ବିଶ୍ଵ ନାଟ୍ୟ ଦିବସର ବାର୍ତ୍ତା
[ ପ୍ରତି ବର୍ଷ ଆନ୍ତର୍ଜାତିକ ନାଟ୍ୟ ସଂସ୍ଥା ଇଣ୍ଟରନେସନାଲ୍ ଥିଏଟର୍ ଇନଷ୍ଟିଚ୍ୟୁଟ୍ ତରଫରୁ ମାର୍ଚ୍ଚ ମାସ ୨୭ ତାରିଖ ଦିନ ବିଶ୍ୱ ନାଟକ ଦିବସ ପାଳନ ଅବସରରେ ଜଣେ ଆନ୍ତର୍ଜାତିକ ସ୍ୱୀକୃତ ରଂଗକର୍ମୀଙ୍କୁ ଚୟନ କରାଯାଇ ତାଙ୍କର ଲିଖିତ ଏକ ବାର୍ତ୍ତା କୁ ଉପସ୍ଥାପନ କରାଯାଇଥାଏ।ନାଟକ ଓ ନାଟ୍ୟକର୍ମୀଙ୍କ ତଥା ନାଟ୍ୟାମୋଦିମାନଙ୍କ ପାଇଁ ସାଧାରଣତଃ ଏଇ ବାର୍ତ୍ତା ଉତ୍ସାହପ୍ରଦ।
ଚଳିତ ବର୍ଷ ଅର୍ଥାତ୍ ୨୦୨୩ ର ସେଇ ସମ୍ମାନଜନକ ବାର୍ତ୍ତା ପ୍ରଦାନ ପାଇଁ ଚୟନ କରାଯାଇଛି ମିଶର ଦେଶର ପ୍ରଖ୍ୟାତ ମଞ୍ଚ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ସମିହା ଆୟୁବ ଙ୍କୁ।
ଏଥର ଆସନ୍ତୁ ତାଙ୍କର ପ୍ରଦତ୍ତ ବିଶ୍ୱ ନାଟକ ଦିବସ ଅବସରରେ ତାଙ୍କର ବାର୍ତ୍ତାକୁ ପାଠ କରିବା।
ଏହି ଆଲେଖର ମୂଳ ଭାଷା ହେଉଛି ଆରବୀ। ଏବଂ ପରେ ଏହା ପୃଥିବୀର ସମସ୍ତ ପ୍ରଧାନ ସ୍ୱୀକୃତ ଭାଷାରେ ଅନୁଦିତ ହୋଇ ଅଛି। ଏଠାରେ ଏଇ ଆଲେଖଟି ଇଂରେଜୀରୁ ଅନୁସୃଜିତ ।
ସମିହା ଆୟୁବଙ୍କ ବାର୍ତ୍ତାଟି ଶୀର୍ଷକହୀନ। ଏହାର ବକ୍ତବ୍ୟ ଅତ୍ୟନ୍ତ ପ୍ରାସଙ୍ଗିକ।
ଆମର ସମକାଳର ବିଶ୍ୱ ଯେଉଁ ଭଳି ବିରୋଧାଭାଷରେ ନିଜର ଆତ୍ମିକ ତଥା ପାରିପାର୍ଶ୍ୱିକ ସଂକଟକୁ ଦେଖିବାର ଅସହଜପଣରେ ବଂଚୁଛି ,ସେଇଠି ସବୁ ବୈପରିତ୍ୟ ର ଅପସାରଣ ପାଇଁ ଶ୍ରୀଯୁକ୍ତା ସମିହା ଆୟୁବ ଏକ ଆହ୍ୱାନ ଏଇ ଆଲେଖ ମାଧ୍ୟମରେ ପ୍ରଦାନ କରିଛନ୍ତି ।
ଏହି ଆଲେଖର କେନ୍ଦ୍ରରେ ରହିଛି ପ୍ରଖ୍ୟାତ ନାଟ୍ୟଶାସ୍ତ୍ରୀ କନଷ୍ଟାଣ୍ଟାଇନ୍ ସ୍ତାନିଲାଭସ୍କିଙ୍କର ଗୋଟିଏ ଅମୂଲ୍ୟ ବକ୍ତବ୍ୟ ।
ସେହି ବକ୍ତବ୍ୟଟି ଏହିପରି:
"ପାଦରେ କାଦୁଅ ଲାଗିଛି ଯଦି ତାହାହେଲେ ଥିଏଟର୍ କୁ ଆସନାହିଁ ।"}
ମୋର ସମସ୍ତ ବନ୍ଧୁ,ପୃଥିବୀବ୍ୟାପୀ ସମସ୍ତ ନାଟ୍ୟକର୍ମୀ ଦଳ !
