ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଓ ଆମ୍ ଆଦମିର ଚିନ୍ତା

ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟ ଓ ଆମ୍ ଆଦମିର ଚିନ୍ତା

        ମାର୍ଚ୍ଚ ୨୪, ୨୦୨୩ ଦିନ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହେବା ପରେ, ଭାରତୀୟ ସାଧାରଣ ଜନତାଙ୍କ ଧ୍ୟାନ ତାଙ୍କ ଆଡକୁ ଆକୃଷ୍ଟ ହେବାର ଆମେ ସମସ୍ତେ ଲକ୍ଷ୍ୟ କରିଥିଲେ। ଅନ୍ୟ ସବୁ ମାମଲା ଏବଂ ନେତାଙ୍କ ଉପରୁ ନଜର ହଟି, ଗତ ୮-୯ ବର୍ଷ ଧରି ପପ୍ପୁ ଏବଂ ରାଜଦୁଲାରା ଇମେଜର ପରିଚିତି ନେଇ ଥିବା ରାହୁଲ ଗାନ୍ଧୀଙ୍କ ଉପରକୁ ହଠାତ୍ କରି ସମ୍ପୂର୍ଣ୍ଣ ଭାରତ ଏବଂ ବିଦେଶର ମଧ୍ୟ ଫୋକସ୍ ସିଫ୍ଟ ହୋଇଯାଇଥିଲା। ଏମିତିକି ୟା ପରେ ରାହୁଲ କ'ଣ ବକ୍ତବ୍ୟ ରଖିବେ, କ'ଣ କହିବେ ଏବଂ କ'ଣ ପଦକ୍ଷେପ ନେବେ ଜାଣିବା ପାଇଁ ସାଧାରଣ ଜନତା ସୋସିଆଲ୍ ମିଡିଆକୁ ଚାତକ ପରି ଚାହିଁ ରହିଲେ। ନ୍ୟାସନାଲ ଏବଂ ରିଜିଓନାଲ୍ ସବୁ ନ୍ୟୁଜ୍ ଚ୍ୟାନେଲ୍ ଗୁଡିକରେ ବିଭିନ୍ନ ଦଳର ମୁଖପାତ୍ର ବସି ବିତର୍କ କଲେ। ହଠାତ୍ କରି ରାହୁଲ ଗାନ୍ଧୀ ହିଁ ଦେଶର ଆକର୍ଷଣର କେନ୍ଦ୍ରବିନ୍ଦୁ ବନିଗଲେ। ଅନେକ ଯୁବକ-ଯୁବତୀଙ୍କ ପାଇଁ ହିରୋ ବି। ଆଉ ଏହି ସମୟରେ ତାଙ୍କର ସବୁ ମତ, ଭାଷଣ ତଥା ଅଭିଯୋଗକୁ ଲୋକେ ଶୁଣିବାକୁ ଲାଗିଲେ। ଏହି ସବୁ ପରିସ୍ଥିତି ଭିତରେ ବର୍ଷ ବର୍ଷ ଧରି କ°ଗ୍ରେସର ବିରୋଧୀ ଦଳ ଗୁଡିକ ମଧ୍ୟ ରାହୁଲ ଗାନ୍ଧୀଙ୍କ ସପକ୍ଷରେ ମତ ଦେଲେ, ମଞ୍ଚକୁ ଆସି ଭାଷଣ ଦେଲେ। ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ କରୁଥିବା ରାହୁଲ ଗାନ୍ଧୀଙ୍କ ସପକ୍ଷରେ କହି, ନିଜର ଉପସ୍ଥିତି ବି ଜାହିର କଲେ। ଯଦିଓ ସମସ୍ତେ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏକାଠି ହୋଇଛନ୍ତି ବୋଲି ମତ ରଖିଥିଲେ, କିନ୍ତୁ ପ୍ରକୃତରେ ଯେ ବର୍ତ୍ତମାନ ଭାରତର ସବୁଠାରୁ ଶକ୍ତିଶାଳୀ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିକୁ ଯେକୌଣସି ପ୍ରକାରେ କମଜୋର କରିବା ଏବଂ ତା' ବିପକ୍ଷରେ ଛିଡା ହେବା ପାଇଁ ଶକ୍ତି ସାଉଁଟିବା ସେମାନଙ୍କ ଲକ୍ଷ୍ୟ ବୋଲି ସାଧାରଣ ଜନତା ବି ଜାଣନ୍ତି!

