ସେ ଝିଅଟି
ସବୁ ଠିକ୍ ଠାକ୍ ଥିଲା।
କେବେଠାରୁ ହଜି ଯାଇଥିବା
ନିଜ ଲୋକର ମାୟାରେ ବି
ସଜଳ ଥିଲା ସେଦିନର ସକାଳ।
ଉଇଁ ଆସୁଥିବା ମଙ୍ଗଳ ସୂର୍ଯ୍ୟ ଙ୍କୁ ଚାହିଁ
ଝିଅଟି କହିଥିଲା "ପ୍ରଣତୋସ୍ମି ଦିବାକର"
ସବୁ ଠିକ୍ ଥିଲା
ଖାଲି ଯାହା କିଛିଦିନ ତଳେ ଶୁଣି ଥିବା
ଜଣେ ଅଜଣା ଲୋକର ସ୍ୱର
ମିଶି ଯାଇଥିଲା ତାର ନିଜ ଲୋକର ସ୍ୱର ସହିତ।
ତାର ଚିଠିର ଅକ୍ଷର ମିଶି ଯାଇଥିଲା ନିଜ
ଲୋକର ଅକ୍ଷର ସହିତ।
ଖାଲି ଯାହା ଝିଅଟିର ମନେ ନଥିଲା
କେମିତି ଥିଲା ତା ନିଜ ଲୋକଟିର ସାହଚର୍ଯ୍ୟ।
ସେଥି ପାଇଁ ତ ସେ "ହଁ"ବୋଲି କହିଦେଲା
ସେ ଅଚିହ୍ନା ଲୋକର ଡାକର ଉତ୍ତରରେ।
ବାଟରେ କହିଥିଲା ଈଶ୍ୱର ଙ୍କୁ
ଯିବାର ନୁହେଁ ଯଦି ବାରଣ କର ମୋତେ
କହିଥିଲା, "ମୋର କଣ ଭୂଲ ହୋଇ ହୋଇ ପାରେ
ତମେ ସବୁ ଦେଖୁଛ ଯେତେବେଳେ?"
ଅଜସ୍ର ତମାଳ ଫୁଲ ମଣ୍ଡିତ ଫାଟକ ଥିବା
ଘରଟି ଦିଶୁଥିଲା ନିଜ ଲୋକର ଘର ଭଳି।
ପ୍ରଥମ କୋଠରୀ ଟି ଦିଶୁଥିଲା ଯେମିତି
ନିଜ ଲୋକର କୋଠରୀ,
ଦ୍ଵିତୀୟ କୋଠରୀରେ କିଂତୁ ତାକୁ
ଅପେକ୍ଷା କରିଥିଲା ନିର୍ଘାତ ଖରାବେଳ,
ସହଜ ଖଟ ପାଖରୁ ତାକୁ ନିମନ୍ତ୍ରଣ କଲେ
ଆଖି ଦୁଇଟି ,ନିସ୍ତରଙ୍ଗ ,ଶୁଷ୍କ ଓ ଅଗଭୀର।
ତାର ନିଜ ଲୋକର ଚରମ ଅସ୍ବୀକାର ରେ
ଗଢ଼ା ହୋଇ ଥିଲା ସେ ଅଚିହ୍ନା ମଣିଷ
ତାର କେଶ କପାଳ ସ୍ନାୟୁ ଅଙ୍ଗ ପ୍ରତ୍ୟଙ୍ଗ ଠାରୁ
ଅସ୍ଥି ମଜ୍ଜା ପର୍ଯ୍ୟନ୍ତ , ନିରୁପାୟ ଝିଅଟି ଚମକି ଗଲା
କାହିଁ କେଉଁଠି ତାର ନିଜ ଲୋକ?
ମଝିରେ ଶୁଭିଥିଲା କେତୋଟି ଭୟାକୁଳ
କୁଆଙ୍କର କୋଳାହଳ,
ମଝିରେ ନିଜ ଲୋକଟିର ନାଆଁ
ଲାଖି ଯାଇଥିଲା ତାର ତଣ୍ଟି ପାଖରେ,
ଜୀବନର କେଉଁ ମଧୁ ମୁହୂର୍ତ୍ତର ଅଙ୍ଗୀକାର
ଭାଙ୍ଗିପଡ଼ିଲା -ଯେତେବେଳେ ,
କେବଳ ମଧୁ ଚୁମ୍ବନ ରେ ଗଢ଼ା
ଝାଡବତୀ ଟି ହଠାତ ଖସି ପଡି
ଚୁନା ହୋଇ ଗଲା ତାର ନିଜ ଶୋଇବା ଘରେ।
ଗୋଟିଏ ହାତକୁ ବିଦାୟ ଭଙ୍ଗୀରେ ରଖି
ଆର ହାତରେ ଫାଟକ ବନ୍ଦ କରୁଥିବା
ଅଜଣା ଲୋକଟି ଦେଲା କଣ ନେଲା କଣ
କର୍ମ ଚଂଚଳ ମୁହଁ ତ ତାର ଦିଶୁଥିଲା
ବେଶ୍ ବ୍ୟାବହାରିକ ,ସିଧା ଓ ସ୍ୱାଭାବିକ।
ପଛରେ କିଛି କୁହୁଳା ଅନ୍ଧାର କୁ
ଛାଡି ଆସିଥିବା ସେ ଝିଅଟି କିନ୍ତୁ
ଅଶ୍ରୁଳ କନକ ଚମ୍ପା ଟିଏ,
ଭାସିଗଲା ନିର୍ଜନ ଅପରାହ୍ନରେ।
ନିଜ ଲୋକଟିର ମୁହଁ ତଥାପି
ପ୍ରଗାଢତର ଝଳି ଉଠୁଥିଲା
ତାର ସ୍ବର୍ଣାଭ କେଶରଟି ଉପରେ।