ଏକଛତ୍ରବାଦୀର ସିନେମା : ଅପପ୍ରଚାର ହିଁ ପ୍ରଚାର !!
"Peaky Blinders" ଟିଭି ସିରିଜର ଗୋଟିଏ Peaky Blinders Epic Walk ଦୃଶ୍ୟ ଅଛି। ସେହି ଦୃଶ୍ୟଟିରେ Peaky Blinders ଗ୍ୟାଙ୍ଗର ମେମ୍ବର ମାନେ ୧୯୧୯-୨୦ ସମୟର ଗୋଟିଏ ସହରର ଅନ୍ଧାରୁଆ, ଧୂଆଁଳିଆ ରାସ୍ତାରେ ଲମ୍ବା ଓଭରକୋଟ୍ ଏବଂ ବେକର ବୟ କ୍ୟାପ୍ ଲଗାଇ, ଦାଣ୍ଠରେ କିନ୍ତୁ ସ୍ଲୋ- ମୋସନରେ ଚାଲିଚାଲି ଆଗକୁ ମାଡି ଆସୁଛନ୍ତି। ସେ ଚାଲିରେ ନିଜ ଉପରେ ଆତ୍ମବିଶ୍ବାସ ଆଉ ଦୁନିଆକୁ ବେଖାତିର କରିବାର ଠାଣି ବାରି ହୋଇପଡେ। ଗ୍ୟାଙ୍ଗଟି ଆଗକୁ ମାଡି ଚାଲିଲା ବେଳେ ଚାରି ପାଖରେ କ'ଣ ଘଟୁଛି ସେଥି ପ୍ରତି ଧ୍ୟାନ ଦେବା ଦରକାର, ସେ ପ୍ରକାର ଭାବ ବିଲକୁଲ ବି ଦିଶେନି। ନିଜ ଶକ୍ତି, ବୁଦ୍ଧି, ସଫଳତା ଆଉ ବିଜୟର ନିଶାରେ ନିଶ୍ଚିନ୍ତ ହୋଇ ଦଳେ ମଣିଷ ରାସ୍ତାକୁ ସମ୍ପୂର୍ଣ୍ଣ କଭର କରି ଚାଲିଥାନ୍ତି। ସେମାନଙ୍କ କଳା ମଚମଚ ଜୋତା, ଚାରିପାଖର ଅନ୍ଧାରକୁ ପରିହାସ କରିବା ଢଙ୍ଗରେ ଉଠୁଥାଏ ପଡୁଥାଏ। ଠିକ୍ ଏଇ Peaky Blinders Epic Walk ପରି ଦୃଶ୍ୟଟିଏ ଉତ୍ତର (ନର୍ଥ) କୋରିଆ ଦ୍ବାରା ୨୦୨୨ରେ ମିସାଇଲ୍ ପରୀକ୍ଷଣ ସମୟରେ ତା'ର ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନଙ୍କୁ ନେଇ ଜାରି କରା ଯାଇଥିବା ଗୋଟିଏ ଭିଡିଓରେ ଦେଖିବାକୁ ମିଳେ।
ଏହି ଭିଡିଓଟି ୩ ନଭେମ୍ବର, ୨୦୨୨ରେ ଉତ୍ତର କୋରିଆର solid- fuel intercontinental ballistic missile ପରୀକ୍ଷଣ ସମୟର, ଯାହାକି ସେଠିକାର ଏକମାତ୍ର ଖବରପ୍ରଦାନକରୀ ସ°ସ୍ଥା Korean Central News Agency ଦ୍ବାରା ଜାରି କରାଯାଇଥିଲା। ଭିଡିଓଟିରେ ପ୍ରଥମେ ମିଲିଟାରୀ ଇନଷ୍ଟଲେସନର କବାଟ ଦୁଇ ପଟକୁ ଖୋଲେ ଆଉ ତା' ଭିତରୁ ନର୍ଥ କୋରିଆ ସୁପ୍ରିମ୍ ଲିଡର କିମ୍ ଜଙ୍ଗ୍ ଉନ୍ ଗୋଟିଏ କଳା ଲେଦର ଜ୍ୟାକେଟ୍ ଏବଂ ସନ୍ ଗ୍ଲାସ୍ ଲଗାଇ ଦୁଇଜଣ ସେନା ଅଧିକାରୀଙ୍କ ସହ ବାହାରି ସ୍ଲୋ- ମୋସନରେ ଚାଲିବା ଆରମ୍ଭ କରନ୍ତି। ଅତ୍ୟଧିକ ଗମ୍ଭୀର କିନ୍ତୁ ଆତ୍ମବିଶ୍ବାସ ଭରା ଚେହେରା ନେଇ ତିନିଜଣ କିଛି ବାଟ ଚାଲିଲା ପରେ ନିଜ ନିଜ ଘଣ୍ଟା ଉପରେ ନଜର ପକାଇବା ସମୟର ଜୁମ୍ କରି ଭିଡିଓରେ ଦେଖାଯାଏ। ତା'ପରେ ଅତି ସର୍ନ୍ତପଣରେ ସ୍ଲୋ- ମୋସନରେ କିମ୍ ଜଙ୍ଗ ଉନ୍ ନିଜ ସନ୍-ଗ୍ଲାସ୍ ଟିକୁ ଓହ୍ଲାନ୍ତି, ପୁଣି ନିଜ ହାତ ଘଣ୍ଟାକୁ ଅନାନ୍ତି ଏବଂ ତା' ପରେ ମୁଣ୍ଡ ହଲେଇ 'ହଁ' ଅର୍ଥରେ ଇସାରା କରନ୍ତି। ତା'ପରେ ମିଲିଟାରୀ ଇନଷ୍ଟଲେସନ ଭିତରୁ ମିସାଇଲଟିକୁ ପରୀକ୍ଷଣ ପାଇଁ ବାହାରକୁ ଅଣାଯାଏ। ସେନା ଅଧିକାରୀ ଏବଂ ପରୀକ୍ଷକ ମାନେ ବିଭିନ୍ନ ଦିଗରୁ ଆକ୍ସନ୍ କହି ଚିତ୍କାର କରୁଥିବାର ଦୃଶ୍ୟ ଦେଖାଯାଏ। ୟାପରେ ମିସାଇଲ୍ ଲଞ୍ଚରଟି ଉପରକୁ ଉଠିବାର ଦୃଶ୍ୟକୁ କ୍ୟାମେରା ମାଧ୍ୟମରେ ବିଭିନ୍ନ ଦିଗରୁ ଦେଖାଯାଏ। ସମସ୍ତେ ପରସ୍ପରକୁ ଅଭିନନ୍ଦନ ଜଣାଇ ହର୍ଷୋଲ୍ଲାସରେ ହାତ ମିଳାନ୍ତି ଏବଂ ଗ୍ରୁପ୍ ଫଟୋ ଉଠାଯାଏ। ଗ୍ରୁପ୍ ଫଟୋ ପରେ ପୁଣି ସ୍ଲୋ -ମୋସନରେ, Peaky Blinders ଠାଣିରେ କିମ୍ ଜଙ୍ଗ୍ ଉନ୍ ମଝିରେ ରହି ସମ୍ପୂର୍ଣ୍ଣ ଗ୍ରୁପ୍ ଚାଲିବା ଆରମ୍ଭ କରେ। ଏ ସମ୍ପୂର୍ଣ୍ଣ ଭିଡିଓରେ ଗ୍ରୁପ୍ ଫଟୋ ଏବଂ ଗ୍ରୁପ୍ ଓ୍ବାକ୍ ସମୟରେ ଏତେ ଲୋକ ଥା'ନ୍ତି ସତ କିନ୍ତୁ ଫୋକସ୍ ଏବଂ ବାରି ହୋଇପଡନ୍ତି କେବଳ ସୁପ୍ରିମ୍ ଲିଡର୍ କିମ୍ ଜଙ୍ଗ୍ ଉନ୍। ମିଲିଟାରୀ ବେସ୍ ର ଧୂସର ରଙ୍ଗ, ଧୂସର ମିଲିଟାରୀ ଗାଡି ଏବଂ ଆସବାବପତ୍ରର ତଥା ସେନା ଅଧିକାରୀଙ୍କ ଧୂସର ପରିଧାନ ଭିତରେ କେବଳ ଚିକଚିକ୍ କରୁଥାଏ ଶାସକ କିମ୍ ଜଙ୍ଗ୍ ଉନଙ୍କ କଳା ଲେଦର ଜ୍ୟାକେଟ୍। ସମ୍ପୂର୍ଣ୍ଣ ଭିଡିଓଟିକୁ ତିଆରି ହିଁ କରାଯାଇଥାଏ ଏମିତି