        ଯଦିଓ ରାହୁଲ ଗାନ୍ଧୀଙ୍କ ଲୋକସଭା ପଦ ରଦ୍ଦ ହେବା କାର୍ଯ୍ୟଟି ସମ୍ପୂର୍ଣ୍ଣ ଆଇନ ଏବଂ ସମ୍ବିଧାନର ନିୟମ ମୁତାବକ ହୋଇଛି, କିନ୍ତୁ  କ°ଗ୍ରେସ ପାର୍ଟି ଅନୁସାରେ ଏହା କେବଳ ଗୋଟିଏ ରାଜନୈତିକ ଷଢଯନ୍ତ୍ର। ଭାରତଯୋଡୋ ପଦଯାତ୍ରା ପରେ ରାହୁଲ ଗାନ୍ଧୀଙ୍କ ଯେଉଁ ମ୍ୟାଚୋର୍ଡ ରାଜନୈତିକ ନେତା ରୂପ ଲୋକଙ୍କ ସାମନାକୁ ଆସିଛି ଏବଂ ସେ ବାରମ୍ବାର ଭାରତର ଗଣତନ୍ତ୍ର ସଙ୍କଟରେ ଅଛି ବୋଲି ମତ ରଖୁଛନ୍ତି ଏବଂ ଅଦାନୀ ମାମଲାକୁ ନେଇ ବାରମ୍ବାର ସ°ସଦରେ ପ୍ରଶ୍ନ ପଚାରୁଛନ୍ତି ତଥା ଯାଞ୍ଚ କମିଟି ଗଠନ ପାଇଁ ଦାବି ରଖୁଛନ୍ତି, ସେ ସବୁ ମାମଲାକୁ ନେଇ ତାଙ୍କୁ ଚୁପ୍ କରାଇବା ଉଦ୍ଦେଶ୍ୟ ନେଇ ଭାରତୀୟ ଜନତା ପାର୍ଟି ଏପରି ଅନୈତିକ କାର୍ଯ୍ୟ କରିଛି ବୋଲି କ°ଗ୍ରେସ ପକ୍ଷରୁ ଆକ୍ଷେପ କରା ଯାଉଛି। ଏସବୁ ଭିତରେ ଭାରତର ୧୪ଟି ରାଜନୈତିକ ଦଳ ଭାଜପାକୁ ସମାଲୋଚନା କରିଛନ୍ତି। ଆଉ ଏଇ ୧୪ଟି ଦଳ ଭିତରେ ଆମ୍ ଆଦମୀ ପାର୍ଟି ମଧ୍ୟ ଅନ୍ୟତମ। ଆପ୍ ନେତା ସଞ୍ଜୟ ସି° ବାରମ୍ବାର, କ°ଗ୍ରେସ ମୁଖିଆ ମଲ୍ଲିକାର୍ଜୁନ୍ ଖଡ୍ଗେଙ୍କ ସହ ମିଶି ବିରୋଧ ପ୍ରଦର୍ଶନ, ଅଭିଯୋଗ ପତ୍ର ଦାଖଲ କରିବା, ବୟାନବାଜି କରିଛନ୍ତି। ଆମେ ମଧ୍ୟ ଦିଲ୍ଲୀ ବିଧାନସଭା ଭିତରେ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମୋଦୀ ବିରୋଧୀ ଭାଷଣ ଶୁଣିଛେ। ଗୋଟିଏ ଭାଷଣରେ ସେ ରାହୁଲ ଗାନ୍ଧୀ ଷଢଯନ୍ତ୍ରର ଶିକାର ହୋଇଥିବା କହିଥିଲେ। ଆଉ ଗୋଟିଏ ଭାଷଣରେ, କୌଣସି ଭାଜପା ନେତାଙ୍କ ଠାରୁ ଅଦାନୀଙ୍କ ସମସ୍ତ ଧନ ଏବଂ ଟଙ୍କା ପ୍ରକୃତରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୋଲି ଗୋଟିଏ କାହାଣୀ ଶୁଣାଇଥିଲେ (ଭାଜପା ନେତା ଠୁ ଆରମ୍ଭ କରି ୧୬ ବର୍ଷର ନୌଯବାନ୍, ଜଣେ ବେପାରୀ, ଜଣେ ଅଟୋବାଲା ସମସ୍ତଙ୍କୁ କେବଳ କେଜ୍ରିଓ୍ବାଲ ହିଁ ଭେଟି ପାରନ୍ତି) । ଏବଂ ଆଉ ଗୋଟିଏ ଭାଷଣରେ ଆମ ଦେଶର ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଏବେ ସୁଦ୍ଧା ଆମ ଦେଶରେ ହୋଇଥିବା ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଭିତରେ ସବୁଠାରୁ କମ୍ ପାଠ ପଢିଛନ୍ତି, ବୋଲି କହିଥିଲେ। ଏମିତିକି ସେ ପ୍ରଧାନମନ୍ତ୍ରୀଙ୍କୁ ଅନପଢ ବା ନିରକ୍ଷର ମଧ୍ୟ କହିଥିଲେ ବା କହୁଛନ୍ତି। ବାରମ୍ବାର ସେ ଦାବି କରୁଛନ୍ତି ଯେ ପ୍ରଧାନମନ୍ତ୍ରୀ ତାଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର ବା ସାର୍ଟିଫିକେଟ ଦେଖାନ୍ତୁ।

       ଏହି ସବୁ ଭାଷଣବାଜି ଏବଂ ଦାବି ଭିତରେ, ଗୁଜରାଟ କୋର୍ଟ ଦ୍ଵାରା ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ପଚିଶ ହଜାର ଟଙ୍କାର ଜରିମାନା ମଧ୍ୟ ଲାଗୁ ହୋଇ ସାରିଲାଣି। ଯଦିଓ ଗଣମାଧ୍ୟମରେ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଆପ୍ ତରଫରୁ ଏହା ବାରମ୍ବାର କୁହାଯାଉଛି ଯେ, ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ମାଗିଥିବା ପ୍ରମାଣ ପତ୍ର ପାଇଁ କେଜ୍ରିଓ୍ବାଲଙ୍କ ଉପରେ ଜରିମାନା ଲାଗିଛି। କିନ୍ତୁ ଆପଣ ଯଦି, ୨୦୧୬ରେ କେଜ୍ରିଓ୍ବାଲଙ୍କ ଦ୍ବାରା ଦାୟର କରାଯାଇଥିବା ମାମଲା ଏବଂ ତା'ର ରାୟ ଗୁଡିକୁ ନେଇ ଥିବା ଖବର ଗୁଡିକୁ ପଢିବେ, ତା' ହେଲେ ଜାଣି ପାରିବେ ଯେ ପକୃତରେ ଜରିମାନା ତାଙ୍କ ଉପରେ କୋର୍ଟର ସମୟ ନଷ୍ଟ କରିବା ଅଭିଯୋଗରେ ଆଦାୟ କରାଯାଇଛି। କାରଣ କୋର୍ଟର ରାୟ ଅନୁସାରେ ଏହି ଦସ୍ତାବେଜ ଗୁଡିକ ପୂର୍ବରୁ ହିଁ ପବ୍ଲିକ୍ ଡୋମେନରେ ଉପଲବ୍ଧ ଅଛି। ଏହା ପରର ଘଟଣା ଏବଂ ବୟାନବାଜି ଉପରେ ତ ପ୍ରାୟ ସମସ୍ତେ ନଜର ରଖିଥିବେ। ଅନେକ ଗଣମାଧ୍ୟମ ଏବଂ ସମାଲୋଚକ କେଜ୍ରିଓ୍ବାଲଙ୍କ ଏହି ତୀକ୍ଷ୍ଣ ବୟାନବାଜିର ପ୍ରଶ°ସା କରୁଛନ୍ତି। କିନ୍ତୁ ଏସବୁ ଘଟଣାବଳୀର ହୁଏତ କେତୋଟି ପ୍ରଶ୍ନ ଏବଂ ଦିଗ ଅନେକଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଉଛି।

