ଫ୍ଲେମ୍ ଅଫ୍ ଫରେଷ୍ଟ
"ଭଲ ଲାଗେ ନା', ଏମିତିଆ ଖରାଦିନେ ଦୂରର ସେ ଶୁଖିଲା ପଡିଆ ମଝିରେ ମଝିରେ ଟହଟହ ପଳାଶ ଫୁଲ ଦେଖିବାକୁ?" ହଠାତ୍ କିନା ସାମ୍ନା ବର୍ଥରୁ ଗୋଟିଏ ଝିଅର ସ୍ବରରେ ଏ ପ୍ରଶ୍ନ ଶୁଣି, ଝରକା ବାହାରୁ ନଜର ଫେରାଇ ଚାହିଁଲା ସମର। କୌଣସି ଉତ୍ତର ଫେରାଇବା ପୂର୍ବରୁ ଆଶ୍ଚର୍ଯ୍ୟରେ ତା' ପାଟିରୁ ବିହାରିଲା "ଉଁ?"
ସମରକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଥିବାର ଦେଖି ଝିଅଟି ଟ୍ରେନ୍ ଝରକା ବାହାରକୁ ହାତ ବଢାଇ ହସିକି କହିଲା - ସେଇ ଯେଉଁ ଶୁଖିଲା ଆଉ ସିଠା ଦେଖା ଯାଉଥିବା ପଡିଆ ଗୁଡାର ମଝିରେ ମଝିରେ ପଳାଶ ଗଛରେ ଫୁଲ, ଦେଖିବାକୁ ଭଲ ଲାଗେ ନା'? ଫେବ୍ରୁଆରୀ-ମାର୍ଚ୍ଚରେ ଏଇ ରୁଟ୍ ରେ ଗଲେ ଏଇଟା ହିଁ ସବୁଠୁ ଉପଭୋଗ କଲା ପରି ଜିନିଷ। ଗୋଟେ ୟୁନିକ୍ ଲ୍ୟାଣ୍ଡସ୍କେପ୍!
ଏତେ ସମୟ ଯାଏଁ ନିର୍ଦ୍ଦିଷ୍ଟ କୌଣସି କାରଣ ନନେଇ ଟ୍ରେନ୍ ବାହାରକୁ ଚାହିଁଥିବା ସମର ଆଉଥରେ ଝରକା ଆରପାଖକୁ ଚାହିଁଲା ଭଲକରି। ଯଦିଓ ତା' ନଜରରେ ବି ପଳାଶ ଗଛ ଗୁଡିକ ପଡିଥିଲେ କିନ୍ତୁ ସେ ଏତେ ନିରିଖେଇ ଭାବି ନଥିଲା। ମାର୍ଚ୍ଚ ମାସ ଖରାରେ ଗାଢ ନାରଙ୍ଗୀ ରଙ୍ଗର ପଳାଶ ଫୁଲ ସବୁ ଚକଚକ କରୁଥାନ୍ତି। ବ୍ଲାଷ୍ଟ୍ ଫରନେସରେ ପଡିଥିବା ଲୁହା ପରି, ସୂର୍ଯ୍ୟଠୁ ବହେ ଉତ୍ତାପ ଶୋଷିଦେଲା ପରି ଟହଟହ ଦିଶୁଥା'ନ୍ତି ପଳାଶ ଫୁଲ ସବୁ। ସେମିତି ବାହାରର ଲ୍ୟାଣ୍ଡସ୍କେପକୁ ଦେଖୁ ଦେଖୁ ସମର ଉତ୍ତର ଫେରାଇଥିଲା "ହଁ, ଭଲ ଲାଗୁଛି।"
ଏଥର ଝିଅଟି ଆଉଟିକେ ଉତ୍ସାହିତ ସ୍ବରରେ କହିଲା- ବର୍ଷର ଏଇ ସମୟରେ ମୋର ଯେବେ ବି ଝାରସୁଗୁଡା ଯିବାର ଥାଏ, ମୁଁ ପ୍ରବଳ ଚେଷ୍ଟା କରେ ଦିନ ଟ୍ରେନରେ ଯିବା ପାଇଁ। ଖାସ୍ ଟ୍ରେନ୍ ଝରକାରୁ ଏଇ ପଳାଶ ଫୁଲକୁ ଦେଖିବି ବୋଲି।
