ଯୋଗୀ ପାଇଁ ପଦେ
ହେ ବୈରାଗୀ (?)
ଶାସନଦଣ୍ଡ ସାଜୁନାହିଁ ଜମା
ତୁମ କେନ୍ଦରା ଅଭ୍ୟସ୍ତ ହାତରେ ।
ତୁମ ସନ୍ଦିଗ୍ଧ କରୁଣାରେ
ଯାବତ ନିରୀହ ଶବ୍ଦ ମାନେ
ସୁନାପିଲା ପରି
ଚୁପଚାପ୍ ଶୋଇଗଲେ
ତୁମେ ରାଜା ହେବା ପରେ ।
ଏବେ ତୁମେ ସ୍ଥିର କରିଛ
ଜାଳିଦେଇ ରକ୍ତଗୋଲାପର ବଗିଚା
ରୋପିବ କ୍ୟାକ୍ଟସ୍
ଦେଶରେ ଦେଶରେ ।
ଏତେ ଘୃଣା କାହା ପାଇଁ ମହାଭାଗ?
ଭାଗଭାଗ କରୁଥାଅ ସମ୍ପର୍କ
ବାଛୁଥାଅ ନାମ ଶେଷର ସଜ୍ଞା ।
ବାଣ୍ଟୁଥାଅ ଫୁଲଖେତ ପାଇଁ
ବିଦ୍ବେଷର ବିହନ।
ଡାହାଳ କୁକୁର ପରି ଶୁଂଘିବୁଲ
ଦେଶର ଗଳିକନ୍ଦି
ମନୋହରପୁରରୁ ମଣିପୁର ଯାଏ
ବାରୁଥାଅ ବିଧର୍ମୀ ରକ୍ତର ଗନ୍ଧ
ପଜଉଥାଅ ହିଂସାର ତରବାରି
ଭଗାରୀ ଭଗାରୀ ଲାଗୁଥାଏ
ତୁମ ରକ୍ତିମ ଆଖି।
ତୁମେ କଣ
ସତରେ ଗଢିଥିଲ ଏ ପୃଥିବୀ?
ସଜେଇଥିଲ ସୂର୍ୟ ନକ୍ଷତ୍ର ତାରାପୁଞ୍ଜ
ଗ୍ରହମାନଙ୍କୁ ବତେଇଥିଲ କକ୍ଷପଥ?
ଖଞ୍ଜିଥିଲ ମଣିଷ ଦେହରେ
ରକ୍ତ ଓ ଜୀବନ? ଅଥଚ
ଆଜି ରାତାରାତି ପାଲଟି ଯାଅ
ଆତ୍ମ ଘୋଷିତ ଈଶ୍ବର ।
କେମିତି କହିପାରୁଛ
ପୁଣି କେଉଁ ବହପରେ
ତୁମେ ବନେଇବ
ବଞ୍ଚିବାର ନୂଆ ସମ୍ବିଧାନ !
କିଏ କଣ ଖାଇବ
କିଏ କଣ ପିନ୍ଧିବ
କିଏ କାହାକୁ ପୂଜିବ
ଯେତେ ନିଷେଧାଜ୍ଞା ଜାରିକଲେ କ'ଣ
କୋଳାକୋଳି ହେବେ ନାହିଁ
ଯିଶୁଖ୍ରୀଷ୍ଟ ଆଲ୍ଲା ଓ ଈଶ୍ବର ?
ଦୁଃଖ ତ ଏତିକି ଲାଗୁଛି
ସମୟକୁ ଦିନେ
କାନ୍ଦିକାନ୍ଦି କହିବାକୁ ହେବ
ଏ ସୁନ୍ଦର ସଭ୍ୟତାର ବିନାଶରେ
ଗୋଟିଏ ଯୋଗୀର ବି ହାତ ଅଛି ।
ଅନ୍ଧାର ପଥର ପଥିକ
ମଙ୍ଗଳ ମନାସୁଛି ତୁମର
ହେଉ ହେଉ ଚୈତନ୍ୟ ଉଦୟ ।