ଭଲପାଇବା ଇ ମୋର କବିତା : ଜୟନ୍ତ ମହାପାତ୍ର

ଭଲପାଇବା ଇ ମୋର କବିତା : ଜୟନ୍ତ ମହାପାତ୍ର

ମୋ ଭିତରରେ ବଞ୍ଚି ରହିଥିବା ଅସୁମାରୀ ଭଲପାଇବା ଇ ମୋତେ ୯୫ବର୍ଷ ବୟସରେ କବିତା ଲେଖିବାକୁ ବାଧ୍ୟ କରୁଛି ଏବଂ ଆଜି ମଧ୍ୟ କବିତାକୁ ନେଇ ମୁଁ ସ୍ଵପ୍ନ ଦେଖୁଛି ବୋଲି ଭାରତୀୟ ଇଂରାଜୀ କବିତାର ମହାନାୟକ କବି ଜୟନ୍ତ ମହାପାତ୍ର କହିଛନ୍ତି । ଗତକାଲି ଓଡିଶା ପ୍ରେସକ୍ଳବ ଠାରେ ଆୟୋଜିତ କବିଙ୍କ ନୂଆ କବିତା ବହି “Noon” ଏବଂ ତାଙ୍କ ଜୀବନ ଉପରେ ଆଧାରିତ ଏକ ସଚିତ୍ର ଜୀବନୀ ବହିର ଉନ୍ମୋଚନ ଅବସରରେ ଜୟନ୍ତ ମହାପାତ୍ର ନିଜ ଜୀବନ ଓ କବିତାକୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ । ନିଜକୁ ଚିରନ୍ତନ ଭାବରେ ସ୍ଵପ୍ନଜୀବୀ ଏବଂ ଅପ୍ରତିହତ ରୋମାଣ୍ଟିକ ଭାବରେ ବର୍ଣ୍ଣନା କରି ସେ କହିଥିଲେ ଯେ କବିତା ହେଉଛି ନିଜକୁ ଜାଳି ଆଲୋକିତ ହେବାର ଏକ ମାଧ୍ୟମ । କେବେଦିନେ ବଡ କବି ହେବାର ସ୍ଵପ୍ନ ତାଙ୍କର ନଥିଲା ଓ ଏକଦା ପତ୍ନୀଙ୍କ ଆଗ୍ରହରୁ ସେ କବିତା ଲେଖିଥିଲେ ବୋଲି କହିଥିଲେ ।  କଟକ, ମହାନଦୀ ଏବଂ ଓଡିଶାର ଜନଜୀବନକୁ ନେଇ ସେ ସବୁବେଳେ କବିତା ଲେଖିଆସୁଛନ୍ତି । ତାଙ୍କ କବିତା ମୂଳତଃ ଇଂରାଜୀରେ ଲେଖା ହେଉଥିଲେ ମଧ୍ୟ ସେ ନିଜକୁ ସବୁବେଳେ ଜେନ ଓଡିଆ କବି ବୋଲି ଭାବି ଆସିଛନ୍ତ୍ୟୀ ବୋଲି କବି ସ୍ଵୀକାର କରିଥିଲେ ।

ଏହି ଉତ୍ସବରେ ବିଶିଷ୍ଟ ଇଂରାଜୀ କବି ତଥା ସମାଜବିଜ୍ଞାନୀ ଅଶ୍ଵିନୀ କୁମାର ମୁଖ୍ୟବକ୍ତା ଭାବରେ ଯୋଗଦେଇ ଭାରତୀୟ ରସ ଏବଂ ଧ୍ଵନୀ ପରମ୍ପରାର ଇଂରାଜୀ କବି ଭାବରେ ଜୟନ୍ତ ମହାପାତ୍ର ଅନନ୍ୟ ବୋଲି କହିଥିଲେ । କେତକୀ ଫାଉଣ୍ଡେସନ ଦ୍ଵାରା ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ଇଂରାଜୀ କବି ରବୀନ୍ଦ୍ର କୁମାର ସ୍ଵାଇଁ ଅଧ୍ୟକ୍ଷତା କରିଥିଲେ । ରଚିତା ସ୍ଵାଇଁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଜ୍ୟୋତି ରଞ୍ଜନ ସ୍ଵାଇଁ କାର୍ଯକ୍ରମ ପରିଚାଳନା କରିଥିଲେ । ଏହି ସମାରୋହରେ କବି ଜୟନ୍ତ ମହାପାତ୍ରଙ୍କ ଜୀବନକୁ ନେଇ ନିର୍ମିତ ଏକ ବୃତ୍ତଚିତ୍ର ମଧ୍ୟ ପ୍ରଦର୍ଶିତ ହୋଇଥିଲା ।