ବସନ୍ତ ଚାଲିଗଲାପରେ
ଗୋଟେ ରାତି ଉଇଁବ
ଜହ୍ନକୁ ପଛ କରି
ମୋର ପ୍ରଳାପ ସବୁକୁ ଚିହ୍ନ ଦେବା ପାଇଁ ,
ଯେତେବେଳେ ମନେପଡ ତୁମେ
ଉଲ୍କା ଖସେ ଅବେଳରେ
ପୋଖରୀ ତୁଠରୁ ଚହଟେ ବାସ୍ନା
ନିଦରୁ ଉଠିପଡ଼ିଲେ ଅଚାନକ ଶୁଭିବ ରାଗିଣୀ
ଦିଗନ୍ତ ସେପାଖେ ତୁମ ଆଖିଦ୍ବୟ
ଭୋଗୁଥିବେ ନିଦ୍ରାହୀନତା !
ଜାଣିଛ !
ବସନ୍ତ ଚାଲିଗଲାପରେ
କଣ ଆଉ ରହିଯାଉଥିବ ମୋର ପୃଥିବୀରେ ?
ଗଛରୁ ଉଡ଼ିଗଲେ ଶୁଆ ଶାରୀ
ଉକୁଟିବ ଶାଗୁଆ ରଙ୍ଗର ଦାଗ
ପାଣିରୁ ଡେଇଁଲେ ମାଛ
ଦିଶିବ ନୀଳ ରଙ୍ଗର ଦାଗ
ନିଆଁରୁ ଜନ୍ମିଲେ ସୂର୍ଯ୍ୟମୁଖୀ
ତମେ ହଳଦୀ ହଳଦୀ ବାସିବ
ମୋର ପୃଥିବୀରେ, ବସନ୍ତ ଚାଲିଗଲାପରେ ।
ଶୁଣୁଛ !
ତମେ ଆଖିରେ ମାଖିବ କଜ୍ଜଳ
ଜହ୍ନକୁ ଦର୍ପଣ କରି,
ତୁମର ଆଖିରୁ ଛିଟିକି ପଡେ ବୋଲି ସିନା
ଜହ୍ନର ଛାତିରେ ଛାତିଏ ଦାଗ !
ତାରାସବୁ ଶୋଇଗଲାପରେ
ମିଟି ମିଟି ହେଇ ଉଇଁଆସିବ ସଂଜ
ଗୋଟେ ଈଷତ କମଳା ରଙ୍ଗର ଫୁଲ ପରି
ତମେ ସମର୍ପି ଦେବ
ସବୁ ଆତ୍ମମୁଗ୍ଧତା
ତମ ଭିତରେ ଜନ୍ମନେବ ଲାଜକୁଳୀ !
ମୋର ପୃଥିବୀରେ , ବସନ୍ତ ଚାଲିଗଲା ପରେ !
ଛୁଇଁଦେଲେ ସରିଯାଏନି ପୃଥିବୀ
ତୁମର ଉଷୁମ ନିଶ୍ୱାସରେ ବି ଆଙ୍କିହୁଏ
ମୋର ଦେହରେ
ଶତ ସହସ୍ର ଶିହରଣ
ମୋର ଫାଜିଲପଣ ସବୁକୁ
ତମେ ସ୍ବୀକାରି ଦେଲେ ଚାହାଣୀରେ
ମୁଁ ଭିଜିଯାଏ ଲାଜରେ
ଗୋଟେ ଅପେକ୍ଷିତ ବସନ୍ତ ଯାଏଁ . . . !