ଟ୍ରେନ୍ ପୁରୀ ଷ୍ଟେସନ୍ ଛାଡିଲା ପରେ ସମର ଶୋଇଯାଇଥିଲା। ଏ ଝିଅଟି କେତେବେଳେ କୋଉ ଷ୍ଟେସନରୁ ଉଠିଲା କି ମୂଳରୁ ବସିଥିଲା…… ମନେ ପଡୁନି ତାର। ଏବେ ଟ୍ରେନଟା ଅନୁଗୁଳ ଷ୍ଟେସନ୍ ଛାଡିଲା ବେଳକୁ ତା' ନିଦ ଭାଙ୍ଗିଲା। କାଳେ କେହି ଚା' ବାଲା ଆସୁଥିବ ଭାବି ଟ୍ରେନ୍ ଭିତରେ ଟିକେ ଏପଟ- ସେପଟ ଅନାଇବା ଭିତରେ ଟ୍ରେନ୍ ଷ୍ଟେସନ୍ ଛାଡି ସାରିଥିଲା। ଚା' କିମ୍ବା ଝାଲମୁଢି ବାଲା କେହି ଜଣେ ଆସିବାର ଅପେକ୍ଷାରେ ବସିଥିବା ବେଳେ, ଏମିତି ଝରକା ବାହାରକୁ ଅନେଇଥିଲା। ତା' ଆଖି ସାମ୍ନାରେ ବିଲ, ପୋଖରୀ, ପାହାଡ଼, ଚଢେଇ, ଆକାଶ ଆଉ ପଳାଶ ଗଛ ସବୁଥିଲେ ବି ସେ ସେମିତି କିଛି ଖାସ୍ ବାରି ପାରିନଥିଲା କି ଭାବି ନଥିଲା। ସେଥିପାଇଁ ଝିଅଟି କଥାରେ ସେ ଖାଲି ଛୋଟିଆ ସ୍ମାଇଲଟେ ରିପ୍ଲାଇ ଦେଲା। ଝିଅଟି ପୁଣି ଯୋଡିଲା - ଜାଣନ୍ତି ପଳାଶକୁ ଫ୍ଲେମ୍ ଅଫ୍ ଫରେଷ୍ଟ୍ କୁହନ୍ତି! ସେ କାଇଁ ଏମିତି ଦାଉଦାଉ ଦିଶେ କହିଲେ?
ସମର କିଛି ଉତ୍ତର ଫେରାଇବା ଆଗରୁ ଝିଅଟି ପୁଣି ଆରମ୍ଭ କଲା- ପୁରାଣରେ ଅଛି ଯେ, ଥରେ ଶିବ-ପାର୍ବତୀ ଏକାନ୍ତରେ ଥିବା ବେଳେ ଅଗ୍ନି ଦେବ ତାଙ୍କ ସେଇ ମୁହୂର୍ତ୍ତରେ ବ୍ୟାଘାତ ସୃଷ୍ଟି କରିଥିଲେ। ଶିବ ରାଗିକି ଅଗ୍ନି ଦେବଙ୍କୁ ଅଭିଶାପ ଦେବାରୁ ସେ ପୃଥିବୀ ପୃଷ୍ଠରେ ପଳାଶ ଗଛ ହୋଇ ଜନ୍ମ ନେଲେ। ମୋତେ ଲାଗେ, ସେଇଥିପାଇଁ ପଳାଶର ରଙ୍ଗ ଏତେ ଉଜ୍ଜ୍ୱଳ ଆଉ ଜଳିଲା ଜଳିଲା। କେବେ ପଳାଶ ପାଖୁଡାରୁ ତିଆରି ରଙ୍ଗରେ ହୋଲି ଖେଳିଛନ୍ତି? ବିଲକୁଲ୍ "କେଶରିଆ ତେରା ଇସ୍କ ହେ ପିୟା…." ଏଇ ଗୀତର ଫିଲ୍ ଆସେ।
ଚା' ଢୋକେ ନେଇ ଝିଅଟି ଆଡକୁ ଚାହିଁଲା ବେଳକୁ ତା' ଆଖି ଯୋଡାକ ବି ପଳାଶ ଫୁଲ ପରି ଏକଦମ ଚକଚକ କରୁଥିଲେ। ସମର ଚା'ଟା ସମ୍ପୂର୍ଣ୍ଣ ଢୋକି ସାରିବା ଆଗରୁ ଝିଅଟି ପୁଣି ଆରମ୍ଭ କଲା- ଜାଣନ୍ତି, ପକୃତରେ ପଳାଶ ଗଛର ସୃଷ୍ଟି ଗଙ୍ଗା- ଯମୁନାର ମଧ୍ୟବର୍ତ୍ତୀ ଉପତ୍ୟକା ବିହାର ଅଞ୍ଚଳରୁ। କିନ୍ତୁ ଇ°ରେଜ ମାନଙ୍କ ଶାସନକାଳରେ ଅଧିକ ଚାଷଜମି ପାଇଁ ଯେତେବେଳେ ସେଇ ସବୁ ଅଞ୍ଚଳରୁ ଜଙ୍ଗଲ କଟା ଗଲା, ପଳାଶଗଛ ବି ସେଠୁ ପ୍ରାୟ ବିସ୍ଥାପିତ ହୋଇଗଲେ ଆଉ ଦେଶର ମଧ୍ୟବର୍ତ୍ତୀ ଅଞ୍ଚଳ ଗୁଡିକରେ ଯାହା ଅଳ୍ପ-ବହୁତ ଦେଖାଗଲେ। ଭାରି ଧିମା ଗତିରେ ବଢେ ଏ ଗଛ। ଆଉ ତା' ଗଣ୍ଡିକୁ ଲକ୍ଷ୍ୟ କରିବେ…. ଭାରି ଅଙ୍କାବଙ୍କା। ହେଲେ ତା' କାଠର ଓ୍ବାଟର ରେଜିଷ୍ଟାନ୍ସ ପରି ବିଶେଷ ଗୁଣ ଅଛି। ସେଥିରୁ ଭଲ କାଠ ଖଡିକା, ଡଙ୍କି ବନିପାରେ। ଆମ ହୋମ ହେରିକା ସମୟରେ ବି ଘିଅ ଆହୁତି ଦେବାକୁ ଯେଉଁ ଶ୍ରୁବ ବ୍ୟବହାର ହୁଏ, ଏଇ ପଳାଶ କାଠରୁ ତିଆରି। ପଳାଶର ତିନିପତ୍ରିରେ ବ୍ରହ୍ମା, ବିଷ୍ଣୁ, ମହେଶ୍ବରଙ୍କ ବାସ ବୋଲି ବିଶ୍ୱାସ କରାଯାଏ।
ସମର ଓ୍ବାସରୁମରୁ ଫେରିଲା ବେଳକୁ ଝିଅଟି ଟ୍ରେନ୍ ଝରକା ବାହାର ପୃଥିବୀର ଫଟୋ ନେବାରେ ବ୍ୟସ୍ତ ଥାଏ। ସେମିତି ଫଟୋ ନେଉ ନେଉ ଝିଅଟି କହିଲା - ଜାଣନ୍ତି କାଳିଦାସ ତାଙ୍କ ଲେଖାରେ ପଳାଶ ଫୁଲ ଫୁଟିଥିବା ସମୟରେ ପୃଥିବୀ ଲାଲ୍ ଶାଢ଼ୀ ପିନ୍ଧିଥିବା ଠିକ୍ ଗୋଟିଏ ନବବଧୂ ପରି ଦିଶେ ବୋଲି ବର୍ଣ୍ଣନା କରିଛନ୍ତି। ବାସ୍ନା ନଥିଲେ ବି ଭାରି ଆକର୍ଷଣୀୟ ପଳାଶର ରଙ୍ଗ ଆଉ ଆକାର। ଠିକ୍ ଅଧାଚନ୍ଦ୍ରାକୃତି ଫୁଲ। ସେଇଥିପାଇଁ ବୋଧେ ଗ୍ରହଶାନ୍ତି ଯଜ୍ଞରେ ଚନ୍ଦ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ତା' କାଠ ହୋମରେ ବ୍ୟବହାର ହୁଏ। ପଳାଶ ପାଖୁଡାରୁ ଯେଉଁ ନାରଙ୍ଗୀ ରଙ୍ଗ ପ୍ରସ୍ତୁତ ହୁଏ ସେଥିରେ ରଙ୍ଗେଇଲେ ଟସର ଆଉ ରେଶମୀ କପଡା ଯେତିକି ଉଜ୍ଜ୍ୱଳ ଦିଶେ, ସିନ୍ଥେଟିକ୍ ଡାଏ ତାକୁ କେବେବି ସରି ହେବନି।
ଫୋନକୁ ଚାର୍ଜରେ ଲଗାଇ, ସମର ଆଡକୁ ମୁହଁ କରି ଚକାମାଡି ବସି, ଟିକେ ନିଶ୍ବାସ ନେଇ ଝିଅଟି ପୁଣି ଆରମ୍ଭ କଲା- ପଳାଶ ଜଙ୍ଗଲରେ ନିଆଁ ଲଗାଏ କି ନାଇଁ, ତାହା ତ ମୁଁ ଜାଣିନି ହେଲେ ମୋ ମନରେ ବର୍ଷ ତମାମ୍ ଅପେକ୍ଷାର ନିଆଁ ଜଳୁଥାଏ ପଳାଶ ପାଇଁ! ଇଚ୍ଛା ହୁଏ କେହି ଗୋଟେ ପେନ୍ଥାଏ ପଳାଶ ଆଣି ମୋ' ଗଭାରେ ମାଖି ଦିଅନ୍ତାନି!
