'ର କାହିଁ କେତେଦୂର ଉଡି ବୁଲୁଥିବ। ତା'ର ଅନିଚ୍ଛା ସତ୍ୱେ କେବଳ ପ୍ରୀତିକୁ ଖୁସି କରିବାକୁ ହିଁ ଶାଶୂ ଶ୍ୱଶୁର ତାଙ୍କୁ ଜବରଦସ୍ତ ମନେଇବାକୁ ଚେଷ୍ଟା କରିଛନ୍ତି।

ପ୍ରୀତି ମହାନ୍ତି ବୁଝିଛି, କେବଳ ଦେହକୁ ନେଇ ଘର ତିଆରି ହୁଏନା। ବିବାହ ଏକ ଆଶ୍ଚର୍ଯ୍ୟ ବୁଝାମଣା। ଏଠି ପାନରୁ ଚୁନ ଖସିଲେ ମହାଭାରତ ସୃଷ୍ଟି ହୋଇଯାଇ ପାରେ। ଆଉ ବେଳେବେଳେ ପାହାଡ଼ ପଡ଼ି ଚୁନା ହୋଇଗଲେ ବି ଶୁଖିଲା ପତ୍ରଟିଏ ଖସିଲା ପରି ସାଧାରଣ ଘଟଣା ପାଲଟି ଯାଏ। ହଁ ଏମିତି ହିଁ ବିବାହର ଦର୍ଶନ। ଏ ସବୁକୁ ବୁଝିଥିବା ପ୍ରୀତି ମହାନ୍ତି, ଆଉ ଏ ସବୁକୁ ବହିର ପାଠ କହୁଥିବା ଦିଅର ଟୋକା ଯେ ଏକାଠି ରହିବା ଉଚିତ, ତାହା ପ୍ରୀତି ଚିନ୍ତା କରିନାହିଁ। ସେ ଜାଣୁଛି ତା ଦୁଃଖ ହରଣ ପାଇଁ ଲାଗିପଡ଼ିଥିବା ଶାଶୂ ଶ୍ୱଶୁର ଏ ସବୁ କାରସାଦି କରିଛନ୍ତି। କିନ୍ତୁ ଘରର ବୋହୂ ହିସାବରେ ପୁଣି ପ୍ରୀତି ମହାନ୍ତିର ତ କିଛି ଦାୟିତ୍ୱ ଅଛି। ସେ କ'ଣ ନିଜ ସୁଖ ପାଇଁ ଏମିତି ସ୍ୱାର୍ଥପର ହୋଇଯିବ ?

 ଧୀରେ ଧୀରେ ପ୍ରୀତି ମହାନ୍ତି, ଓଦାମାଟି ଶୁଖିଲା ପରି ଟାଣ ହେଉଥିଲା। ଶାଶୂ ଶ୍ୱଶୁରଙ୍କ ଭିତରେ ପ୍ରତ୍ୟୟ ସୃଷ୍ଟି କରୁଥିଲା ଯେ, ସେ ଏମିତିରେ ବେଶ‌୍‍ ଠିକ‌୍‍ ଅଛି। ସେ ନିଜର ପୁଣି ଏକ ନୂଆ ସଂସାର ଗଢ଼ି ଏକୁଟିଆ ରହିବାକୁ ଚାହୁଁନାହିଁ। ସେ ଚାହୁଁଛି ତାଆରି ନିଜର ପୁରୁଣା ସଂସାରରେ ହିଁ ସେ କେନ୍ଦ୍ରବିନ୍ଦୁ ହୋଇ ରହିବ। ଯେଉଁଠି ସମସ୍ତେ ଥିବେ, ଶାଶୂ, ଶ୍ୱଶୁର ଓ ଅନ୍ୟମାନେ।

(କ୍ରମଶଃ)

(ଭାଗ-୬ର ଆକର୍ଷଣ: ଖୁସି ଖବରଟି ଜାଣିବା ପାଇଁ ସମସ୍ତେ ତାଙ୍କ ମୁହଁକୁ ଅନେଇ ରହିଛନ୍ତି । ପ୍ରୀତି ଧୀରେ ଧୀରେ ସ୍ପଷ୍ଟ ହେଉଥିଲା। ସେ ଆଉ ଗର୍ଭବତୀ ନୁହେଁ ତ? ତା ଅନୁମାନ ଠିକ‌୍‍ ବାହାରିଲା। ଅଙ୍କଲ ବଡପାଟିରେ ଘୋଷଣା କଲେ- ଆପଣଙ୍କ ଘରକୁ ନୂଆ ଅତିଥି ଆସୁଛି। ବୋହୂମା’ ପ୍ରେଗ‌୍‍ନାଣ୍ଟ।)

ଅମରେଶ ବିଶ୍ଵାଳଙ୍କ ଧାରାବାହିକ ଉପନ୍ୟାସ "ବିଧବା"-୪