ମୋଦୀ ପ୍ରସଙ୍ଗ : ବିଜେପିର ପାଇଁ ଓବିସି ଚେହେରା ନା ମୋହରା?

ମୋଦୀ ପ୍ରସଙ୍ଗ : ବିଜେପିର ପାଇଁ ଓବିସି ଚେହେରା ନା ମୋହରା?

ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟ ପଦରୁ ବରଖାସ୍ତ କରିବା ପରେ ବିଜେପି ତରଫରୁ ଏହାକୁ ପଛୁଆ ଜାତି ବନାମ ରାହୁଲ ଗାନ୍ଧୀ ଭଳି ଏକ ପ୍ରସଙ୍ଗ କରିବା ପାଇଁ ଉଦ୍ୟମ ହେଉଛି । ରାହୁଲ ମୋଦୀଙ୍କ ବିରୋଧରେ କହିଥିବାରୁ ଓ ଏ କଥା ପାଇଁ ତାଙ୍କୁ ମାନହାନି ମାମଲାରେ ସୁରତର ଏକ ନିମ୍ନ ଅଦାଲତ ଦଣ୍ଡିତ କରିଥିବାରୁ, ରାହୁଲ ପଛୁଆ ବର୍ଗଙ୍କ ବିରୋଧୀ ବୋଲି ଏକ ପ୍ରଚାର ବିଜେପି ତରଫରୁ ଆରମ୍ଭ ହୋଇଛି । ଏହି ପ୍ରଚାର ଅଭିଯାନର ଆରମ୍ଭ କରିଥିଲେ ଓଡିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶାରେ ଓବିସି ବା ପଛୁଆ ବର୍ଗର ଚେହେରା ଭାବରେ ଧର୍ମେନ୍ଦ୍ର ଦୀର୍ଘ ବର୍ଷ ହେଲା ନିଜକୁ ଉପସ୍ଥାପିତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାଙ୍କୁ ସହଜରେ କେହି ଗ୍ରହଣ କରୁନାହାନ୍ତି କେନ୍ଦ୍ରରେ ବିଜେପି ସରକାର ଗଠନରେ ପଛୁଆବର୍ଗର ଭୋଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଛୁଆବର୍ଗର ମସିହା ଭାବରେ ନରେନ୍ଦ୍ର ମୋଦୀଙ୍କୁ ଉପସ୍ଥାପନ କରିବାକୁ ଯାଇ ରାହୁଲ ଗାନ୍ଧୀଙ୍କୁ ଖଳନାୟକ ଭାବରେ ଦେଖାଇବାର ଚେଷ୍ଟା ବିଜେପି କରୁଛି

ଗତକାଲି ରାହୁଲଙ୍କୁ ଏହି ମର୍ମରେ କିଛି ସାମ୍ବାଦିକ ଗୁଡେଇ ତୁଡେଇ ପ୍ରଶ୍ନ କରିବାକୁ ଚେଷ୍ଟା କରିଥିଲେ ରାହୁଲ ଏହାକୁ ସିଧା ସିଧା ବିଜପି ପ୍ରାୟୋଜିତ ପ୍ରଶ୍ନ ବୋଲି କହି ଏଡାଇ ଯାଇଥିଲେ ତେବେ ଏଠି ପ୍ରଶ୍ନ ଉଠୁଛି ରାହୁଲ ଗାନ୍ଧୀ ଯେଊଁମାନଙ୍କୁ ଚୋରା ବୋଲି କହିଥିଲେ ସେମାନେ ପଛୁଆ ବର୍ଗର ପ୍ରତିନିଧି କି ?