ଯେ, କେବଳ କିମ୍ ଜଙ୍ଗ୍ ଉନ୍ ହିଁ ନଜର ଆସିବେ। ଆଉ ଏହା ହିଁ ହେଉଛି ଜଣେ ଏକଛତ୍ରବାଦୀ ଶାସକର ଚରିତ୍ର। ହଜାର ହଜାର ଅନୁସରଣକାରୀ ଥିଲେ ମଧ୍ୟ ଜଣେ ଏକଛତ୍ରବାଦୀ ଶାସକ ସବୁବେଳେ ନିଜେ ହିଁ ସବୁ ସଫଳତା, ପ୍ରଶଂସା ଓ ଦୃଷ୍ଟି ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାକୁ ଚାହେଁ। ଆଉ କିମ୍ ଜଙ୍ଗ୍ ଉନ୍ ଏଇ କଳା ଏବଂ ଗୁଣଟି ହାସଲ କରିଛନ୍ତି ନିଜ ପିତା କିମ୍ ଜଙ୍ଗ୍ ଇଲଙ୍କ ଠାରୁ। ତାଙ୍କରିଠୁ ଶିଖିଛନ୍ତି କେମିତି ଭିଡିଓ ବା ଫିଲ୍ମ ମାଧ୍ୟମରେ ନିଜ ଛବିକୁ ଲୋକଙ୍କ ମନ ଭିତରେ ଛାପି ହେବ। କିମ୍ ଜଙ୍ଗ୍ ଇଲ୍ ହିଁ ହେଉଛନ୍ତି ଉତ୍ତର କୋରିଆନ୍ ଫିଲ୍ମ ଇଣ୍ଡଷ୍ଟ୍ରି ବା ସିନେମାର ଜନକ (ଦକ୍ଷିଣ କୋରିଆ ଫିଲ୍ମ ବା ସିନେମା ଜଗତ ଅଲଗା)।
କିମ୍ ଜଙ୍ଗ୍ ଉନ୍ ଏବଂ ତାଙ୍କ ବାପା କିମ୍ ଜଙ୍ଗ୍ ଇଲ୍ ହେଉଛନ୍ତି ଉତ୍ତର କୋରିଆର "କିମ୍ ଡାଇନାଷ୍ଟି"ର ଶାସକ, ଯାହାର ଶାସକ କାଳ ୧୯୪୮ରୁ ପ୍ରଥମ କିମ୍ ଶାସକ କିମ୍ ଇଲ୍ ସଙ୍ଗଙ୍କ ଠାରୁ ଆରମ୍ଭ ହୋଇଥିଲା। କିମ୍ ଡାଇନାଷ୍ଟିକୁ "ପେକ୍ଟୁ ବ୍ଲଡ ଲାଇନ୍" ମଧ୍ୟ କୁହାଯାଏ। ଦ୍ୱିତୀୟ ବିଶ୍ବ ଯୁଦ୍ଧ ପରେ, ଜାପାନ ଅଧୀନରୁ କୋରିଆ ମୁକ୍ତ ହେବା ପରେ ଯଦିଓ ମିଳିତ ଜାତିସଂଘ କୋରିଆନ୍ ପେନେନସୁଲା ପାଇଁ ସାଧାରଣ ନିର୍ବାଚନ କରାଇବାକୁ ଯୋଜନା କରିଥିଲା କିନ୍ତୁ ୨୫ ଅଗଷ୍ଟ ୧୯୪୮ରେ ସୋଭିଏତ ୟୁନିଅନ୍, କୋରିଆନ୍ ପେନେନସୁଲା ପାଇଁ ନିଜେ ନିଜେ ନିର୍ବାଚନ କରାଇ କିମ୍ ଇଲ୍ ସଙ୍ଗକୁ ସେଠିକାର ନେତା ବା ପରିଚାଳନା ଦାୟିତ୍ବ ଦେଇଥିଲେ। କିମ୍ ପ୍ରଥମେ Soviet-designated premier ଭାବରେ ବଛାଯାଇଥିଲେ (ତା' ପୂର୍ବରୁ କିମ୍, ଷ୍ଟାଲିନ୍ ସେନାରେ କାର୍ଯ୍ୟରତ ଥିଲେ)। କିମ୍ ଇଲ୍ ସଙ୍ଗ ହେଉଛନ୍ତି କୋରିଆନ୍ ପେନେନସୁଲା (ଦକ୍ଷିଣ କୋରିଆ ଅଲଗା ହେବା ପୂର୍ବରୁ) ର ରାଜନୈତିକ ଦଳ Workers' Party of Korea (WPK)ର ପ୍ରଥମ ସୁପ୍ରିମ୍ ଲିଡର। ଏବଂ ଉତ୍ତର କୋରିଆର ଶାସନ ନୀତି "ଜୁଚେ (juche)" ପ୍ରଣୟନକର୍ତ୍ତା, ଯାହାକି ବିଶେଷଜ୍ଞଙ୍କ ମତରେ Marxism–Leninismର ଗୋଟିଏ ପ୍ରକାର ଭେଦ। କିନ୍ତୁ ଜୁଚେ ସର୍ବଦା ବିଛିନ୍ନତାବାଦୀ ଆତ୍ମନିର୍ଭରଶୀଳତା (isolation and self reliance) ଉପରେ ବିଶ୍ବାସ ରଖେ। ଆତ୍ମନିର୍ଭରଶୀଳତା ମାଧ୍ୟମରେ ବାହ୍ୟ ଜଗତଠାରୁ ଦୂରରେ ରହିବା ଏବଂ ସମ୍ପର୍କ ନରଖିବା ଜେଚୁର କାର୍ଯ୍ୟପ୍ରଣାଳୀ। କିନ୍ତୁ ପ୍ରକୃତରେ ଏହି ଚିନ୍ତାଧାରା ଦ୍ବାରା କିମ୍ ଇଲ୍ ସଙ୍ଗ୍ ନିଜ ଜନତାଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ ଦେଇ, ଅନ୍ୟ କାହା ଉପରେ ନିର୍ଭର ନକରିବା ମାଧ୍ୟମରେ ବିଛିନ୍ନତାବାଦକୁ ବଢାଉଥିଲେ। ଯାହା ଦ୍ବାରା ସାଧାରଣ ଜନତା ବାହ୍ୟ ଜଗତର ସ°ସ୍ପର୍ଶରେ ନଆସିଲେ ତାଙ୍କୁ ଏକଛତ୍ରବାଦ ଶାସନ ଚଳାଇବାରେ ସହଜ ହେବ। ରୁଷ୍ ଏବଂ ଚୀନରେ ଥିବା କମ୍ୟୁନିଷ୍ଟ ଶାସନ ମାଧ୍ୟମରେ ଗୋଟିଏ ଦଳକୁ ଶାସନତନ୍ତ୍ର ଚଳାଇବାର ଅଧିକାର ମିଳିଯାଇଥିବା ବେଳେ, ଜୁଚେ ମାଧ୍ୟମରେ ଉତ୍ତର କୋରିଆରେ ଗୋଟିଏ ପରିବାରକୁ ଶାସନତନ୍ତ୍ର ଚଳାଇବାର ଅଧିକାର ମିଳିଗଲା। Kim Dynasty ହେଉଛି ପୃଥିବୀରେ ଅଣରାଜବ°ଶ ଏବଂ ରାଜତନ୍ତ୍ର ନ ହୋଇ ମଧ୍ୟ ସବୁଠାରୁ ଲମ୍ବା ସମୟ ପର୍ଯ୍ୟନ୍ତ ଶାସନ କରିଥିବା ପ୍ରଥମ ପରିବାର। କିମ୍ ଇଲ୍ ସଙ୍ଗ୍ ହେଉଛନ୍ତି ଜଣେ ସ୍ବଘୋଷିତ ସୁପ୍ରିମ୍ ଲିଡର ବା ଊତ୍ତର କୋରିଆର ଅତ୍ମଘୋଷିତ ପିତା, ତାଙ୍କ ଜନ୍ମ ଦିବସକୁ "Day of the Sun" ଭାବରେ ପାଳନ କରାଯାଏ। ନିଜ ଜୀବନ ଏବଂ ଶାସନକାଳ ଭିତରେ ସେ ସମଗ୍ର ଉତ୍ତର କୋରିଆରେ ନିଜର ୫୦୦ଟି ମୂର୍ତ୍ତି ପ୍ରତିଷ୍ଠା କରାଇଥିଲେ। କିମ୍ ଇଲ୍ ସଙ୍ଗ୍ ଯେତେବେଳେ ଭୀଷଣ ରାଷ୍ଟ୍ରବାଦ ଏବଂ ରାଷ୍ଟ୍ର ଦ୍ବାହି ଦେଇ ଉତ୍ତର କୋରିଆରେ ନିଜର ଏକଛତ୍ରବାଦୀ ଶାସନକୁ ମଜବୁତ କରିବା ପାଇଁ ଚେଷ୍ଟା କରୁଥିଲେ, ସବୁ ପ୍ରକାର ନିୟମ-କାନୁନ ସେଇ ଅନୁସାରେ ବନାଉଥିଲେ, ସେତେବେଳେ ସେ ଲକ୍ଷ୍ୟ କଲେ ଯେ ତାଙ୍କ ଜ୍ୟେଷ୍ଠ ପୁତ୍ର କିମ୍ ଜଙ୍ଗ୍ ଇଲ୍ କେବଳ ଫିଲ୍ମ/ ସିନେମା ଦେଖିବା ତଥା ସିନେମା ଜଗତ ଭିତରେ ବୁଡି ରହୁଛନ୍ତି।