ସମ୍ବଲପୁର ଷ୍ଟେସନରେ ନିଦ ଭାଙ୍ଗିଲା ବେଳକୁ ସାମ୍ନା ବର୍ଥରେ ଜଣେ ଯୁବକ ବସିଥାଏ। ଝିଅଟି ଝାରସୁଗୁଡାରେ ଓଲ୍ହାଇ ଯାଇଥିଲା ନିହାତି। ହେଲେ ଆଜି ଏମିତି ତିନି ବର୍ଷ ପରେ କାଇଁ କେଜାଣି ଏ ପଳାଶ-ଲେନରେ ପହଞ୍ଚିଲା ପରେ ସେ ଝିଅଟି କଥା ହଠାତ୍ ମନେ ପଡି ଯାଉଛି ସମରର। ଗଳିଟାରେ ପଶୁପଶୁ ଆଖି ଆପଣା ଛାଏଁ ଚାଲିଯାଏ ରାସ୍ତା ଦିକଡରେ ନାରଙ୍ଗୀ ଫୁଲରେ ଲଦି ହୋଇଥିବା ପଳାଶ ଗଛ ଗୁଡାକ ଉପରକୁ। ରାସ୍ତା ଦି'ଧାର ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପଳାଶଗଛ ଗୁଡିକୁ ଲଗା ଯାଇଛି। ସବୁଜ ଶାଢ଼ୀରେ ପଳାଶ ରଙ୍ଗର ରେଶମୀ କାମ ହେଲା ପରି ଦିଶୁଥାଏ ସମୁଦାୟ ଗଳିଟା। ରାସ୍ତା ଉପରେ ଜମା ଭିଡ଼ ନକରି ନିର୍ଦ୍ଦିଷ୍ଟ ବ୍ୟବଧାନରେ ଛୋଟଛୋଟ କ୍ୟାଫେ, ଫୁଡ୍-ଟ୍ରକ୍ ଆଉ ମଣିଷମାନେ। ସମରର ପୁଣି ମନେ ପଡି ଯାଇଥିଲା ଝିଅଟି କଥା, "ବର୍ଷ ତମାମ୍ ପଳାଶ ଏମିତି ଛାଇ ରହିଲେ ହୁଅନ୍ତାନି? ଧେତ୍! ବର୍ଷସାରା ଫୁଟିଲେ ଅପେକ୍ଷା ବି ତ ରୁହନ୍ତାନି! ମଣିଷ ସବୁବେଳେ ସେମିତି। ଚାହୁଁଥିବା ମଣିଷ ଆଉ ଜିନିଷ ଉପଲବ୍ଧ ହୋଇଗଲେ ତା' ପାଇଁ ଆୟାଗୟା ହୋଇଯାଏ।"
ସେଦିନ ନାଁ ପଚାରି ପାରିନଥିବା ଝିଅଟିର କଥା ମନେ ଥିଲା ବୋଲି ବି ସମରର ଧାରଣା ନଥିଲା। ଅବଶ୍ୟ ତା'ର ତ ସହରରେ ଗୋଟିଏ ପଳାଶ-ଲେନ୍ ଅଛି ବୋଲି ବି ଧାରଣା ନଥିଲା। ଯଦି ରମ୍ୟା ଏଠି ଦେଖା କରିବା କଥା କହି ନଥା'ନ୍ତା ସମର ଏ ପଳାଶ-ଲେନ୍ ବିଷୟରେ କେବେ ଜାଣି