ନିଜ ଛବି ଚମକାଇବାକୁ ମୋଦୀଙ୍କ ଆମେରିକା ଗସ୍ତ

ନିଜ ଛବି ଚମକାଇବାକୁ ମୋଦୀଙ୍କ ଆମେରିକା ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ଜୁନ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଆମେରିକା ଗସ୍ତରେ ଯିବେ। ଜୋ ବାଇଡେନ୍ ରାଷ୍ଟ୍ରପତି ହେବା ପରେ ଏହା ମୋଦୀଙ୍କର ପ୍ରଥମ ଆଧିକାରିକ ଆମେରିକା ଗସ୍ତ। ବିଶ୍ବର ଦୁଇ ପ୍ରମୁଖ ଗଣତାନ୍ତ୍ରିକ ଦେଶ ମଧ୍ୟରେ ସମ୍ପର୍କ କୁ ନେଇ କୁଟନୈତିକ ସ୍ତରରେ ସବୁବେଳେ ଆଗ୍ରହ ଓ ଉତ୍କଣ୍ଠା ରହିବା କଥା। ହେଲେ ମୋଦୀଙ୍କ ଗସ୍ତକୁ ନେଇ କୁଟନୈତିକ ଉତ୍କଣ୍ଠା ଅପେକ୍ଷା ଘରୋଇ ରାଜନୀତିରେ ଏହାକୁ ନେଇ ପ୍ରଚାର ଏବେ ଜୋର୍ ଧରିଛି। କର୍ଣ୍ଣାଟକରେ ମୋଦୀଙ୍କ ବ୍ୟାପକ ପ୍ରଚାର ପରେ ମଧ୍ୟ ବିଜେପିର ପରାଜୟ ମୋଦୀଙ୍କ ଆତ୍ମବିଶ୍ବାସ ଉପରେ ଗଭୀର ପ୍ରଭାବ ପକାଇଛି। ଘରୋଇ ରାଜନୀତିରେ ମୋଦୀଙ୍କର ଲୋକପ୍ରିୟତା କମୁଥିବାରୁ ବିଦେଶ ନୀତି ମାଧ୍ୟମରେ “ମୋଦୀ ବ୍ରାଣ୍ଡ” ପରିପ୍ରଚାର କରିବାକୁ ମୋଦୀଙ୍କ ବିଜେପି ଏବେ ପ୍ରବଳ ଉଦ୍ୟମ ଆରମ୍ଭ କରିଛି।

ପୂର୍ବରୁ ଘରୋଇ ରାଜନୀତି ଠାରୁ ପ୍ରାୟତଃ ଦୂରେଇ ରହୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଏବେ ଦେଶ ସାରା ବୁଲି ବୁଲି ପୃଥିବୀର ରାଜନୀତିରେ ମୋଦୀ କେମିତି "ବିଶ୍ବଗୁରୁ" ପାଲଟି ଯାଇଛନ୍ତି, ସେ କାହାଣୀ ଲୋକଙ୍କୁ ଶୁଣାଉଛନ୍ତି।‌ କର୍ଣାଟକ ନିର୍ବାଚନ ପରାଜୟ ପରେ ବିଦେଶରେ ମୋଦୀଙ୍କ ଲୋକପ୍ରିୟତା ଦେଖାଇବାକୁ ଯାଇ ମୋଦୀଙ୍କ ଜାପାନ ଓ ଅଷ୍ଟ୍ରେଲିଆ ଗସ୍ତକୁ ବଢାଇ ଚଢାଇ ଦେଖାଯାଉଛି । ସମାନ କଥା ଆମେରିକା ଗସ୍ତରେ ମଧ୍ୟ ଘଟିବ। ମୋଦୀଙ୍କ ଆମେରିକା ଗସ୍ତ କୁ ନେଇ ଗଣମାଧ୍ୟମରେ ଏକପ୍ରକାର ହୋ ହାଲ୍ଲା ତିଆରି କରାହେବ । ପ୍ରବାସୀ ଗୁଜରାଟୀଙ୍କ ଜରିଆରେ ମୋଦୀ.... ମୋଦୀ... ସ୍ଲୋଗାନରେ ଆମେରିକା କମ୍ପୁଛି ବୋଲି ଦେଖାଯିବ। 

