ପାଦ ଆଉ ପୃଥିବୀ

ପାଦ ଆଉ ପୃଥିବୀ

ସେଠି ବି ପୃଥିବୀଟେ ଅଛି
ସେଠି ପାହାଡ଼ ଅଛି
ପଥର ଅଛି, ମେଞ୍ଚାମେଞ୍ଚା ମାଟି ଅଛି
ଚୁନିଚୁନି ଗୋଡ଼ି ଅଛି, ସରୁସରୁ ବାଲି ଅଛି
ସେଠି ଛଳଛଳ ନଈଟେ ନାହିଁ
କି ନୀଳ ରଙ୍ଗର ସମୁଦ୍ର !
ହେଲେ ସେଠି ଲାଲ୍ ରଙ୍ଗର ଝରଣାଟେ ଅଛି !


ତଥାପି ସେମାନେ ପୃଥିବୀ ନୁହେଁ,
ପାଦ କହୁଥିଲେ !
ପଥରରେ ରଗଡି ହେଇ 
ପଥର ହୋଇଯାଇଥିବା ଚମଡାକୁ
ବିଣ୍ଡି କହୁଥିଲେ, ପଥର ନୁହେଁ !
ପାହାଡକୁ ଲଙ୍ଘିଯିବାର ମୋହରେ
ପାହାଡ ସହ ପାହାଡ଼ ହୋଇଯାଇଥିବା ଚମଡାକୁ
ସେମାନେ ଗୋଇଠି କହୁଥିଲେ , ପାହାଡ଼ ନୁହେଁ !
ସେଥିରୁ ଉକୁଟି ଆସୁଥିବା ଧାରୁଆ ଚମଡାକୁ

ବକ୍କଳ କହୁଥିଲେ, ନାଗଫେଣି କି କାକ୍ଟସ ନୁହେଁ !
ସେ ପାହାଡ଼ରୁ ବେଳ ଅବେଳରେ 
ଝରିଆସୁଥିବା ଗାଢ଼୍ ଲାଲ୍ ରଙ୍ଗର ପାଣିକୁ
ରକ୍ତ କହୁଥିଲେ , ଝରଣା ନୁହେଁ !
ଆଙ୍ଗୁଠି ସନ୍ଧିରେ କୋଉ କାଳରୁ ଭର୍ତ୍ତି ଥିବା 
ପୁଳାପୁଳା ମାଟିକୁ କାଦୁଅ କହୁଥିଲେ,
ହେଲେ ମାଟି ନୁହେଁ !

ପାଦଟିଏ ପୃଥିବୀ ବୋହୁଥାଉ
ଅବା ପୃଥିବୀରେ ପାଦଟେ ଥାଉ
ପାଦଟିଏ ଅଛି ବୋଲି ତ 
ପୃଥିବୀ ଲଙ୍ଘିଯିବାର ମୋହଟିଏ ଅଛି
ପୃଥିବୀଟେ ଅଛି ବୋଲି ତ
ପାଦସବୁକୁ ଅହରହ ଟଣାହେଉଥାଏ ପଛକୁ ପଛକୁ
ପାଦ ଆଉ ପୃଥିବୀ ଭିତରେ କଣ ଫରକ ଅଛି ଯେ ?