ପାରିଥାନ୍ତା କି ନାହିଁ ସେଇଟା ବି ସେ ଜାଣେନି! ଅବଶ୍ୟ ରମ୍ୟା ସହ ତା ପରିଚୟ ହେବାଟା ବି ଏମିତି ହଠାତ୍। ଫେସବୁକରୁ। ଡିସେମ୍ବର ମାସରେ ସଜେସନରେ ରମ୍ୟାର ପ୍ରୋଫାଇଲ୍ ଦେଖି ସମର ଗୋଟେ କାଜୁଆଲ୍ ରିକ୍ବେଷ୍ଟ ପଠାଇ ଦେଇଥିଲା। ସପ୍ତାହ ଖଣ୍ଡେ ପରେ ଫ୍ରେଣ୍ଡସିପ୍ ଆକ୍ସେପ୍ଟ କରିଥିଲା ରମ୍ୟା। କୌଣସି ଗୋଟିଏ ପୋଷ୍ଟରେ ଟିକେ ଯୁକ୍ତିତର୍କ ଚାଲିଥିବା ସମୟରେ ଉଭୟ ସମାନ ମତ ରଖିବାରୁ ଚାଟି° ଆରମ୍ଭ ହୋଇଥିଲା। ଚାଟି°ଟା ଧିରେଧିରେ କାଜୁଆଲ୍ ଗୁଡମର୍ଣ୍ଣି ମେସେଜରୁ ଅପେକ୍ଷାରେ କେମିତି ପରିଣତ ହେବାରେ ଲାଗିଲା ଦିହେଁ ଜାଣିପାରି ନଥିଲେ। ଏବେକୁ ମେସେଜ୍ ନଆସିଲେ ଦିନ ତମାମ କେମିତି ଗୋଟେ କାମ ସବୁ ଅଧାପନ୍ତରିଆ ହେଲା ପରି ଲାଗେ। କେବେ ଅଫିସରୁ ଫେରିଲା ପରେ ଗୋଟେ ଗୋଟେ ସନ୍ଧ୍ୟା ତ ଆଉ କେବେ ପୂରା ରାତି ପାହିଯାଉଥିଲା ଚାଟି° କରୁକରୁ। ପରସ୍ପରକୁ କେବେ କଲ୍ କରି ନଥିଲେ ବି ପରସ୍ପରର ଉପସ୍ଥିତିଟାକୁ ଖୁବ୍ ଅନୁଭବ କରୁଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ହଠାତ୍ ରବିବାରକୁ ଭେଟିବା କଥା ଉଠିଲା, ଲଞ୍ଚ୍ ଠୁ ଆରମ୍ଭ କରି ଫିଲ୍ମ ଆଉ ଓ୍ବାଟର ପାର୍କ ସବୁ ଡିସକସନ୍ ପରେ ହଠାତ୍ ରମ୍ୟା ଏଇ ପଳାଶ-ଲେନ କଥା କହିଥିଲା। ରମ୍ୟାକୁ ହଁ ମାରିଦେଇଥିଲେ ବି ସମର ପକୃତରେ ତା' ପରେ ଚିନ୍ତାରେ ପଡି ଯାଇଥିଲା…… ଏ ପଳାଶ-ଲେନଟା କୋଉଠି? ସତରେ ଏମିତି ଗୋଟେ ଜାଗା ଅଛି ନା' ଏ ଝିଅଟା ଏମିତି କହିଦେଲା!
