ଓଡ଼ିଶାର ଲେଖିକା : ଏକ ନିକୃଷ୍ଟ ପ୍ରବନ୍ଧର ପ୍ରତିବାଦ

ଓଡ଼ିଶାର ଲେଖିକା : ଏକ ନିକୃଷ୍ଟ ପ୍ରବନ୍ଧର ପ୍ରତିବାଦ

ଏଇ ଅଳ୍ପଦିନ ତଳେ ଓଡ଼ିଶା ସରକାର ବେଶ୍ ଟଙ୍କା ଖର୍ଚ୍ଚ କରି ବିଶ୍ଵ ଭାଷା ସମ୍ମିଳନୀ କଲେ, ଯେଉଁଠି କାନ୍ତକବିଙ୍କୁ କଣ୍ଠକବି ଉଦଘୋଷିକା କହିଲେ ବୋଲି କେତେ ତୁମ୍ବି ତୋଫାନ ହେଲା । ଦିଲ୍ଲୀରେ ଆରମ୍ଭ ହେଇଥିବା ଫେଷ୍ଟିଭାଲ୍ ଅଫ ଲେଟର୍ ୨୦୨୪ରେ ଯୋଗଦେବାକୁ ଯାଇଥିବା ସାହିତ୍ୟିକମାନଙ୍କ ତାଲିକାରେ କାହା ନାଁ ରହିଲା, କାହାର ରହିଲାନି ସେ ନେଇ ବି ଆମର ଏଠି ଢେର୍ ହୋ ହାଲ୍ଲା ହେଲା । କେତେ ପ୍ରକାରର ଚିଠା ତିଆରି ହେଲା । କେତେ କାନ୍ଦ ବୋବାଳି ଗାଳି ଫଜିଲ୍ ହେଲା । 

ଏତେ ଘଟଣା ଭିତରେ ଏମିତି ଏକ ଘଡ଼ିସନ୍ଧି ବେଳାରେ ମୋ  ଆଖିରେ ଚମତ୍କାର ପ୍ରବନ୍ଧ ଗୋଟ ପଡ଼ିଲା ।  ପ୍ରବନ୍ଧଟି ଇଂରାଜୀ ଭାଷାରେ ଲିଖିତ ଓ BSSS Journal of  Education ନାମକ ଏକ ଅନଲାଇନ୍ ପତ୍ରିକାରେ ପ୍ରକାଶିତ । ଲେଖିକା ତାଙ୍କ ପ୍ରବନ୍ଧକୁ ଗବେଷକମାନଙ୍କ ପରିସରରେ ପହଞ୍ଚାଇବାକୁ ResearchGateରେ ଆଣି ସେୟାର ବି କରିଛନ୍ତି । ପ୍ରବନ୍ଧର ଶୀର୍ଷକ ରହିଛି ‘’WOMEN'S WRITING IN ODIA LITERATURE “ । ଲେଖିକା ହେଉଛନ୍ତି କଲ୍ୟାଣୀ ପ୍ରଧାନ । ମୁଁ ବ୍ୟକ୍ତିଗତ ଭାବରେ କଲ୍ୟାଣୀ ମ୍ୟାଡାମଙ୍କୁ ଜାଣିନି।ତାଙ୍କର ଅନ୍ୟ କିଛି ଲେଖା ବି ପଢ଼ିନି । ତେବେ ପ୍ରବନ୍ଧ ପଢ଼ିସାରିଲା ପରେ ମୁଁ ତାଙ୍କ ଜ୍ଞାନ ଓ ସାହସ ସହିତ ପତ୍ରିକାର ସମ୍ପାଦନା ମଣ୍ଡଳୀଙ୍କ ଜ୍ଞାନର ଗଭୀରତା ଦେଖି ଭୟ ପାଇଯାଇଛି । ସିଧା ମୁର୍ଚ୍ଛା ଯିବା ଅବସ୍ଥାକୁ ଆସିଯାଇଥିଲି । ସାଷ୍ଟାଙ୍ଗ ହେଲା ପରେ ଆପଣମାନଙ୍କୁ କହୁଛି ।  ଆପଣମାନେ ପଢ଼ିଲେ ସେଇ ମୋ ପରି ଅବସ୍ଥାକୁ ନିଶ୍ଚୟ ଆସିବେ ବୋଲି ମୋର ଶତ ପ୍ରତିଶତ ଆଶା ଓ ବିଶ୍ଵାସ । ଅବଶ୍ୟ ଧୈର୍ଯ୍ୟ ଧରି ଶେଷଯାଏ ପଢ଼ିଲେ, କେତେ କେତେ ନୂଆ ତଥ୍ୟ, ନୂଆ ବହି ଓ ନୂଆ ଲେଖିକାଙ୍କୁ ଜାଣିବେ ।