ବିଶ୍ୱ ନାଟ୍ୟ ଦିବସରେ ଏଇ ଭଳି କିଛି ବାର୍ତ୍ତା ଆକାରରେ ଲେଖିବା ବେଳେ ଆପଣମାନଙ୍କୁ କିଛି କହିବାର ବେଳେ ମୁଁ ଖୁସିରେ ଆତ୍ମହରା,ମାତ୍ର ମୋର ପ୍ରତିଟି ତନ୍ତୁ ଏଇଲେ ସତତ ଭାରାକ୍ରାନ୍ତ ଯନ୍ତ୍ରଣାବୋଧରେ । ଏଇ ବେଦନା ବର୍ତ୍ତମାନର ସମସ୍ୟାସଙ୍କୁଳ ପୃଥିବୀର ଅସୁମାରୀ ଚାପଜନୀତ ମିଶ୍ର ଅନୁଭୂତି ଯାହା ନାଟ୍ୟ ଜଗତ ଏବଂ ତାହାର ବାହାରର ପ୍ରତ୍ୟେକ ଶିଳ୍ପୀ ଙ୍କୁ ଭୋଗ କରିବାକୁ ହେଉଛି । ବର୍ତ୍ତମାନର ପୃଥିବୀ ଯେଉଁ ଦ୍ୱନ୍ଦ୍ୱ,ରକ୍ତପାତ ଏବଂ ପ୍ରାକୃତିକ ବିପର୍ଯ୍ୟୟ ର ସାକ୍ଷୀ ତାହାର ପ୍ରତ୍ୟକ୍ଷ ପରିଣାମ ହେଉଛି ଅସ୍ଥିରତା। ଏହାର ଧ୍ୱଂସାତ୍ମକ ପ୍ରଭାବ ଯେ କେବଳ ଆମର ବସ୍ତୁଜଗତରେ ପଡୁଅଛି ସେକଥା ନୁହଁ,ଆମର ଆଧ୍ୟାତ୍ମିକ ଜଗତ ଏବଂ ମନଃସ୍ତାତ୍ତ୍ୱିକ ଶାନ୍ତି ଏହାଦ୍ୱାରା ବିପନ୍ନ ଏବଂ ବିଘ୍ନିତ ହେଉଅଛି।
ମୁଁ ଏମିତି ଏକ ସମୟରେ ଆପଣମାନଙ୍କ ସହିତ କଥା ହେଉଅଛି ଯେତେବେଳେ ସମଗ୍ର ପୃଥିବୀ ମନେ ହେଉଛି କେତେଗୁଡିଏ ବିଚ୍ଛିନ୍ନ ଦ୍ୱୀପପୁଞ୍ଜ ଅଥବା କେତେଗୁଡିଏ ପାଲଟଣା ଅପସୃୟମାନ ଜାହାଜ ଯାହା କହିବାକୁଗଲେ ଏକ ପ୍ରକାର ଦିଶାହରା ହୋଇ ଆଗେଇ ଚାଲିଛନ୍ତି କେଉଁ ଏକ କୁହୁଡିଘେରା ଦିଗନ୍ତକୁ। ସାହାଯ୍ୟ କରିବା ପାଇଁ ସେମାନଙ୍କୁ ଆଖପାଖରେ କେହି ନାହିଁ । ତଥାପି ସେମାନେ ଏଇ ଗର୍ଜନମୁଖର ସମୂଦ୍ରକୁ ଚିରି ଚିରି ଆଗେଇଚାଲିଛନ୍ତି ଏମିତି ଗୋଟିଏ ଆଶାରେ,ଏମିତି ସ୍ଥାନଟିଏ ହୁଏତ ସେମାନଙ୍କୁ ମିଳିଯିବ ଯେଉଁଠି ସେମାନେ ନିରାପଦରେ ନିଜନିଜର ନଙ୍ଗର ପକାଇ ପାରିବେ।
ଆମର ପୃଥିବୀ ଆଜିକାଲି ଭଳି ଏତେ ନିବିଡ ଭାବରେ ସଂଲଗ୍ନ ହୋଇ ଆଗରୁ କେବେ ନଥିଲା,କିନ୍ତୁ ଏହା ସହିତ ସମାନଭାବରେ ଆଜିକାଲି ଭଳି ଦୂରବର୍ତ୍ତି ଏବଂ ସାମଞ୍ଜସ୍ୟବିହୀନ ବି କେବେ ନଥିଲା । ସମକାଳୀନ ପୃଥିବୀ ଆମ ଉପରେ ଏଇ ଆପାତ ସ୍ୱବିରୋଧୀତାକୁ ଲଦି ଦେଇଛି । ଆଧୁନିକ ଯୋଗାଯୋଗ ବ୍ୟବସ୍ଥା ଏବଂ ସଂବାଦର ଦ୍ରୁତ ସଂବହନ ସମସ୍ତ ଭୌଗଳିକ ଦୂରତ୍ୱ କୁ ଅତିକ୍ରମ କରି ସମଗ୍ର ବିଶ୍ୱବ୍ୟାପୀ ଏକ ସମ୍ମିଳିତପଣର ଆବହ ସୃଷ୍ଟି କରୁଅଛି । ତଥାପି ଆମେ ପ୍ରତ୍ୟକ୍ଷ କରୁଅଛୁ ମତାନୈକ୍ୟର ପୀଡନ ଯାହା ସମସ୍ତ ଯୁକ୍ତିଗ୍ରାହ୍ୟ ଧାରଣାକୁ ଧୂଳିସାତ୍ କରି ଏହି ଦୃଶ୍ୟମାନ ବାହ୍ୟିକ ଐକ୍ୟତାନର ଅଭ୍ୟନ୍ତରରେ ବେସୁରା ବିଚଳନ ସୃଷ୍ଟି କରୁଅଛି। ଏହି ଅବସ୍ଥା ଆମମାନଙ୍କୁ ମନୁଷ୍ୟତ୍ୱର ସହଜାତ ଧର୍ମରୁ ବିଚ୍ୟୁତ କରୁଅଛି।
ଥିଏଟର୍ ର ସାରମର୍ମ ହେଉଛି ଏଇଟି ମନୁଷତ୍ୱ ତଥା ଜୀବନର ନିର୍ଯ୍ୟାସବାହୀ ମାନବିକ କାର୍ଯ୍ୟକଳାପ । ମହାନ ଅଗ୍ରଜ କନଷ୍ଟାଣ୍ଟାଇନ୍ ସ୍ତାନିଲାଭସ୍କି କହିଛନ୍ତି," ପାଦରେ କାଦୁଅ ଲାଗିଛି ଯଦି ତାହାହେଲେ ଥିଏଟର୍ କୁ ଆସନାହିଁ । ଧୂଳି ମଇଳା ସବୁକୁ ବାହାରେ ରଖି କି ଆସ । ତମର ସାମାନ୍ୟ ଉଦ୍ବେଗ ,ସାଧାରଣ ସମସ୍ୟା,କଳହ ଆଦିକୁ ବାହାର ପିନ୍ଧା ପୋଷାକ ଭଳି ଦରଜାର ସେପଟେ ରଖି ଆସ କାରଣ ଏଗୁଡିକ ତମକୁ ଶିଳ୍ପ ବିମୁଖ କରିବା ସହ ତମର ଜୀବନକୁ ଧ୍ୱଂସ କରିଦେବ "। ଆମେମାନେ ଯେତେବେଳେ ମଞ୍ଚ ଆରୋହଣ କରୁ ,ସେତେବେଳେ ସାଥିରେ ଜଣେ ବିଶେଷ ମଣିଷର