  • ଲଲିତ ମୋଦୀ ଏବଂ ନୀରବ ମୋଦୀ କେବଠୁ ଓବିସି ବର୍ଗର ପ୍ରତିନିଧି ହେଲେ ?
  • ଜଣେ ଅପରାଧୀକୁ ଅପରାଧୀ ବୋଲି କହିବା ସେ ଜାତିର ଅପମାନ ବୋଲି ବିବେଚନା କରାଯିବ କି ?
  • ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜୱାହରଲାଲ ନେହେରୁଙ୍କୁ ଗାଳି ଦେଇ ବିଜେପି କାଶ୍ମୀର ପଣ୍ଡିତ ଏବଂ ଭାରତର ବ୍ରାହ୍ମଣମାନଙ୍କ ବିରୋଧରେ କୁତ୍ସାରଟନା କରୁଛି କି ?
  • ବିଜେପି ଏବଂ ସଂଘ ପରିବାର ସବୁ ସନ୍ତ୍ରାସବାଦୀ ମୁସଲମାନ କାହିଁକି ବୋଲି ଯେତେବେଳେ ପ୍ରଶ୍ନ କରନ୍ତି ସେତେବେଳେ ସେମାନେ ସମଗ୍ର ମୁସଲମାନ ଧର୍ମକୁ ଅପମାନିତ କରନ୍ତି ନାହିଁ କି ?
  • ବିଜେପି ପଛୁଆ ବର୍ଗର ଭୋଟ ପାଇ ନିର୍ବାଚିତ ହେଉଥିବା ବେଳେ ସେହି ବର୍ଗରୁ କେତେଜଣଙ୍କୁ ମୁଖ୍ୟମନ୍ତ୍ରୀ କରିଛି ?
  • ଉତ୍ତରପ୍ରଦେଶରେ ପଛୁଆବର୍ଗଙ୍କ ଭୋଟ ପାଇ ଜଣେ ଠାକୁରଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଓବିସି ବିରୋଧୀ ଉଦ୍ଦେଶ୍ୟ ନାହିଁ କି ?

ରାହୁଲ ଗାନ୍ଧୀଙ୍କୁ ମାନହାନୀ ମାମଲାରେ ଦଣ୍ଡିତ କରିବା ପଛରେ ବିଜେପିର ଗଣତନ୍ତ୍ର ବିରୋଧୀ ଚେହେରା ଖୋଲିଯାଇଛି ବିଜେପି ଭାବୁଛି, ନିଜ ପୋଷା ଗଣମାଧ୍ୟମ ଜରିଆରେ ରାହୁଲ ଗାନ୍ଧୀଙ୍କ ବିରୋଧରେ କିଛି ବି ଅପପ୍ରଚାର କରି ପାରିବ ରାହୁଲ ଗାନ୍ଧୀଙ୍କୁ ବିରୋଧକରିବାକୁ ଯାଇ ନୀରବ ମୋଦୀ ଏବଂ ଲଳିତ ମୋଦୀ ଭଳି ଅପରାଧୀଙ୍କ ସପକ୍ଷରେ ଆଜି ବିଜେପି ଓକିଲାତି କରିବା ଆରମ୍ଭ କରିଛି ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀଙ୍କ ସମ୍ପୃକ୍ତି ଅଧିକରୁ ଅଧିକ ସ୍ପଷ୍ଟ ହୋଇ ଚାଲିଥିବା ବେଳେ ଏହାକୁ ପଛୁଆ ବର୍ଗ ବନାମ ରାହୁଲ ଗାନ୍ଧୀ ପ୍ରସଙ୍ଗ କରିବା ବିଜେପି ପାଇଁ ଆତ୍ମଘାତୀ ସାବ୍ୟସ୍ତ ହୋଇପାରେ

ବିଜେପିକୁ ସ୍ପଷ୍ଟ କରିବାକୁ ପଡିବ ଯେ ନୀରବ ମୋଦୀ ଏବଂ ଲଳିତ ମୋଦୀ ତାଙ୍କ ପାଇଁ ପଛୁଆବର୍ଗର ନାୟକ କି ? ଆମେ ଆଶା କରିବା ଓଡିଶାର ସାମ୍ବାଦିକମାନେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏ ପ୍ରଶ୍ନ ନିଶ୍ଚୟ ପଚାରିବେ ?