ପ୍ରବନ୍ଧରେ ସମୁଦାୟ ପନ୍ଦର ଜଣ ଓଡ଼ିଆ ନାରୀ ଲେଖିକାଙ୍କ ବିଷୟରେ ଲେଖା ଯାଇଛି । ପ୍ରଥମରୁ ଯେଉଁ ଓଡ଼ିଆ ନାରୀ ଲେଖିକାଙ୍କ ନାମ ରହିଛି, ସେ ହେଲେ ଚନ୍ଦ୍ରମୁଖୀ ବାସୁ  ‭(୧୮୬୦–୧୯୪୪) । ଜନ୍ମ କଲିକତାରେ । ତାଙ୍କ ଉପନ୍ୟାସର ନାମ ହେଲା ‭ “କମଳାକାନ୍ତେର ଦପ୍ତର” । ତାପରେ ଅଛନ୍ତି ଆଉ ଜଣେ ନାରୀ ଲେଖିକା, ତାଙ୍କ ନାମଟି ହେଲା ଜ୍ୟୋତି ପ୍ରସାଦ ପାଣିଗ୍ରାହୀ (‬୧୯୨୧-୧୯୯୧) । ସେ ‘ମାଟିର ମଣିଷ’ (The ‬Clay Statue) ଉପନ୍ୟାସ ରଚନା କରିଛନ୍ତି । ମାଟିର ମଣିଷର ଇଂରାଜୀ ଅନୁବାଦ The ‭ ‬Clay Statue କରାଯାଇଛି, ଯାହାକି ୧୯୬୦ରେ ପ୍ରକାଶିତ ହେଇଚି ଓ  ଯେଉଁ କାହାଣୀର ପୃଷ୍ଠଭୂମି ହେଉଛି ସାବିତ୍ରୀ ଓ ସତ୍ୟବାନଙ୍କ କଥା । ଜ୍ୟୋତି ମ୍ୟାଡାମ‬ଙ୍କର ନାଟକଟିଏ ଅଛି, ନାଁ ହେଲା ‘କନକଲତା’ । ଲେଖିକା ‭ଜ୍ୟୋତି ପ୍ରାସାଦ ପାଣିଗ୍ରାହୀ ପଦ୍ମଶ୍ରୀ ବି ପାଇଛନ୍ତି | ‬

ତାପରେ ଅଛନ୍ତି ଜ୍ୟୋସ୍ନାରାଣୀ ପଣ୍ଡା । ତାପରେ ଅଛନ୍ତି କୁନ୍ତଳା କୁମାରୀ ସାବତ (୧୯୨୪-୨୦୧୪) । କୁନ୍ତଳା କୁମାରୀଙ୍କ ପ୍ରଖ୍ୟାତ ଉପନ୍ୟାସର ନାଁ ହେଲା ‘ବାଞ୍ଛାରାମେର ବାଗ'। ଓଡ଼ିଆ ଭାଷା ସାହିତ୍ୟରେ କ୍ଲାସିକ୍ ମାନ୍ୟତା ପାଇଥିବା ଏହି ଉପନ୍ୟାସ ୧୯୫୦ରେ ପ୍ରକାଶିତ । କୁନ୍ତଳା କୁମାରୀଙ୍କର ଏକାଡେମୀ ପୁରସ୍କାର ପାଇଥିବା ଅନ୍ୟ ଏକ ଉପନ୍ୟାସର ନାଁ ହେଲା ‘ଆମାରବେଳା’ । କୁନ୍ତଳାକୁମାରୀ ୨୦୦୬ରେ ପଦ୍ମଶ୍ରୀ ପାଇଛନ୍ତି ।

ଆଉ ଜଣେ ନାରୀ ଲେଖିକା ରମାଦେବୀ ଚୌଧୁରୀ ୧୯୭୬ରେ ପଦ୍ମଶ୍ରୀ ପାଇଛନ୍ତି ଓ ଜ୍ଞାନପୀଠ ମଧ୍ୟ ପାଇଛନ୍ତି ୧୯୮୬ରେ ।
ପ୍ରତିଭା ଦେବୀ ନାମରେ ଜଣେ ନାରୀ ଲେଖିକା ମଧ୍ୟ ପଦ୍ମଶ୍ରୀ ପାଇଛନ୍ତି ୧୯୬୮ରେ । ପ୍ରତିଭା ଶତପଥୀ ଇଂରାଜୀ ଭାଷାରେ ପାଠ ପଢିଛନ୍ତି ଓ ‘ଛମାଣ ଆଠଗୁଣ୍ଠ’ ନାମକ ଉପନ୍ୟାସ ରଚନା କରିଛନ୍ତି । 

ଅନ୍ୟମାନଙ୍କ ବିଷୟରେ କହୁନି । ଆପଣମାନେ ଅନୁମାନ କରି ନିଅନ୍ତୁ କ'ଣ ସବୁ ଲେଖା ହେଇ ଥିବ । ପ୍ରବନ୍ଧର ଲିଙ୍କ୍ ଶେଷରେ ଦେଇଛି,  ସମୟ ଥିଲେ ନିଜେ ପଢ଼ିପାରିବେ । ତାପରେ ଏଇ ଭୁଲ୍ ଭାଲ୍  କଥା ସବୁ ଲେଖି, ଆମ ଲେଖିକାମାନଙ୍କର ଆଉ ବେଶୀ ଅପମାନ କରିବାକୁ ଚାହୁଁନି ।

ସତ କହିଲେ ଖଜୁରୀ ଗଛର କି ଗୁଣ ବା ଗାଇବି ? ପ୍ରତି  ଧାଡ଼ିରେ ତ ପ୍ରମାଦ । ପ୍ରତି ଧାଡ଼ିରେ ତ ତଥ୍ୟ ଗତ ତ୍ରୁଟି । ଓଡ଼ିଆ ସାହିତ୍ୟ ସମ୍ପର୍କରେ ସାମାନ୍ୟ ଧାରଣା ଥିବା ଲୋକ  ଏମିତି ଭୁଲ୍ କେବେ ବି କରିପାରିବନି । ହୁଏତ ପାଗଳ ବି ତା'ର ପ୍ରଳାପରେ ଏମିତି ଭୁଲ କରିବନି । 

ପ୍ରାବନ୍ଧିକା କଲ୍ୟାଣୀ ମ୍ୟାଡାମ୍ ତାଙ୍କ ପ୍ରବନ୍ଧରେ ପ୍ରାୟ ଲେଖିକାଙ୍କୁ ବାଡିରୁ ତୋଳି ଆଣି ପଦ୍ମଶ୍ରୀ ଦେଇଦେଇଛନ୍ତି । ତାଙ୍କ ଗବେଷଣାଲବ୍ଧ ଜ୍ଞାନରେ ସେ ପ୍ରାୟ ସମସ୍ତ ଲେଖିକାଙ୍କୁ ଜଣେ ଜଣେ ଆକ୍ଟିଭିଷ୍ଟ ଭାବରେ ବର୍ଣ୍ଣନା କରିଛନ୍ତି ଓ ଏକାଡେମୀ ପୁରସ୍କାର ବି ଅଯାଚିତ ଭାବେ ବାଣ୍ଟି ଦେଇ ଦେଇଛନ୍ତି ।

ଗବେଷିକା ଗଭୀର ଭାବରେ ଗବେଷଣା କରି ଲେଖିଥିବା ଏଇ ନିବନ୍ଧର ଉପସଂହାରରେ ଏ କଥା ବି ଲେଖିଛନ୍ତି ଯେ, ଫକୀର ମୋହନ ସେନାପତିଙ୍କ ଝିଅ ପ୍ରତିଭା ଦେବୀ ଓ ଗୋପବନ୍ଧୁ ଚୌଧୁରୀଙ୍କ ପତ୍ନୀ ଶକୁନ୍ତଳା ପଣ୍ଡା ଜଣେ ଜଣେ ପ୍ରମୁଖ ଓଡ଼ିଆ ନାରୀ ଲେଖିକା ।