          ନିକଟରେ ସରିଥିବା ଗୁଜରାଟ ନିର୍ବାଚନ ସମୟରେ ଯେମିତି କେଜ୍ରିଓ୍ବାଲ ଭାଜପା ବିରୋଧରେ ପ୍ରଚାର କରିଥିଲେ, ଯଦିଓ ସେ ନିଜେ ମଧ୍ୟ ଜାଣିଥିଲେ ଗୁଜରାଟରେ ତାଙ୍କ ଦଳ ସ°ଖ୍ୟା ଗରିଷ୍ଠତା ଆଦୌ ହାସଲ କରିବ ନାହିଁ। କିନ୍ତୁ ସେ କେବଳ ନିଜ ଦଳ ରାଷ୍ଟ୍ରୀୟ ବା ନ୍ୟାସନାଲ ପାର୍ଟିର ମାନ୍ୟତା ପାଇବା ପାଇଁ ଲକ୍ଷ୍ୟ ରଖି ସେଠି ଜୋରଦାର ପ୍ରଚାର କରିଥିଲେ ବୋଲି ଅନେକ ବିଶେଷଜ୍ଞ କରିଥିବା ଆକଳନ ଠିକ୍ ମଧ୍ୟ ସାବିତ ହୋଇଥିଲା। ଠିକ୍ ସେମିତି ଏବେ ରାହୁଲ ଗାନ୍ଧୀଙ୍କ ବଢୁଥିବା ଲୋକପ୍ରିୟତା ଏବଂ ଦେଶରେ ଚାଲିଥିବା କିଛିକିଛି ମୋଦୀବିରୋଧୀ ହଓ୍ବାର ଫାଇଦା ଉଠାଇ କେଜ୍ରିଓ୍ବାଲ  ଦେଶର ଜନତାଙ୍କ ନଜର ପ୍ରକୃତ ସମସ୍ୟା ଏବଂ ମୁଦ୍ଦା ଉପରୁ ହଟେଇବା ପାଇଁ ପ୍ରୟାସ କରୁଛନ୍ତି ବୋଲି ମଧ୍ୟ ଅନେକ ରାଜନୈତିକ ବିଶ୍ଳେଷକ ମତ ଦେଉଛନ୍ତି। ଏହି କଥାକୁ ଅନୁଭବ କରିବା ପାଇଁ ଯଦି ଆପଣ ଟିକେ ଭାବି ଦେଖନ୍ତି ତା' ହେଲେ ଏହି ଆଶଙ୍କା ବିଷୟରେ ଆପଣ ଠିକ୍ ଆକଳନ କରିପାରିବେ। ଥରେ ଭାବି ଦେଖନ୍ତୁ ଗତ ସପ୍ତାହେ ମଧ୍ୟରେ ସମ୍ପୂର୍ଣ୍ଣ ଜନତାଙ୍କ ମନ ଏବଂ ଧ୍ୟାନ ଉଭୟ ନ୍ୟାସନାଲ ଗଣମାଧ୍ୟମ ଏବଂ ସୋସିଆଲ୍ ମିଡିଆରେ କେବଳ ଗୋଟିଏ ବିଷୟ ଉପରେ କେନ୍ଦ୍ରିତ ଅଛି, ତାହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାର୍ଟିଫିକେଟ। କିଏ ସେଥିରେ ସ୍ପେଲି° ମିଷ୍ଟେକ ବାଛୁଚି ତ କିଏ ସବଜେକ୍ଟ, ସମସ୍ତେ ଏହି ସାର୍ଟିଫିକେଟ ଟିକୁ ଫେକ୍ ବା ମିଛ ବୋଲି ପ୍ରମାଣିତ କରିବାରେ ଲାଗିଛନ୍ତି। ଆଉ ଏ ସବୁ ଭିତରେ ଅଦାନୀଙ୍କ ଉପରେ ହିଣ୍ଡେନବର୍ଗର ରିପୋର୍ଟ, ଅଦାନୀଙ୍କ କମ୍ପାନୀରେ ଭାରତୀୟ ଜୀବନ ବୀମା ଏବଂ ଇପିଏଫର ନିବେଶ କିମ୍ବା ଜାଞ୍ଚ କମିଟି ବସିବାର ଆବଶ୍ୟକତା ଉପରେ କେତେଜଣ ଆଲୋଚନା କରିଛନ୍ତି? ଏମିତିକି ଗତ ସପ୍ତାହରେ ଓ୍ବାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଅଦାନୀଙ୍କ କମ୍ପାନୀକୁ ନେଇ କରାଯାଇଥିବା ଆଉ ଗୋଟିଏ ବିଶାଳ ଘୋଟାଲା ରିସର୍ଚ୍ଚ ରିପୋର୍ଟ ମଧ୍ୟ ଖୁବ୍ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଦେଶରେ ଯେଉଁଠି ହଜାର ହଜାର କୋଟି ଟଙ୍କାର ଘୋଟାଲା ହୋଇଛି, ସମ୍ପୂର୍ଣ୍ଣ ବିଶ୍ବରେ ଆମ ଦେଶର ଏ ପରିସ୍ଥିତିକୁ ନେଇ ସମାଲୋଚନା ହେଉଛି, ଦେଶର ହଜାର ହଜାର ଜନତାଙ୍କ ଧନ ନିବେଶ କରାଯାଇଛି, ସରକାରୀ ଚାକିରୀରେ ପରୀକ୍ଷା ନକରାଯାଇ ଗୋଟିଏ ନିର୍ଦ୍ଦିଷ୍ଟ ଦଳର ଲୋକଙ୍କୁ ଭର୍ତ୍ତି କରା ଯାଉଛି, ସେଠି ସତରେ କ'ଣ ପ୍ରଧାନମନ୍ତ୍ରୀଙ୍କ ସାର୍ଟିଫିକେଟର ସତ୍ୟାସତ୍ୟ ବିଷୟରେ ପ୍ରମାଣ ଖୋଜିବା କେଜ୍ରିଓ୍ବାଲଙ୍କ ପାଇଁ ନିହାତି ଜରୁରୀ? ସେହିପରି ଜଣେ ଦେଶର ଶାସନଭାର ସମ୍ଭାଳିବା ପାଇଁ କେବଳ ଯେ ବଡ ବଡ ଡିଗ୍ରୀ ହାସଲ କରିଦେଲେ ହୋଇଯିବ ତାହା ମଧ୍ୟ ନୁହେଁ। ଏହା ଛଡା ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କିମ୍ବା ମୁଖ୍ୟମନ୍ତ୍ରୀ, ସେ ସମ୍ପୂର୍ଣ୍ଣ ଭାବରେ ଏକୁଟିଆ ଗଭର୍ଣ୍ଣାନ୍ସ ଦେଖନ୍ତି ନାହିଁ। ସରକାରଙ୍କର ବିଭିନ୍ନ ବିଭାଗର ମନ୍ତ୍ରୀ, ବିଶେଷଜ୍ଞ ଦଳ, କମିଟି, ସ°ସ୍ଥା ଥାଏ। ରାଜତନ୍ତ୍ର ସମୟରେ ବି ରାଜା କୌଣସି ନିଷ୍ପତ୍ତି ନେବା ସମୟରେ ମନ୍ତ୍ରୀମଣ୍ଡଳ ସହ ପରାମର୍ଶ କରୁଥିଲେ। ଏବଂ ଗଣତନ୍ତ୍ରରେ ମଧ୍ୟ ପ୍ରଧାନମନ୍ତ୍ରୀ କଲମ ଧରି ସବୁ ଫଇସଲା, ବିଲ୍ କିମ୍ବା ଚୁକ୍ତି ନିଜେ ଦସ୍ତଖତ କରିପକାନ୍ତି ନାହିଁ, ତାଙ୍କର ଉପଦେଷ୍ଟା ମଣ୍ଡଳୀଥାଏ, ଯେଉଁଥିରେ ଅନେକ ବଡବଡ ଡିଗ୍ରୀଧାରୀ ଲୋକ ଥାଆନ୍ତି (କିନ୍ତୁ ସମସ୍ତେ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନାହିଁ)। ନିଜ ମତକୁ ଠିକ୍ ପ୍ରମାଣ କରିବାକୁ ଯାଇ କେଜ୍ରିଓ୍ବାଲ ଯେଉଁ ଟିଭି ଇଣ୍ଟରଭ୍ୟୁର ଉଦାହରଣ ଏବଂ କ୍ଲିପ୍ ବାରମ୍ବାର ଦେଖାନ୍ତି, ସେହି କ୍ଲିପର ଟିକେ ଆଗକୁ ଦେଖିଲେ ଆପଣ ମଧ୍ୟ ଜାଣିପାରିବେ ଯେ, ଶ୍ରୀ ନରେନ୍ଦ୍ର ମୋଦୀ ସେଠି କହିଛନ୍ତି ଯେ, "ସ୍କୁଲ ଶିକ୍ଷା ପରେ ମୁଁ ଘର ଛାଡ଼ି ଦେଇଥିଲି। କିନ୍ତୁ ସ°ଘରେ ରହିବା ଭିତରେ କିଛି ବରିଷ୍ଠ ନେତାଙ୍କ ପ୍ରେରଣାରେ ଡିଷ୍ଟାନ୍ସ ଏଡୁକେସନ ମାଧ୍ୟମରେ ବିଏ ଏବଂ ଏମଏ କଲି।"

           ୧୯୯୯ ମସିହାରେ ଦାଖଲ ହୋଇଥିବା ଏକ ପି ଆଇ ଏଲ୍ ଉପରେ ଶୁଣାଣି ଦେଇ ୨୦୦୨-୨୦୦୩ ମସିହାରେ ମାନ୍ୟବର ସୁପ୍ରିମକୋର୍ଟ ରାୟ ଦେଇଥିଲେ ଯେ, ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ପ୍ରତ୍ୟେକ ରାଜନୈତିକ ଦଳର ପ୍ରାର୍ଥୀ ନିଶ୍ଚିତ ଭାବରେ ନିର୍ବାଚନ କମିଶନଙ୍କ ପାଖରେ ନିଜର ଶିକ୍ଷାଗତ, ଅପରାଧିକ ଏବଂ ଆର୍ଥିକ ପୃଷ୍ଠଭୂମିକୁ ନେଇ ସତ୍ୟପାଠ ଦାଖଲ କରିବେ। ଏହି ନିୟମ ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନିଶ୍ଚିତ ଭାବରେ ଇସିଙ୍କ ସମ୍ମୁଖରେ ସତ୍ୟପାଠ କରିଥିବେ ଏବଂ ଏହା ଜନସାଧାରଣ ପାଇଁ ମଧ୍ୟ ଉପଲବ୍ଧ। ଆଉ ଯଦି ଦାଖଲ କରାଯାଇଥିବା ପ୍ରମାଣପତ୍ର ଜାଲ୍, ତେବେ ପ୍ରଧାନମନ୍ତ୍ରୀ ହେଲେ ମଧ୍ୟ ତାଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। କିନ୍ତୁ ଏଠି ପ୍ରଶ୍ନ ଉଠେ ଦେଶରେ ଆଗାମୀ ବର୍ଷ ସାଧାରଣ ନିର୍ବାଚନ ଅଛି, ଏବଂ ଦେଶରେ ଏତେ ଗମ୍ଭୀର ସମସ୍ୟା ଥିବା ବେଳେ କେଜ୍ରିଓ୍ବାଲ ସମ୍ପୂର୍ଣ୍ଣ ଦେଶର ନଜର ଏବଂ ଧ୍ୟାନ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ପ୍ରମାଣପତ୍ର ଆଡକୁ କାହିଁକି ଆକର୍ଷିତ କରିବାକୁ ଚାହୁଁଛନ୍ତି?