କିମ୍ ଜଙ୍ଗ୍ ଇଲଙ୍କ ଫିଲ୍ମ ଦେଖିବା ନିଶା ଏମିତି ଥିଲା ଯେ, ସେ ଆଦ୍ୟ ଯୌବନରେ ଦିନ ଦିନ ଧରି କେବଳ ସିନେମା ହିଁ ଦେଖୁଥିଲେ। ତାଙ୍କ ଜୀବନକାଳ ମଧ୍ୟରେ ସେ ୨୦,୦୦୦ରୁ ଊର୍ଦ୍ଧ୍ବ ଫିଲ୍ମର ଭିଡିଓ ଟେପ୍ ଏବଂ ଡିଭିଡି କଲେକ୍ଟ କରିଥିଲେ। ଏହା ପାଇଁ ସେ ନିଜର ଗୋଟିଏ ଶୀତତାପ ନିୟନ୍ତ୍ରିତ ଲାଇବ୍ରେରୀ ମଧ୍ୟ ବନାଇ ଥିଲେ ଏବଂ ଏଥିରେ ୨୫୦ ଜଣ ଫୁଲ୍-ଟାଇମ୍ କର୍ମଚାରୀ କାମ କରୁଥିଲେ। ଜେମ୍ସ ବଣ୍ଡ୍ ସିରିଜ୍ (ଯେପର୍ଯ୍ୟନ୍ତ ସିରିଜରେ ଜଣେ ଉତ୍ତର କୋରିଆ ଲୋକକୁ ନେଗେଟିଭ୍ ଚରିତ୍ରରେ ନଦେଖିଥିଲେ) ଏବଂ ଗଡଜିଲା ତାଙ୍କର ଭାରି ପସନ୍ଦ। ଏଲିଜାବେଥ୍ ଟାଇଲର୍ ହେଉଛନ୍ତି କିମ୍ ଜଙ୍ଗ୍ ଇଲଙ୍କ ପ୍ରିୟ ଅଭିନେତ୍ରୀ। କିମ୍ ଜଙ୍ଗ୍ ଇଲଙ୍କ ଏପ୍ରକାର ସିନେମା ପ୍ରତି ମୋହ ତାଙ୍କ ପିତା ତଥା ଏକଛତ୍ରବାଦୀ ଶାସକ କିମ୍ ଇଲ୍ ସଙ୍ଗଙ୍କୁ ଚିନ୍ତାରେ ପକାଇ ଥିଲା। ୧୯୬୬-୬୭ ମସିହା ହେବ, ଯଦିଓ କିମ୍ ଇଲ୍ ସଙ୍ଗ୍ ନିଜେ ଶାସକ ଥା'ନ୍ତି ଏବଂ ସମ୍ପୂର୍ଣ୍ଣ ଦେଶକୁ ଜୁଚେ ରାଷ୍ଟ୍ରବାଦରେ ବାନ୍ଧିରଖି ଆଧିପତ୍ୟ ବିସ୍ତାର କରିଥା'ନ୍ତି କିନ୍ତୁ ସେତେବେଳକୁ ତାଙ୍କରି ପାର୍ଟି ଭିତରୁ ଧିରେ ଧିରେ ଅନ୍ୟମାନେ ତାଙ୍କୁ ପଛରେ ପକାଇ, ବିତାଡିତ କରି ଉପରକୁ ଉଠିବାକୁ ଚେଷ୍ଟା କରୁଥା'ନ୍ତି। ଯେହେତୁ ତାଙ୍କ ପୁତ୍ର କିମ୍ ଇଲ୍ ଜଙ୍ଗ୍ ସବୁବେଳେ ସିନେମା ଦୁନିଆରେ ମାତି ଥା'ନ୍ତି, ତାଙ୍କୁ ରାଜନୈତିକ ସହାୟତା ମିଳି ପାରୁନଥାଏ। ସେତେବେଳେ କିମ୍ ଇଲ୍ ସଙ୍ଗଙ୍କର ଷ୍ଟାଲିନଙ୍କ ସମୟରେ କେମିତି ସିନେମାକୁ ସାଧାରଣ ଜନତା ଭିତରେ ରାଷ୍ଟ୍ରବାଦ ଏବଂ ଦଳର ପ୍ରପୋଗାଣ୍ଡାର ପ୍ରଚାର ପାଇଁ ବ୍ୟବହାର କରାଯାଇଥିଲା ମନେ ପଡେ। କିମ୍ ଇଲ୍ ସଙ୍ଗ୍ ହଠାତ ଦିନେ ଫିଲ୍ମ ଷ୍ଟୁଡ଼ିଓରେ ପହଞ୍ଚନ୍ତି। ସେଠି ସେ Workers' Party of Koreaର ବିଚାରଧାରାର ପ୍ରସାର, ବିଛିନ୍ନତାବାଦୀ ରାଷ୍ଟ୍ରବାଦର ପ୍ରଚାର, ସମୃଦ୍ଧ ରାଷ୍ଟ୍ର ଗଠନ, ରାଷ୍ଟ୍ର ବିକାଶ ଏବଂ ଦେଶ ପାଇଁ ବଳିଦାନ ଦେବା ପାଇଁ ସିନେମାର କେତେ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ସେ ଉପରେ ଗୋଟିଏ ସାରଗର୍ଭକ ଭାଷଣ ଦିଅନ୍ତି। ଏବଂ ଉପସ୍ଥିତ ଥିବା ସମସ୍ତ ଯୁବକଙ୍କ ମଧ୍ୟରୁ କିଏ ଉତ୍ତର କୋରିଆ ପାଇଁ ଏ ଗୁରୁଦାୟିତ୍ୱ ନେଇ ଜୁଚେ ବିଚାରଧାରାର ସିନେମା ପ୍ରସ୍ତୁତ କରିବ ବୋଲି ପଚାରନ୍ତି। କିମ୍ ଇଲ୍ ସଙ୍ଗଙ୍କୁ ଆଶ୍ଚର୍ଯ୍ୟ କରି ତାଙ୍କ ପୁଅ କିମ୍ ଜଙ୍ଗ୍ ଇଲ୍ ସର୍ବପ୍ରଥମେ ଏଇ କାର୍ଯ୍ୟଭାର ନେବାକୁ ରାଜି ହୁଅନ୍ତି। ଯଦିଓ ଏହା ପୂର୍ବରୁବି କିମ୍ ଜଙ୍ଗ୍ ଇଲ୍ ରାଷ୍ଟ୍ରବାଦ ଓ ଦେଶପ୍ରେମ ଉପରେ ସିନେମା ବନାଇ ସାରିଥାନ୍ତି କିନ୍ତୁ ପ୍ରଥମ ଥର ପାଇଁ କିମ୍ ଇଲ୍ ସଙ୍ଗଙ୍କର ତାଙ୍କ ପୁତ୍ର ଉପରେ ଭରସା ଆସେ ଏବଂ ସେ, କିମ୍ ଜଙ୍ଗ୍ ଇଲଙ୍କୁ ଦେଶର Propaganda and Agitation Department (ପ୍ରଚାର ଏବଂ ଆନ୍ଦୋଳନ ବିଭାଗ)ର ମୁଖ୍ୟ ଭାବରେ ନିୟୋଜିତ କରନ୍ତି। ଏହି ବିଭାଗ ଅଧୀନରେ ହିଁ ଉତ୍ତର କୋରିଆର ସିନେମା/ ଫିଲ୍ମ, ନାଟକ, ପ୍ରେସ୍ ଏବଂ ପବ୍ଲିକେସନ୍ ଅର୍ନ୍ତଭୁକ୍ତ।