ପ୍ରଶ୍ନ ହେଲା ଏମିତିକା ଲେଖା ପ୍ରକାଶିତ ହେଲା କେମିତି? ସେ ଗବେଷିକା ମହାଶୟା ଏ ସବୁ ଲେଖିଲେ ବା କେମିତି?  କୋଉଠୁ ପାଇଲେ ଏତେ ଏତେ ଗହନ ତଥ୍ୟ? ଅବଶ୍ୟ ଶେଷକୁ ସହାୟକ ଗ୍ରନ୍ଥସୂଚୀ ବି ସେ ଦେଇଛନ୍ତି । ସେଇଠୁ ପାଇଛନ୍ତି କି? ଆଶ୍ଚର୍ଯ୍ୟର କଥା ହେଲା ଏମିତିକା ପ୍ରବନ୍ଧ କାହା ଆଖିରେ ଏଯାଏଁ ପଡ଼ିନି କେମିତି? ଗବେଷିକାଙ୍କ ପରିଚୟ ପାଖରେ  ଲେଖାଅଛି ସେ ଇନ୍ଦିରାଗାନ୍ଧୀ ନ୍ୟାସନାଲ୍ ଟ୍ରାଇବାଲ୍ ୟୁନିଭର୍ସିଟି ଅମରକଣ୍ଟକ, ମଧ୍ୟପ୍ରଦେଶରୁ ଲିଙ୍ଗୁଇଷ୍ଟିକ୍ ରେ ପି.ଏଚ୍.ଡି  କରିଛନ୍ତି I ସେଣ୍ଟ୍ରାଲ୍ ଇନିଷ୍ଟିଚୁଟ୍ ଅଫ୍ ଇଣ୍ଡିଆନ ଲାଙ୍ଗୁଏଜରେ ସେ ରିସୋର୍ସ ପର୍ସନ ଅଛନ୍ତି ବୋଲି ମଧ୍ୟ ତାଙ୍କ ବାୟାଡାଟାରେ ଉଲ୍ଲେଖ ଅଛି । 

ସମସ୍ୟା ହେଲା ଇଂରାଜୀରେ ଲେଖା ଆଲୋଚିତ ପ୍ରବନ୍ଧଟି ଇଣ୍ଟରନେଟରେ ଏବେ ଉପଲବ୍ଧ ଅଛି । ଏମିତି ଦରକାର ଥିଲା ବୋଲି ଘାଣ୍ଟୁ ଘାଣ୍ଟୁ ଆଖିରେ ପଡ଼ିଲା ସିନା । ଓଡ଼ିଶା ବାହାରେ ଓଡ଼ିଆ ଜାଣିନଥିବା କେହି ଜଣେ ଆଗ୍ର୍ରହୀ ଯଦି ଆମ ଓଡ଼ିଆ ନାରୀ ଲେଖିକାଙ୍କ ବିଷୟରେ ଜାଣିବାକୁ ଏଇ ଲେଖାଟିକୁ ପଢ଼େ, ତେବେ ସେ କ'ଣ ଜାଣିବ ? କ'ଣ ପାଇବ ଏଇଥିରୁ ?  ସେ ବାହାରିଆ ଲୋକଟି ତ ଆଉ ଜାଣି ପାରିବନି ଯେ, ଏଇ କମ୍ବଳ ଯାକ ବାଳ ।

ଆମେ ଦିଲ୍ଲୀ ଯାଇ ଯେତେ ଭାଷା ବିଷୟରେ ଆଲୋଚନା କଲେ କି ତମ୍ବୁ ମାରି ଯେତେ ବିଶ୍ଵ ଭାଷା ସମ୍ମିଳନୀ କଲେ,  କିଛି ହେବନି । ଆମ ପାଦ ତଳର ମାଟି ହଲି ସାରିଲାଣି ଗବେଷଣାର ମାନ ଏତେ ତଳକୁ ଖସି ଗଲାଣି ବୋଲି ମୁଁ ଜାଣି ନଥିଲି । ନଈ ବନ୍ଧରେ ଘଳିଆ ପଡିସାରିଲାଣି ।

ଅବେଳରେ ଏମିତି ଘଳିଆକୁ ଅଟକାଇବ କିଏ? 

ନିମ୍ନ ରେ ଲିଙ୍କ ଦିଆଯାଇଛି ,ଆପଣ ମାନେ ସତ୍ୟା ସତ୍ୟ ସ୍ୱୟଂ ଯାଞ୍ଚ କରି ପାରନ୍ତି । 

https://www.researchgate.net/publication/372447019_WOMEN'S_WRITING_IN_ODIA_LITERATURE