ଓଡିଶା ବିଜେପିରେ ଜୟନାରାୟଣଙ୍କ ଗୋଠ ଅଲଗା କି ?
ନବ ଦାସ ପ୍ରସଙ୍ଗରେ ମାତ୍ରାଧିକ ପ୍ରତିକ୍ରିୟା ଜୟ ନାରାୟଣଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଟଳମଳ କରିବାର ସଙ୍କେତ ବିଜେପି ଭିତରୁ ମିଳୁଛି ।
ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ସ୍ଵର୍ଗତ ମନ୍ତ୍ରୀ ନବ ଦାସଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଛନ୍ତି । ରାଜନୀତିର ଗୋଟିଚାଳନା ଆଗରେ ମାନବୀୟ ସମ୍ପର୍କର ମୂଲ୍ୟ ଯେ ତଥାପି ଅତୁଟ ଅଛି, ଏ ଘଟଣା ସେ କଥାକୁ ପ୍ରମାଣିତ କରୁଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରଗଡ ଲୋକସଭା ସଦସ୍ୟ ସୁରେଶ ପୂଜାରୀ ଏବଂ ବ୍ରଜରାଜନଗରର ପୂର୍ବତନ ବିଧାୟିକା ରାଧାରାଣୀ ପଣ୍ଡା ସ୍ଵର୍ଗତ ମନ୍ତ୍ରୀଙ୍କ ଘରେ ଉପସ୍ଥିତ ରହି ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ଏକ ଭଲ ପରମ୍ପରା । ପୂର୍ବରୁ ନବ ଦାସଙ୍କ ଦ୍ବାଦଶାହ ସଭାରେ ସାଂସଦ ସୁରେଶ ପୂଜାରୀ ଓ ଆଉ କିଛି ବିଜେପି ବିଧାୟକ ମଧ୍ୟ ଯୋଗଦାନ କରିଥିଲେ । ତେବେ ଏହି ସମଗ୍ର ଘଟଣାକ୍ରମ ଭିତରେ ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଭୂମିକା ଓ ବକ୍ତବ୍ୟ ଅଲଗା ଜଣା ପଡୁଛି । ନବ ଦାସ ଏକ ଜଘନ୍ୟ ହତ୍ୟାକାଣ୍ଡର ଶିକାର ହୋଇଥିବାରୁ ଏ ପ୍ରସଙ୍ଗରେ ବିଜେପିର ତୁଙ୍ଗ ନେତାମାନେ ମାପିଚୁପି ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ହେଲେ ଜୟନାରାୟଣ ମିଶ୍ରଙ୍କ ଭୂମିକା ଦଳୀୟ ଭୂମିକାରୁ ଅଲଗା ଜଣାପଡୁଛି ।
ସ୍ଵାଭାବିକ ଭାବରେ ଏକ ରାଜନୈତିକ ହତ୍ୟାକାଣ୍ଡକୁ ନେଇ ରାଜନୀତି ହେବ, କିନ୍ତୁ ଏହାର ସୀମା କଣ ସେ ବିଷୟରେ ଏବେ ଚର୍ଚ୍ଚା ଚାଲିଛି । ନବ ଦାସଙ୍କ ହତ୍ୟାକାଣ୍ଡ ପରଠୁ ଜୟ ନାରାୟଣ ବିଜେଡି ଉପରେ ଆକ୍ରମଣ ଜାରି ରଖିଛନ୍ତି । ପରୋକ୍ଷ ଭାବରେ ନବ ଦାସଙ୍କ ହତ୍ୟାକାଣ୍ଡ ପଛରେ ବିଜେଡିର କ୍ଷମତା କନ୍ଦଳ ରହିଛି ବୋଲି ସେ କହୁଛନ୍ତି । ଯଦିଓ ତାଙ୍କ ଅଭିଯୋଗର କୌଣସି ଆଧାର ନାହିଁ କିମ୍ବା ବିଜେଡି ଭିତରେ ଅନ୍ତଃ କନ୍ଦଳର ସେମିତି କିଛି ସୂଚନା ନାହିଁ, ତଥାପି ମୁଖ୍ୟମନ୍ତ୍ରୀ ପଦ ଆଶାୟୀ ଜଣେ ନେତା ନବଙ୍କୁ ହତ୍ୟା କରାଇଥାଇପାରନ୍ତି ବୋଲି ଏକ ଗୁଜବ ବ୍ୟାପକ ଭାବରେ ପ୍ରଚାରିତ ହେଉଛି ।