ଭାରତରେ ମଣିପୁର ଜଳୁଥିବ ଏବଂ ଗୁଜରାଟରେ ବାତ୍ୟାର ତାଣ୍ଡବ ସରିଥିବ। ଉତ୍ତରାଖଣ୍ଡରୁ ମୁସଲମାନଙ୍କୁ ଘଉଡାଇବା ଲାଗି ସରକାରୀ ଦଳ ଉଦ୍ୟମ କରୁଥିବେ। ଦେଶରେ ଘୃଣା ଓ ଅସହିଷ୍ଣୁତା ବଢି ଚାଲିଥିବ । ମୋଦୀ ବିଦେଶରେ ଗାନ୍ଧୀଙ୍କୁ ନିଜର ପ୍ରେରଣା ବୋଲି କହୁଥିବେ ଓ ନିଜ ମନ୍ତ୍ରୀମଣ୍ଡଳରେ ନାଥୁରାମ ଗଡସେର ଭକ୍ତମାନଙ୍କୁ ରଖିଥିବେ ଗାନ୍ଧୀ ହତ୍ୟା ସହ ସମ୍ପୃକ୍ତି ଅଭିଯୋଗ ଥିବା ବିନାୟକ ସାଭରକରଙ୍କୁ ମୋଦୀ ନିଜର ପ୍ରେରଣା ବୋଲି ମଧ୍ୟ ସ୍ଵୀକାର କରୁଥିବେ

ତେବେ ଆମେରିକାରେ ମୋଦୀ ଏହାକୁ ନେଇ କିଛି କହିବେ ନାହିଁ । କେବଳ ମୋଦୀଙ୍କ ଭାବମୂର୍ତ୍ତି ଚମକାଇବାକୁ ବାଇଡେନ୍ ଙ୍କ ସହିତ ମୋଦୀଙ୍କ ବ୍ୟକ୍ତିଗତ ଘନିଷ୍ଠତା ବିଷୟରେ ଗଳା ଫଟାଇ ଟିଭିରେ ଗଳାଫଟା ଚିତ୍କାର ଚାଲିବ। ଜାତିସଙ୍ଘରେ ସେ ଏ ବର୍ଷ ଯୋଗ ଦିବସ ପାଳିବେ ସେଠୁ ଆସି ବାଇଡେନଙ୍କ ସହିତ ରାତ୍ରୀ ଭୋଜନରେ ଯୋଗ ଦେବେ କଂଗ୍ରେସର ସଂଯୁକ୍ତ ବୈଠକରେ ମୋଦୀ ଭାଷଣ ମଧ୍ୟ ଦେବେ । ଆଗାମୀ ପନ୍ଦର ଦିନ ଭାରତୀୟ ଟେଲିଭିଜନରେ କେବଳ ଏହି କଥା ସବୁ ଦେଖାଯିବଆମେରିକାରୁ ନିଜର ରାଜନୈତିକ ଛବି ଚମକାଇବାକୁ ମୋଦୀ ଉଦ୍ୟମ କରିବେ । ଏକଥା ସେ ବାରମ୍ବାର କରି ଆସିଛନ୍ତି ।

ମୋଦୀ ପ୍ରଧାନମନ୍ତ୍ରୀ ହେବା ପରଠୁ ଭାରତର ବିଦେଶ ନୀତି କେବଳ ମୋଦୀ ପ୍ରଚାରର ଏକ ମେଗାଫୋନ ଭାବରେ କାମ କରୁଛି ୨୦୧୪ ପୂର୍ବରୁ ଭାରତର ଏକମାତ୍ର ଶତ୍ରୁ ଦେଶ ଥିଲା ପାକିସ୍ତାନ। ମୋଦୀଙ୍କ ଛାତିପିଟା ବିଦେଶ ନୀତି ଯୋଗୁଁ ଏବେ ଏକାଧିକ ଦେଶ ସହିତ ଆମର ଶତ୍ରୁତା ବଢିଛି କାନାଡା, ଇଂଲଣ୍ଡ, ୟୁରୋପୀୟାନ ୟୁନିଅନ ଭଳି ଦୂରତର ଦେଶଙ୍କ ସହିତ ମଧ୍ୟ ଆମର ବିଦେଶମନ୍ତ୍ରୀ ଝଗଡାଝାଟି କରୁଛନ୍ତି ଚୀନ ସହିତ ଆମର ସମ୍ପର୍କ ଏବେ ଶତ୍ରୁତାର ସ୍ତରକୁ ଅତିକ୍ରମ କରି ବିଷାକ୍ତ ହୋଇ ସାରିଛି।

ବିଦେଶରେ ଭାରତର ସମ୍ପର୍କ ବଢାଇବାକୁ ପ୍ରଧାନମନ୍ତ୍ରୀ କୌଣସି ଗସ୍ତ କରୁନାହାନ୍ତି ତାଙ୍କୁ ଆମେରିକାରୁ ନିଜର ଉଜ୍ଜଳ ଛବି ଭାରତକୁ ଦେଖାଇବାକୁ ଅଛି । ଆଉ ଏହି ପ୍ରଦର୍ଶନୀରେ ଭାରତର ଗଣମାଧ୍ୟମ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଜ୍ଞାବହ ଲୋକ ସମ୍ପର୍କ ବିଭାଗ ଭାବରେ କାମ କରିବାରେ ଲାଗିପଡିଛି