ୟାପରେ ଉତ୍ତର କୋରିଆର The Shining Star of Mountain Paektu (କିମ୍ ଜଙ୍ଗ୍ ଇଲ୍) ଯୁଗ ଆରମ୍ଭ ହୁଏ। ୧୯୯୪ରେ ନିଜ ପିତା ତଥା ପ୍ରଥମ କିମ୍ ରୁଲରଙ୍କ ମୃତ୍ୟୁ ପରେ ନିଜେ ଉତ୍ତର କୋରିଆର ସୁପ୍ରିମ୍ ଲିଡର ହେବା ଭିତରେ କିମ୍ ଜଙ୍ଗ୍ ଇଲ୍ ଅନେକ ପ୍ରପୋଗାଣ୍ଡା ଫିଲ୍ମ ବନାଇଥିଲେ। ତାଙ୍କ ନିଜ ମତରେ ସେ ସିନେମା ନିର୍ମାଣ ବିଷୟରେ ସବୁ ଜାଣିଥିଲେ। ସେ କ୍ୟାମେରାମ୍ୟାନକୁ କ୍ୟାମେରା ପରିଚାଳନା ଶିଖାଉଥିଲେ ଏବଂ ଅଭିନେତାଙ୍କୁ ଅଭିନୟ ବି! ଫିଲ୍ମ ନିର୍ମାଣ କଳାରେ ସେ ଏତେ ନିପୁଣ ଥିଲେ ଯେ ତାଙ୍କୁ ମୋଟରୁ ୭ ବର୍ଷ ବୟସ ହୋଇଥିବା ବେଳେ, ସେ "My Home Village" ନାମକ ଗୋଟିଏ ଉତ୍ତର କୋରିଆ ସିନେମା ଦେଖିସାରି ତା'ର ନିର୍ମାତାଙ୍କ ପାଖକୁ ଯାଇ କହିଥିଲେ ଯେ, ଫିଲ୍ମର ଗୋଟିଏ ଦୃଶ୍ୟରେ ଯେଉଁ ତୁଷାରପାତ ଦେଖା ଯାଇଛି ତାହା ସମ୍ପୂର୍ଣ୍ଣ ମିଛ ବୋଲି ଜଣା ପଡି ଯାଉଛି। କାରଣ ତୁଷାର ଆକାରରେ ବର୍ଷା କରା ଯାଉଥିବା ତୁଳା ଖଣ୍ଡ ଅଭିନେତାଙ୍କ ଦେହ ଉପରେ ପଡୁ ନାହିଁ। ଏହା ଶୁଣି ଫିଲ୍ମ ମେକର ଏତେ ଲଜ୍ଜିତ ହୋଇଥିଲେ ଯେ, ସେ ସମ୍ପୂର୍ଣ୍ଣ ଦୃଶ୍ୟରୁ ତୁଷାରପାତକୁ କାଟି, ପୁଣି ସୁଟିଂ କରି ପୂନର୍ବାର ଫିଲ୍ମଟି ରିଲିଜ କରିଥିଲେ। କିମ୍ ଜଙ୍ଗ୍ ଇଲ୍ ଫିଲ୍ମ ନିର୍ମାଣ ଉପରେ "On The Art of Cinema" ନାମକ ବହି ମଧ୍ୟ ଲେଖିଥିଲେ। ଏହି ବହିକୁ ଉତ୍ତର କୋରିଆବାସୀ ସିନେମାର ଧର୍ମଗ୍ରନ୍ଥ ଭାବେ ଗ୍ରହଣ କରନ୍ତି। ସେଇ ବହିରେ କିମ୍ ଜଙ୍ଗ୍ ଇଲ୍ ଗୋଟିଏ ଜାଗାରେ କହିଛନ୍ତି, "film makers are extension of government, they are charged with the nobel task of leading the ideological revolution via storytelling"। ନିଜ ବହିରେ ସେ କେବଳ ତାଙ୍କ ଦେଶରେ କିଭଳି ସିନେମା ବନିବା ଦରକାର ବର୍ଣ୍ଣନା କରି ନାହାନ୍ତି, ସିନେମା ମାଧ୍ୟମରେ କେମିତି ରାଷ୍ଟ୍ର ନିର୍ମାଣ ହୋଇ ପାରିବ ତାହା ମଧ୍ୟ ବର୍ଣ୍ଣନା କରିଛନ୍ତି। କିମ୍ ଜଙ୍ଗ୍ ଇଲଙ୍କ ମତରେ ଫିଲ୍ମ ନିର୍ମାତା ମାନେ ନିଜ ସୃଜନଶୀଳତାର ବ୍ୟବହାର ସରକାରଙ୍କ ନୀତିର ପ୍ରଚାର, ମୌଳବାଦୀ ବିଚାରଧାରାର ପ୍ରସାର, ଜୁଚେ ରାଷ୍ଟ୍ରନିର୍ମାଣର ପ୍ରେରଣା, ସମାଜବାଦ, ସାମ୍ପ୍ରଦାୟିକ ଏବଂ Workers' Party of Koreaର ପ୍ରପୋଗାଣ୍ଡା ଫିଲ୍ମ ବନାଇବାରେ ବିନିଯୋଗ କରିବା ଉଚିତ। ଅବଶ୍ୟ ଯଦି ଆମେ ସିନେମାର ଇତିହାସକୁ ଦେଖିବା ତା' ହେଲେ ଏହା କୌଣସି ନୂଆ କଥା ନୁହେଁ। ସିନେମାର ଆରମ୍ଭ କାଳରୁ ବିଭିନ୍ନ ସରକାର ତାଙ୍କ ନୀତି ଏବଂ ଶାସନକୁ ସୁହାଇଲା ଭଳି ଫିଲ୍ମ ମାନ ନିର୍ମାଣ କରିଛନ୍ତି, ଇତିହାସର ଘଟଣାବଳୀକୁ କେବଳ ନାଟ୍ୟରୂପ ଦିଆଯାଇନି ବର° ଲୋକଙ୍କ ସମବେଦନା ଓ ସମର୍ଥନ ପାଇବା ପାଇଁ ଘଟଣାବଳୀକୁ ନାଟକୀୟ ଭାବରେ ଅଦଳବଦଳ କରି ପେସ୍ ମଧ୍ୟ କରାଯାଇଛି! ହେଲେ ଅନ୍ୟ ଦେଶ ମାନଙ୍କ ପରି ଉତ୍ତର କୋରିଆରେ ବିଭିନ୍ନ ବିଷୟକୁ ନେଇ ଫିଲ୍ମ ନିର୍ମାଣ କରାଯାଏନି। ସେଠି ଫିଲ୍ମ ଗୁଡିକ ସର୍ବଦା ଭୀଷଣ ରାଷ୍ଟ୍ରବାଦ, କୃଷି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ, ବିଛିନ୍ନତାବାଦୀ ଆତ୍ମନିର୍ଭରଶୀଳ ରାଷ୍ଟ୍ରବାଦ, ସର୍ବସ୍ବ ତ୍ୟାଗ କରିଦେଉଥିବା ବା ତ୍ୟାଗର ମୁର୍ତ୍ତି ସାଜିଥିବା ନାରୀ ଚରିତ୍ର ଏବଂ ବାହ୍ୟ ଜଗତଠୁ ବିଛିନ୍ନ ହୋଇ ଗୋଟିଏ ସମୃଦ୍ଧ ଆତ୍ମନିର୍ଭରଶୀଳ ଚିରିତ୍ର ଓ ସମାଜ ବିଷୟ ଉପରେ ହିଁ ଆଧାରିତ ହୋଇଥାଏ। କିମ୍ ଜଙ୍ଗ୍ ଇଲଙ୍କ ମତରେ ଗୋଟିଏ ସଫଳ ଉତ୍ତର କୋରିଆ ଫିଲ୍ମର ଅର୍ଥ ହେଉଛି ତା'ର ଚରିତ୍ର ଗୁଡିକ ସଫଳ ଭାବରେ "live, work, struggle with conviction that they are masters of revolution and the work of socialist construction"ର ବାର୍ତ୍ତା ଦେଇପାରୁଥିବେ। ଚରିତ୍ର ଗୁଡିକ ଫିଲ୍ମରେ ପ୍ରତ୍ୟେକ ସମସ୍ୟାର ଭାର ନିଜ କାନ୍ଧ ଉପରକୁ ନେଇ, ବାହ୍ୟ ସାହାଯ୍ୟବିନା ସମାଧାନ ଖୋଜିବାରେ ସଫଳ ହେଉଥିବା ଆବଶ୍ୟକ। ନାରୀ ଚରିତ୍ର ନିଜ ଦେଶ ଏବଂ ସମାଜ ପାଇଁ ହସିହସି ସର୍ବସ୍ବ ତ୍ୟାଗ କରିଦେଉଥିବା, ନିଜ ପରିଶ୍ରମ ଏବଂ ତ୍ୟାଗ ବଳରେ ପରିବାର ଏବଂ ସମାଜରେ ସୁଖ ଭରୁଥିବା ପରି ହେବା ଆବଶ୍ୟକ, (ଯାହା ସାଧାରଣତଃ ସବୁ communist propaganda film ରେ ଦେଖାଯାଏ)। ଏହି ପ୍ରପୋଗାଣ୍ଡା ଫିଲ୍ମ ନିର୍ମାଣ ମାଧ୍ୟମରେ କିମ୍ ଜଙ୍ଗ୍ ଇଲ୍ ନିଜ ପିତା କିମ୍ ଇଲ୍ ସଙ୍ଗ୍ ଏବଂ ତାଙ୍କ ପରିବାରର ଶାସନତନ୍ତ୍ରରେ ସ୍ଥିତିକୁ ମଜବୁତ କରିବାରେ ସଫଳ ହୋଇଥିଲେ। କିମ୍ ଜଙ୍ଗ୍ ଇଲ୍ ନିଜ ପିତା ବା କିମ୍ ପ୍ରଥମଙ୍କ ଉପରେ ମଧ୍ୟ ଗୋଟିଏ ଫିଲ୍ମ ନିର୍ମାଣ କରିଥିଲେ, ଯେଉଁଥିରେ ତାଙ୍କୁ ଭଗବାନଙ୍କ ଅବତାର, ଦେଶର ପିତା, ଦେଶର ସର୍ବୋତ୍ତମ ଏବଂ ଏକମାତ୍ର ଶାସକ, ସମାଜର ଉଦ୍ଧାରକ ଭାବରେ ଚିତ୍ରିତ କରା ଯାଇଥିଲା। ଏହି ଫିଲ୍ମ ଲୋକଙ୍କ ମନରେ କିମ୍ ଇଲ୍ ସଙ୍ଗଙ୍କ ପାଇଁ ଆହୁରି ଭକ୍ତି ଏବଂ ସମର୍ପଣ ଆଣି ଦେଇଥିଲା।
କେବଳ ନିଜ ପିତା ନୁହନ୍ତି, ନିଜକୁ ନେଇ ମଧ୍ୟ କିମ୍ ଜଙ୍ଗ୍ ଇଲ୍ ସେମିତି କାହାଣୀ ମାନ ପ୍ରଚାର କରୁଥିଲେ। ଉତ୍ତର କୋରିଆର ଲୋକେ ଏବେ ମଧ୍ୟ ବିଶ୍ୱାସ କରନ୍ତି ଯେ "୧୬ ଫେବୃୟାରୀ, ୧୯୪୨ (୧୯୪୧ ବି କୁହାଯାଏ) ପାହାନ୍ତିଆ ହଠାତ୍ କରି ପେକଟୁ ପର୍ବତ ନିକଟରେ ବର୍ଷା ବନ୍ଦ ହୋଇଗଲା, ପର୍ବତ ଉପରୁ କଳା ବାଦଲ ହଟିଗଲେ, ପର୍ବତ ଉପର ଆକାଶରେ ଦୁଇଟି ଇନ୍ଦ୍ରଧନୁ ଏକାଥରେ ଫୁଟି ଉଠିଲେ, ଇନ୍ଦ୍ରଧନୁ ତଳକୁ ଗୋଟିଏ ଉଜ୍ଜ୍ୱଳ ତାରା ଝଲସି ଉଠିଲା ଏବଂ ତା'ରି ସହ ଉତ୍ତର କୋରିଆର ଭବିଷ୍ୟତର ତାରା ଭୂପୃଷ୍ଠରେ ଆବିର୍ଭାବ ହେଲା, ଯିଏ ଆଉ କେହି ନୁହନ୍ତି, ତାଙ୍କ ତ୍ରାଣକର୍ତ୍ତା, ସୁପ୍ରିମ୍ ଲିଡର କିମ୍ ଜଙ୍ଗ୍ ଇଲ୍!" ନିଜ ଚରିତ୍ର, ସୃଜନଶୀଳତା, କାର୍ଯ୍ୟକ୍ଷମତା, ବୁଦ୍ଧି, ପାରିବାପଣକୁ ବଖାଣିବା ପାଇଁ, ସମୃଦ୍ଧ କରିବା ପାଇଁ ସେ ବାରମ୍ବାର ନିଜ ଉପରେ କାହାଣୀ ଲେଖୁଥିଲେ, ତାକୁ ମନ ମୁତାବକ ବଦଳାଉ ମଧ୍ୟ ଥିଲେ। ଉତ୍ତର କୋରିଆ ଜନତାଙ୍କ ଧାରଣା ଅନୁସାରେ କିମ୍ ଜଙ୍ଗ୍ ଇଲ୍ ସବୁ ପ୍ରକାର କାର୍ଯ୍ୟ କରିବାରେ ଦକ୍ଷ ଥିଲେ (perfect at everything)। ଏମିତି କୌଣସି କ୍ଷେତ୍ର ନଥିଲା, ଯେଉଁଥିରେ ସେ ଦକ୍ଷତାର ସହ କାମ କରି ପାରିବେ ନାହିଁ। ଗୃହ ନିର୍ମାଣ/ ଆର୍କିଟେକ୍ଟଠୁ ଆରମ୍ଭ କରି ପଶୁ ପାଳନ, ଛେନା ପ୍ରସ୍ତୁତ କରିବା, କପଡା ଡିଜାଇନ, ସବୁ ପ୍ରକାର କଳା ଖାସ୍ କରି ଫିଲ୍ମ ନିର୍ମାଣରେ ସେ best/ perfect ଥିଲେ। ଏମିତିକି ସେମାନେ ଭାବନ୍ତି ଯେ ୨୦୦୦ ମସିହାରେ କିମ୍ ଜଙ୍ଗ୍ ଇଲ୍ ହିଁ "ହାମବର୍ଗର"ର ଆବିଷ୍କାର କରିଥିଲେ। ଉତ୍ତର କୋରିଆର ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ କିମ୍ ଜଙ୍ଗ୍ ଇଲ୍ ଗୋଟିଏ ବିଶାଳ ଫିଲ୍ମ ଷ୍ଟୁଡ଼ିଓ ନିର୍ମାଣ କରିଥିଲେ। ଏଥିରେ ଫିଲ୍ମ ନିର୍ମାଣ ଅପେକ୍ଷା ଅଧିକ କିମ୍ ଜଙ୍ଗ୍ ଇଲଙ୍କ ଫିଲ୍ମ ନିର୍ମାଣ ଶୈଳୀ ଏବଂ ଆଚିଭମେଣ୍ଟକୁ ପ୍ରଦର୍ଶନ କରାଯାଏ। ଏହା ଦେଖିବା ପାଇଁ ଫିଲ୍ମ ଷ୍ଟୁଡିଓ ଅପେକ୍ଷା ଅଧିକ ଗୋଟିଏ ମ୍ୟୁଜିଅମ୍ ପରି ମନେ ହୁଏ। ଏହାର ଗୋଟିଏ କାନ୍ଥରେ ଫିଲ୍ମକୁ ନେଇ କିମ୍ ଜଙ୍ଗ୍ ଇଲଙ୍କ ଉପଲବ୍ଧି ବିଷୟରେ ବିବରଣୀ ରହିଛି। ସେଠି ଦିଆଯାଇଥିବା ତଥ୍ୟ ଅନୁସାରେ ୧୯୬୪ରୁ ୨୦୦୩ ଭିତରେ କିମ୍ ଜଙ୍ଗ୍ ଇଲ୍ ସମୁଦାୟ ୧୧,୮୯୦ଟି ଫିଲ୍ମ ପ୍ରୋଜେକ୍ଟରେ ମାର୍ଗଦର୍ଶନ ଦେଇଛନ୍ତି, ସମୁଦାୟ ୧୭୭୦ ଥର spot guidance ଦେଇଛନ୍ତି ଏବଂ ସମୁଦାୟ ୩୫୦ ଥର ସେହି ଷ୍ଟୁଡିଓକୁ ଯାଇଛନ୍ତି। ସେହି ଷ୍ଟୁଡିଓର ଆଉ ଗୋଟିଏ କାନ୍ଥରେ କିମ୍ ଜଙ୍ଗ୍ ଇଲଙ୍କ ଦ୍ଵାରା ନିର୍ମିତ ଜାପାନ ବିରୋଧରେ କୋରିଆର ଲଢେ଼ଇ ସମୟକୁ ନେଇ ବନିଥିବା କ୍ଲାଇମାକ୍ସ ସିନର ଚିତ୍ର ରହିଛି। ଏହି ଚିତ୍ରରେ ଫିଲ୍ମ ସୁଟିଂ ସମୟରେ କିମ୍ ଜଙ୍ଗ୍ ଇଲ୍ କେମିତି ଗୋଟାଏ ଦୃଶ୍ୟ ପାଇଁ ତିନୋଟି କ୍ୟାମେରା ବ୍ୟବହାର କରିଥିଲେ ତାହା ଦର୍ଶାଯାଇଛି। ଉତ୍ତର କୋରିଆ ବାସୀଙ୍କ ଧାରଣା ୧୯୬୪ ମସିହାରେ ପୃଥିବୀରେ କିମ୍ ଜଙ୍ଗ୍ ଇଲ୍ ହିଁ ପ୍ରଥମ ଥର ପାଇଁ ମଲ୍ଟି କ୍ୟାମେରା ବା ଏକାଧିକ କ୍ୟାମେରାର ବ୍ୟବହାର ବିଶ୍ବ ସିନେମା ଜଗତକୁ ଶିଖାଇଥିଲେ।
