ମା : ସୁକିର୍ଥାରାଣୀଙ୍କ ଦୁଇଟି କବିତା
ଭେଲୋର୍ ଜିଲ୍ଲାର ଲାଲ୍ ପେଟ୍ ରେ ୧୯୭୩ରେ ଏକ ଦଳିତ ପରିବାରରେ ସୁକିର୍ଥାରାଣୀଙ୍କ ଜନ୍ମ। ସମାଜରେ ଉଚ୍ଚଜାତି ବୋଲଉଥିବା ଲୋକଙ୍କ ମୃତ ପଶୁମାନଙ୍କୁ କବର ଦେବା ଥିଲା ତାଙ୍କ ସମ୍ପ୍ରଦାୟର କୌଳିକ ବୃତ୍ତି। ଗଛ ଆଉ ପାହାଡ଼ ଚଢା, ସାଇକେଲ ଚଲା, ଜଙ୍ଗଲରେ ଘୂରିବୁଲିବା ଓ ଆଖି ନାଲି ହେବା ଯାଏଁ ପହଁରିବାରେ ବିତିଛି ତାଙ୍କ ବାଲ୍ୟ ସ୍ବାଧୀନତା। ହେଲେ ସେ ଲିଙ୍ଗ ଓ ଜାତି ବୈଷମ୍ୟର ଶୀକାର ହେଲେ ଯେବେ ସେ ପାଠ ପଢିବା ପାଇଁ ନାମ ଲେଖାଇଲେ। କବିତା ଲେଖିବା ଓ ଛାପିବା ତାଙ୍କୁ ବାରଣ ହେଲା। ତେଣୁ ପ୍ରତିକୂଳ ପରିବେଶ, ସାମାଜିକ ଲାଞ୍ଚନା, ଛଳନାର ଆଧୁନିକତା ଓ ପ୍ରଥମ ରୃତୁସ୍ରାବ ପରେ ହରାଇଥିବା ତାଙ୍କ ସ୍ବାଧୀନତାରେ ତାଙ୍କର କବିତା ଲେଖା। ନାରୀର ଦେହ ରାଜନୀତିକୁ ବିରୋଧକରି ସେ କହନ୍ତି, "ନାରୀର ଦେହ କେବଳ ତା ଇତିହାସର ମାନଚିତ୍ର ନୁହେଁ, ଆଶ୍ଚର୍ଯ୍ୟ ଏବଂ ବିଦ୍ରୋହର ଆବେଗ ଓ ତୀବ୍ର ମାନସିକ ଯନ୍ତ୍ରଣାର ମଧ୍ୟ ଅନନ୍ୟ ଭୂଗୋଳ"।
ଉତ୍ପତ୍ତି
ବ୍ୟାଧର ଜାଲପରି ଏ ଖରାରେ
ମୋ ଝିଅର ହାତ ଧରି
ମରୀଚିକାର ରାସ୍ତାରେ ମୁଁ ଚାଲୁଛି।
ମତେ ଗେଲ କଲାବେଳେ
କାଲି ଯୋଉଠି ତା ଦାନ୍ତ ବାଜିଥିଲା
ସେଇଠୁ ଗୋଟେ ନଈ ବହିଥିଲା
ଆମ ପାଦର ଧାରେ ଧାରେ।
ଓଠରେ ମହୁମାଛିର ଗୁଣୁଗୁଣୁ ଧରି
ସେ କଥା ହେଉଥିଲା,
ପ୍ରଜାପତିଟେ ଆମ ଉପରେ
ରଙ୍ଗ ଝାଡ଼ି ଚାଲିଗଲା।
ମୁଁ ହିଁ ଆରମ୍ଭ କଲି;
"ଆଛା, ମା'ର ସ୍ତନ ବିଷୟରେ କହିବୁ?"
"ସେମାନେ ବର୍ଷୁଥିବା ମେଘ", ସେ କହିଲା।
"ତଳିପେଟ କଥା କହ
ଏବେ ଯାହା ଶିରାଭର୍ତ୍ତି ପାଚିଲା ପତ୍ର ପରି"।
"ଯେତେଯେତେ ଖୋଳିଲେ ବି'
ଏ ଗୋଟେ କଅଁଳ ପୃଥିବୀ,
ଯେଉଁଠୁ ଜୀବନ ଗଜା ଧରେ"।
"ମତେ କହ ତୁ କୋଉଠୁ ଜନ୍ମ ନେଲୁ
ଯାହା ଝଡରେ ଫୁଲପରି ଚିରିଗଲା"।
"ସେ ତ ସୃଷ୍ଟିରେ ନିର୍ଝର"।
ଲୁଗା ଉପରେ ସେ ସେଇଠି ଚୁମା ଦେଲା।
ମୋ ଜରାୟୁ ଫୁଲ ଧରିଲା।
ମା'ର ଆକାଶ
ମା' ଗାଧଉଛି
ଯେମିତି ଲଣ୍ଡା ଗଛ
ଝୋଝୋ ବର୍ଷାରେ ଭିଜୁଛି।
ତାକୁ ଗାଧେଇବାର କେବେ ଦେଖିନଥିଲି।
ସୁଖର ପଲକ ଖୋଲି ମୁଁ ଦେଖେ
ଛୁରୀରେ ତା ପେଟ ଚିରି
ପିଲାଟିକୁ ଖୋଳି ବାହାର କରୁଛି।
ସଜନା ଡାଳ ପରି ବାଙ୍କି ଯାଉଛି
ତା' ପିଠି, କଙ୍କିର ଓଜନ ବି
ସମ୍ଭାଳି ପାରୁନି ଯେମିତି।
ବୋଝ ବୋହିବୋହି
କେତେ ଦାଗ ସେଠି,
ସେସବୁ ରୁମାଲରେ ଏମ୍ବ୍ରଡୋରୀ କରି,
ତାକୁ ବିକି ଆମକୁ ପାଳିଛି।
ବାଙ୍କି ଯାଇଥିବା ତା ପିଠିରେ
ବାପାଙ୍କ ଭୋକକୁ ବୋହିଛି,
ଆଉ ଆମକୁ ତୁଳାର ଗଣ୍ଠିଲି ପରି।
ବାପାଙ୍କ ଚାପୁଡ଼ା, ଅପମାନ, ଜୀବନର ଜଖମ
ଆଉ ସ୍ୱପ୍ନ, ସବୁକିଛି ସେଠି ସାଇତି ରଖିଛି।
ପଛପଟୁ ତାକୁ ଜାକି ଧରିଲି।
ଏବେ ମୋ ପିଠିକୁ ନେଇ ଚିନ୍ତା,
ଆଜି ନହେଲେ କାଲିକୁ ବାଙ୍କିଯିବ।
ମୂଳ ତାମିଲ - ସୁକିର୍ଥାରାଣୀ
ଅନୁସୃଜନ- ଶକ୍ତି ମହାନ୍ତି