ମର୍ଦ୍ଦଳରେ ଛନ୍ଦ ଓ ଭାବର ଜମାଣ
"ଜମାଣ" ବୋଲି ଆମ ସଙ୍ଗୀତ ସାହିତ୍ୟରେ ଗୋଟେ ଶବ୍ଦ ଅଛି। ଦୋଳ ମେଳଣ ସମୟରେ ଚାରିଦିଗରୁ ଠାକୁରମାନେ ବିଜେ ହୋଇ ମେଳଣ ପଡ଼ିଆରେ ଜମା ହେବେ। ଏହି ଜମା ହେବାର ଉତ୍ସବକୁ ନେଇ ଓଡ଼ିଶୀ ମର୍ଦ୍ଦଳର ଏକ ବାଜଣା ଧାରାକୁ କୁହାଯାଏ "ଜମାଣ"। ବାଦନ ପ୍ରକ୍ରିୟାରେ ଛନ୍ଦ ଓ ତାଳର ବିବିଧ ଗତିକୁ ନେଇ ଜମି ଉଠେ ଯେଉଁ ଆସର, ସେ ବି ଜମାଣ । ତାଳର ଲୟବଦ୍ଧ ଗତି ସହିତ ଆମ ସାମାଜିକ ଏବଂ ସାଂସ୍କୃତିକ ଜୀବନର ବିବିଧ ଚିତ୍ର ସଙ୍ଗୀତ ଭାବରେ ରୂପାନ୍ତରିତ ହୁଏ । ଉତ୍ସବର ଭାବ ଓ ଆନନ୍ଦକୁ ସ୍ଵର ଯେତିକି ବ୍ୟକ୍ତ କରେ, ତାଳ ମଧ୍ୟ ସେତିକି ପ୍ରତିଫଳିତ କରେ ।
ଏମିତି ଏକ ଜମାଣିଆ ସନ୍ଧ୍ୟାରେ ଗତ ୪ ଫେବୃଆରୀ, ଯୁବ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଅମୂଲ୍ୟ ବଳବନ୍ତରାୟଙ୍କ ଦ୍ଵାରା ଆୟୋଜିତ "ଉତ୍ସାହ" ଉତ୍ସବରେ ମର୍ଦ୍ଦଳର ମୌଳିକ ଗତି, ଛନ୍ଦ, ଲୟ ଓ ଭାବକୁ ଅତି ଚମତ୍କାର ଭାବରେ ପରଶି ଥିଲେ ଓଡ଼ିଶୀ ମର୍ଦ୍ଦଳର ଦୁଇ ମହାନ ଶିଳ୍ପୀ ଗୁରୁ ଧନେଶ୍ଵର ସ୍ବାଇଁ ଓ ଗୁରୁ ସଚ୍ଚିଦାନନ୍ଦ ଦାସ। ଉଭୟ ଗୁରୁ ବାଦନ କ୍ଷେତ୍ରରେ ପ୍ରବୀଣ। ଉଭୟ ମର୍ଦ୍ଦଳର ବାଣୀ, ବୋଲ୍, ଗତି ଓ ଗମକକୁ ଭଲଭାବରେ ବୁଝନ୍ତି। ତେଣୁ ସେମାନଙ୍କ ବାଦନ ପ୍ରକ୍ରିୟା କେବଳ ପ୍ରଭାବଶାଳୀ ନଥିଲା ତା ସହିତ ସେଥିରେ ଥିଲା ଗୋଟେ କଳାତ୍ମକ ସ୍ପଷ୍ଟତା । ବାଦନ ମାଧ୍ୟମରେ ଏକ ଭାବରାଜ୍ୟର ନିର୍ମାଣ ଥିଲା ଏହି ସନ୍ଧ୍ୟାର ଆକର୍ଷଣ।
ମର୍ଦ୍ଦଳ କେବଳ ବାଜେ ନାହିଁ, ମର୍ଦ୍ଦଳ କଥା କହେ, ମର୍ଦ୍ଦଳ ଗୀତ ଗାଏ, ମର୍ଦ୍ଦଳ ସ୍ବପ୍ନ ମଧ୍ୟ ଦେଖାଏ।
ଓଡ଼ିଶୀ ସଙ୍ଗୀତର ବାଦନ ଅଙ୍ଗରେ ମର୍ଦ୍ଦଳର ବାଣୀ ଏବଂ ବୋଲ୍ ର ସ୍ଵାତନ୍ତ୍ର୍ୟ ରହିଛି। ଏକଦା ନୃତ୍ୟର ସହଯୋଗୀ ବାଦ୍ୟ ଭାବରେ ଆଢ଼ୁଆଳରେ ଥିବା ମର୍ଦ୍ଦଳ ଆଜି ଏକକ ବାଦନରେ ନିଜର ପରିଚୟ ପ୍ରତିଷ୍ଠା କରିସାରିଛି। ଏହି ପ୍ରତିଷ୍ଠା ପଛରେ ଦୁଇ ମହାନାୟକ ଗୁରୁ କେଳୁଚରଣ ମହାପାତ୍ର ଏବଂ ଗୁରୁ ବନମାଳୀ ମହାରଣାଙ୍କ ପରେ ସେହି ଧାରାକୁ ଆଗକୁ ନେବାରେ ଧନେଶ୍ଵର ସ୍ବାଇଁ ଏବଂ ସଚ୍ଚିଦାନନ୍ଦ ଦାସଙ୍କ ଭୂମିକା ଅନନ୍ୟ। ଏ ଦୁହିଁଙ୍କୁ ଏକାଠି ଶୁଣିବାର ଗୋଟେ ଅଲଗା କୁହୁକ ରହିଛି। ସେ କୁହୁକ ଦୀର୍ଘ ସମୟ ଧରି ଶ୍ରୋତାର ରକ୍ତରେ ଏକ ଲୟବଦ୍ଧ ତାଳର ପ୍ରବାହ ସୃଷ୍ଟି କରୁଥାଏ।
ତାଳର ଦୁଇ ଓସ୍ତାଦଙ୍କୁ ଗୋଟିଏ ସୂତ୍ରରେ ବାନ୍ଧିବାର ଭୂମିକା ନେଇଥିଲେ ସମକାଳର ଅତ୍ୟନ୍ତ ସମର୍ଥ ବଂଶୀବାଦକ ଶ୍ରୀନିବାସ ଶତପଥୀ। ସେ ସନ୍ଧ୍ୟା ତାଳର କୁହୁକାଭିଜା ଏକ ସନ୍ଧ୍ୟା ।