ଜାଲିଆତିର ରାଜୁତି

ଜାଲିଆତିର ରାଜୁତି

ଓଡ଼ିଶା ସରକାର ଶାସନ ପାଇଁ ଯେଉଁ ଫାଇଭ୍ ଟିର ଆଦର୍ଶ ନିଜ ପାଇଁ ସ୍ଥିର କରିଛନ୍ତି ସେଥିରୁ ପ୍ରମୁଖ ଆଦର୍ଶ ହେଉଛି ସ୍ବଚ୍ଛତା ବା ଟ୍ରାନ୍ସପେରେନ୍ସି । ସରକାର ଯାହା କରୁଛନ୍ତି ତାହା କିଛି ଲୁଚାଛପା ନୁହେଁ, ବରଂ ସବୁକିଛି ଲୋକଙ୍କ ଜାଣତରେ ହେଉଛି ବୋଲି ଆମେ ବିଶ୍ବାସ କରିବା ଉଚିତ ‌। ହେଲେ ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ କୋଣରୁ ଯେଉଁ ପ୍ରକାର ଖବର ସବୁ ଆସୁଛି, ସେଥିରେ ଶାସନ ବ୍ୟବସ୍ଥା ଯେ ସ୍ବଚ୍ଛ ରହିଛି, ସେ ବିଶ୍ବାସ ବିଲକୁଲ ଆସୁନାହିଁ ।

ଠକେଇ, ଜାଲିଆତି ଏବଂ ପ୍ରଶାସନିକ କଳାବଜାରର ଏକ ଭୟଙ୍କର ଜାଲ ରାଜ୍ୟ ସାରା ବିଛେଇ ହୋଇପଡିଛି। ବଲାଙ୍ଗୀର ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ ଏବଂ ଚାକିରୀ ଯୋଗାଇଦେବା ଦେବା ବାହାନାରେ ହରିଲୁଟ୍ ର ଖବର ଏବେ ଜଣାପଡ଼ୁଛି। ସମୁଦାୟ କେତେ ଲୋକ ଜାଲ୍ ସାର୍ଟିଫିକେଟ ଜରିଆରେ ଚାକିରୀ ପାଇଛନ୍ତି ଓ ସେମାନଙ୍କ ଠାରୁ କେତେ ଟଙ୍କାର ଅସୁଲି ହୋଇଛି, ତାର କିଛି ସ୍ପଷ୍ଟତା ନାହିଁ। କୋଟି କୋଟି ଟଙ୍କାର ଏହି ଜାଲିଆତି କାରବାରରେ କେବଳ ଜଣେ ମନୋଜ ମିଶ୍ର ବା ଗୋଟିଏ ଅନୁଷ୍ଠାନ ସାମିଲ ଅଛନ୍ତି ତା' ନୁହେଁ, ଏହା ପଛରେ ଏକ ବିଶାଳକାୟ ରାକେଟ କାମ କରୁଛି। ଏହି ରାକେଟରେ ସରକାରୀ କର୍ମଚାରୀ ଓ ରାଜନେତାମାନଙ୍କର ସମ୍ପୃକ୍ତି ନିଶ୍ଚୟ ରହିଛି। ଏହାର ବାସ୍ତବ ତଦନ୍ତ ଆଜି ନିତାନ୍ତ ଜରୁରୀ।


