ଆସିନି ସମୟ

ଆସିନି ସମୟ

ଆସ ମୃତ୍ୟୁ ସହ ଆଖି ମିଳେଇବା

ସକାଳୁ ବାହାରିବା ବେଳେ ରାସ୍ତା ସାରା

ଭେଟୁଥିବା ଗଛମାନଙ୍କୁ ଆଖିରେ ସାଉଁଳି ଦେବା

ଯେଉଁଠି ଛୁଇଁ ହେବ ତାର ପତ୍ର ଡ଼ାଳ

 ଟିକେ ଗେଲ କରିନେବା

ଚଢେଇମାନଙ୍କୁ ଡ଼ାକିବା ହାତ ଠାରି

ସେମାନେ ନ ଆସନ୍ତୁ ପଛେ

ଘଡ଼େ ଥାକି ଶୁଣିନେବା ସେମାନଙ୍କ ଗୀତ ।

 

ମାଖିବା ପର ଓ ପତରର ରଂଗ

ଦେହରେ ଭେଦେଇବା

 କିଛି ପବନ କିଛି ସୂର୍ଯ୍ୟାଲୋକ

କିଛି ବିନ୍ଦୁ ବର୍ଷା ହେଲେ ତ କେତେ ଭଲ କଥା

ମନ ଭରି ଭିଜିବା ।

 

ବୁଣିଦେବା ଅନ୍ଧାରର ମାଟିରେ ଆଲୁଅର ମଂଜି

ଯାହାକୁ ଭେଟିବା ପଚାରିବା ଭଲ ମନ୍ଦ

 ହୁଅନ୍ତୁ ପଛେ ଅଚିହ୍ନା

କଥା ଯେଉଁଠି ଅପହଁଚ ହାତ ହଲେଇବା

ଯାହା ମୋଟେ ବିଦାୟ ପରି ମନେ ହେଉନଥିବ

ବାଟରେ ପଡ଼ୁଥିବା ପରିଚିତଙ୍କୁ

ଡ଼ାକ ଦେବା ଯେମିତି ସେମାନେ

ଅନ୍ତତଃ ଝର୍କାରୁ ମୁହଁ ଦେଖେଇବେ ଆଖି ମିଳେଇବେ ।

 

ଆଉ ଯେଉଁମାନେ ଫାଟକ ଖୋଲି ବାହାରି ଆସିବେ

ଅନ୍ତତଃ ଆଉଥରେ ଭେଟ ହେବାର କଥା ଦେଇ

କଥା ଆରମ୍ଭ କରିବା

ଆଉ ଯାହା ଯାହା କଥା ଏ ଜନ୍ମ କ’ଣ

ଆଉ କୋଉକୋଉ ଜନ୍ମରେ

ଲାଗିବା କଥା ସବୁ କହିଦେବା ।

 

ଶେଷତମ ନାଁରେ ନିବିଡ଼ କରିବା ଆଲିଂଗନ

ଲମ୍ବା ଓ ଗଭୀର କରିବା ଚୁମ୍ବନ

ଗପ ଲମ୍ବେଇବା ଏ ରାତି ସରିବାଯାଏଁ ।

 

କହିଦେବା ମୃତ୍ୟୁର କାନରେ ଫିସ୍ ଫିସ୍‌

ସକାଳ ପରେବି ପାହିନାହିଁ ରାତି

ଏବେବି ଆସିନି ବିଦାୟ ନେବାର ମୁହୂର୍ତ୍ତ

ଯେହେତୁ ଏଯାଏଁ ଅନେକ ସପନ ହେଇନାହିଁ ସତ ।