ତେବେ ବିରୋଧୀ ଦଳ ନେତା ଗୁଜବ ଆଧାରରେ ରାଜନୀତି କରିବେ କି ? ବିଜେପିର ବହୁ ଲୋକ ପ୍ରତିନିଧି ନବଙ୍କ ଦ୍ବାଦଶାହ ସଭାରେ ସାମିଲ ହୋଇଥିବା ବେଳେ ଏହାକୁ ଏକ ରାଜନୈତିକ ସଭା ବୋଲି ଜୟ ନାରାୟଣ ଆକ୍ଷେପ କରିଥିଲେ । ପ୍ରଥମ ଥର ଲାଗି ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଜୟ ନାରାୟଣଙ୍କର ମତିଭ୍ରମ ଘଟିଲାଣି ବୋଲି ତୀବ୍ର ପ୍ରତିବାଦ କରା ଯାଇଥିଲା ।
ନବ ଦାସ ହତ୍ୟାକାଣ୍ଡକୁ ନେଇ ବିଜେପିର ପ୍ରତିକ୍ରିୟା ସମାନ୍ତରାଳରେ ଦୁଇଟି ବିପରୀତ ଧାରାରେ ଗତି କରୁଛି । ବିଜେପିର କେନ୍ଦ୍ରୀୟ ନେତୃତ୍ଵ ଏବଂ ଶୀର୍ଷ ନେତୃତ୍ଵ ଏ ପ୍ରସଙ୍ଗରେ ମାପିଚୁପି କଥା କହୁଛନ୍ତି । ଏ ପ୍ରସଙ୍ଗକୁ ନେଇ ବିଜେପି ସେମିତି କିଛି ବଡ ରାଜନୈତିକ ପ୍ରତିବାଦ କରିନାହିଁ । ଜଣେ କ୍ୟାବିନେଟ ମନ୍ତ୍ରୀଙ୍କର ସ୍ପଷ୍ଟ ଦିବାଲୋକରେ ହତ୍ୟା ଘଟିଥିଲେ ମଧ୍ୟ ରାଜ୍ୟର ଆଇନ ଶ୍ରୁଙ୍ଖଳା ପ୍ରସଙ୍ଗକୁ ନେଇ ବିଜେପି ରାସ୍ତାକୁ ଓହ୍ଲାଇ ନାଇଁ କି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବୀ ଉଠାଇ ନାଇଁ । ବିଜେପି ତୁଳନାରେ କଂଗ୍ରେସର ପ୍ରତିବାଦ ଟିକେ ଅଧିକ ଟାଣୁଆ ଲାଗୁଛି । ଏହି ସମାନ ସମୟରେ ସଂସଦରେ ବିଜେପି ଏବଂ ବିଜେଡ଼ିର ସମନ୍ଵୟ ଆହୁରୁ ଅଧିକ ଘନିଷ୍ଠ ମନେହେଉଛି । ତେଣୁ ନବ ଦାସ ହତ୍ୟା ପ୍ରସଙ୍ଗରେ ବିଜେପି ଶୀର୍ଷ ନେତୃତ୍ଵ ରାଜ୍ୟ ସରକାରଙ୍କୁ ଅଡୁଆରେ ପକାଇବାକୁ ଚାହୁଁ ନଥିବା ସ୍ପଷ୍ଟ ଦିଶୁଛି ।
ତେବେ ଜୟ ନାରାୟଣ ମିଶ୍ର ଏହି ଧାରାର ବିପରୀତରେ ଗତି କରୁଛନ୍ତି । ରାଜ୍ୟ ସରକାର ଓ ରାଜ୍ୟ ପୁଲିସ ଉପରେ ତାଙ୍କର ଆକ୍ରମଣ ଅଧିକ ଶାଣିତ । ସେ ଦଳ ଭିତରେ ଗୋଠଖଣ୍ଡିଆ ଭଳିଆ ଲଢେଇ କରୁଛନ୍ତି । ଇତି ମଧ୍ୟରେ ପୂର୍ବତନ ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ ନାୟକ ସୁସ୍ଥ ହୋଇ ଫେରିଆସିବାର ସୂଚନା ମିଳୁଛି । ପ୍ରଦୀପ୍ତଙ୍କ ଲେଉଟାଣି ଜୟ ନାରାୟଣଙ୍କ ଲାଗି ଆହ୍ଵାନ ସୃଷ୍ଟି କରିପାରେ । ନବ ଦାସ ପ୍ରସଙ୍ଗରେ ମାତ୍ରାଧିକ ପ୍ରତିକ୍ରିୟା ଜୟ ନାରାୟଣଙ୍କ ରାଜନୈତିକ ସ୍ଥିତିକୁ ଅଧିକ ଟଳମଳ କରିବାର ସଙ୍କେତ ବିଜେପି ଭିତରୁ ମିଳୁଛି ।