ଉତ୍ତର କୋରିଆରେ କିମ୍ ଜଙ୍ଗ୍ ଇଲଙ୍କ ଗାଇଡଲାଇନ୍ ଅନୁସାରେ କେବଳ ପ୍ରପୋଗାଣ୍ଡା ଫିଲ୍ମ ହିଁ ବନାଯାଇଥାଏ। ଏ ଦେଶର ଯେକୌଣସି ଫିଲ୍ମ ଉଠାଇ ଦେଖିଲେ ସେଇ ସମାନ ସ୍ବାଦର ବିଷୟବସ୍ତୁ ଥାଏ, ଆତ୍ମନିର୍ଭରଶୀଳତା ମାଧ୍ୟମରେ ବିଛିନ୍ନତାବାଦ, ଯାବତୀୟ ସ°ଘର୍ଷ ଏବଂ ଯାତନା ପରେ ବି ନିଜ ସୁପ୍ରିମ୍ ଲିଡରଙ୍କ ଉପରେ ଅଖଣ୍ଡ ବିଶ୍ୱାସ କାରଣରୁ ବୈପ୍ଳବିକ ପରିବର୍ତ୍ତନ, ଘୋର ରାଷ୍ଟ୍ରବାଦ ମାଧ୍ୟମରେ ଏକଛତ୍ରବାଦ, ନିଜର ସର୍ବସ୍ବ ତ୍ୟାଗ କରି ଦେଉଥିବା ନାରୀ ଚରିତ୍ର। ଫିଲ୍ମରେ ମଝିରେ ମଝିରେ ସ°ଘର୍ଷରତ ଜନତା ହଠାତ୍ ଅନାବଶ୍ୟକ ଭାବରେ ଦେଶର ସୁପ୍ରିମ୍ ଲିଡରଙ୍କ ପ୍ରଶ°ସା କରି ଗୀତ ଗାଇ ଉଠନ୍ତି। ଏହି ଗୀତ ଗୁଡିକରେ ପ୍ରାୟତଃ ଦେଶାତ୍ମବୋଧକ, ବିପ୍ଳବାତ୍ମକ ଏବଂ ଆହ୍ବାନ କଲା ପରି ସ୍ବର ବା ମ୍ୟୁଜିକ ଥାଏ, ଅପେରା ମ୍ୟୁଜିକ୍ ପରି ଶୁଭେ। ଭାବାର୍ଥ ଭୀଷଣ ରାଷ୍ଟ୍ରବାଦ, ରାଷ୍ଟ୍ରର ସୁପ୍ରିମ୍ ଲିଡରଙ୍କର ଗୁଣଗାନ ତଥା ତାଙ୍କ ପ୍ରତି ଜନତାର ସମର୍ପଣ ହିଁ ରହିଥାଏ। ଯଦିଓ କିମ୍ ଜଙ୍ଗ୍ ଇଲ୍ ଘୋର ଜୁଚେ ରାଷ୍ଟ୍ରବାଦ ଯୁକ୍ତ ଏସବୁ ଫିଲ୍ମ ବନାଇ ନିଜ ପରିବାରର ଶାସନତନ୍ତ୍ର ଉପରେ ଆଧିପତ୍ୟ ବିସ୍ତାର ଏବଂ ମଜବୁତ କରିବାରେ ସଫଳ ହୋଇଥିଲେ, କିନ୍ତୁ ସେ ମଧ୍ୟ ଜାଣିଥିଲେ ଯେ ଉତ୍ତର କୋରିଆରେ ସେ ଚାହୁଁଥିବା ପରି ସିନେମା ବନି ପାରୁନି। ତାଙ୍କର ଇଚ୍ଛା ଥିଲା ଯେ ବିଶ୍ବରେ ଉତ୍ତର କୋରିଆ ଓ୍ବାର୍ଲ୍ଡ କ୍ଲାସ ସିନେମାର ଠିକଣା ହେଉ। ହେଲେ ସେ ଜାଣିଥିଲେ, ତାଙ୍କ ଦେଶରେ ସେମିତି ଫିଲ୍ମ ତିଆରି କଲାପରି ଫିଲ୍ମ ମେକର କେହି ନଥିଲେ। ଏମିତିରେ ବି ଉତ୍ତର କୋରିଆ ଫିଲ୍ମ ନିର୍ମାତା ମାନଙ୍କୁ ନା ବୈଦେଶିକ ଫିଲ୍ମ ଦେଖିବାର ଅନୁମତି ଥିଲା ନା ଦେଶ ବାହାରକୁ ଯିବାର! ତେଣୁ ୧୯୭୮ ମସିହାରେ ନିଜ ଦେଶରେ ଭଲ ଫିଲ୍ମ ନିର୍ମାଣ ପାଇଁ କିମ୍ ଜଙ୍ଗ୍ ଇଲ୍ ଦକ୍ଷିଣ କୋରିଆର ପ୍ରସିଦ୍ଧ ତଥା ଲୋକପ୍ରିୟ ଅଭିନେତ୍ରୀ ଓ ଫିଲ୍ମ ନିର୍ମାତା ଚୋଇ ଓ୍ବୁନ୍-ହି ଏବଂ ତାଙ୍କ ପୂର୍ବତନ ସ୍ବାମୀ ପ୍ରଜୋଜକ ସିନ୍ ସାଙ୍ଗ-ଓକ୍ଙ୍କୁ କୌଶଳକ୍ରମେ କିଡନ୍ୟାପ୍ କରି ନିଜ ଦେଶକୁ ନେଇ ଯାଇଥିଲେ। ସେମାନେ ପ୍ରଥମେ ଉତ୍ତର କୋରିଆ ପାଇଁ ଫିଲ୍ମ ବନାଇବା ପାଇଁ ରାଜି ନହେବାରୁ ତାଙ୍କୁ ପାଞ୍ଚ ବର୍ଷ ଯାଏଁ ସଶ୍ରମ କାରାଦଣ୍ଡ ଦିଆ ଯାଇଥିଲା। ଯେତେବେଳେ ଉଭୟ ଫିଲ୍ମ ବନାଇବାକୁ ରାଜି ହେବାରୁ କିମ୍ ଇଲ୍ ଜଙ୍ଗ୍ ତାଙ୍କୁ ଭେଟିଥିଲେ। ସେମାନଙ୍କୁ ଭେଟିବା ସମୟରେ ଜଣେ ଦକ୍ଷ ଏକଛତ୍ରବାଦୀ ଯେମିତି ସର୍ବଦା ଦୋଷ, ତୃଟି ନିଜ ଅନୁସରଣକାରୀଙ୍କ ଉପରେ ଲଦି ଦିଅନ୍ତି, ସେମିତି କହିଥିଲେ "କାର୍ଯ୍ୟ ବ୍ୟବସ୍ଥା ଯୋଗୁଁ ସେ ନିଜେ ଆଉ ଉଭୟଙ୍କ ଖବର ନେଇ ପାରି ନାହାନ୍ତି। ତାଙ୍କ ସେନା ଉଭୟଙ୍କୁ ଏମିତି ସଶ୍ରମ କାରାଦଣ୍ଡରେ ରଖି ଥିବାରୁ ମୁଁ ଖୁବ୍ ଦୁଃଖିତ।" ଏହା ହାସ୍ୟାସ୍ପଦ ହେଲେ ବି ଦକ୍ଷିଣ କୋରିଆ ଫିଲ୍ମ ନିର୍ମାତା ଦୁହେଁ ଚୁପ୍ ରହି ସମୁଦାୟ ଛ'ଟି ଫିଲ୍ମ ବନାଇଥିଲେ। ସେଥିରୁ ଗୋଟିଏ ପ୍ରସିଦ୍ଧ ଜାପାନୀ ଫିଲ୍ମ "ଗଡଜିଲା" ପରି ମୋନଷ୍ଟର ଫିଲ୍ମ "ପୋଲଗାସୁରି" ମଧ୍ୟ ଥିଲା। ପୋଲଗାସୁରିର ଟେକ୍ନିକାଲ୍ କ୍ର୍ୟୁ ମଧ୍ ଜାପାନରୁ କିଡନ୍ୟାପ୍ କରାଯାଇଥିଲେ। ଏହି