ଗୁଜରାଟ ନିର୍ବାଚନ ସମୟରେ ସେଇଠି ଥାଇ ମଧ୍ୟ କେଜ୍ରିଓ୍ବାଲ, ବିଲକିସ୍ ବାନୋ କେସ୍ ଉପରେ ପଦେ ବି ମନ୍ତବ୍ୟ ରଖିନଥିଲେ! ଆଉ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇ ସୁଦ୍ଧା, ସେଠି ଚାଲିଥିବା କୃଷକ ଆନ୍ଦୋଳନ ବିଷୟରେ ଥରେ ମଧ୍ୟ ବୟାନ ଦେଉନାହାନ୍ତି! ଏମିତିକି ପଞ୍ଜାବରେ ତାଙ୍କ ଆପ୍ ସରକାର ଥାଇବି ଖଲିସ୍ଥାନୀ ଏବଂ ଅମ୍ରିତପାଲଙ୍କ ଉପରେ ସେ ଏପର୍ଯ୍ୟନ୍ତ କୌଣସି ମନ୍ତବ୍ୟ ରଖୁନାହାନ୍ତି! ଦେଶର ବିପର୍ଯ୍ୟସ୍ତ ଶିକ୍ଷା, ସ୍ବାସ୍ଥ୍ୟ, ବେକାରୀ ତଥା ଦରବୃଦ୍ଧି ଅବସ୍ଥା, ଦେଶରେ କୃଷକ ମାନଙ୍କ ଆନ୍ଦୋଳନ ଏବଂ ସୈନିକ ମାନଙ୍କ ଓ୍ବାନ୍-ରାଙ୍କ- ଓ୍ବାନ୍-ପେନସନର ଅବହେଳା, ହଜାର ହଜାର କୋଟିର ଆଦାୟ ନହୋଇ ପାରିଥିବା ଲୋନ୍ ଟଙ୍କା, ଅଦାନୀଙ୍କ ବ୍ୟବସାୟର ସାମ୍ରାଜ୍ୟ ବିସ୍ତାର ତଥା ଜାଲିଆତି ରିପୋର୍ଟ…….ଏତେ ସମସ୍ୟା ଥାଉଥାଉ କେଜ୍ରିଓ୍ବାଲ କେବଳ ମୋଦୀଙ୍କ ସାର୍ଟିଫିକେଟ ବିଷୟରେ କାହିଁକି ଖୋଳତାଡ କରୁଛନ୍ତି? ସତରେ କେଜ୍ରିଓ୍ବାଲ ମୋଦୀଙ୍କ ଫେକ୍ ସାର୍ଟିଫିକେଟକୁ ନେଇ ଚିନ୍ତିତ ନା ଜନତାଙ୍କ ଧ୍ୟାନ ସଠିକ୍ ମୁଦ୍ଦା ଉପରୁ ହଟେଇବା ପାଇଁ ତାଙ୍କର ଏ ଚେଷ୍ଟା? ଦେଶରେ ଥିବା ବିଭିନ୍ନ ଯାଞ୍ଚ ସ°ସ୍ଥା ଏବଂ ଭାଜପା ନିଶ୍ଚିତ ଭାବରେ ଆଜି ନହେଲେ କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପତ୍ରର ସତ୍ୟାସତ୍ୟ ବିଷୟରେ ସଠିକ୍ ବିବରଣୀ ଏବଂ ପ୍ରମାଣ ପ୍ରଦାନ କରିଦେବେ। କିନ୍ତୁ ସେଇ ସମୟ ଭିତରେ ଆମ ନଜର ଆଢୁଆଳରେ ଦେଶର ଅନେକ ମହତ୍ତ୍ୱପୂର୍ଣ୍ଣ ସମସ୍ୟା ଏବଂ ଘୋଟାଲାକୁ ନେଇ ଆଉ କିଛି ଗଳାବାଟରେ ସମାଧାନ କରାଯାଇ ସାରିନଥିବ ତ? ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ଭୟାନକ ମାମଲା ଆମ ସ୍ମୃତିରୁ ଝାପସା ହେଲାପରି, ଏସବୁ ମାମଲା ବି ଥଣ୍ଡା ପଡିଯିବ, ଯାଞ୍ଚ ପରେ ଅସଲ ସାର୍ଟିଫିକେଟ ସାମନାକୁ ଆସିବ, କେଜ୍ରିଓ୍ବାଲ ମିଥ୍ୟାରୋପ କଲେ ବି ଶାସକ ଦଳକୁ ପ୍ରତିବାଦ କରିଥିଲେ ବୋଲି ବାହାବାହା ନେବେ, ଆଉ ସେତେବେଳେ ହୁଏତ ଦେଶର ଜନତା ପ୍ରତିକ୍ରିୟା ଦେବେ ଯେ - ପ୍ରକୃତରେ ଆମ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ଅପପ୍ରଚାର ପାଇଁ କିଛି ଲୋକ ସୁପାରୀ/ ଠିକା ନେଇଛନ୍ତି!