ଶନିବାର ଗୁଗୁଲ ମ୍ୟାପ୍ ଆଉ ବନ୍ଧୁ ମାନଙ୍କୁ ପଚରା ପଚରି କରି ଶେଷରେ ଏ ପଳାଶ ଲେନର ଲୋକେସନଟା ଜଣା ଲଡିଲା। ସହର ଉପକଣ୍ଠରେ ତିଆରି ହେଉଥିବା ନୂଆ ନଗର ଆଇ ବିହାର ଗୁଡିକରେ ଏବେ ଏଇଟା ନୂଆ ଟ୍ରେଣ୍ଡ୍। ଗୋଟିଏ ରାସ୍ତା ନହେଲେ ପଡିଆକୁ ସ୍ବତନ୍ତ୍ର ଭାବରେ ସଜାଇ ଫୁର୍ଡ କୋର୍ଟ ଆଉ ରିଲାକ୍ସ ସ୍ପେସ ବନେଇବା। ପଳାଶ ଲେନରେ ଚାଲିଲା ବେଳେ ସମରକୁ ବିଲକୁଲ୍ ବି ଲାଗୁନଥିଲା ଯେ ଏଇଟା ତାଙ୍କ ସହରର ଅ°ଶ ବୋଲି। ଖରା ନଇଁ ଆସିଲେ ବି ସୂର୍ଯ୍ୟ ଅସ୍ତ ଯାଇନଥାନ୍ତି। ଫୁଡ୍ ଷ୍ଟଲ୍ ଗୁଡିକ ନିଜନିଜ ପସରା ମେଲିବା ପାଇଁ ପ୍ରସ୍ତୁତି କରୁଥାନ୍ତି। ଫୁଟପାଥରେ ଇଭନି° ଓ୍ବାକର ହାଲକା ଭିଡ। ରାସ୍ତାକଡ଼ ସିମେଣ୍ଟ ବେଞ୍ଚରେ ଅଳ୍ପ ଅଳ୍ପ ସାଙ୍ଗଙ୍କ ଆସର। ମଝିରେ ମଝିରେ ଫାଙ୍କା ଜାଗାରେ ଷ୍ଟ୍ରିଟ୍ ମ୍ୟୁଜିକ ଆଉ ଟକ୍ ସୋ'ର ପ୍ରସ୍ତୁତି। ଲେନରେ ଧୀରେଧୀରେ ଚାଲିବା ଭିତରେ ନାକରେ ଆସ୍ତେ ଆସ୍ତେ ଚା', କଫି, ଟୋଷ୍ଟ, କବାବ୍ ବାସ୍ନାର ଗହଳି ବଢୁଥାଏ। କାନରେ ଛିଣ୍ଡାଛିଣ୍ଡା ଗୀତ, କଥା, ହସ ଆଉ ଗୀଟାରର ଆଓ୍ବାଜ ବିନା ନିମନ୍ତ୍ରଣରେ ପଶି ଯାଉଥାନ୍ତି। ଟିକେ ଅଟକି ଯାଇ ସମର ମୁଣ୍ଡ ଟେକି ଗୋଟିଏ ପଳାଶ ଗଛ ଆଡକୁ ଚାହିଁ ଠିଆ ହେଲା। ଫୁଲରେ ଲଦି ହୋଇଥିବା ଗଛଟା ଦେଖୁଦେଖୁ ଭାବିଲା… ଏ ବର୍ଷ ବି ସେ ଝିଅଟା ଦିନ ଟ୍ରେନରେ ଝାରସୁଗୁଡା ଯାଇଛି ନା ନାଇଁ!
"ମଦହୋସ କରିଦେଲା ନା ପଳାଶ ଲେନର ପଳାଶ? ଏଇ ତ ଖାସିୟତ ପଳାଶ ଫୁଲର। ବିଲକୁଲ୍ ବାସ୍ନା ନଥାଇ ବି ସବୁ ସ୍ନାୟୁ ତନ୍ତ୍ରୀକୁ ସମ୍ମୋହିତ କରିପାରେ ସେ।"
ପଛରୁ ହଠାତ୍ ଝିଅଟେର ସ୍ବର ଶୁଣି ଚମକି ବୁଲିପଡିଲା ସମର। ହସହସ ମୁହଁରେ ତା' ଆଡକୁ ହାତ ବଢାଇ ଆସି ଝିଅଟି କହିଲା - ହାଏ ସମର! ଦିସ ଇଜ୍ ରମ୍ୟା!
ତଥାପି ମୋହ, ଆଶ୍ଚର୍ଯ୍ୟ କଟିନଥିବା ଅବସ୍ଥାରେ ହିଁ, ସମର ନିଜକୁ ସମ୍ଭାଳି ନେଇ, ହାତ ବଢାଇ ହସିହସି କହିଲା - ଅଫକୋର୍ସ ଆଇ କ୍ୟାନ୍ ଗେସ୍!
ଦିହେଁ ଚାଲିବା ଆରମ୍ଭ କଲେ। ସନ୍ଧ୍ୟାର ପବନରେ କଳା ମଚମଚ, ଚିକ୍କଣ ରାସ୍ତା ଉପରେ ଦାଉଦାଉ ଜଳୁଥିବା ପଳାଶ ଫୁଲ ଟୁପଟାପ ହୋଇ ଖସି ପଡୁଥାନ୍ତି। ପଳାଶ ଲେନରେ ରମ୍ୟା ପାଖେପାଖେ ଚାଲୁଚାଲୁ ସମରକୁ ହଠାତ୍ ଗୋଟେ ରାଜକୁମାର ଭଳି ମନେ ହେଉଥାଏ। ହଜାର ପ୍ଲାନ୍ ଆଉ ରିହଲସେଲ ପରେ ବି ଏବେ ତା' ପାଟିରୁ କିଛି ବି ବାହାରୁ ନଥାଏ। ତା ମସ୍ତିଷ୍କ ବି ଶୂନ୍ ପଡିଗଲା ପରି ଲାଗୁଥାଏ। ଦଶ-ବାର ପାଦ ଚୁପଚାପ୍ ଚାଲିଲା ପରେ ରମ୍ୟା କହିଲା - ଜାଣିଛ ପଳାଶକୁ ଫ୍ଲେମ୍ ଅଫ ଫରେଷ୍ଟ କୁହନ୍ତି! ପୁରାଣ ଅନୁସାରେ ଶିବ-ପାର୍ବତୀଙ୍କୁ ଡିଷ୍ଟର୍ବ କରି ଅଗ୍ନି ଦେବ ଅଭିଶାପ ପାଇ ପୃଥିବୀରେ ପଳାଶ ହୋଇ ଜନ୍ମ ହେଲେ। ହେଲେ ଅଗ୍ନିଦେବଙ୍କୁ ରିପ୍ରେଜେଣ୍ଟ କରେ ବୋଲି ନା' ତା' ରଙ୍ଗଟା ସେମିତି ଦାଉଦାଉ ବୋଲି…….କ'ଣ ପାଇଁ ତାକୁ ଫ୍ଲେମ୍ ଅଫ ଫରେଷ୍ଟ କୁହନ୍ତି କେଜାଣି? ହେଲେ ଜମାରୁ ବାସ୍ନା ନଥାଇ ବି ଏଇ ଗୋଟିଏ ଫୁଲ ଯିଏ ହଜାରେ କବି ଆଉ ଲେଖକଙ୍କୁ ଆକୃଷ୍ଟ କରିପାରେ। କାଇଁ କେଜାଣି ମୋତେ ବି ଭାରି ନିଜ ଆଡକୁ ଟାଣେ ପଳାଶର ସେ ଗାଢ ନାରଙ୍ଗୀ ରୂପ। ଗଲା ଦି ବର୍ଷ ହେଲା ଫେବ୍ରୁଆରୀ- ମାର୍ଚ୍ଚ ମାସର ଅଧାରୁ ଅଧିକ ସନ୍ଧ୍ୟା ମୋର ଏଇ ପଳାଶ ଲେନରେ କଟେ……..
ଟିକେ ଅଟକି ଯାଇ, ହଠାତ୍ କିନା ରାସ୍ତା ଉପରକୁ ଲମ୍ବି ଆସିଥିବା ଗୋଟିଏ ପଳାଶ ଡାଳରୁ ସମର ଛୋଟ ପେନ୍ଥାଟେ ଛିଣ୍ଡେଇ ଆଣି ରମ୍ୟାର ଗଭାରେ ଖୋସି ଦେଲା। ଫୁଲ ପେନ୍ଥାଟାକୁ ଚଟ୍ କରି ଗଭାରୁ କାଢି ତଳକୁ ଫୋପାଡ଼ି ଦେଇ ରମ୍ୟା କହିଲା - ପଳାଶ ଫୁଲରୁ ମୋର ଆଲର୍ଜି ଅଛି!!!
ଟୁପଟାପ କରି ତିନି- ଚାରିଟା ପଳାଶ ଫୁଲ ସେମାନଙ୍କ ସାମ୍ନାରେ ଖସି ପଡିଥିଲେ…….