ନିର୍ଦ୍ଦିଷ୍ଟ ଜୀବନକୁ ହିଁ ଧରି ଉଠିଥାଉ। କିନ୍ତୁ ଏହି ଜୀବନର ତାହାକୁ ବିଶ୍ଳେଷିତ କରି ତାହାର ଭିତରୁ ଆହୁରି ଅନେକ ଜୀବନ ସୃଷ୍ଟି କରିବା ଭଳି ତାହାର ଅନନ୍ୟ କ୍ଷମତା ରହିଅଛି। ଏହି ପୃଥିବୀରେ ଆମେମାନେ ସେହି ବହୁତ୍ୱର ପ୍ରଚାର କରୁ - ଯାହା ଫଳରେ ସେଇଟି ଜୀବନ୍ତ ହୁଏ,ବିକଶିତ ହୋଇ ସମସ୍ତଙ୍କୁ ସୁବାସ ବିତରଣ କରିଥାଏ ।
ଜଣେ ନାଟ୍ୟକାର,ନିର୍ଦ୍ଦେଶକ,ଅଭିନେତା,ଦୃଶ୍ୟନିର୍ମାତା,କବି,ସୁରକାର,ନୃତ୍ୟ ନିର୍ଦ୍ଦେଶକ ଅଥବା କଳାକୁଶଳୀ ହିସାବରେ ଆମେମାନେ ଥିଏଟର୍ ଜଗତରେ ଏପରି କିଛି ଜୀବନର ବିନିର୍ମାଣ କରିଥାଉ ଯାହାର ଅସ୍ତିତ୍ୱ ମଞ୍ଚରେ ଉଠିବାର ଆଗ ପର୍ଯ୍ୟନ୍ତ ନଥିଲା । ଏଇ ଜୀବନକୁ ଧରି ରଖିବା ପାଇଁ ସବୁବେଳେ ଆବଶ୍ୟକ ରହିଛି ଗୋଟିଏ ଯତ୍ନଶୀଳ ହାତ,ଟିକିଏ ଉଷ୍ମତା ଭରିଦେବାପାଇଁ ଆଉ ଗୋଟିଏ ଛାତି । ଏଇ ଜୀବନ ପ୍ରତ୍ୟାଶା କରେ ଗୋଟିଏ ସ୍ନେହଶୀଳ ହୃଦୟର ସହମର୍ମିତା,ଗୋଟିଏ ପ୍ରଶାନ୍ତ ଅନ୍ତର୍ମନ ଯାହା ତା'କୁ ବଞ୍ଚିରହିବାର,ଆଗେଇଚାଲିବାର ପ୍ରେରଣା ଦେଉଥାଏ ।
ଏଇଟି ମୋର ଅତିଶୟୋକ୍ତି ହେବନାହିଁ ଯଦି ମୁଁ ଏମିତି କହିବି ଯେ ଆମେମାନେ ମଞ୍ଚରେ ଶୂନ୍ୟଗର୍ଭରୁ ଜୀବନର ରୂପାୟନ କରିଥାଉ ।ଯେଉଁଭଳି ଅନ୍ଧକାରର ଅଳିନ୍ଦରେ ଜ୍ୱଳନ୍ତ ଅଂଗାରରୁ ସ୍ଫୁଲିଙ୍ଗମାନ ବିଛାଡି ପଡେ,ଶୀତାର୍ତ୍ତକୁ ଯୋଗାଇଦିଏ ଉତ୍ତାପ । ଆମେମାନେ ଜୀବନକୁ ମୂର୍ତ୍ତ କରୁ,ସଂପ୍ରଦାନ କରୁ ଉତ୍କର୍ଷତା । ଆମେମାନେ ଜୀବନକୁ ପ୍ରାଣବନ୍ତ ଆଉ ଅର୍ଥମୟ କରି ଗଢି ତୋଳୁ। ପୁଣି ଆମେମାନେ ଜୀବନକୁ ବୁଝିବା ପାଇଁ ବୋଧଶକ୍ତି ର ଯୋଗାଣ ଦେଉ । ଆମେମାନେ ଶିଳ୍ପର ଆଲୁଅକୁ ହତିଆର କରି ମୁକାବିଲା କରୁ ଅଜ୍ଞତା ଆଉ ଚରମପନ୍ଥାର ଅନ୍ଧକାର । ଜୀବନକୁ ଗୋଟିଏ ମତବାଦ ଭଳି ଜାବୁଡି ଧରି ତାହାକୁ ଆମେ ସମଗ୍ର ବିଶ୍ୱରେ ପ୍ରସାରିତ କରିଦେଉ । ଏଇଥିପାଇଁ ତ ଆମର ଯେତେକ ପରିଶ୍ରମ; ଆମର ଘର୍ମ,ରକ୍ତ ଆଉ ଅଶ୍ରୁର କ୍ଷରଣ ଏବଂ ଆମର ସମସ୍ତ ସମୟ ଆଉ ସକ୍ରୀୟତାର ବ୍ୟୟଭାର । ଏହା ଭିତରେ ଆମେ ଅର୍ଜନ କରିବାକୁ ଚାହୁଁ ସୁଉଚ୍ଚ କୌଣସି ଆଦର୍ଶ,ରକ୍ଷା କରିବାକୁ ଚାହୁଁ ଯାହାକିଛି ଭଲ,ସତ୍ୟ ଏବଂ ସୁନ୍ଦର । ଆମର ଦୃଢ ବିଶ୍ୱାସ ବଞ୍ଚିବାର ଅପରନାମ ହିଁ ଜୀବନ ।
ଆଜି ମୁଁ ଆପଣମାନଙ୍କର ସକଳ ଶିଳ୍ପର ପ୍ରାଣଶକ୍ତି ଥିଏଟର୍ କୁ ତାହାର ନିମନ୍ତେ ନିର୍ଦ୍ଧାରିତ ଏଇ ବିଶେଷ ଆନ୍ତର୍ଜାତିକ ଦିବସଟିକୁ କେବଳ ଉତ୍ସବମୁଖର ଭାବରେ ପାଳନ କରିବା ପାଇଁ କହିବାକୁ ଯାଉନାହିଁ । ବରଂ ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆମନ୍ତ୍ରଣ ଜଣାଉଛି ହାତରେ ହାତକୁ ଛନ୍ଦି,କାନ୍ଧରେ କାନ୍ଧକୁ ମିଳାଇ ଏକତ୍ରିତ ହୋଇ ନିଜର ଗଳାର ସ୍ୱରକୁ ସର୍ବୋଚ୍ଚ ମାତ୍ରାରେ ଛୁଆଁଇ ଥିଏଟର୍ ର ପାଖରେ ଆସି ଛିଡା ହେବା,ଯେଉଁ ଭଳି କାମ ମଞ୍ଚରେ ଉଠି କରିବା ପାଇଁ ଆମେମାନେ ଅଭ୍ୟସ୍ତ । ଆମମାନଙ୍କର ଉଚ୍ଚାରିତ ପ୍ରତ୍ୟେକଟି ଶବ୍ଦ ବିଶ୍ୱମାନବର ଚେତନାର ଉନ୍ମେଷ ଘଟାଉ ଏବଂ ହଜିଯାଇଥିବା ମାନବତାର ହଜିଯାଇଥିବା ସକଳ ସୌକର୍ଯ୍ୟକୁ ଖୋଜି ବସୁ ନିଜର ହୃଦୟର ଗୋପନ ଅନ୍ତଃପୁରରେ ଯାହା ମାନବତାମୁକ୍ତ,ସହନଶୀଳ,ପ୍ରୀତିମୁଖର,ଅନୁକମ୍ପାପ୍ରବଣ,ବିନମ୍ର ଏବଂ ସବୁକିଛିକୁ ଗ୍ରହଣ କରିବା ନିମନ୍ତେ ଉନ୍ମୁଖ । ବିନାଶ ହେଉ ନୃଶଂସତା,ବର୍ଣ୍ଣବାଦ,ରକ୍ତକ୍ଷୟୀ ସଂଘର୍ଷ,ଏକତରଫା ଚିନ୍ତନ ଏବଂ ସକଳ ଚରମପନ୍ଥୀ ପ୍ରତିଛବି । ପୃଥିବୀର ଏଇ ଖୋଲା ଆକାଶର ତଳେ ମଣିଷ ହଜାର ହଜାର ବର୍ଷ ଧରି ନିରନ୍ତର ଯାତ୍ରା କରୁଅଛି । ତାହାର ପଦଯୁଗଳକୁ ସେ ଯେମିତି ଯୁଦ୍ଧ ଆଉ ରକ୍ତକ୍ଷୟୀ ସଂଘର୍ଷ ର ପଙ୍କିଳ ଆବର୍ଜନାରୁ ମୁକ୍ତ କରି ମଞ୍ଚର ଦ୍ୱାରଦେଶରେ ଆସି ଉପସ୍ଥିତ କରିବା ପାଇଁ ସକ୍ଷମ ହୁଏ । ଆମର ସଂଶୟଆଚ୍ଛନ୍ନ ମନୁଷ୍ୟତ୍ୱ ପୁନର୍ବାର ନିଶ୍ଚୟତାର ସ୍ପଷ୍ଟତାରେ ନିଜର ମଥା ଉପରକୁ କରି ଛିଡା ହୋଇ ପାରେ ,ଯାହା ଆମକୁ ଗର୍ବିତ କରିବ ଏଇ ଭଳି ଗୋଟିଏ ଭାବନାରେ ଯେ ଆମେମାନେ ପ୍ରତ୍ୟେକେ ବିଶ୍ୱମାନବର ପ୍ରତିଭୂ।
ଆମେମାନେ ନାଟ୍ୟନିର୍ମାତା । ଜ୍ଞାନର ଆଲୋକବର୍ତ୍ତିକାକୁ ବହନ କରି ସେଇଦିନରୁ ଚାଲୁଛୁ ଯେଉଁଦିନ ପ୍ରଥମେ କେଉଁ ଜଣେ ଅଭିନେତା ପ୍ରଥମ ଥର ମଞ୍ଚରେ ପଦାର୍ପଣ କରିଥିଲା । ଆମେମାନେ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲୁ ଯାହା କିଛି ଖରାପ ତାହାକୁ ପ୍ରତିରୋଧ କରିବୁ ଆଉ ଯାହା ସୁନ୍ଦର ,ଯାହା ପବିତ୍ର ,ଯାହା ମାନବିକ ତାହାକୁ ସାହାଯ୍ୟ କରିବୁ। ଆସନ୍ତୁ ଆମେମାନେ ସମସ୍ତେ ସେହି ଐକ୍ୟବଦ୍ଧ ପୃଥିବୀ ଆଉ ସେହି ସମ୍ମିଳିତ ମାନବତାର ସନ୍ଧାନର ଦିଗରେ ଅଗ୍ରସର ହେବା ପାଇଁ ନିଜକୁ ଯେମିତି ଏକାଠି ବିକଶିତ କରିପାରୁ ।