ବଲାଙ୍ଗୀର ଜିଲ୍ଲାରେ ସାର୍ଟିଫିକେଟ ଜାଲିଆତିର ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ସେଠାରେ ଜାଲିଆତି ଘଟଣାରେ କିଛି ଲୋକଙ୍କ ଚାକିରୀ ଯାଇଥିଲା। ଗୋଟେ ଜାଲିଆତି ଘଟଣା ପରେ ସ୍ଥାନୀୟ ପ୍ରଶାସନ ସତର୍କ ହେବା ଉଚିତ ହୁଅନ୍ତା। ହେଲେ ଆମ ପ୍ରଶାସନର ବାସ୍ତବତା ହେଉଛି, ଏହାର ଆଖି ନାହିଁ କି କାନ ବି ନାହିଁ। ସରକାରୀ ଭିଜିଲାନ୍ସ ବ୍ୟବସ୍ଥା ଅନେକାଂଶରେ କେବଳ ସରକାର ବିରୋଧୀ ରାଜନୈତିକ ବ୍ୟକ୍ତିଙ୍କ ପଛରେ ଗୁଇନ୍ଦାଗିରି କରିଥାଏ। ଅସଲ ଦୁର୍ନୀତି ଓ ଜାଲସାଜିର ଖବର ସରକାରଙ୍କ ପାଖରେ ପ୍ରାୟତଃ ନଥାଏ। ସାଧାରଣ ପ୍ରଶାସନ ଏବଂ ପୁଲିସ ପ୍ରଶାସନ ଭିତରେ ସମନ୍ବୟର ଅଭାବ ଯୋଗୁଁ ଅନେକ ଜାଲିଆତି ଅବାଧରେ ଘଟୁଥିଲେ ମଧ୍ୟ ସରକାର ସେ ପ୍ରସଙ୍ଗରେ କିଛି ଜାଣି ପାରନ୍ତି ନାହିଁ।

ସରକାରୀ ଦପ୍ତରରେ ଦଲାଲ ଓ ଜାଲିଆଙ୍କର ଅବାଧ ପ୍ରବେଶ ସବୁବେଳେ ରହିଛି। ଜଣେ ସଚ୍ଚୋଟ ନାଗରିକ ସରକାରୀ ଦପ୍ତରକୁ ପଶିବା ପାଇଁ ସାହସ ପାଉନଥିବା ବେଳେ ଦଲାଲଙ୍କ ଲାଗି ସବୁ ସରକାରୀ ଦୁଆର ମେଲା ପଡ଼ିଥାଏ । ଏଇ ଦଲାଲମାନେ ସବୁବେଳେ ସବୁ ସରକାରୀ କାର୍ୟାଳୟ ଓ ସବୁ ରାଜନୈତିକ ଦଳର ଗେହ୍ଲାପୁଅ । ଓଡିଶା ସରକାରଙ୍କ ବଡବାବୁମାନେ ଏଇମାନଙ୍କୁ ଇ ସବୁଠୁ ଅଧିକ ବିଶ୍ଵାସ କରନ୍ତି ଏମାନଙ୍କ ଜରିଆରେ ଶାସନ ଭିତରକୁ ଅପରାଧ ପଶେ ଏମାନଙ୍କୁ ରାଜନୈତିକ ପୃଷ୍ଠପୋଷକତା ଏବଂ ପ୍ରଶାସନିକ ସହଯୋଗ ମିଳିବା ସହଜ, କାରଣ ଏମାନେ ନିଜର ବିଶାଳ ଭ୍ରଷ୍ଟାଚାରୀ ସାମ୍ରାଜ୍ୟରୁ ବାବୁ ଓ ନେତାଙ୍କୁ କିଛି କିଛି ପ୍ରସାଦ ଆକାରରେ ଦେଇଥାନ୍ତି

ଏଠି ଗୋଟେ କଥା ଆମକୁ ବୁଝିବାକୁ ପଡିବ, ଶାସନ ଲାଗି ସ୍ଲୋଗାନ ତିଆରି କରିବା ସହଜ, ହେଲେ ସ୍ଵଚ୍ଛ ଶାସନ ଲାଗି ସତର୍କତା ଜରୁରୀ ଜାଲିଆତିର ଏ ଯେଉଁ ବିଶାଳ ସାମ୍ରାଜ୍ୟ ଆଜି  ଧରା ପଡୁଛି, ତାହା ଆମ ଶାସନର ସବୁଠୁ ବଡ ଦୁର୍ବଳତାକୁ ମଧ୍ୟ ଉଜାଗର କରୁଛି