ଫିଲ୍ମଟି କିମ୍ ଜଙ୍ଗ୍ ଇଲଙ୍କର ଡ୍ରିମ୍ ପ୍ରୋଜେକ୍ଟ ଥିଲା। ଏହାର ସଫଳତାରେ (କିମ୍ ଦ୍ୱିତୀୟଙ୍କ ନିଜ ମତରେ) ଖୁସି ହୋଇ କିମ୍ ଦ୍ବିତୀୟ ଦକ୍ଷିଣ କୋରିଆ ଫିଲ୍ମ ମେକର ଦୁହିଁଙ୍କୁ ଇଣ୍ଟରନ୍ୟାସନାଲ୍ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେବା ପାଇଁ ପଠାଇଥିଲେ। ଏହି ମୌକାର ସୁଯୋଗ ନେଇ ଉଭୟ ଯୁକ୍ତରାଷ୍ଟ୍ର ଆମେରିକାକୁ ପଳାୟନ କରିଥିଲେ। ଏଥିରେ ପ୍ରତାରିତ ଅନୁଭବ କରି କିମ୍ ଇଲ୍ ଜଙ୍ଗ୍, ସେମାନେ ନିର୍ମାଣ କରିଥିବା ୬ଟି ଯାକ ଫିଲ୍ମରୁ ତାଙ୍କ ନାମ କାଟି ନିଜ ନାଁ ଲେଖି ଦେଇଥିଲେ।
ଶହ ଶହ ବର୍ଷ ଧରି ସୃଜନଶୀଳ ମଣିଷ ଏବଂ କଳାକାରମାନେ ନିଜ ସାମର୍ଥ୍ୟ ଅନୁସାରେ ରାଜତନ୍ତ୍ର, ଶାସନତନ୍ତ୍ର ଏବଂ ସାମାଜିକ ଅବ୍ୟବସ୍ଥା ତଥା କୁସ°ସ୍କାର ବିରୋଧରେ ପ୍ରତ୍ୟକ୍ଷ ତଥା ପରୋକ୍ଷ ଭାବରେ ସ୍ବର ଉତ୍ତଳନ କରି ଆସିଛନ୍ତି। କବିତା, ଗଳ୍ପ, ଉପନ୍ୟାସ, ନାଟକ, ଗୀତ ଏବଂ ସିନେମା ମଣିଷ ମନରୁ କୁସ°ସ୍କାର ଦୂର କରି ତା'ର ମୌଳିକ ଅଧିକାର ପ୍ରତି ତା' ମନରେ ସଚେତନତା ଆଣିଛନ୍ତି, ବିପ୍ଳବ ହୋଇଛି, ଶାନ୍ତି ପ୍ରତିଷ୍ଠା ହୋଇଛି। କିନ୍ତୁ ଉତ୍ତର କୋରିଆର ପ୍ରତ୍ୟେକ ଫିଲ୍ମ ସାଧାରଣ ଜନତା କେମିତି କେବଳ ସ°ଘର୍ଷ ମାଧ୍ୟମରେ ନିଜ ଜୀବନକୁ ସମୃଦ୍ଧ କରିପାରିବା ସହ ନିଜ ଭିତରେ ବୈପ୍ଳବିକ ପରିବର୍ତ୍ତନ ଆଣି ପାରିବେ ଏବଂ ତାଙ୍କ ଦେଶର ସୁପ୍ରିମ୍ ଲିଡର ଥାଉ ଥାଉ ସେମାନଙ୍କର ନିଜ ଜୀବନକୁ ନେଇ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, ତା'ହା ହିଁ ଦେଖା ଯାଇଥାଏ। ଏବଂ ଏହି ଫିଲ୍ମ ଗୁଡିକୁ ମିଲିଟାରୀ ବେସ୍, କଳକାରଖାନା, ଗାଁର କମ୍ୟୁନିଟି ହଲ୍, ଶିକ୍ଷାନୁଷ୍ଠାନ, କାର୍ଯ୍ୟାଳୟ ପରି ଅନେକ ସାର୍ବଜନୀନ ସ୍ଥାନରେ ପ୍ରଦର୍ଶିତ କରାଯାଏ, ସେଠିକାର ଜନତାଙ୍କୁ ଏହି ଫିଲ୍ମ ଗୁଡିକୁ ଦେଖାଇ ସେମାନଙ୍କ ମନରେ ଦେଶର ଶାସକ ପରିବାର ପ୍ରତି ଭକ୍ତି ଏବଂ ସମର୍ପଣ ଭାବ ସୃଷ୍ଟି କରାଯାଏ। ବିଗତ ୭୦ -୮୦ ବର୍ଷ ଧରି ଉତ୍ତର କୋରିଆର କିମ୍ ପରିବାର ଅଧୀନରେ ଥିବା ଜନତା ମଣିଷର ସାଧାରଣ ମାନବାଧିକାର ବିଷୟରେ ମଧ୍ୟ ଅଜ୍ଞ। ଏବେ ମଧ୍ୟ ସେଇ ଦେଶରେ ସାଧାରଣ ଜନତା ପାଇଁ ଦିନକୁ ମୋଟରୁ ଦୁଇ ଘଣ୍ଟା ପାଇଁ ବିତ୍ୟୁତ୍ ସେବା ଉପଲବ୍ଧ ହୁଏ, ଦେଶର ମୋଟରୁ ୨୬% ଜନତା ଇଲେକ୍ଟ୍ରିସିଟି ପାଇ ପାରିଛନ୍ତି; ଯଦିଓ ଘର ଗୁଡିକରେ ପାଣି ଟ୍ୟାପ୍ ଲାଗିଥାଏ ହେଲେ ସେଥିରେ କଦବା କ୍ବଚିତ୍ ପାଣି ଆସେ; ଦେଶର ସାଧାରଣ ଜନତାଙ୍କ ପାଇଁ ଗ୍ୟାସ୍ ଉପଲବ୍ଧ କରାଯାଏନି, ଏବେବି ସେମାନେ ନିଜେ କାଠ ସ°ଗ୍ରହ କରି ରୋଷେଇ କରନ୍ତି; ମଣିଷଟେ ସାନିଟାରୀ ପ୍ୟାଡ୍, କଣ୍ଡୋମ୍, କସମେଟିକ୍ ପ୍ରଡକ୍ଟ କିଣି ପାରେନି; ଫାଷ୍ଟ ଫୁଡ୍ ଉପଲବ୍ଧ ହୁଏନି; ରେଷ୍ଟୋରାଣ୍ଟରେ ମେନୁ ମଧ୍ୟ ସରକାର ଜାରି କରନ୍ତି; ସାଧାରଣ ଜନତା ଇଣ୍ଟରନେଟ୍ ବ୍ୟବହାର କରିପାରିବେ ନାହିଁ, ତାହା କେବଳ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ ଉନ୍ ଏବଂ ତାଙ୍କର ହାତଗଣତି ବିଶ୍ବସ୍ତ କର୍ମଚାରୀଙ୍କ ପାଇଁ ଉପଲବ୍ଧ; ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଚଉଡା ମସୃଣ ରାସ୍ତା ଅଛି ହେଲେ କାର୍ ଚଲାଇବାର ଅଧିକାର କେବଳ ଉଚ୍ଚପଦସ୍ତ ମିଲିଟାରୀ ଅଫିସର ମାନଙ୍କର ରହିଛି, ସାଧାରଣ ଲୋକ ସାଇକେଲ ଏବଂ ପବ୍ଲିକ୍ ଟ୍ରାସପୋର୍ଟ ବ୍ୟବହାର କରନ୍ତି; ମହିଳା ମାନେ ପ୍ୟାଣ୍ଟ୍ ପିନ୍ଧି ପାରିବେ ନାହିଁ କିମ୍ବା ପୁରୁଷମାନେ ସୁପ୍ରିମ୍ ଲିଡରଙ୍କ ପରିଧାନର ନକଲ କରି ପାରିବେ ନାହିଁ, ଜଗିବା ପାଇଁ ଦେଶରେ ଫ୍ୟାସନ୍ ପୁଲିସର ଦଳ ଅଛନ୍ତି; ଦେଶର ଅର୍ଥବ୍ୟବସ୍ଥା ସମ୍ପୂର୍ଣ୍ଣ ସରକାର ହାତରେ, ବ୍ୟବସାୟରେ ପ୍ରତିଯୋଗିତା ନଥାଏ ତେଣୁ ଅର୍ଥବ୍ୟବସ୍ଥା ମଧ୍ୟ ସ୍ଥାଣୁ, ସାଧାରଣ ଜନତାଙ୍କୁ ସରକାର ଦ୍ବାରା ନିର୍ଦ୍ଧାରିତ ପାଉଣା ମିଳେ, ତେଣୁ ନିଜ ପରିବାର ଚଳାଇବା ପାଇଁ ଅନେକ ମହିଳା ବ୍ଲାକ୍ ମାର୍କେଟି° ଏବଂ ଦେହବ୍ୟବସାୟ ପାଇଁ ବାଧ୍ୟ ହୁଅନ୍ତି। ସାଧାରଣ ଜନତାଙ୍କର ନା ଦେଶ ବାହାରକୁ ଯିବାର ଅଧିକାର ଅଛି ନା ପୃଥିବୀ ବିଷୟରେ କୌଣସି ଖବର ଜାଣିବାର ହକ୍, କିନ୍ତୁ କିମ୍ ପରିବାର ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ସନ୍ତାନମାନେ ବିଦେଶରେ ପାଠ ପଢନ୍ତି।
ନିଜେ କିମ୍ ଜଙ୍ଗ୍ ଇଲଙ୍କ ପାଠପଢା ଚୀନରେ ହୋଇଥିବା ବେଳେ କିମ୍ ଜଙ୍ଗ୍ ଉନଙ୍କ ପାଠପଢା ସ୍ବିଜରଲ୍ୟାଣ୍ଡରେ ହୋଇଛି। ୨୦୧୧ରେ କିମ୍ ଜଙ୍ଗ୍ ଇଲଙ୍କ ମୃତ୍ୟୁ ପରେ ତାଙ୍କ ପୁଅ କିମ୍ ଜଙ୍ଗ୍ ଉନ୍ ଉତ୍ତର କୋରିଆର ସୁପ୍ରିମ୍ ଲିଡର ଭାବରେ ଶାସନ ଆରମ୍ଭ କରିଥିଲେ। ତାଙ୍କ ବାପାଙ୍କ ଦଶତମ ଶ୍ରାଦ୍ଧବାର୍ଷିକୀରେ ସେ ଦେଶରେ ୧୧ ଦିନର ଶୋକ ଘୋଷଣା କରିଥିଲେ, ଏବଂ ସେହି ୧୧ ଦିନ ଭିତରେ ସମସ୍ତ ନାଗରିକଙ୍କ "ହସିବା" ଉପରେ ମଧ୍ୟ କଟକଣା ଥିଲା, ଘରେ ମୃତ୍ୟୁ ହେଲେ କାନ୍ଦିବା ଏବଂ ଅନ୍ତେଷ୍ଟିକ୍ରିୟା ଉପରେ ମଧ୍ୟ ରୋକ୍ ଲାଗିଥିଲା। ଏପ୍ରକାର ପରିସ୍ଥିତି ହୁଏତ ଆମ ପାଇଁ କଳ୍ପନା ବାହାରେ। ଯଦିଓ କିମ୍ ଜଙ୍ଗ୍ ଉନ୍ ଶାସନକୁ ଆସିବା ପରେ ପ୍ୟୋଙ୍ଗୟାଙ୍ଗରେ ଅନେକ ସୁଉଚ୍ଚ ଆପାର୍ଟମେଣ୍ଟ, ହୋଟେଲ, ଅଟ୍ଟାଳିକା ବନାଇଛନ୍ତି, ଯାହାକୁ ଦେଖିଲେ ଲାଗେ ଦେଶଟି ଖୁବ୍ ସମୃଦ୍ଧ। କିନ୍ତୁ ବାସ୍ତବରେ ଦେଶର ସାଧାରଣ ଜନତା ସେଠି ଅର୍ଥାଭାବ ଓ ଅନାହାର ଭିତରେ ବଞ୍ଚନ୍ତି। ସେ ଅଟ୍ଟାଳିକା ଗୁଡିକରେ କିମ୍ ଜଙ୍ଗ୍ ଉନଙ୍କ ଅନୁମତି ବିନା ପ୍ରବେଶ ଅସମ୍ଭବ। ସବୁଦିନ ଅନାହାର, ରୋଗ ଏବଂ କଷଣ ଭୋଗୁଥିବା ଜନତାକୁ କିନ୍ତୁ ପ୍ରପୋଗାଣ୍ଡା ଫିଲ୍ମ ମାଧ୍ୟମରେ ଶିକ୍ଷା ଦିଆଯାଏ ଯେ ମଣିଷ ଜୀବନର ଏ ସ°ଘର୍ଷ ହିଁ ଆନନ୍ଦ ଓ ଆତ୍ମସନ୍ତୋଷ। ଏତିକି ପଢି ମନରେ ପ୍ରଶ୍ନ ତ ଆସେ, ଲୋକମାନେ କେମିତି ସହନ୍ତି ଏ ଅତ୍ୟାଚାର! କ'ଣ କେହି ସ୍ବର ଉତ୍ତୋଳନ କରନ୍ତିନି? କରନ୍ତି। ହେଲେ ଦେଶର ସୁପ୍ରିମ୍ ଲିଡର ବା ଶାସକ ବିରୋଧରେ ଉଠିଥିବା ସ୍ବରଟିକୁ "ଦେଶଦ୍ରୋହ"ର ଆଖ୍ୟା ଦେଇ ସର୍ବସମ୍ମୁଖରେ ହତ୍ୟା କରାଯାଏ। ଉତ୍ତର କୋରିଆରୁ କୌଣସି ମତେ ପଳାୟନ କରିଥିବା ଏମିତି କିଛି ଲୋକଙ୍କ କାହାଣୀ ଶୁଣିଲେ ଆଖିରେ ଲୁହ ଆସିଯାଏ।
କେବଳ ସାଧାରଣ ଜନତା ନୁହନ୍ତି, କିମ୍ ବ°ଶର ଶାସକଙ୍କ ସମ୍ବନ୍ଧୀୟ ଏବଂ ଆଖପାଖରେ ଥିବା ଲୋକମାନେ ମଧ୍ୟ ଲଗାତାର ସେଇ ଏକଛତ୍ରବାଦୀ ପରିବାରକୁ ସତ୍ତାରୁ ହଟେଇବାର ଚେଷ୍ଟାରେ ଥା'ନ୍ତି। ପ୍ରପୋଗାଣ୍ଡା ଫିଲ୍ମ ମାଧ୍ୟମରେ ଗୋଟିଏ ଦେଶର ସମ୍ପୂର୍ଣ୍ଣ ଜନତାଙ୍କୁ ପ୍ରତାଡିତ କରି ରଖିବାର ଯଦିଓ କିମ୍ ବ°ଶ ଅନେକ ମାତ୍ରାରେ ସଫଳ ହୋଇଛନ୍ତି, କିନ୍ତୁ ଅଶାନ୍ତି ଏବଂ ଅସନ୍ତୋଷକୁ ଦୂର କରି ପାରି ନାହାଁନ୍ତି। ସେଥିପାଇଁ କେବଳ ସାଧାରଣ ଜନତା ନୁହେଁ, କିମ୍ ବ°ଶର ନିଜ ପରିବାର ଏବଂ ଦଳ ଭିତରୁ ହିଁ ଅନେକ ସ୍ବର ଉଠିଛି, ବିଦ୍ରୋହ ଓ ଷଡ଼ଯନ୍ତ୍ର ହୋଇଛି। ସେଥିପାଇଁ ବାରମ୍ବାର ଅନେକ ବିଶ୍ବସ୍ତ ଏବଂ ଉଚ୍ଚପଦସ୍ଥ ଅଫିସର ହତ୍ୟାର ଶିକାର ହୋଇଛନ୍ତି। କିମ୍ ଜନ୍ ଉନ୍ ଶାସନକୁ ଆସିବା ପରେ ନିଜ ଦାଦା ତଥା ବଡ ଭାଇଙ୍କୁ ହତ୍ୟା କରାଇଥିବା ଏହି କଥାର ଉଦାହରଣ। ଆଉ ଏଇ କଥାର ମଧ୍ୟ ଉଦାହରଣ ଯେ ତମେ ଯେତେବଡ଼ ସମର୍ଥକ ହୋଇଥାଓ ନା' କାହିଁକି ଜଣେ ଏକଛତ୍ରବାଦୀ ଶାସକ କେବଳ ନିଜ ଛଡା ଆଉ କାହାକୁ ପ୍ରଶ୍ରୟ ଦିଏନି, ନିଜ କ୍ଷମତା ଛଡା ତା'ର ଆଉ କୌଣସି ଚିଜରେ ଲୋଭ ନଥାଏ ଆଉ ଏ କ୍ଷମତା ପାଇଁ ସେ ନିଜର ସବୁଠୁ ପ୍ରିୟ ପ୍ରଶଂସକ ଓ ସହଯୋଗୀର ମଧ୍ୟ ହତ୍ୟା କରିପାରେ!